• ସୂର୍ଯ୍ୟସ୍ନାତା ଦାସ

ଆଘାତ ;ଲୁହ ପୋଛିଦିଏ ଆଇନର ହାତ



କୌଣସି ପ୍ରାଣୀଙ୍କୁ ଜାଣିଶୁଣି ଆଘାତ ଦେବା ଯେ ଗୋଟିଏ ଖରାପ ପିଲାର କାମ,ଏହା ଆମକୁ ସାନ ବେଳଠୁଁ ଶିଖାଯାଇଛି ଓ ଏପରି କରିବାକୁ ମନା କରାଯାଇଛି।ତେବେ ଏହି ଆଘାତ କହିଲେ ଆମେ କଣ ବୁଝିଥାଉ ଓ କଣ ବୁଝିଥାଏ ଆମ ଆଇନ,ଆସନ୍ତୁ ଜାଣିବା।


ସାଧାରଣତଃ ଆଘାତ କହିଲେ ଆମେ ବୁଝିଥାଉ ଯେ , କୌଣସି ବ୍ୟକ୍ତି ଶରୀରରେ ବାହ୍ୟକାରଣବଶତଃ ଯନ୍ତ୍ରଣା, ବ୍ୟାଧି, ଅକର୍ମଣ୍ୟତା ସୃଷ୍ଟି ହୋଇଛି।ସଂହିତାର ଦଫା ୩୧୯ ମଧ୍ୟ ଆଘାତ ବିଷୟରେ ଠିକ ଏଇକଥା କହିଥାଏ।ତେବେ ଦଫା ୩୨୦ ଅନୁଯାୟୀ ଗୁରୁତର ଆଘାତ କହିଲେ ଆଇନ ବୁଝେ ଯେ, ଆଘାତ ଯେଉଁଥିରେ ;


– ପୁରୁଷତ୍ୱ ହରଣ ହୋଇଛି

–ଗୋଟିଏ ଚକ୍ଷୁର ଦୃଷ୍ଟିଶକ୍ତି ସ୍ଥାୟୀଭାବେ ନଷ୍ଟ ।

– କୌଣସି କର୍ଣ୍ଣର ଶ୍ରବଣଶକ୍ତି ସ୍ଥାୟୀଭାବେ ନଷ୍ଟ ।

– କୌଣସି ଅବୟବ ବା ସନ୍ଧିସ୍ଥାନର ବିଚ୍ଛେଦ ।

– କୌଣସି ଅବୟବ ବା ସନ୍ଧିସ୍ଥାନର ନଷ୍ଟ ବା ତହିଁର ଶକ୍ତି ସ୍ଥାୟୀ ଭାବରେ ନଷ୍ଟ।

– ମସ୍ତକ ବା ମୁଖମଣ୍ଡଳର ସ୍ଥାୟୀଭାବେ ବିରୂପକରଣ

– କୌଣସି ଅସ୍ଥି ବା ଦନ୍ତ ଭଗ୍ନ ବା ବିଚ୍ୟୁତିକରଣ ।

- ଯେଉଁ ଆଘାତ ଜୀବନକୁ ସଙ୍କଟାପନ୍ନ କରେ କିମ୍ବା ଯେଉଁ ଆଘାତରେ ଆହତ ବ୍ୟକ୍ତି ୨୦ ଦିନ ପର୍ଯ୍ୟନ୍ତ ତୀବ୍ର ଯନ୍ତ୍ରଣା ଅନୁଭବ କରେ ଓ ଦୈନନ୍ଦିନ କାର୍ଯ୍ୟନିର୍ବାହ ପାଇଁ ଅକ୍ଷମ ହୁଏ ।


