• ସୂର୍ଯ୍ୟସ୍ନାତା ଦାସ

ଅନଧିକାର ପ୍ରବେଶ ; ଆଇନ କହେ ତୁମେ ସେଇଠି ବସ ।




ଦଣ୍ଡ ସଂହିତାର ଭାଷାରେ ଯଦି କୌଣସି ବ୍ୟକ୍ତି ଅନ୍ୟର ଅଧିକାରରେ ଥିବା ସମ୍ପତ୍ତିରେ କୌଣସି ଅପରାଧ କରିବା ନିମନ୍ତେ କିମ୍ବା ଉକ୍ତ ସମ୍ପତ୍ତିର ଦଖଲକାରୀଙ୍କୁ ଭୟଭୀତ କରିବା, ଅପମାନ ବା ବିରକ୍ତି କରିବାର ଉଦ୍ଦେଶ୍ୟରେ ପ୍ରବେଶ କରନ୍ତି କିମ୍ବା ଆଇନତଃ ପ୍ରବେଶ କରିବାକୁ ଯୋଗ୍ୟ ହେଲେ ମଧ୍ୟ ଉପରୋକ୍ତ ଅଧରାଧ ସମୂହ କରିବା ଉଦ୍ଦେଶ୍ୟରେ ବେଆଇନ ଭାବରେ ସେଠାରେ ଅବସ୍ଥାନ କରି ରହନ୍ତି,ତେବେ ସେ ଅପରାଧିକ ଅନୁପ୍ରବେଶ କରିଛନ୍ତି ବୋଲି କୁହାଯାଇଥାଏ।


ଏହି ଅପରାଧିକ ଅନଧିକାର ପ୍ରବେଶ ଯଦି କୌଣସି ବ୍ୟକ୍ତି ମଣିଷ ବସବାସ କରୁଥିବା କୌଣସି ଗୃହ, ତମ୍ଭୁ ଅଥବା ଜାହାଜ ଯାହା କିମ୍ବା କୌଣସି ଉପାସନା ସ୍ଥଳୀ ଅବା ଦ୍ରବ୍ୟ ସଂରକ୍ଷଣ କରାଯାଉଥିବା କୌଣସି ସ୍ଥାନରେ କରାଯାଏ, ତେବେ ସଂପୃକ୍ତ ବ୍ୟକ୍ତିଜଣଙ୍କ ଦଫା ୪୪୨ ଅନୁସାରେ ‘ଗୃହରେ ଅନଧିକାର ପ୍ରବେଶ କରିଛନ୍ତି, ବୋଲି କୁହାଯିବ ।ଏହାର ବ୍ୟାଖ୍ୟାରେ କୁହାଯାଇଛି ଯେ,ଯଦି ପ୍ରବେଶକାରୀଙ୍କ ଶରୀରର କୌଣସି ବି ଅଂଶ ଉକ୍ତ ସ୍ଥାନରେ ପ୍ରବେଶ କଲା,ତେବେ ତାହାକୁ ‘ଗୃହରେ ଅନଧିକାର ପ୍ରବେଶ’ କୁହାଯିବ ।ଏପରି ପ୍ରବେଶ କରିବାରୁ ତାଙ୍କୁ ବଞ୍ଚିତ କରିବା ପାଇଁ ଯେଉଁ ବ୍ୟକ୍ତିଙ୍କର ଅଧିକାର ଥାଏ, ତାଙ୍କଠୁଁ ଏ ପ୍ରବେଶ ବିଷୟରେ ଲୁଚେଇବା ପାଇଁ ସତର୍କତା ଅବଲମ୍ବନ କରି ଗୃହରେ

