• ସୂର୍ଯ୍ୟସ୍ନାତା ଦାସ

ଅପରାଧ ଯେବେ ହୁଏ ଧର୍ତ୍ତବ୍ୟ,ଆଇନ କଣ ଦିଏ କର୍ତ୍ତବ୍ୟ ।



ଅପରାଧର ଗମ୍ଭୀରତା,ପ୍ରକୃତି ତଥା ପରିଣାମକୁ ବିଚାରକୁ ନେଇ କାର୍ଯ୍ୟବିଧି ଆଇନ ଅପରାଧକୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରିଥାଏ-


-ଧର୍ତ୍ତବ୍ୟ ଅପରାଧ


-ଅଣଧର୍ତ୍ତବ୍ୟ ଅପରାଧ


ଧର୍ତ୍ତବ୍ୟ ଅପରାଧ ବା “କଗ୍ନିଜେବଲ୍ ଅଫେନ୍ସ” ର ଅର୍ଥ ହେଉଛି ଏକ ଅପରାଧ ଯେଉଁଥି ପାଇଁ, ଜଣେ ପୋଲିସ୍ ପ୍ରଥମ କାର୍ଯ୍ୟସୂଚୀ ଅନୁଯାୟୀ କିମ୍ବା ବଳବତ୍ତର ଥିବା ଅନ୍ୟ କୌଣସି ଆଇନ ଅନୁଯାୟୀ ୱାରେଣ୍ଟ ବିନା ଗିରଫ କରିପାରନ୍ତି । ଅପରାଧର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଯେଉଁ ଅପରାଧ ସାଧାରଣତଃ ଗୁରୁତର ଅପରାଧ,ସେ ସମସ୍ତଙ୍କୁ ଧର୍ତ୍ତବ୍ୟ ଅପରାଧ ଶ୍ରେଣୀଭୁକ୍ତ କରାଯାଇଛି।

ଫୌଜଦାରୀ କାର୍ଯ୍ୟବିଧି ପ୍ରକ୍ରିୟା ସଂହିତା,୧୯୭୩ ର ଧାରା ୧୫୪ ଅନୁସାରେ ଏକ ଧର୍ତ୍ତବ୍ୟ ଅପରାଧରେ ପୁଲିସକୁ ପ୍ରଥମ ସୂଚନା ରିପୋର୍ଟ (ଏଫ.ଆଇ.ଆର)ଗ୍ରହଣ କରିବାକୁ ପଡିଥାଏ। । ଧର୍ତ୍ତବ୍ୟ ଅପରାଧର ଉଦାହରଣକୁ ଲକ୍ଷ୍ୟ କଲେ,ଏହି ଅପରାଧର ପ୍ରକୃତିକୁ ଭଲଭାବରେ ବୁଝିହେବ,।ଏହିଭଳି ଅପରାଧର ଉଦାହରଣ ଗୁଡିକ ହେଲା- ହତ୍ୟା, ବଳାତ୍କାର,ଅପହରଣ,ଅପ୍ରାକୃତିକ ଅପରାଧ,ଭାରତ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ପ୍ରସ୍ତୁତି ଇତ୍ୟାଦି।ଏହି ଅପରାଧ ସମୂହ ଅଣଧର୍ତ୍ତବ୍ୟ ଅପରାଧ ଠାରୁ ବହୁଗୁଣରେ ଗମ୍ଭୀର ତଥା ରାଷ୍ଟ୍ର ପାଇଁ କ୍ଷତିକାରକ ।


ଅଣଧର୍ତ୍ତବ୍ୟ ଅପରାଧ ବା “ଅଣ-କଗ୍ନିଜେବଲ୍ ଅଫେନ୍ସ” ହେଉଛି ଧର୍ତ୍ତବ୍ୟ ଅପରାଧର ସଂପୂର୍ଣ୍ଣ ବିପରୀତ। ଏହି ଅଣଧର୍ତ୍ତବ୍ୟ ଅପରାଧ ହେଉଛି ଏମିତି ଅପରାଧ ଯେଉଁଥିରେ ପୋଲିସ୍ ବିନା ୱାରେଣ୍ଟରେ ଗିରଫ କରିପାରିବ ନାହିଁ । ଏହିଭଳି ଅପରାଧରେ ନ୍ୟାୟାଳୟର ଅନୁମତି ବିନା ଅନୁସନ୍ଧାନ ମଧ୍ୟ ଆରମ୍ଭ କରାଯାଇ ନଥାଏ।ସାଧାରଣତଃ ମାନହାନି,ପ୍ରତାରଣା,ଜାଲିଆତି ଭଳି କମ ଗମ୍ଭୀରତାଯୁକ୍ତ ଅପରାଧ ଏହି ଶ୍ରେଣୀରେ ସ୍ଥାନ ପାଇଥାନ୍ତି।ଏହିଭଳି ଅପରାଧ ନିମନ୍ତେ ମାଜିଷ୍ଟ୍ରେଟଙ୍କ ପାଖରେ ଅଭିଯୋଗ ଦାଖଲ କରିଥାନ୍ତି ।


