• ସୂର୍ଯ୍ୟସ୍ନାତା ଦାସ

ଆଇନ୍ ଆଖିରେ ହିନ୍ଦୁ କିଏ?



ଆପଣମାନେ ତ ଜାଣିଥିବେ ଯେ, ହିନ୍ଦୁ ମାନଙ୍କ ପାଇଁ ପ୍ରଯୁଜ୍ୟ ହିନ୍ଦୁ ବିବାହ ଅଧିନିୟମ ୧୯୫୫,ହିନ୍ଦୁ ଦତ୍ତକ(ପୋଷ୍ୟ) ଗ୍ରହଣ ଏବଂ ଭରଣପୋଷଣ ଅଧିନିୟମ ୧୯୫୬,ହିନ୍ଦୁ ନାବାଳକତ୍ଵ ଏବଂ ଅଭିଭାବକତ୍ଵ ଅଧିନିୟମ୧୯୫୬ ତଥା ହିନ୍ଦୁ ଉତ୍ତରାଧିକରଣ ଅଧିନିୟମ ପ୍ରଭୃତି ହିନ୍ଦୁଙ୍କ ଉପରେ ଲାଗୁ ହୁଏ।ତେବେ ମନରେ ପ୍ରଶ୍ନ ଉଠିବା ସ୍ଵାଭାବିକ ଯେ,ଆଇନର ଭାଷାରେ ହିନ୍ଦୁ କିଏ ଅର୍ଥାତ୍ ଆଇନ କାହାକୁ ଉଦ୍ଦେଶ୍ୟ କରି ଏସବୁ ସୃଷ୍ଟି କରିଛି ଅଥବା ଆଇନ ଅନୁଯାୟୀ କିଏ ଏହାର ଯୋଗ୍ୟ?


ହିନ୍ଦୁ ବ୍ୟକ୍ତିଗତ ଆଇନର ନିୟମ ଅନୁଯାୟୀ ହିନ୍ଦୁ ହେଉଛନ୍ତି ଜଣେ ବ୍ୟକ୍ତି ଯିଏ ହିନ୍ଦୁ ଧର୍ମରେ ବିଶ୍ଵାସ ରଖିବା ସହ ତା'ର ନୀତି ଆଦର୍ଶକୁ ଆପଣେଇ ଥାଆନ୍ତି। ସିନ୍ଧୁ ନଦୀର ଏପାରିରେ ରହୁଥିବା ଲୋକଙ୍କୁ ବୈଦେଶିକ ଆକ୍ରମଣକାରୀମାନେ ହିନ୍ଦୁ ଭାବରେ ନାମିତ କରିଥିଲେ,ସେଇଠୁ ଏ ନାମର ଉତ୍ପତ୍ତି ହୋଇଥିବା ବିଶ୍ଵାସ କରାଯାଏ ।ତେବେ ଆଇନର ଭାଷାରେ ହିନ୍ଦୁତ୍ଵ ଏକ ଧର୍ମ ଏବଂ ଏହାକୁ ପାଳନ କରୁଥିବା ବ୍ୟକ୍ତିମାନେ ହିନ୍ଦୁ।


-ହିନ୍ଦୁ ଅଧିନିୟମ ସମୂହ ଅନୁଯାୟୀ କୌଣସି ବ୍ୟକ୍ତି ହିନ୍ଦୁ ଧର୍ମ, ବୈ।ଦ୍ଧ ଧର୍ମ, ଜୈନ ଧର୍ମ କିମ୍ବା ଶିଖ ଧର୍ମକୁ ଗ୍ରହଣ କରିଥିବେ ,ତେବେ ତାଙ୍କୁ ହିନ୍ଦୁ ବୋଲି ପରିଗଣିତ କରାଯିବ।ଅନ୍ୟ କେତେକ ବର୍ଗର ଲୋକଙ୍କ ପାଇଁ ମଧ୍ୟ ହିନ୍ଦୁ ଆଇନ୍ ପ୍ରଯୁଜ୍ୟ ଯେପରିକି ବୀରଶୈବ,ଲିଙ୍ଗାୟତ ଏବଂ ବ୍ରାହ୍ମସମାଜ, ପ୍ରାର୍ଥନା ସମାଜ ଏବଂ ଆର୍ଯ୍ୟ ସମାଜର ଅନୁଗାମୀମାନଙ୍କ ପାଇଁ ଏହି ନିୟମ ଲାଗୁ ହୋଇଥାଏ।


