• ସୂର୍ଯ୍ୟସ୍ନାତା ଦାସ

ଅପରାଧ ହୁଏ ରାଷ୍ଟ୍ର ବିରୋଧୀ;ଥରାଇଦିଏ ସେ ଦେଶର ଛାତି



ଆଇନର ମୁଖ୍ୟଲକ୍ଷ୍ୟ ହେଉଛି ରାଷ୍ଟ୍ରର ସୁରକ୍ଷା କରିବା।ରାଷ୍ଟ୍ର ବିରୁଦ୍ଧରେ ଅପରାଧ କରିବା ନିଶ୍ଚିତ ରୂପେ ଜଘନ୍ୟ ଅପରାଧ ଘଟାଇବା ଶ୍ରେଣୀର ଅନ୍ତର୍ଭୁକ୍ତ।କେଉଁ କାର୍ଯ୍ୟକୁ ରାଷ୍ଟ୍ର ବିରୁଦ୍ଧରେ ଅପରାଧ କୁହାଯାଇପାରିବ ଓ ଏଥିନିମନ୍ତେ କଣ ଦଣ୍ଡ ରହିଛି,ସେ ବିଷୟରେ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି।ରାଜ୍ୟ ବିରୋଧରେ ଅପରାଧ ତଥା ଏହି ନିମନ୍ତେ ଦଣ୍ଡର ବ୍ୟବସ୍ଥା ଆମ ଦଣ୍ଡ ସଂହିତାର ବିଭାଗ ୬ରେ ଧାରା ଦଫା ୧୨୧ରୁ ୧୩୦ ମଧ୍ୟରେ ବର୍ଣ୍ଣିତ ଅଛି।


ଭାରତ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ କରିବା କିମ୍ବା ଯୁଦ୍ଧ ନିମନ୍ତେ ଉଦ୍ୟମ କରିବା କିମ୍ବା ଯୁଦ୍ଧ ପାଇଁ କୁପ୍ରରୋଚନା ପ୍ରଦାନ କରିବା କ୍ଷେତ୍ରରେ ଉକ୍ତ ବ୍ୟକ୍ତିକୁ ଦଫା - ୧୨୧ ଅନୁସାରେ ମୃତ୍ୟୁଦଣ୍ଡ ବା ଆଜୀବନ କାରାଦଣ୍ଡ ଓ ତାହା ସହିତ ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବ ।ଭାରତ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ଉଦ୍ଦେଶ୍ୟରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସଂଗ୍ରହ କଲେ, ଉକ୍ତ ବ୍ୟକ୍ତି ଆଜୀବନ କାରାଦଣ୍ଡ ଅଥବା ଦଶବର୍ଷ ପର୍ଯ୍ୟନ୍ତ ସଶ୍ରମ ବା ଅଶ୍ରମ କାରାଦଣ୍ଡ ଓ ଜରିମାନା ଦଣ୍ଡରେ ଦଣ୍ଡିତ ହୋଇଥାଏ। ।


ରାଷ୍ଟ୍ର ବିରୁଦ୍ଧରେ କେବଳ ଅପରାଧ କଲେ ହିଁ ଯେ,ଦଣ୍ଡ ମିଳିବ ତାହା ନୁହେଁ, ବରଂ ରାଷ୍ଟ୍ରବିରୁଦ୍ଧରେ ଷଡଯନ୍ତ୍ରକାରୀଙ୍କୁ ମଧ୍ୟ ଶକ୍ତ ଦଣ୍ଡ ମିଳିଥାଏ।ଯଦି କେହି ବ୍ୟକ୍ତି ଭାରତ ଭିତରେ ବା ଭାରତ ବାହାରେ ରହି ଷଡ଼ଯନ୍ତ୍ର ଘଟାଇବାକୁ ଚେଷ୍ଟା କରେ, କିମ୍ବା ବଳପ୍ରୟୋଗର ପ୍ରଦର୍ଶନ ଦ୍ଵାରା ସରକାରଙ୍କୁ ଆତଙ୍କିତ କରିବାପାଇଁ ଷଡ଼ଯନ୍ତ୍ର କରେ, ତେବେ ସେ, ଆଜୀବନ କାରାଦଣ୍ଡ କିମ୍ବା ସଶ୍ରମ ବା ଅଶ୍ରମ କାରାଦଣ୍ଡ ଯାହାର ମିଆଦ ଦଶ ବର୍ଷ ପର୍ଯ୍ୟନ୍ତ ହୋଇପାରେ ଓ ଜରିମାନା ଦଣ୍ଡରେ ଦଣ୍ଡିତ ହୋଇଥାଏ ।ଯଦି କେହି ଯୁଦ୍ଧ କରିବା ପରିକଳ୍ପନାକୁ ସୁଗମ କରିବା ପାଇଁ ଅଭିଳାଷରେ କିଛି କାର୍ଯ୍ୟ କରେ ଅବା କର୍ତ୍ତବ୍ୟରୁ ନିବୃତ୍ତ ରହେ ଏବଂ ଏହା ଲୁଚାଇ ରଖେ,ତେବେ ମଧ୍ୟ ଧାରା ୧୨୩ ଅନୁଯାୟୀ ସେ ଦଶବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ପାଇବାର ଯୋଗ୍ୟ ହୋଇଥାଏ।