ଅନକାର ପ୍ରବେଶ କଲେ,ତାହାକୁ ଲୁଚିଛପି ଅନଧିକାର ଗୃହପ୍ରବେଶ କରାଯାଇଛି ବୋଲି କୁହାଯିବ ।


ଏପରି ଲୁଚିଛପି ଅନଧିକାର ଗୃହପ୍ରବେଶ ପାଇଁ ଦଫା ୪୫୩ରେ ଦୁଇ ବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ତଥା ଜରିମାନା ଦଣ୍ଡର ଉଲ୍ଲେଖ କରିଛି।ଯଦି ଏହା ସୂର୍ଯ୍ୟାସ୍ତ ପରେ କିମ୍ବା ସୂର୍ଯ୍ୟୋଦୟ ପୂର୍ବରୁ କରାଯାଇଥାଏ,ତେବେ ରାତିରେ ଲୁଚିଛପି ଅନଧିକାର ଗୃହପ୍ରବେଶ ବା ଗୃହଭେଦ ପାଇଁ ଦଫା୪୫୬ରେ ଜରିମାନା ସହ ତିନିବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା ରହିଛି।


ଯଦି କେହି ଏହି ଛଅ ପ୍ରକାର ଉପାୟ ମଧ୍ୟରୁ କୌଣସି ଏକ ପ୍ରକାର ଉପାୟରେ ଗୃହରେ ପ୍ରବେଶ,ଅବସ୍ଥାନ ଅବା ପ୍ରସ୍ଥାନ କରନ୍ତି ତେବେ ଦଫା ୪୪୫ ଅନୁସାରେ ସେ ଗୃହ ଭେଦ କରିଛନ୍ତି ବୋଲି କୁହାଯାଇଥାଏ ;


ପ୍ରଥମରେ – ଯଦି ସେ ଗୃହରେ ଅନଧିକାର ପ୍ରବେଶ ପାଇଁ ନିଜେ କରିଥିବା ବା କୌଣସି ସହାୟକ ଦ୍ଵାରା କରାଯାଇଥିବା କୌଣସି ପଥ ଦେଇ ଉକ୍ତ ଗୃହରେ ପ୍ରବେଶ କରନ୍ତି ବା ସେଠାରୁ ପ୍ରସ୍ଥାନ କରନ୍ତି ;


ଦ୍ଵିତୀୟରେ – ଯଦି ସେ କୌଣସି ଲୋକର ଯାତାୟତ ପାଇଁ ବ୍ୟବହୃତ ହେଉନଥିବା କୌଣସି ପଥ ଯେପରିକି କାନ୍ଥ ଉପରେ ଚଢିବା ଇତ୍ୟାଦି ଦ୍ଵାରା ପ୍ରବେଶ କରନ୍ତି ବା ବାହାରିଯାଆନ୍ତି;


ତୃତୀୟରେ – ଯଦି ସେ ଗୃହର ବାସିନ୍ଦା ଇଚ୍ଛା କରି ଖୋଲିନଥିବା କୌଣସି ପଥକୁ ଉକ୍ତ ପ୍ରବେଶକାରୀ ଓ ତାର ସହାୟକ ଖୋଲି ଅନଧିକାର ପ୍ରବେଶ ପାଇଁ ବ୍ୟବହାର କରନ୍ତି ;


ଚତୁର୍ଥରେ - ଯଦି ସେ ଗୃହରେ ତାଲାଭାଙ୍ଗି ଅନଧିକାର ପ୍ରବେଶ କରନ୍ତି ବା ବାହାରି ଯାଆନ୍ତି;


ପଞ୍ଚମରେ – ଯଦି ସେ ଆପରାଧିକ ବଳ ପ୍ରୟୋଗ କରି କିମ୍ବା ଆକ୍ରମଣ କରି ବା ସେଥିପାଇଁ ଭୟ ଦେଖାଇ ଅନଧିକାର ପ୍ରବେଶ ବା ପ୍ରସ୍ଥାନ କରନ୍ତି ।;


ଷଷ୍ଠରେ- ଯଦି ସେ ପ୍ରବେଶ ବା ପ୍ରସ୍ଥାନ ପାଇଁ ବନ୍ଦଥିବା ପଥକୁ ନିଜେ ବା ସହାୟକ ଦ୍ଵାରା ଖୋଲା କରି ପ୍ରବେଶ ବା ପ୍ରସ୍ଥାନ କରନ୍ତି।


