• ସୂର୍ଯ୍ୟସ୍ନାତା ଦାସ

ଆଇନର କଥା ; ରହିବନି ଆଉ ସମସ୍ୟା ଚିନ୍ତା



ଲୋକସେବକ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ସେତୁ :


ରାଷ୍ଟ୍ରର ଉପଯୁକ୍ତ ପରିଚାଳନାରେ ଲୋକସେବକଙ୍କର ତଥା ବ୍ୟବସ୍ଥାକୁ ଅଧିକ ସୁଗମ ପାଇଁ ଲୋକସେବକଙ୍କ ହାତରେ ଆଇନଗତ କ୍ଷମତା ଦିଆଯାଇଛି।


ଲୋକସେବଙ୍କ ମାନଙ୍କ ଦ୍ଵାରା ପ୍ରଦତ୍ତ ଦାୟିତ୍ୱକୁ ନାଗରିକ ସମ୍ମାନ ଦେବା ଉଚିତ।ମାତ୍ର ଯଦି କେହି ବ୍ୟକ୍ତି ତାହା ନକରି ଆଇନତଃ କ୍ଷମତାପ୍ରାପ୍ତ ଲୋକସେବକଙ୍କ ସମନ ବା ନୋଟିସ୍,ଆଦେଶ ବା କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରନ୍ତି ବା ଏହାକୁ ଏଡାଇବା ପାଇଁ ଆତ୍ମଗୋପନ କରନ୍ତି,ତେବେ ତାଙ୍କୁ ଏକମାସ ପର୍ଯ୍ୟନ୍ତ ଅଶ୍ରମ କାରାଦଣ୍ଡ ବା ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ବା ଉଭୟ ଦଣ୍ଡାଦେଶ ହୋଇପାରେ । ଦଣ୍ତସଂହିତା ଅନୁସାରେ ମଧ୍ୟ ଯଦି କେହି ବ୍ୟକ୍ତି ସ୍ଵେଚ୍ଛାରେ ଘୋଷଣା ପ୍ରଚାରରେ ଅଥବା ସମନ ବା ନୋଟିସ୍ ଜାରି କରିବାରେ ବା ଏହାକୁ ଲଗାଇବାରେ ଅବା ଏହାର ଲାଗିରହିବାରେ ବାଧା ସୃଷ୍ଟି କରନ୍ତି,ତେବେ ତାଙ୍କୁ ଏକମାସ ପର୍ଯ୍ୟନ୍ତ ଅଶ୍ରମ ଜେଲଦଣ୍ଡ ବା ପାଞ୍ଚଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ବା ଉଭୟ ଦଣ୍ଡବିଧାନ ହୋଇପାରେ ।


ଲୋକସେବକଙ୍କ ଆଦେଶନୁସାରେ ଠିକ ସମୟରେ ଠିକ ସ୍ଥାନରେ ହାଜର ନହେବା ତଥା ଜାଣିଶୁଣି ଆବଶ୍ୟକ ଦଲିଲ ଦାଖଲ ନକରିବା ଇତ୍ୟାଦି ବ୍ୟବସ୍ଥା ପ୍ରକ୍ରିୟାକୁ ବିଳମ୍ବିତ କରିଥାଏ ,ତେଣୁ ତାହା ମଧ୍ୟ ସଂହିତାରେ ଏକ ଅପରାଧ ଯାହା ପାଇଁ ଏକମାସ ପର୍ଯ୍ୟନ୍ତ ଜେଲଦଣ୍ଡ ବା ପାଞ୍ଚଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ବା ଉଭୟ ଦଣ୍ଡାଦେଶ ହୋଇପାରେ ।


ଏଠାରେ ଦୃଷ୍ଟି ଦେବା କଥା ଯେ,ଯଦି ସେହି ପ୍ରେରିତ ସମନ ବା ନୋଟିସ ଦ୍ଵାରା ବ୍ୟକ୍ତିଙ୍କୁ ସ୍ଵୟଂ ବା ପ୍ରତିନିଧି ଦ୍ଵାରା ହାଜର ହେବା ପାଇଁ କୁହାଯାଇଥାଏ ଅବା ନ୍ୟାୟାଳୟରେ କୌଣସି ଦଲିଲ କିମ୍ବା ବୈଦ୍ୟୁତିକ ଅଭିଲେଖ ଦାଖଲ କରିବା ପାଇଁ କୁହାଯାଇଥାଏ,ତେବେ ସେ କ୍ଷେତ୍ରରେ ଏପରି ଅବମାନନା ପାଇଁ ତାଙ୍କୁ ଛଅ ମାସ ପର୍ଯ୍ୟନ୍ତ ଅଶ୍ରମ କାରାଦଣ୍ଡ ବା ଏକହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବା ଉଭୟ ଦଣ୍ଡ ମିଳିପାରେ ।