ଆପଣମାନେ ତ ଜାଣନ୍ତି,ଆଘାତ ଦେବା ଆଉ ସ୍ଵେଚ୍ଛାରେ ଆଘାତ ଦେବା ମଧ୍ୟରେ କେଉଁଟିର ଗାମ୍ଭୀର୍ଯ୍ୟତା ଅଧିକ,ତେଣୁ ସଂହିତାରେ ଦଣ୍ଡମଧ୍ୟ ସେହି ଅନୁସାରେ ପ୍ରଦାନ କରାଯାଇଥାଏ।କାହାକୁ ଆଘାତ ଦେବା ଉଦ୍ଦେଶ୍ୟ ରଖି ଜାଣିଶୁଣି ଆଘାତ ଦେଲେ,ଉକ୍ତ ବ୍ୟକ୍ତିଙ୍କୁ ଦଫା ୩୨୩ଅନୁସାରେ ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ବା ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡ କିମ୍ବା ଉଭୟ ଦଣ୍ଡବିଧାନ କରାଯାଇଥାଏ ।ଗୁରୁତର ଆଘାତ କ୍ଷେତ୍ରରେ ଦଫା ୩୨୫ର ପ୍ରୟୋଗରେ ଏହା ସାତ ବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରେ।


ମାତ୍ର ଏହି ଆଘାତ ଯଦି ସ୍ଵେଚ୍ଛାରେ ମାରାତ୍ମକ ଅସ୍ତ୍ର ବା ବିପଦପୂର୍ଣ୍ଣ ଉପାୟ ଦ୍ଵାରା କରାଯାଇଥାଏ ତେବେ ଜରିମାନା ସହ ତିନିବର୍ଷ ପର୍ଯ୍ୟନ୍ତ ଦଣ୍ତ ହୋଇଥାଏ। ମାତ୍ର ଏହି ଆଘାତ ଯଦି ଗୁରୁତର ଆଘାତ ହୋଇଯାଏ,ତେବେ ଦଫା ୩୨୬ ଅନୁସାରେ କାରାଦଣ୍ବର ସୀମା ଦଶବର୍ଷ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରେ। ମାରାତ୍ମକ ଅସ୍ତ୍ର ବା ବିପଦପୂର୍ଣ୍ଣ ଉପାୟ ଗୁଡିକର ଉଦାହରଣ ହେଲା-

-ଗୁଳି କରି,

- ବିଦ୍ଧ କରି

-ଅବା କୌଣସି କାଟିବା ଯନ୍ତ୍ର ଦ୍ଵାରା,

-କିମ୍ବା ମୃତ୍ୟୁ ସମ୍ଭାବନା ଥିବା ଆଘାତକାରୀ ଉପକରଣରେ

-କିମ୍ବା ଅଗ୍ନି ବା ଉତ୍ତପ୍ତ ପଦାର୍ଥ ଦ୍ଵାରା,

-କିମ୍ବା ବିଷ ବା କୌଣସି ଅପକାରକ ପଦାର୍ଥ ଦ୍ଵାରା, କିମ୍ବା

-ବିଷ୍ଫୋରକ ଦ୍ରବ୍ୟ ଦ୍ଵାରା କିମ୍ବା

-ଏମିତି ପଦାର୍ଥ ଦ୍ଵାରା ଯାହା ନାସାଦ୍ଵାରା ଆଘ୍ରାଣ କଲେ ବା ପାଟିରେ ଗିଳିଲେ ବା ରକ୍ତରେ ମିଶ୍ରିତ ହେଲେ ମନୁଷ୍ୟର ଶରୀର ପକ୍ଷେ କ୍ଷତିକାରକ ହୁଏ,


ଏହାଛଡା ବିଷ ଇତ୍ୟାଦି ବ୍ୟବହାର ଦ୍ଵାରା ଆଘାତ ଜନ୍ମାଇବା କ୍ଷେତ୍ରରେ କାରାଦଣ୍ତର ସମୟସୀମା ଦଶବର୍ଷ ପର୍ଯ୍ୟନ୍ତ ବଢିଯାଇପାରେ।