କୌଣସି ଗୃହର ବାହାର ଗୃହ ଅର୍ଥାତ ଆଉଟ ହାଉସ ବା ସଂଲଗ୍ନ ପ୍ରକୋଷ୍ଠ ଯାହା ଭିତରେ ଅବାଧରେ ଆଭ୍ୟନ୍ତରୀଣ ଯାତାୟତ ହେଉଥାଏ,ତାହା ମଧ୍ୟ ଗୃହର ଅଂଶ ଭାବରେ ଗୃହୀତ ହୋଇଥାଏ।ଏହାର ସଂହିତାରେ ପ୍ରଦତ୍ତ ନିମ୍ନଲିଖିତ ଦୃଷ୍ଟାନ୍ତ ମାଧ୍ୟମରେ ସହଜରେ ବୁଝିହେବ ।


-'କ' ର ଘରର କାନ୍ଥରେ ଏକ ଛିଦ୍ର ତିଆରି କରି 'ଜ' ସେହି ଛିଦ୍ର ମାଧ୍ୟମରେ ନିଜ ହାତକୁ ଅନଧିକାର ଭାବରେ ଘର ଭିତରେ ରଖିଲା।ଏହା ଗୃହଭେଦ।


-'ପ' ଏକ ଝରକା ଦେଇ 'ଫ'ଙ୍କ ଘରେ ଅନଧିକାର ଭାବରେ ପ୍ରବେଶ କଲା। ଏହା ଏକ ଗୃହଭେଦ ।


- 'ଚ' ଘରର କବାଟ ଫାଙ୍କରେ ତାର ଲଗାଇ ଛିଟିକିଣି ଉଠାଇ 'ଟ' ଅନଧିକାର ଭାବରେ ଘର ଭିତରକୁ ଗଲା।ଏହା ଗୃହଭେଦ ।


-'ଝ' ର ଘର କବାଟର ଚାବି ଯାହା ହଜିଯାଇଥିଲା ତାକୁ 'ଘ' ପାଇଲା ଏବଂ ସେହି ଚାବି ସହିତ କବାଟ ଖୋଲି 'ଝ' ଙ୍କ ଘରେ ଅନଧିକାର ପ୍ରବେଶ କଲା।ଏହା ଗୃହଭେଦ।


-' ଥ' ହେଉଛି 'ଞ' ର ଦ୍ୱାରପାଳ। 'ଥ' ଦ୍ୱାରରେ ଠିଆ ହୋଇଥିବା ସମୟରେ 'ଠ'ଆସି ବିରୋଧ କରିଲେ ମାଡ ମାରିବାକୁ ଧମକ ଦେଇ ଅନଧିକାର ଭାବରେ ଗୃହରେ ପ୍ରବେଶ କଲା।ଏହା ଏକ ଗୃହଭେଦ।


ଦଫା ୪୪୭ ଅନୁସାରେ ଏପରି ଅପରାଧିକ ଅନଧିକାର ପ୍ରବେଶ କଲେ,ତିନିମାସ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ପାଞ୍ଚ ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡରେ କିମ୍ବା ଉଭୟ ଦଣ୍ଡରେ ମିଳିଥାଏ ।ଯଦି ସେହିଭଳି ଅପରାଧିକ ଅନୁପ୍ରବେଶ କୌଣସି ଗୃହରେ ହୋଇଥାଏ,ତେବେ ଦଫା ୪୪୮ ଅନୁଯାୟୀ ଅପରାଧୀଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ହୋଇପାରେ, କିମ୍ବା ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡରେ କିମ୍ବା ଉଭୟ ଦଣ୍ଡ ମିଳିପାରେ।