ଯଦି କେହି ଭାରତର ରାଷ୍ଟ୍ରପତିଙ୍କୁ ବା କୌଣସି ରାଜ୍ୟର ରାଜ୍ୟପାଳଙ୍କୁ ତାଙ୍କର ଆଇନ୍‌ଗତ କ୍ଷମତା ମଧ୍ୟରୁ କୌଣସି କ୍ଷମତା ପ୍ରୟୋଗ ପାଇଁ ବାଧ୍ୟ କରିବା ଉଦ୍ଦେଶ୍ୟରେ ଅବା ତହିଁରୁ ବିରତ କରାଇବା ଉଦ୍ଦେଶ୍ୟରେ ତାଙ୍କୁ ଆକ୍ରମଣ କରେ ବା ଅଟକ ରଖେ ଅବା ଅପରାଧିକ ବଳ ପ୍ରୟୋଗ କରି ଆତଙ୍କିତ କରେ ବା ଏଥିନିମନ୍ତେ ଉଦ୍ୟମ କରେ,ତେବେ ତାଙ୍କୁ ସାତବର୍ଷ ପର୍ଯ୍ୟନ୍ତ ସଶ୍ରମ ବା ଅଶ୍ରମ କାରାଦଣ୍ଡ ଓ ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଏ ।


ରାଜଦ୍ରୋହକୁ ଏକ ଅପରାଧ ଭାବରେ ସଂହିତାରେ ସ୍ଥାନିତ କରାଯାଇଛି। ପୂର୍ବରୁ ରାଜଦ୍ରୋହ ଘଟିଲେ କିଭଳି ମୃତ୍ୟୁଦଣ୍ଡ ଦିଆଯାଉଥିଲା ତାହା ରାଜାରାଣୀ ଓ ପରୀକାହାଣୀମାନଙ୍କରୁ ଶୁଣିବାକୁ ମିଳେ ।ତେବେ ଆମ ଦଣ୍ଡ ସଂହିତାର ଦଫା - ୧୨୪ ‘କ’ ଅନୁସାରେ ଯଦି କୌଣସି ବ୍ୟକ୍ତି କିଛି କହି କିମ୍ବା ଲେଖି କିମ୍ବା ସଙ୍କେତ ଦେଇ ବା ଦୃଶ୍ୟ ମାଧ୍ୟମରେ ଅଥବା ଅନ୍ୟ କୌଣସି ଉପାୟରେ, ଆଇନତଃ ଭାବରେ ପ୍ରତିଷ୍ଠିତ ଭାରତ ସରକାରଙ୍କ ପ୍ରତି ଘୃଣା ବା ଅବମାନନା ସୃଷ୍ଟି କରେ ବା ସେଥି ନିମନ୍ତେ ଉଦ୍ୟମ କରେ ବା ଉତ୍ସାହ ଦିଏ,ତେବେ ତାକୁ ଆଜୀବନ କାରାଦଣ୍ଡ ସହିତ ଜରିମାନା ଦଣ୍ଡ କିମ୍ବା ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜରିମାନା ଦଣ୍ଡ ହୋଇପାରେ ।ଏହି ଅପରାଧଟିକୁ ଦଫାରେ ଧର୍ତ୍ତବ୍ୟ, ଜାମିନ-ଅଯୋଗ୍ୟ ସ୍ଥାନିତ କରାଯାଇଛି।


କେଦାର ନାଥ ବନାମ ରାଜ୍ୟ ମାମଲାରେ ଏହା କୁହାଯାଇଥିଲା ଯେ,ଦଫା ୧୨୪କ ସମ୍ବିଧାନର ଧାରା୧୯ର ଅସମ୍ମାନ କରେନାହିଁ।ସୁତରାଂ ଏହା ବୈଧ।


କେବଳ ନିଜ ରାଷ୍ଟ୍ର ବିରୁଦ୍ଧରେ ନୁହେଁ, ଯଦି କେହି ବି ଭାରତ ସରକାରଙ୍କ ସହ ବନ୍ଧୁତା କିମ୍ବା ଶାନ୍ତି ଥିବା କୌଣସି ଏସୀୟ ଶକ୍ତି ସରକାରଙ୍କ ବିରୁଦ୍ଧରେ ଏପରି ଯୁଦ୍ଧ କରିବ କିମ୍ବା ଯୁଦ୍ଧ କରିବାକୁ ଚେଷ୍ଟା କରିବ,ତେବେ ଦଣ୍ଡ ଦେବା ପାଇଁ, ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ, ଯେଉଁଥିରେ ଜରିମାନା ଯୋଗ କରାଯାଇପାରେ, କିମ୍ବା କୌଣସି ପ୍ରକାରର ଜେଲଦଣ୍ଡ, ଯାହା ସାତ ବର୍ଷ ପର୍ଯ୍ୟନ୍ତ ହୋଇପାରେ, ଯେଉଁଥିରେ ଜରିମାନା ଯୋଗ କରାଯାଇପାରେ, କିମ୍ବା ଜରିମାନା ମଧ୍ୟ ହୋଇପାରେ ।


