• ସୂର୍ଯ୍ୟସ୍ନାତା ଦାସ

ଅପରାଧ କଣ


"ଅପରାଧ" ଶବ୍ଦଟି ସହ ଆମେ ବହୁମାତ୍ରାରେ ପରିଚିତ। ପ୍ରତିଦିନର ଖବର କାଗଜର ପୃଷ୍ଠା ଖୋଲିଦେଲେ ସର୍ବପ୍ରଥମେ ଏହି ଶବ୍ଦଟି ପ୍ରଥମେ ଆଖିରେ ପଡିଯାଏ।ତେବେ ଆଜି ଆସନ୍ତୁ ଜାଣିବା ଆଇନ୍ ଅନୁଯାୟୀ ଅପରାଧର ସଂଜ୍ଞା କଣ ଏବଂ ଗୋଟିଏ ଅପରାଧ କିଭଳି ସଂଘଟିତ ହୋଇଥାଏ।କୌଣସି ଅପରାଧ ସଂଗଠିତ ହେବା ନିମନ୍ତେ ଦୁଇଟି ଜିନିଷର ଆବଶ୍ୟକତା ଥାଏ ,ତାହା ହେଉଛି "ଆକ୍ଟସ ରିଓସ" ବା କୈାଣସି ମନ୍ଦ କର୍ମ ଏବଂ "ମେନ୍ସ ରିୟା" ଅର୍ଥାତ୍ ସେହି ମନ୍ଦ କର୍ମଟିକୁ କରିବା ପାଇଁ ମନ୍ଦ ଉଦ୍ଦେଶ୍ୟ।ଏ ଦୁଇଟି ବ୍ୟତିରକେ ଅପରାଧ ସଂଗଠିତ ହେବା ସମ୍ଭବ ହୋଇନପାରେ। ଆଇନ୍ ଦୁନିଆଁରେ ଏକ ପ୍ରବାଦ ଅଛି, "ଆକ୍ଟସ ନନ ଫେଟିସ ରେୟମ ନିଶି ମେନ୍ସ ସିଟ ରେୟା"ଯାହାର ଅର୍ଥ ହେଉଛି ଗୋଟିଏ କୁକର୍ମକୁ ସେତେ ପର୍ଯ୍ୟନ୍ତ ଅପରାଧ କୁହାଯାଇପାରିବ ନିଜ,ଯେ ପର୍ଯ୍ୟନ୍ତ ଏହାର କୁ ଉଦ୍ଦେଶ୍ୟ ନାହିଁ। କହିବା ବାହୁଲ୍ୟ ଖରାପ ଉଦ୍ଦେଶ୍ୟ ବିନା କେବଳ କୁକର୍ମ କେବେହେଲେ ଅପରାଧ ଅନ୍ତର୍ଭୁକ୍ତ ନୁହେଁ ଓ ଏଥିନିମନ୍ତେ ଦଣ୍ଡବିଧାନ ଉଚିତ ନୁହେଁ ।