ଆପଣମାନଙ୍କ ଭିତରୁ ସମସ୍ତେ ତ ପ୍ରାୟ ଛପକ୍ ଚଳଚ୍ଚିତ୍ରଟି ଦେଖିସାରିଥିବେ ଓ ଏସିଡ ପଡିବା ଭଳି ଜଘନ୍ୟ କଥା ଭାବିବା ମାତ୍ରେ ଆଖିକୁ ଲୁହ ଆସିଯାଇଥିବ ନିଶ୍ଚୟ ।ତେବେ ସେହି ଏସିଡ ଫିଙ୍ଗିବା ଭଳି ଅପରାଧ କ୍ଷେତ୍ରରେ ଦଣ୍ଡସଂହିତା ଆଉ ଚୁପ ହୋଇ ବସିନାହିଁ ଏବଂ ଏହାକୁ ଏକ ସ୍ଵତନ୍ତ୍ର ଅପରାଧ ଭାବରେ ଘୋଷିତ କରିବା ସହିତ ଏ କ୍ଷେତ୍ରରେ କଡାଦଣ୍ଡ ବିଧାନ କରିଛି।


ଦଫା ୩୨୬ ‘କ’, ଅନୁସାରେ ଏସିଡ୍ ବ୍ୟବହାର ଦ୍ଵାରା ସ୍ଵେଚ୍ଛାରେ ଗୁରୁତର ଆଘାତ ଜନ୍ମାଇବା ଏକ ଗୁରୁତର ଅପରାଧ ଓ ଏଥିନିମନ୍ତେ ଦଣ୍ଡ ଖୁବ ଉଲ୍ଲେଖନୀୟ ହେବା ଉଚିତ।ଏ ଅପରାଧ କ୍ଷେତ୍ରରେ କାରାଦଣ୍ତ ଦଶ ବର୍ଷରୁ କମ୍ ହୋଇନଥାଏ ଏବଂ ତାହା ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ମଧ୍ୟ ସମ୍ପ୍ରସାରିତ ହୋଇପାରେ ଏବଂ ଜରିମାନା ଦଣ୍ତ ମଧ୍ୟ ମିଳିଥାଏ ।ଆଇନ ଅନୁସାରେ ଏ ସ୍ଥଳରେ ଜରିମାନା ଏପରି ନ୍ୟାୟଯୁକ୍ତ ଏବଂ ଯୁକ୍ତିଯୁକ୍ତ ହେବା ଆବଶ୍ୟକ , ଯଦ୍ଵାରାକି ପୀଡ଼ିତାଙ୍କ ଡାକ୍ତରୀ ଚିକିତ୍ସା ଜନିତ ଖର୍ଚ୍ଚ ଭରଣା ହୋଇପାରୁଥିବ । ଏହି ଦଫା ଅନୁସାରେ ଆରୋପିତ ଜରିମାନା ପୀଡ଼ିତ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ ।


ଦଣ୍ତସଂହିତାର ଭାଷାରେ ଏ ଘୃଣ୍ୟ ଅପରାଧର ଉଦ୍ୟମ କରିବା ମଧ୍ୟ କ୍ଷମାଯୋଗ୍ୟ ନୁହେଁ ଏବଂ ଏଥିପାଇଁ ଅପରାଧୀକୁ ଜରିମାନା ସହ।ଏପରି କାରାଦଣ୍ତ ମିଳିବା ଉଚିତ ଯାହା ପାଞ୍ଚ ବର୍ଷରୁ କମ ହୋଇନଥିବ ଏବଂ ସାତବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରୁଥିବ ।


ଆପଣମାନେ ଦେଖିଥିବେ, ଦୁଷ୍ଟ ଓ ଗୁଣ୍ଡା ଶ୍ରେଣୀର ବ୍ୟକ୍ତିମାନେ କିଭଳି ଜବରଦସ୍ତ କିଛି କାମକରିବା ପାଇଁ ବାଧ୍ୟ କରନ୍ତି ଓ ଉକ୍ତ ଉଦ୍ଦେଶ୍ୟରେ ଆଘାତ ଦେଇଥାନ୍ତି,ତେଣୁ ସମାଜ ଆଖିରେ ନିନ୍ଦନୀୟ ହେବା ସହିତ ଆଇନ ଆଖିରେ ମଧ୍ୟ ସେମାନେ ଅପରାଧୀ ହୋଇଥାଆନ୍ତି।


