- ସୂର୍ଯ୍ୟସ୍ନାତା ଦାସ
ଅସାଧୁ ଆତ୍ମସାତ ଓ ଅପରାଧିକ ବିଶ୍ଵାସଭଙ୍ଗ; ମିଳିବ ନାହିଁ ଆଇନର ସଙ୍ଗ
ସମ୍ପତ୍ତିର ଅସାଧୁ ଆତ୍ମସାତ ଓ ଅପରାଧିକ ବିଶ୍ଵାସଭଙ୍ଗ,ଏ ଦୁଇଟି ସମ୍ପତ୍ତି ବିରୁଦ୍ଧରେ ଗୋଟିଏ ଗୋଟିଏ ବଡ ଅପରାଧ।ଯଦି କେହି ଜାଣିଶୁଣି ନିଜ ଅଧିକାରରେ ନଥିବା ସମ୍ପତ୍ତିକୁ ବେଇମାନ ଭାବେ ଦୁରୂପଯୋଗ କରନ୍ତି ବା ସେହି ସମ୍ପତ୍ତିକୁ ନିଜ ବ୍ୟବହାର୍ଯ୍ୟ ସମ୍ପତ୍ତିରେ ପରିଣତ କରାନ୍ତି,ତେବେ ତାହାକୁ ସମ୍ପତ୍ତିର ଅସାଧୁ ଆତ୍ମସାତ କୁହାଯାଇଥାଏ।
ଏହାଠାରୁ ଭିନ୍ନ ହେଉଛି ଅପରାଧିକ ବିଶ୍ଵାସଭଙ୍ଗ ।ଯଦି ଅଧିକାରରେ ନଥିବା ସେ ସମ୍ପତ୍ତିରେ ଦଖଲ ବା ନିୟନ୍ତ୍ରଣ ଥିବା ଅବସ୍ଥାରେ ଉକ୍ତ ରକ୍ଷକ ବ୍ୟକ୍ତି ଦ୍ଵାରା ଏହି ଅସାଧୁ ଆତ୍ମସାତ ହେଉଛି, ତେବେ ତାହାକୁ ଅପରାଧିକ ବିଶ୍ଵାସ ଭଙ୍ଗ କୁହାଯାଇଥାଏ।ବ୍ୟକ୍ତିଜଣଙ୍କ ନିଜେ ହିଁ ସମ୍ପତ୍ତିର ଆତ୍ମସାତ କଲେ ଯେ,ତାହା ଅପରାଧିକ ବିଶ୍ଵାସ ଭଙ୍ଗ ହୋଇଥାଏ,ସେପରି ନୁହେଁ ବରଂ ଯଦି ସେ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଏହିଭଳି କରିବାକୁ ଦିଅନ୍ତି , ତେବେ ତାହା ମଧ୍ୟ ଅପରାଧିକ ବିଶ୍ଵାସଭଙ୍ଗ ହୋଇଥାଏ।ସରଳ ଭାଷାରେ,ସମ୍ପତ୍ତିଟି କର୍ତ୍ତୃତ୍ଵରେ ନ୍ୟସ୍ତ ହେବା ପରେ କରାଯାଇଥିବା ଅସାଧୁ ଆତ୍ମସାତ ହିଁ ହେଉଛି ଅପରାଧିକ ବିଶ୍ଵାସଭଙ୍ଗ ।
ଅସାଧୁ ଆତ୍ମସାତ୍ କ୍ଷେତ୍ରରେ ଯଦି କାହାରି ଦଖଲରେ ନଥିବା କୌଣସି ସମ୍ପତ୍ତି ପ୍ରାପ୍ତ ହୁଏ ଏବଂ ତାହାକୁ ଫେରାଇବା ଉଦ୍ଦେଶ୍ୟରେ ବ୍ୟକ୍ତିଜଣଙ୍କ ନେଇଯାଆନ୍ତି,ତେବେ ତାହା ଅସାଧୁ ଆତ୍ମସାତ ନୁହେଁ ମାତ୍ର ଯଦି ଉକ୍ତ ଦ୍ରବ୍ୟର ମାଲିକର ସନ୍ଧାନ ନ କରି ଅବା