ଯଦି ସରକାରୀ କର୍ମଚାରୀଙ୍କୁ ନୋଟିସ ବା ତଥ୍ୟ ଜଣାଇବାକୁ ଆଇନତଃ ବାଧ୍ୟଥିବା କେହି ବ୍ୟକ୍ତି ନିର୍ଦ୍ଧାରିତ ସମୟ ମଧରେ ନ ଜଣାନ୍ତି ବା ଜାଣିଶୁଣି ମିଥ୍ୟା ତଥ୍ୟ ଦିଅନ୍ତି,ତେବେ ଦଣ୍ଡସଂହିତାର ଦଫା ଅନୁଯାୟୀ ଏହା କାରାଦଣ୍ଡ ବା ଜରିମାନାଦଣ୍ଡ ବା ଉଭୟ ଦଣ୍ଡ ପାଇବା ଯୋଗ୍ୟ। ମାତ୍ର ଯଦି ଏହି ସମ୍ବାଦ ଅପରାଧ ସଂଘଟନ ବା ନିରାକରଣ ଇତ୍ୟାଦି ସମ୍ବନ୍ଧରେ ହୋଇଥାଏ,ତେବେ ଅପରାଧର ଗମ୍ଭୀରତା ବଢିଯାଇ ତାହା ଅଧିକ ଦଣ୍ଡ ଦରକାର କରିଥାଏ ।ତେବେ ଏହି ମିଥ୍ୟା ତଥ୍ୟ ବା ସମ୍ବାଦର ଉଦ୍ଦେଶ୍ୟ ଯଦି ଜାଣିଶୁଣି କର୍ମଚାରୀଙ୍କ ଆଇନଗତ କ୍ଷମତା ପ୍ରୟୋଗ ଦ୍ଵାରା ଅନ୍ୟର କ୍ଷତି କରାଇବା ହୋଇଥାଏ, ତେବେ ସେ ବ୍ୟକ୍ତିକୁ ଛଅମାସ ପର୍ଯ୍ୟନ୍ତ କାରାଦଣ୍ଡ ବା ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡ ବା ଉଭୟ ଦଣ୍ଡ ମିଳିଥାଏ ।


ଆବଶ୍ୟକ ସ୍ଥଳରେ ଶପଥପାଠ ନ କରିବା କିମ୍ବା ବିବୃତିରେ ସ୍ଵାକ୍ଷର ଦେବାକୁ ମନା କରିବା ଅଥବା ଉତ୍ତର ଦେବାକୁ ପ୍ରତ୍ୟାଖ୍ୟାନ କରିବା ତଥା ପ୍ରତିଜ୍ଞାବଦ୍ଧ ହୋଇ ସୁଦ୍ଧା ଜାଣିଶୁଣି ମିଥ୍ୟା ବିବୃତି ଦେବା ଇତ୍ୟାଦି ଆଇନ ଆଖିରେ ଗ୍ରହଣୀୟ ନୁହେଁ ଏବଂ ଏଥିପାଇଁ ସଂହିତାରେ ଉପଯୁକ୍ତ ଦଣ୍ଡର ବ୍ୟବସ୍ଥା ରହିଛି।


ଯଦି କେହି ବ୍ୟକ୍ତି ସ୍ଵେଚ୍ଛାରେ କୌଣସି ସରକାରୀ କର୍ମଚାରୀଙ୍କୁ ନିଜ କର୍ତ୍ତବ୍ୟରୁ ବିରତ କରିବାକୁ ଚେଷ୍ଟା କରନ୍ତି ବା ସାହାଯ୍ୟ କରିବାକୁ ବାଧ୍ୟ ଥାଇ ମଧ୍ୟ ଇଚ୍ଛାକୃତ ଭାବରେ ସାହାଯ୍ୟ ନକରନ୍ତି,ତେବେ ଏହା ଅପରାଧ ଅନ୍ତର୍ଗତ ହେବ।ପ୍ରଥମ କ୍ଷେତ୍ରରେ ପାଞ୍ଚଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ବା ତିନିମାସ ପର୍ଯ୍ୟନ୍ତ କାରାଦଣ୍ତର ବା ଉଭୟ ବ୍ୟବସ୍ଥା ଥାଏ ଦ୍ଵିତୀୟ କ୍ଷେତ୍ରରେ ଏହା ଯଥାକ୍ରମେ ଦୁଇଶହ ଟଙ୍କା ବା ଗୋଟିଏ ମାସ ପର୍ଯ୍ୟନ୍ତ ହୋଇଥାଏ ଯାହା ପରିସ୍ଥିତିର ଗମ୍ଭୀରତା ଅନୁଯାୟୀ ପାଞ୍ଚଶହ ଟଙ୍କା ଜରିମାନା ବା ଛଅମାସ ପର୍ଯ୍ୟନ୍ତ କାରାଦଣ୍ଡ ବା ଉଭୟ ଦଣ୍ଡରେ ପରିବର୍ତ୍ତନ ହୋଇପାରିଥାଏ।