ଏତଦବ୍ୟତୀତ ଯିଏ ଭାରତ ସରକାରଙ୍କ ସହ ବନ୍ଧୁତା କିମ୍ବା ଶାନ୍ତି ଅଞ୍ଚଳରେ ଯିଏ ଲୁଣ୍ଠନ କରେ କିମ୍ବା ଲୁଟ୍ କରିବାକୁ ପ୍ରସ୍ତୁତ ହୁଏ, ସେ ଏକ ଅବଧି ପାଇଁ କାରାଦଣ୍ଡ ସହିତ ଦଣ୍ଡିତ ହେବ ଯାହାକି ସାତ ବର୍ଷ ପର୍ଯ୍ୟନ୍ତ ବଢିପାରେ ଏବଂ ତା ସହ ଜରିମାନାରେ ମଧ୍ୟ ଦଣ୍ଡିତ ହେବ । ଏପରି ଡକାୟତି ପାଇଁ ବ୍ୟବହାର କିମ୍ବା ଆଣିବା ପାଇଁ ଉଦ୍ଦିଷ୍ଟ, କିମ୍ବା ଏପରି ଡକାୟତି ଦ୍ୱାରା ପ୍ରାପ୍ତ ସମ୍ପତ୍ତି ଜବତ ହେବ ।


ଧାରା ୧୨୮ କହେ ଯେ, ସରକାରୀ କର୍ମଚାରୀ ସ୍ଵେଚ୍ଛାକୃତ ଭାବରେ ଜଣେ କଏଦୀ କିମ୍ବା ଯୁଦ୍ଧ ବନ୍ଦୀଙ୍କୁ ଛାଡି ଦିଅନ୍ତି ତେବେ ତାଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ଉଭୟ ବର୍ଣ୍ଣିତ କାରାଦଣ୍ଡ ମଧ୍ୟରୁ ଯେ କୌଣସି ଗୋଟିଏ କାରାଦଣ୍ଡ ଯାହା ଦଶ ବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରେ ଓ ଜରିମାନା ଦଣ୍ଡ ବିଧାନ ହେବ।ଧାରା ୧୨୯ ଅନୁଯାୟୀ ଯଦି ସେ ସରକାରୀ କର୍ମଚାରୀଙ୍କ ଅବହେଳା ହେତୁ ଉକ୍ତ କଏଦୀ ବା ଯୁଦ୍ଧ ବନ୍ଦୀ ଖସିଯିବାର ସୁଯୋଗ ପାଇଛନ୍ତି,ତେବେ ତାଙ୍କୁ ତିନିବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ତଥା ଜରିମାନାର ଦଣ୍ଡାଦେଶ ହୋଇପାରେ। ଯଦି କେହି ଯୁଦ୍ଧବନ୍ଦୀ ବା ରାଜଦ୍ରୋହୀକୁ ଆଇନଗତ ଜିମାରୁ ପଳାୟନ କରିବା ପାଇଁ ସାହାଯ୍ୟ କରେ ଅଥବା ଏପରି ବନ୍ଦୀକୁ ଜାଣିଶୁଣି ଛାଡିଦିଏ ବା ମୁକ୍ତ କରାଇବା ପାଇଁ ଚେଷ୍ଟା କରେ ଅଥବା ଏପରି ପଳାୟନ କରିଥବା ବନ୍ଦୀକୁ ଆଶ୍ରୟ ଦିଏ କିମ୍ବା ଲୁଚାଇ ରଖେ ଅଥବା ଏପରି ପଳାୟନ କରିଥିବା ବନ୍ଦୀର ପୁନର୍ବାର ଗିରଫଦାରୀରେ ବାଧା ଦିଏ କିମ୍ବା ବାଧା ଦେବାକୁ ଚେଷ୍ଟା କରେ, ତେବେ ସେ ଦଶବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ତଥା ଜରିମାନାରେ ଅବା ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇପାରେ।


ଆପଣ ଜାଣିଛନ୍ତି କି, ଯଦି ଆପଣ ଭାରତୀୟ ସ୍ଥଳବାହିନୀ, ନୌବାହିନୀ ବା ଆକାଶ ବାହିନୀରେ ନିଯୁକ୍ତ ନାହାନ୍ତି,କିନ୍ତୁ ନିଜକୁ ଉପରୋକ୍ତ ବାହିନୀର ସଦସ୍ୟ ଭାବେ ପରିଚିତ କରାଇବା ଉଦ୍ଦେଶ୍ୟରେ ଉକ୍ତ ପୋଷାକ ଓ ଚିହ୍ନର ଅନୁରୂପ କୌଣସି ପୋଷାକ ବା ଚିହ୍ନ ଧାରଣ କରନ୍ତି ତା’ହେଲେ ଆପଣଙ୍କୁ ତିନିମାସ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ପାଞ୍ଚଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦଣ୍ଡାଦେଶ ହୋଇପାରେ।

Our Recent Posts

Law in Odia

India

LAW IN ODIA