ଏହି ଧର୍ତ୍ତବ୍ୟ ଏବଂ ଅଣ ଧର୍ତ୍ତବ୍ୟ ଅପରାଧ ମଧ୍ୟରେ ଥିବା ପାର୍ଥକ୍ୟ ଖୁବ ସାଧାରଣ ଭାବରେ ଦୃଷ୍ଟିଗୋଚର ହୋଇଥାଏ।ସେଗୁଡିକ ହେଲା-


-ଧର୍ତ୍ତବ୍ୟ ଅପରାଧଟି ଫୌଜଦାରୀ କାର୍ଯ୍ୟବିଧି ଆଇନର ଧାରା ୨'ଗ'ରେ ସ୍ଥାନିତ ହୋଇଥିବା ବେଳେ ଏବଂ ଅଣ ଧର୍ତ୍ତବ୍ୟ ଅପରାଧ ଉକ୍ତ ଆଇନର ଧାରା ୨'ଠ' ରେ ସ୍ଥାନିତ ହୋଇଛି।


-ଧର୍ତ୍ତବ୍ୟ ଅପରାଧ ଖୁବ ଜଘନ୍ୟ ପ୍ରକୃତିର ହୋଇଥାଏ ମାତ୍ର, ଅଣଧର୍ତ୍ତବ୍ୟ ଅପରାଧ ପ୍ରକୃତି ଏତେ ଗମ୍ଭୀର ହୋଇନଥାଏ ।


-ଧର୍ତ୍ତବ୍ୟ ଅପରାଧ କ୍ଷେତ୍ରରେ ପୋଲିସ ବିନା କୌଣସି ୱାରେଣ୍ଟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିପାରିବ ମାତ୍ର ଅଣଧର୍ତ୍ତବ୍ୟ ଅପରାଧ କ୍ଷେତ୍ରରେ ପୁଲିସ ଏହା କରିପାରିବ ନାହିଁ । ଏହି ଅଣଧର୍ତ୍ତବ୍ୟ ଅପରାଧ କ୍ଷେତ୍ରରେ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ ଆବଶ୍ୟକ ହୋଇଥାଏ ।


- ଧର୍ତ୍ତବ୍ୟ ଅପରାଧରେ ପୋଲିସ୍ ପ୍ରଥମ ସୂଚନା ରିପୋର୍ଟ ଗ୍ରହଣକରି ନ୍ୟାୟାଳୟର ଅନୁମତି ବିନା ଅନୁସନ୍ଧାନ ଆରମ୍ଭ କରିଦେଇଥାଏ ମାତ୍ର ଅଣଧର୍ତ୍ତବ୍ୟ ଅପରାଧ କ୍ଷେତ୍ରରେ ଅନୁସନ୍ଧାନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ରହିବାକୁ ହୋଇଥାଏ।


ଅପରାଧକୁ ପୁନଶ୍ଚ ଜାମିନଯୋଗ୍ୟ ଓ ଜାମିନଅଯୋଗ୍ୟ ଭାବରେ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ଫୌଜଦାରୀ କାର୍ଯ୍ୟବିଧି ଆଇନର ଧାରା ୨ (କ) ଅନୁସାରେ , ସେହି ସବୁ ଅପରାଧ ଯାହା ପ୍ରଥମ ସିଡ୍ୟୁଲ ବା ତଫସିଲରେ ଜାମିନଯୋଗ୍ୟ ଭାବରେ ଦର୍ଶାଯାଇଛି କିମ୍ବା ଉକ୍ତ ସମୟରେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନ ଦ୍ଵାରା ଜାମିନଯୋଗ୍ୟ ଭାବରେ ଗ୍ରହଣ କରାଯାଇଛି।ଏହାର ବିପରୀତ ହେଉଛି ଜାମିନ ଅଯୋଗ୍ୟ ଅପରାଧ ଅର୍ଥାତ ସରଳଭାଷାରେ କହିବାକୁ ଗଲେ, ଯେଉଁସବୁ ଅପରାଧ ଗୁଡିକ ଜାମିନଯୋଗ୍ୟ ଭାବରେ ଦର୍ଶାଯାଇନାହିଁ,ତାହା ଜାମିନ ଅଯୋଗ୍ୟ ଅପରାଧ ହୋଇଥାଏ।

Our Recent Posts