-ସଂହିତାର ଦଫା ୩୨୭ ଅନୁଯାୟୀ ଜବରଦସ୍ତ ସମ୍ପତ୍ତି ଅପହରଣ ବା ଅବୈଧ କାର୍ଯ୍ୟ ବାଧ୍ୟମୂଳକ ଭାବେ କରାଇ ନେବା ନିମନ୍ତେ ସ୍ଵେଛାରେ ଆଘାତ ଜନ୍ମାଇବା ପାଇଁ ଦଶ ବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ହୋଇପାରେ ଏବଂ ତାଙ୍କୁ ଜରିମାନାଦଣ୍ଡ ମଧ୍ୟ ହୋଇପାରେ ।


-ଉକ୍ତ ଅପରାଧ ସମୟରେ ଆଘାତଟି ଯଦି ଗୁରୁତର ହୋଇଥାଏ,ତେବେ ଦଫା ୩୨୯ ଅନୁଯାୟୀ କାରାଦଣ୍ତର ସମୟସୀମା ଦଶବର୍ଷ ପର୍ଯ୍ୟନ୍ତ ଅବା ଆଜୀବନ କାରାଦଣ୍ତକୁ ମଧ୍ୟ ରୂପାନ୍ତରିତ ହୋଇପାରେ।


- ସ୍ଵୀକାରୋକ୍ତି ଆଦାୟ ନିମନ୍ତେ କିମ୍ବା ବାଧ୍ୟତାମୂଳକ ଭାବେ ସମ୍ପତ୍ତି ଫେରସ୍ତ ନିମନ୍ତେ ସେଚ୍ଛାରେ ଆଘାତ କଲେ ସାତ ବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ତଥା ଜରିମାନା ଦଣ୍ଡ ମଧ୍ୟ ମିଳିପାରେ ।


-ଉକ୍ତ ଉଦ୍ଦେଶ୍ୟରେ ପୀଡି଼ତ ଗୁରୁତର ଆଘାତପ୍ରାପ୍ତ ହେଲେ,ଦଫା ୩୩୧ ଅନୁଯାୟୀ କାରାଦଣ୍ତର ସୀମା ଦଶବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରେ।



ରାଷ୍ଟ୍ରର ଉପଯୁକ୍ତ ପରିଚାଳନା ନିମନ୍ତେ ଲୋକସେବକଙ୍କ ମାନଙ୍କଦ୍ଵାରା ଦାୟିତ୍ୱ ନିର୍ବାହ କରିବା ଏକାନ୍ତ ଅପରିହାର୍ଯ୍ୟ ମାତ୍ର ଯଦି ସେହି ଲୋକ-ସେବକଙ୍କୁ ତାଙ୍କ କର୍ତ୍ତବ୍ୟରୁ ନିବୃତ୍ତ କରିବା ଉଦ୍ଦେଶ୍ୟରେ କେହି ସ୍ଵେଚ୍ଛାରେ ଆଘାତ କରନ୍ତି,ତେବେ ତାଙ୍କୁ ବର୍ଣ୍ଣିତ ଉଭୟ ପ୍ରକାରର କାରାଦଣ୍ଡ ମଧ୍ୟରୁ ଯେ କୌଣସି ଗୋଟିଏ ପ୍ରକାର କାରାଦଣ୍ଡ ତିନି ବର୍ଷ ପର୍ଯ୍ୟନ୍ତ ହୋଇପାରେ କିମ୍ବା ଜରିମାନା ଦଣ୍ଡ କିମ୍ବା ଉଭୟ ଦଣ୍ତ ମିଳିପାରେ।ସେମାନଙ୍କର କର୍ତ୍ତବ୍ୟର ସୁରକ୍ଷାକୁ ରାଷ୍ଟ୍ର ପ୍ରାଧାନ୍ୟ ଦେଇଥାଏ,ଏବଂ ଯଦି କର୍ତ୍ତବ୍ୟରୁ ବିଚ୍ୟୁତ କରିବା ପାଇଁ ତାଙ୍କୁ କେହି ଗୁରୁତର ଆଘାତ ଦିଅନ୍ତି,ତେବେ ଉକ୍ତ କାରାଦଣ୍ଡର ସମୟସୀମା ଦଶ ବର୍ଷ ପର୍ଯ୍ୟନ୍ତ ହୋଇପାରେ।