ସରକାରୀ କର୍ମଚାରୀଙ୍କର ଆଦେଶ ସର୍ବଦା ଜନହିତ ଏବଂ ସର୍ବସାଧାରଣଙ୍କ କଲ୍ୟାଣ ନିମନ୍ତେ ରହିଥାଏ,ତେଣୁ ଏହାର ପାଳନ ନକରିବା ଅପରାଧ ହୋଇଥାଏ।ତେବେ ଏହି ଅପରାଧ ପାଇଁ ଯଦି ଲୋକସେବକଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ,ତେବେ ଆଦେଶ ଅମାନ୍ୟକାରୀକୁ ଏକ ମାସ ପର୍ଯ୍ୟନ୍ତ ଅଶ୍ରମ ଜେଲଦଣ୍ଡ ବା ଦୁଇଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ବା ଉଭୟ ଦଣ୍ଡ ମିଳିପାରେ। ମାତ୍ର ଏଥିଯୋଗୁଁ ଯଦି କାହାର ଜୀବନ, ସ୍ୱାସ୍ଥ୍ୟ, ନିରାପତ୍ତା ବିପନ୍ନ ହୁଏ ବା ଦଙ୍ଗା ଓ ଝଗଡା ପ୍ରଭୃତି ହୁଏ ବା ହେବାର ସମ୍ଭାବନା ଥାଏ ତା’ହେଲେ ଉକ୍ତ କ୍ଷେତ୍ରରେ ଦଣ୍ଡଟି ଛଅ ମାସ ବା ଏକହଜାର ଟଙ୍କା ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରେ ଅବା ଉଭୟ ଦଣ୍ଡ ମଧ୍ୟ ମିଳିପାରେ।


କେବଳ ଆଦେଶ ଅମାନ୍ୟ କଲେ ହିଁ ଯେ,ଦଣ୍ଡ ମିଳିଥାଏ,ସେପରି ନୁହେଁ ବରଂ କାର୍ଯ୍ୟରେ ବାଧା ଦେଲେ ବା ଚେଷ୍ଟା କରିବା ମଧ୍ୟ ଦଣ୍ଡନୀୟ ହୋଇଥାଏ। ସରକାରୀ କର୍ମଚାରୀଙ୍କ ଦ୍ଵାରା ଆଇନଗତ ପ୍ରାଧିକାର ବଳରେ ଗ୍ରହଣ କରିବାକୁ,ବିକ୍ରି କରିବାକୁ ଥିବା ସମ୍ପତ୍ତିର ସେହି ପ୍ରକ୍ରିୟାରେ ବାଧା ଦେବା ବା ତାହାକୁ ବେଆଇନ ଭାବରେ କିଣିବା ଅଥବା ନିଲାମ ଡାକିବା ପ୍ରକ୍ରିୟା ଅପରାଧୀକୁ କାରାଦଣ୍ତ ବା ଜରିମାନା ଦଣ୍ଡ ବା ଉଭୟ ଦଣ୍ଡର ଯୋଗ୍ୟ କରିଥାଏ।


କର୍ତ୍ତବ୍ୟ ସମ୍ପାଦନ କରୁଥିବା କର୍ମଚାରୀଙ୍କର ତଥା ସାହାଯ୍ୟ ଆବଶ୍ୟକ କରୁଥିବା ଜନସାଧାରଣଙ୍କର ସୁରକ୍ଷା ଉପରେ ଆଇନ ଯଥେଷ୍ଟ ଧ୍ୟାନ ଦେଇଥାଏ। ସଂହିତାର ଦଫା ୧୮୯ ଓ ୧୯୦ ଅନୁସାରେ ଯଦି କେହି ବ୍ୟକ୍ତି କର୍ତ୍ତବ୍ୟ ସମ୍ପାଦନ କରୁଥିବା କର୍ମଚାରୀଙ୍କୁ ଅବା ସାହାଯ୍ୟ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ଭୟ ଦେଖାନ୍ତି, ତେବେ ତାଙ୍କୁ ଜରିମାନା ଅବା ଯଥାକ୍ରମେ ଦୁଇବର୍ଷ ଓ ଏକବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ଅବା ଉଭୟ ଦଣ୍ଡବିଧାନ ହୋଇପାରେ।ତେଣୁ ଉପରୋକ୍ତ ସମସ୍ତ କ୍ଷେତ୍ରରେ ଜଣେ ଭଲ ନାଗରିକ ଭାବରେ ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟ ସମ୍ପାଦନ କ୍ଷେତ୍ରରେ ଯଥାସାଧ୍ୟ ସାହାଯ୍ୟ କରିବା ଉଚିତ କାରଣ ଏପରି ଦାୟିତ୍ୱ ନିର୍ବାହରେ ଅସଫଳତା ଆପଣଙ୍କୁ ଆଇନ ଆଖିରେ ଜଣେ ଅପରାଧୀ କରିଦେଇପାରେ।

Our Recent Posts

Law in Odia

India

LAW IN ODIA