ଏହି ଅନଧିକାର ପ୍ରବେଶ କ୍ଷେତ୍ରରେ ଅପରାଧୀଙ୍କ ଉଦ୍ଦେଶ୍ୟକୁ ଦଣ୍ଡସଂହିତା ବିଚାରକୁ ନେଇଥାଏ। ଏହା ଅନୁଯାୟୀ ;


-ମୃତ୍ୟୁଦଣ୍ଡରେ ଦଣ୍ଡନୀୟ ଅପରାଧ ଘଟାଇବା ପାଇଁ ଏପରି ପ୍ରବେଶ କଲେ,ତାଙ୍କୁ ଆଜୀବନ କାରାଦଣ୍ଡରେ କିମ୍ବା ଦଶ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ ଏବଂ ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବ ।


-ଆଜୀବନ କାରାଦଣ୍ଡରେ ଦଣ୍ଡନୀୟ ଅପରାଧ ଉଦ୍ଦେଶ୍ୟରେ ଗୃହରେ ଏପରି ପ୍ରବେଶ କଲେ ଦଶ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ଜରିମାନା ଦଣ୍ଡରେ ମିଳିଥାଏ।


-କାରାଦଣ୍ଡରେ ଦଣ୍ଡନୀୟ ଅପରାଧ କରିବା ପାଇଁ ଅନଧକାର ଗୃହପ୍ରବେଶ କଲେ ଉକ୍ତ ବ୍ୟକ୍ତି ଜଣଙ୍କ ଦୁଇ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ଜରିମାନା ଦଣ୍ଡରେ ଦଣ୍ତିତ ହୋଇଥାନ୍ତି।ତେବେ ଦଫା ୪୫୧ ଅନୁଯାୟୀ ଯଦି ଉକ୍ତ ବ୍ୟକ୍ତିର ଉଦ୍ଦେଶ୍ୟ ଯଦି ଚୋରି କରିବା ହୋଇଥାଏ,ତେବେ କାରାଦଣ୍ଡର ସମୟ ସାତ ବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରେ ।


- ଏଠାରୁ ଭିନ୍ନ କାରାଦଣ୍ଡରେ ଦଣ୍ଡନୀୟ ଅପରାଧ କରିବା ପାଇଁ ଯଦି ଲୁଚିଛପି ଅନଧିକାର ଗୃହପ୍ରବେଶ ବା ଗୃହଭେଦ କରାଯାଏ,ତାହେଲେ ଉକ୍ତ ବ୍ୟକ୍ତି ଜଣଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ଜରିମାନା ଦଣ୍ଡରେ ଦଣ୍ତିତ କରାଯାଏ।ତେବେ ଦଫା ୪୫୪ ଅନୁଯାୟୀ ଯଦି ଉକ୍ତ ବ୍ୟକ୍ତିର ଉଦ୍ଦେଶ୍ୟ ଯଦି ଚୋରି କରିବା ହୋଇଥାଏ,ତେବେ କାରାଦଣ୍ଡର ସମୟ ଦଶ ବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରେ ।


-ରାତିରେ ଲୁଚିଛପି କାରାଦଣ୍ଡରେ ଦଣ୍ଡନୀୟ ଅପରାଧ କରିବା ପାଇଁ ଅନଧିକାର ଗୃହପ୍ରବେଶ କଲେ ଦଣ୍ଡର ପରିମାଣ ବଢିଯାଇଥାଏ।ଏ କ୍ଷେତ୍ରରେ ସେ ବ୍ୟକ୍ତି ଜଣଙ୍କୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ଜରିମାନା ଦଣ୍ଡରେ ଦଣ୍ତିତ କରାଯାଏ।ତେବେ ଦଫା ୪୫୭ ଅନୁଯାୟୀ ଯଦି ଉକ୍ତ ବ୍ୟକ୍ତିର ଉଦ୍ଦେଶ୍ୟ ଯଦି ଚୋରି କରିବା ହୋଇଥାଏ,ତେବେ କାରାଦଣ୍ଡର ସମୟ ଦୀର୍ଘ ଚଉଦ ବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରେ ।