କେବେକେବେ ଏପରି ହୋଇଥାଏ ଯେ,ଉତ୍ତେଜନାର ବଶବର୍ତ୍ତୀ ହୋଇ କେହିକେହି ଉତ୍ତେଜନାକାରୀଙ୍କୁ ଆଘାତ ପ୍ରଦାନ କରିବା ଉଦ୍ଦେଶ୍ୟରେ ଆଘାତ କରିଥାନ୍ତି ଏବଂ ଆଉ କେହି ଆଘାତପ୍ରାପ୍ତ ହେବାର ସମ୍ଭାବନା ଅଛି ବୋଲି ତାଙ୍କର ଜ୍ଞାନ ନଥାଏ,ତେବେ ତାଙ୍କୁ ଏକ ମାସ ପର୍ଯ୍ୟନ୍ତ କାରାଦଣ୍ତ କିମ୍ବା ପାଞ୍ଚ ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡ କିମ୍ବା ଉଭୟ ଦଣ୍ଡରେ ମିଳିପାରେ।ତେବେ ଉତ୍ତେଜନାରେ କରାଯାଇଥିବା ଏହି ଆଘାତଟି ଯଦି ଗୁରୁତର ଆଘାତ ହୋଇଥାଏ,ତେବେ ଉକ୍ତ ଆଘାତକାରୀଙ୍କୁ ଚାରିବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ବା ଦୁଇହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ତ ବା ଉଭୟ ଦଣ୍ଡ ମିଳିଥାଏ ।


ଅନ୍ୟର ଜୀବନ କିମ୍ବା ବ୍ୟକ୍ତିଗତ-ନିରାପତ୍ତାକୁ ସଂକଟାପନ୍ନ କରିବା ପାଇଁ ବିପଦଜନକ କାର୍ଯ୍ୟ କରିବା ସର୍ବଦା ଏକ ଅପରାଧ ହୋଇଥାଏ ଓ ଦଣ୍ତସଂହିତା ଏଥିପାଇଁ ତିନି ମାସ ପର୍ଯ୍ୟନ୍ତ କାରାଦଣ୍ତ କିମ୍ବା ଦୁଇ ଶହ ପଚାଶ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡ କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରଖିଛି ।


ତେବେ ଏହି ଦୁଃସାହସିକ ବା ଅବହେଳାପୂର୍ଣ୍ଣ କାର୍ଯ୍ୟଦ୍ଵାରା ଯଦି କାହାକୁ ଆଘାତ ଲାଗିଯାଏ,ତେବେ ୩୩୭ଅନୁସାରେ ଛଅ ମାସ ପର୍ଯ୍ୟନ୍ତ କାରାଦଣ୍ତ , କିମ୍ବା ପାଞ୍ଚ ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡରେ କିମ୍ବା ଉଭୟ ଦଣ୍ଡ ଦଣ୍ଡିତ ମିଳିଥାଏ ।ଯଦି ଉକ୍ତ କାର୍ଯ୍ୟରେ ସୃଷ୍ଟ ଆଘାତଟି ଗୁରୁତର ଆଘାତ ହୋଇଥାଏ, ତେବେ ଏହି କାରାଦଣ୍ତର ସମୟସୀମା ଦଫା ୩୩୮ ଅନୁସାରେ ଦୁଇ ବର୍ଷ ପର୍ଯ୍ୟନ୍ତ କିମ୍ବା ଜରିମାନା ଏକ ହଜାର ଟଙ୍କା ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରେ।

Our Recent Posts