-ଜଣେ ଆଜନ୍ମ ହିନ୍ଦୁ କିମ୍ବା ଜଣେ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପାଇଁ ହିନ୍ଦୁ ନିୟମ ପ୍ରଯୁଜ୍ୟ। ଧର୍ମ ପରିବର୍ତ୍ତନ କରିବାର ଅଧିକାର ଭାରତର ସମ୍ବିଧାନର ଧାରା୨୫ ଅନୁଯାୟୀ ଦିଆଯାଇଛି, ଯାହା ଭାରତର ପ୍ରତ୍ୟେକ ନାଗରିକଙ୍କୁ ସ୍ଵେଚ୍ଛାରେ ଧର୍ମର ଅନୁସରଣ ତଥା ଅଭ୍ୟାସ କରିବାର ସ୍ଵାଧୀନତା ପ୍ରଦାନ କରିଥାଏ।ଯଦି ଅନ୍ୟ କୈାଣସି ଧର୍ମରେ ଦୀକ୍ଷିତ ପିତାମାତାଙ୍କ ଠାରୁ ଜନ୍ମିତ ବ୍ୟକ୍ତି ହିନ୍ଦୁ ଧର୍ମ ଗ୍ରହଣ କରେ,ତେବେ ଧର୍ମ ଗ୍ରହଣ କରିବା ଦିନଠାରୁ ତାକୁ ହିନ୍ଦୁ କୁହାଯିବ।ସେହି ବ୍ୟକ୍ତିର ସମସ୍ତ କ୍ରିୟାକଳାପ ମଧ୍ୟ ହିନ୍ଦୁ ନିୟମ ଦ୍ଵାରା ପାଳିତ ହେବ।


-ସାଧାରଣତଃ ଭାରତରେ ପିତାମାତାଙ୍କର ଧର୍ମକୁ ହିଁ ସନ୍ତାନର ଧର୍ମ ଭାବରେ ସ୍ଵୀକୃତି ଦିଆଯାଏ।ତେଣୁ ହିନ୍ଦୁ ଦମ୍ପତିଙ୍କ ଠାରୁ ଜନ୍ମ ହେଉଥିବା ସନ୍ତାନକୁ ହିନ୍ଦୁ କୁହାଯିବ।


-ଯଦି ଶିଶୁଟିର ପିତାମାତାଙ୍କ ଭିତରୁ ଜଣେ ହିନ୍ଦୁ ଏବଂ ଶିଶୁଟିର ପାଳନପୋଷଣ ହିନ୍ଦୁ ରୀତିନୀତିରେ ହୋଇଛି,ତେବେ ସନ୍ତାନଟିକୁ ହିନ୍ଦୁ ଭାବରେ ପରିଗଣିତ କରାଯାଇ ତା' ଉପରେ ହିନ୍ଦୁ ଆଇନ ଲାଗୁ କରାଯାଇଥାଏ।


ଭାୟା ଶେର୍ ବାବାଦୁର ବନାମ ଭାୟା ଗଙ୍ଗା ବକ୍ ସିଂ କ୍ଷେତ୍ରରେ ଦେଖାଯାଇଥିଲା ଯେ, ଯଦି ଜଣେ ମୁସଲମାନ ମହିଳାଙ୍କର ଜଣେ ହିନ୍ଦୁ ପୁରୁଷଙ୍କ ଠାରୁ ସନ୍ତାନ ଅଛି କିନ୍ତୁ ଏବଂ ସେ ସନ୍ତାନ ଜନ୍ମ ହେବା ଦିନଠାରୁ ହିନ୍ଦୁ ଭାବରେ ପାଳିତ ହୋଇଥିଲେ, ତେବେ ଏହି କ୍ଷେତ୍ରରେ ତାଙ୍କୁ ହିନ୍ଦୁ କୁହାଯିବ ।


ହିନ୍ଦୁ ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଯିଏ ମୁସଲମାନ, ପାର୍ସୀ, ଖ୍ରୀଷ୍ଟିଆନ କିମ୍ବା ଯିହୁଦୀ ନୁହଁନ୍ତି ସେ ସାଧାରଣ ଭାବରେ ହିନ୍ଦୁ ନିୟମ ଦ୍ୱାରା ପରିଚାଳିତ।


ଚନ୍ଦ୍ରଶେଖର ବନାମ କୁଲନ୍ଦଡାଇଭେଲା ମାମଲାରେ ଏହା କୁହାଯାଇଥିଲା ଯେ,ଯଦି ଜଣେ ହିନ୍ଦୁ ନାସ୍ତିକ ହୋଇଯାଉଛି ଏବଂ ହିନ୍ଦୁ ଧର୍ମର କୌଣସି ପ୍ରଥା ବା ପରମ୍ପରା ଇତ୍ୟାଦି ପାଳନ କରୁନାହିଁ, ତେବେ ମଧ୍ୟ ସେ ହିନ୍ଦୁ ଭାବରେ ପରିଗଣିତ ହେବ।


କାହା ପାଇଁ ହିନ୍ଦୁ ନିୟମ ପ୍ରଯୁଜ୍ୟ ନୁହେଁ?