ଆଇନର ଏହିଭଳି କରିବା ପଛରେ ବିରାଟ ଉଦ୍ଦେଶ୍ୟ ରହିଛି,ତାହା ହେଉଛି ଅପରାଧୀର ଅପରାଧ କରିବାର ମାନସିକତାରେ ହିଁ ସେ ଦୋଷୀ ହୋଇଥାଏ। ଆପଣ ଚଳଚ୍ଚିତ୍ର ମାନଙ୍କରେ ଦେଖିଥିବେ କିଭଳି ଭଲ ବ୍ୟକ୍ତିଙ୍କୁ ବନ୍ଧୁକ ମୁନରେ ଅବା ଡରାଇ ଧମକାଇ ଖରାପ କାମ କରିବାକୁ ବାଧ୍ୟ କରାଯାଇଥାଏ,ତେବେ ଆପଣଙ୍କ ଅନୁଯାୟୀ ସେମାନେ ଦୋଷୀ ଭାବରେ ପରିଗଣିତ ହୋଇପାରିବେ କି?ଉତ୍ତର ହେଉଛି "ନା" । କାହିଁକି ନା ଅପରାଧ ସମୂହ କରିବା ପାଇଁ ସେମାନଙ୍କର ସମ୍ମତି ନଥାଏ। ଉଦ୍ଦେଶ୍ୟକୁ ଅପରାଧ ଜଗତରେ ଖୁବ ମହତ୍ତ୍ଵ ଦିଆଯାଏ,ଏହା ବିନା କୌଣସି ଅପରାଧ ସଂଗଠିତ ହେବା ସମ୍ଭବ ନୁହେଁ। କେବେ କେବେ ବିନା କୈାଣସି କୁକର୍ମରେ କେବଳ ଉଦ୍ଦେଶ୍ୟରେ ବି ଅପରାଧ ହୋଇଯାଇଥାଏ,ଯେପରିକି ଦଙ୍ଗା ପ୍ରଭୃତି ସମୟରେ ନିଜେ କୁକର୍ମ ନକଲେ ମଧ୍ୟ ବେଆଇନ ସମାବେଶର କେହି ଜଣେ କଲେ, ସମସ୍ତଙ୍କୁ ସେ ଉଦ୍ଦେଶ୍ୟ ପାଇଁ ଦୋଷୀ ଭାବରେ ଚିହ୍ନିତ କରାଯାଇଥାଏ।ଏସବୁ ଆଲୋଚନାର ପରବର୍ତ୍ତୀ ଭାଗରେ ଜାଣିବା,ତେବେ କୁକର୍ମ ଓ କୁଉଦ୍ଦେଶ୍ୟ ଯେ ଅପରାଧ ରଥର ଦୁଇଟି ଚକ୍ର,ଏହାକୁ ଏହି ଆଇନ ପଢ଼ିବାବେଳେ ମନରେ ରଖିବା ଏକାନ୍ତ ଅପରିହାର୍ଯ୍ୟ।


ରୂପ ପ୍ରକାରରେ ବିଚାର କଲେ,ଆଇନକୁ ଦୁଇଭାଗରେ ବିଭକ୍ତ କରାଯାଇପାରେ।ପ୍ରଥମତଃ ହେଉଛି ମୌଳିକ ବିଧି ବା ଆଇନ ଯାହାକୁ ସବଷ୍ଟାଣ୍ଟିଭ୍ ଲ' କୁହାଯାଏ ଓ ଦ୍ଵିତୀୟତଃ ହେଉଛି ପ୍ରକ୍ରିୟା ବିଧି ବା କାର୍ଯ୍ୟବିଧି ଆଇନ ଯାହାକୁ ପ୍ରସିଡିଓରାଲ ଲ' କୁହାଯାଇଥାଏ।


ପ୍ରଥମ ପ୍ରକାରରେ ସେହିସବୁ ଆଇନ ଅନ୍ତର୍ଗତ ଯାହା ନାଗରିକଙ୍କ ଅଧିକାର ଏବଂ ଦାୟିତ୍ଵକୁ ବ୍ୟାଖ୍ୟା ପ୍ରକ୍ରିୟା ଆଇନ ସେହି ବ୍ୟାଖ୍ୟାକାରୀ ଆଇନର କାର୍ଯ୍ୟକାରିତା ତଥା ପ୍ରଣାଳୀ ଓ ପଦ୍ଧତି ନିର୍ଣ୍ଣୟ କରେ।ଅର୍ଥାତ ସରଳ ଭାଷାରେ ଏହା ମୌଳିକ ଆଇନ କିଭଳି କାର୍ଯ୍ୟକାରୀ ହେବ,ସେ ବିଷୟରେ ଉଲ୍ଲେଖ କରିଥାଏ।ଅପରାଧ ସମ୍ବନ୍ଧୀୟ ଆଇନ କ୍ଷେତ୍ରରେ ଭାରତୀୟ ଦଣ୍ଡସଂହିତାଟି ମୌଳିକ ବିଧି ହୋଇଥିବା ସ୍ଥଳେ ଫୌଜଦାରୀ କାର୍ଯ୍ୟବିଧି ଆଇନ ଏବଂ ଭାରତୀୟ ସାକ୍ଷ୍ୟବିଧି ଆଇନ ପ୍ରଭୃତି ପ୍ରକ୍ରିୟା ଆଇନର ଅନ୍ତର୍ଭୁକ୍ତ ହୋଇଥାଏ।

Our Recent Posts