ଯୁକ୍ତିଯୁକ୍ତ ସମୟ ପର୍ଯ୍ୟନ୍ତ ଅପେକ୍ଷା ନକରି ନିଜ ଉପଯୋଗରେ ତାହାକୁ ବ୍ୟବହାର କରାଯାଏ,ତେବେ ତାହା ଅସାଧୁ ଆତ୍ମସାତ ହୋଇଥାଏ। ଏହାକୁ ଏକ ଉଦାହରଣ ମାଧ୍ୟମରେ ବେଶ ଭଲ ଭାବରେ ବୁଝିହେବ ଧରନ୍ତୁ ଆପଣଙ୍କୁ ରାସ୍ତାରେ ଗୋଟିଏ ଟଙ୍କାଥଳି ମିଳିଲା ଯାହାକୁ ଆପଣ ତାହାର ମାଲିକର ସନ୍ଧାନ କରି ଫେରାଇବା ଉଦ୍ଦେଶ୍ୟରେ ନିଜ ପାଖରେ ରଖିଦେଲେ,ତେବେ ତାହା ଅସାଧୁ ଆତ୍ମସାତ ନୁହେଁ। ମାତ୍ର ସେହି କ୍ଷେତ୍ରରେ ଧରନ୍ତୁ ଗୋଟିଏ ଦୁଷ୍ଟ ପିଲାକୁ ସେହି ଥଳି ମିଳିଲା ଏବଂ ସେଥିରେ ଥିବା ଟଙ୍କାକୁ ନେଇ ସେ ତତକ୍ଷଣାତ ନିଜ ପାଇଁ କିଛି ଦ୍ରବ୍ୟ କିଣାକିଣି କରିବା ପାଇଁ ଚାଲିଗଲା, ତେବେ ସେ ଅସାଧୁ ଆତ୍ମସାତ କରିଲା ବୋଲି କୁହାଯିବ।
ଅପରାଧିକ ବିଶ୍ଵାସ ଭଙ୍ଗଟିକୁ ମଧ୍ୟ ଉପରୋକ୍ତ ସେହି ଉଦାହରଣ ମାଧ୍ୟମରେ ବୁଝାଯାଇ ପାରିବ। ଧରନ୍ତୁ ଏ କ୍ଷେତ୍ରରେ ଟଙ୍କା ଥଳିଟି ରାସ୍ତାରେ ନପଡି ବରଂ କେହି ଜଣେ ସାଙ୍ଗ ଦ୍ଵାରା ପିଲାଟିକୁ ରଖିବା ପାଇଁ ଦିଆଯାଇଛି, ତେବେ ପିଲାଟି ସାଙ୍ଗଟିକୁ ନଜଣାଇ ସେ ଟଙ୍କାକୁ କାଢି ନେଇ ନିଜ ପାଇଁ କିଛି ଦ୍ରବ୍ୟ କିଣାକିଣି କରିବା ପାଇଁ ଚାଲିଗଲା,ସେ କ୍ଷେତ୍ରରେ ଏହା ଅପରାଧିକ ବିଶ୍ଵାସ ଭଙ୍ଗର ଅପରାଧ ହେଲା ବୋଲି କୁହାଯାଇଥାଏ ।
ଚୋରି ଓ ଅପରାଧିକ ବିଶ୍ଵାସଭଙ୍ଗର ଅନ୍ତରଟିକୁ ମଧ୍ୟ ସେ ଉଦାହରଣ ଉଦାହରଣ ସାହାଯ୍ୟରେ ବୁଝାଯାଇପାରିବ।ଧରନ୍ତୁ ପିଲାଟିର ସାଙ୍ଗ ପିଲାଟିକୁ ସେ ଟଙ୍କା ଥଳି ରଖିବାକୁ ଦେଇନାହିଁ ବରଂ ନିଜ ପାଖରେ ରଖିଛି , ଏବଂ ପିଲାଟି ଚୁପଚାପ ତାହାକୁ କାଢି ନେଇଛି,ତେବେ ତାହା ଚୋରି ହେବ । ଚୋରି କ୍ଷେତ୍ରରେ ଉକ୍ତ ସମ୍ପତ୍ତିର ଦଖଲ ବ୍ୟକ୍ତି ଉପରେ ନଥାଏ ।ମାତ୍ର ଅପରାଧିକ ବିଶ୍ଵାସଭଙ୍ଗ କ୍ଷେତ୍ରରେ ସମ୍ପତ୍ତିର ଦଖଲ ବ୍ୟକ୍ତିଟି ପାଖରେ ଥାଏ ଅର୍ଥାତ ସମ୍ପତ୍ତିର ସୁରକ୍ଷାର ଭାର ଉକ୍ତ ବ୍ୟକ୍ତି ଉପରେ ନ୍ୟସ୍ତ ହୋଇଥାଏ।