-ଦଫା ୪୫୨ ଅନୁସାରେ ଆଘାତ, ଆକ୍ରମଣ ବା ଅନ୍ୟାଯ୍ୟ ନିରୋଧ ଆୟୋଜନ ପରେ ଅନଧିକାର ଗୃହ-ପ୍ରବେଶ କଲେ ସାତ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ଜରିମାନା ଦଣ୍ଡରେ ମିଳିଥାଏ। ତେବେ ଯଦି ପ୍ରବେଶଟି ଲୁଚିଛପି କରାଯାଇଥାଏ ବା ଏହା ଏକ ଗୃହ ଭେଦ ହୋଇଥାଏ,ତେବେ ଦଫା ୪୫୫ ଲାଗୁ ହୋଇ ଜରିମାନା ସହିତ କାରାଦଣ୍ଡର ସମୟସୀମା ଦଶବର୍ଷ ପର୍ଯ୍ୟନ୍ତ ବଢିଯାଇଥାଏ।ଯଦି ଏହା ରାତିରେ ଲୁଚିଛପି କରାଯାଏ ତେବେ ଦଫା ୪୫୮ଲାଗୁ ହୋଇଥାଏ ଏବଂ କାରାଦଣ୍ତର ସମୟସୀମା ଚଉଦ ବର୍ଷ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରେ।


ଲୁଚିଛପି ଅନଧିକାର ଗୃହ-ପ୍ରବେଶ ବା ଗୃହ-ଭେଦ ସମୟରେ ଅପରାଧୀ ଗୁରୁତର ଆଘାତ ପ୍ରଦାନ କଲେ ତାଙ୍କୁ ଜରିମାନା ସହିତ ଦଶ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ମିଳିଥାଏ।ତେବେ ଏଠାରେ ଦୃଷ୍ଟି ରଖିବା କଥା ଯେ, ରାତିରେ ମିଳିତ ଭାବରେ ଲୁଚିଛପି ଅନଧିକାର ଗୃହ-ପ୍ରବେଶ ବା ଗୃହ-ଭେଦ ସମୟରେ ଯଦି ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରୁ କେହି ଜଣେ ବି କାହାରି ପ୍ରାଣନାଶ ବା ଗୁରୁତର ଆଘାତ ଘଟାଇଲେ,ତେବେ ପ୍ରତ୍ୟେକ ବ୍ୟକ୍ତି ଉକ୍ତ ଦଣ୍ତ ପାଇବାର ଯୋଗ୍ୟ ହୋଇଯାଆନ୍ତି।


ଏତଦବ୍ୟତୀତ ସମ୍ପତ୍ତି ରଖାଯାଇଥିବା ଆଧାରକୁ ଅସାଧୁ ଭାବେ ଭାଙ୍ଗି ଖୋଲିବା ମଧ୍ୟ ଦଣ୍ତସଂହିତାର ଭାଷାରେ ଅପରାଧିକ ଅନଧିକାର ଚେଷ୍ଟାର ଅନ୍ତର୍ଗତ ହୋଇଥାଏ ଏବଂ ଏଥି ନିମନ୍ତେ ଉକ୍ତ ବ୍ୟକ୍ତିକୁ ଦୁଇ ବର୍ଷ ପର୍ଯ୍ୟନ୍ତ କାରାଦଣ୍ତ କିମ୍ବା ଜରିମାନା ଦଣ୍ଡ ବା ଉଭୟ ଦଣ୍ତ ମିଳିପାରେ।ଉକ୍ତ ବସ୍ତୁଟି ଯାହାର ଜିମାରେ ଥାଏ,ସେ ବ୍ୟକ୍ତି ଜଣଙ୍କ ଯଦି ଏପରି କାର୍ଯ୍ୟ କରେ ତେବେ ତାର କାରାଦଣ୍ତର ସୀମା ତିନିବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରେ।

Our Recent Posts