- ଜଣେ ଅବୈଧ ସନ୍ତାନ ପାଇଁ ଏହି ହିନ୍ଦୁ ଆଇନ୍ ପ୍ରଯୁଜ୍ୟ ନୁହେଁ ଯାହାର ପିତା କିମ୍ବା ମାତା ଭିନ୍ନ ଧର୍ମର ହୋଇଥିବା କାରଣରୁ ତା'ର ପାଳନ ପୋଷଣ ଅନ୍ୟ ଧର୍ମର ରୀତିନୀତିରେ ହୋଇଛି।ଉଦାହରଣସ୍ଵରୂପ ଯାହାର ପିତା ଜଣେ ହିନ୍ଦୁ ଏବଂ ମାତା ଖ୍ରୀଷ୍ଟିଆନ ଏବଂ ପିଲାଟି ଖ୍ରୀଷ୍ଟିଆନ ଭାବରେ ପ୍ରତିପାଳିତ । କିମ୍ବା, ଜଣେ ହିନ୍ଦୁ ପିତା ଏବଂ ମୁସଲିମ ମାତାଙ୍କର ଅବୈଧ ସନ୍ତାନ, କାରଣ ଏହି ପିଲାମାନେ ଜନ୍ମ,ପାଳନ କିମ୍ବା ଧର୍ମ ଦ୍ୱାରା ହିନ୍ଦୁ ନୁହନ୍ତି ।


- ମୁସଲମାନ, ଖ୍ରୀଷ୍ଟିଆନ, ପାର୍ସୀ କିମ୍ବା ଜିହୁଦୀ ଧର୍ମ ଗ୍ରହଣ କରିଥିବା ହିନ୍ଦୁମାନଙ୍କ ଉପରେ ଆଉ ହିନ୍ଦୁ ଧର୍ମ ଲାଗୁ ନହୋଇ ସେମାନେ ଗ୍ରହଣ କରିଥିବା ଧର୍ମର ନିୟମ ଲାଗୁ ହୋଇଥାଏ।


ତେବେ ଯେ କୈାଣସି ବ୍ୟକ୍ତି ଚାହିଁଲେ ନିଜ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମକୁ ପରିବର୍ତ୍ତିତ ହୋଇପାରିବେ,ମାତ୍ର ସେ ବ୍ୟକ୍ତି ସ୍ଥିର ଚିତ୍ତ ଓ ସୁସ୍ଥ ମସ୍ତିଷ୍କ ହୋଇଥିବା ଆବଶ୍ୟକ।କାହାର ଅବାଞ୍ଛିତ ପ୍ରଭାବରେ ଆସି ଧର୍ମ ପରିବର୍ତ୍ତନ କଲେ ଏହାକୁ ଗ୍ରହଣ କରାଯାଇନଥାଏ।ଧର୍ମ ପରିବର୍ତ୍ତନ ପରେ ପରିବର୍ତ୍ତିତ ହୋଇଥିବାର ପ୍ରମାଣ ସ୍ଵରୂପ ଏକ ସାର୍ଟିଫିକେଟ ମଧ୍ୟ ଦିଆଯାଇଥାଏ ।ହିନ୍ଦୁ ଧର୍ମରୁ ଅନ୍ୟ ଧର୍ମକୁ ପରିବର୍ତ୍ତିତ ହୋଇଥିବା ବ୍ୟକ୍ତି ମଧ୍ୟ ପୁନର୍ବାର ହିନ୍ଦୁ ଧର୍ମକୁ ପରିବର୍ତ୍ତିତ ହୋଇପାରେ ଏବଂ ଏପରି କଲେ ପୁନର୍ବାର ହିନ୍ଦୁ ନିୟମ ତାଙ୍କ ଉପରେ ଲାଗୁ ହୋଇଥାଏ।

Our Recent Posts