ଅସାଧୁ ଆତ୍ମସାତ ଓ ଅପରାଧିକ ବିଶ୍ଵାସଭଙ୍ଗ ,ଏହି ଦୁଇଟି ଅପରାଧ ନିମନ୍ତେ ମୁଖ୍ୟତଃ କାରାଦଣ୍ଡ ଓ ଜରିମାନା ଦଣ୍ଡ ମିଳିଥାଏ।ଅପରାଧିକ ବିଶ୍ଵାସ ଭଙ୍ଗ ନିମନ୍ତେ ଦୁଇବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ବା ଜରିମାନା ବା ଉଭୟ ଦଣ୍ଡର ବ୍ୟବସ୍ଥା ଥାଏ।ବ୍ୟକ୍ତିର ମୃତ୍ୟୁ ସମୟରେ ତାର ଉତ୍ତରାଧିକାରୀଙ୍କ ପାଖକୁ ଯିବା ପୂର୍ବରୁ ସମ୍ପତ୍ତିର ଅସାଧୁ ଆତ୍ମସାତ ଘଟାଇଲେ ତିନିବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସହ ଜରିମାନା ଦଣ୍ଡର ବ୍ୟବସ୍ଥା ହୋଇଥାଏ।ଏହି ଅପରାଧୀଟି ମୃତ ବ୍ୟକ୍ତିର ଚାକର ବା କିରାଣୀ ଦ୍ଵାରା ହୋଇଥିଲେ କାରାଦଣ୍ଡର ସୀମା ସାତବର୍ଷକୁ ବୃଦ୍ଧି ପାଇଥାଏ।
ଅପରାଧିକ ବିଶ୍ଵାସଭଙ୍ଗ ନିମନ୍ତେ ସଂହିତାରେ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ବା ଜରିମାନା ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଥାଏ।ତେବେ ଏହା ଯଦି ସମ୍ପତ୍ତିର ପରିବହନକାରୀ ବା ବ୍ୟକ୍ତିର କିରାଣୀ ଅବା ଚାକର ଦ୍ଵାରା ଘଟିଥାଏ ,ସେ କ୍ଷେତ୍ରରେ କାରାଦଣ୍ଡ ସୀମା ସାତବର୍ଷ ପର୍ଯ୍ୟନ୍ତ ବଢିପାରିଥାଏ। ଲୋକସେବଙ୍କ, ବ୍ୟାଙ୍କ କର୍ମଚାରୀ, ବ୍ୟବସାୟୀ ବା ପ୍ରତିନିଧିଙ୍କ ଦ୍ଵାରା କରାଯାଇଥିବା ଅପରାଧିକ ବିଶ୍ଵାସଭଙ୍ଗ କ୍ଷେତ୍ରରେ କାରାଦଣ୍ଡର ସୀମା ଦଶବର୍ଷ ପର୍ଯ୍ୟନ୍ତ ହୋଇପାରିଥାଏ।