• ସୂର୍ଯ୍ୟସ୍ନାତା ଦାସ

ଓ୍ୱକଫ କ'ଣ?


ୱକଫ ଅଧିନିୟମ ୱକଫ କୁ ବ୍ୟାଖ୍ୟା କରି କହେ ଯେ, “ୱକଫର ଅର୍ଥ ହେଉଛି ମୁସଲିମ ଆଇନ ଦ୍ୱାରା ଧାର୍ମିକ କିମ୍ବା ପରୋପକାରୀ ଭାବରେ ସ୍ୱୀକୃତିପ୍ରାପ୍ତ ଯେକୌଣସି ଉଦ୍ଦେଶ୍ୟ ପାଇଁ ଇସଲାମ ଧର୍ମର ଜଣେ ବ୍ୟକ୍ତି, କୌଣସି ଚଳନଶୀଳ କିମ୍ବା ଅସ୍ଥାବର ସମ୍ପତ୍ତିର ସ୍ଥାୟୀ ଉତ୍ସର୍ଗ କରିବା"।” ୱକଫ ଶବ୍ଦର ଅର୍ଥ ହେଉଛି ବନ୍ଦ କରିବା କିମ୍ବା ବାନ୍ଧିବା। ଆଇନଗତ ପ୍ରସଙ୍ଗରେ, ୱକଫ ଅର୍ଥ ହେଉଛି ଏକ ସମ୍ପତ୍ତି ରଖିବାର ବ୍ୟବସ୍ଥା କରିବା ଯାହା ଦ୍ଵାରା ଏହାର ଉତ୍ପାଦନ କିମ୍ବା ଆୟ ସର୍ବଦା ଧାର୍ମିକ କିମ୍ବା ପରୋପକାରୀ ଉଦ୍ଦେଶ୍ୟରେ ଉପଲବ୍ଧ ହୋଇପାରେ ।


ଆବୁ ହନିଫା ମତରେ ୱକଫ ହେଉଛି ଏକ ନିର୍ଦ୍ଦିଷ୍ଟ ଜିନିଷର ବନ୍ଦୋବସ୍ତ ଯାହାକି ୱକିଫ କିମ୍ବା ଆବେଦନକାରୀଙ୍କ ମାଲିକାନାରେ ଥାଏ, ଏବଂ ଏହାର ଲାଭ କିମ୍ବା ଉପଯୋଗିତାକୁ ଦାନ, ଗରିବ କିମ୍ବା ଅନ୍ୟାନ୍ୟ ଭଲ ବସ୍ତୁରେ ଉତ୍ସର୍ଗ କରାଯାଏ ।


ଏକ ୱକଫ କେତୋଟି ପାଇଁ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରହିଛି ଓ ସେଗୁଡିକର ପରିପାଳନ ହିଁ ୱକଫକୁ ବୈଧ ଘୋଷିତ କରିଥାଏ।ୱକଫ ସମ୍ପତ୍ତିର ଉତ୍ସର୍ଗ ସ୍ଥାୟୀ ହେବା ଆବଶ୍ୟକ।ଯଦି ୱକଫ ଏକ ସୀମିତ ସମୟ ପାଇଁ ତିଆରି ହୁଏ ଏବଂ କୌଣସି ସର୍ତ୍ତ କିମ୍ବା ସର୍ତ୍ତାବଳି ସଂଲଗ୍ନ ହୁଏ,ତେବେ ଏହା ଅବୈଧ ହୋଇଯିବ ।


ୱକଫ କିଏ ସୃଷ୍ଟି କରିପାରିବ? :


ଯେଉଁ ବ୍ୟକ୍ତି ତାଙ୍କ ସମ୍ପତ୍ତିର ୱକଫ ଗଠନ କରେ ତାଙ୍କୁ ୱକିଫ୍ କୁହାଯାଏ। ପ୍ରଥମତଃ ସମ୍ପତ୍ତିରେ ଅଧିକାର ଥିବା ବ୍ୟକ୍ତି ହିଁ ସମ୍ପତ୍ତିକୁ ନେଇ ୱକଫ ଗଠନ କରିପାରିବ।ୱକଫ ଗଠନର ମୌଳିକ ନିୟମ ହେଉଛି ସଂପୂର୍ଣ୍ଣ ସମର୍ପଣ, ଅର୍ଥାତ୍ ପରୋପକାର ନିମନ୍ତେ କୌଣସି ସମ୍ପତ୍ତିର ସ୍ଥାୟୀ ସମର୍ପଣକୁ ୱକଫ କୁହାଯାଏ।


ଜଣେ ବ୍ୟକ୍ତିଙ୍କର ୱକଫ ଗଠନ କରିବାର ଅଧିକାର ଅଛି କି ନାହିଁ ଏକ ସାଧାରଣ ପରୀକ୍ଷା ଦ୍ଵାରା ଜଣାପଡେ।ଏ ପରୀକ୍ଷାଟି ହେଉଛି ଯେ ସମ୍ପତ୍ତିର ମାଲିକାନା ସ୍ଥାନାନ୍ତର କରିବାକୁ ଉତ୍ସର୍ଗୀକୃତଙ୍କର ଆଇନଗତ ଅଧିକାର ଅଛି କି ନାହିଁ।ଯଦି ୱକଫ ସୃଷ୍ଟି କରୁଥିବା ସମୟରେ ସମ୍ପତ୍ତିଟି ୱକିଫଙ୍କର ମାଲିକାନାରେ ନଥିବ,ତେବେ ଏହା ଏହା ଅବୈଧ ହୋଇଯିବ।କାରଣ ନିଜର ସମ୍ପତ୍ତିକୁ ହିଁ ପରୋପକାର ଉଦ୍ଦେଶ୍ୟ ଓ ବିଶ୍ଵାସ ଆଧାରରେ ଦାନ କରିବା ୱକଫର ମୂଳ ଲକ୍ଷ୍ୟ।ଜଣେ ବିଧବା ସେହି ସମ୍ପତ୍ତିର ୱକଫ ଗଠନ କରିପାରିବ ନାହିଁ ଯାହା ସେ ନିଜ ଡାୱର ବଦଳରେ ରଖିଥାଏ କାରଣ ସେ ସେହି ସମ୍ପତ୍ତିର ସଂପୂର୍ଣ୍ଣ ମାଲିକ ନୁହଁନ୍ତି ଅର୍ଥାତ୍ ୱକଫ କରିବାକୁ ଯାଉଥିବା ସମ୍ପତ୍ତିର ସମ୍ପୂର୍ଣ୍ଣ ମାଲିକାନା ତାଙ୍କ ପାଖରେ ନଥାଏ ।


ୱକଫ ତିଆରି କରିବା ପାଇଁ ଜଣେ ମୁସଲମାନର ସାମର୍ଥ୍ୟ ବିଷୟରେ, ଦୁଇଟି ଜରୁରୀ ଆବଶ୍ୟକତା ଅଛି, ପ୍ରଥମତଃ ମନର ସୁସ୍ଥତା ଏବଂ ଦ୍ଵିତୀୟତଃ ଆଇନରେ ସାବାଳକତା। ୱକଫରେ ସମ୍ପତ୍ତି ଈଶ୍ୱରଙ୍କୁ ସମର୍ପଣ କରାଯାଉଥିବା ବିଶ୍ଵାସ କରାଯାଏ।ସ୍ଥିର ଚିତ୍ତ ଅଥବା ସୁସ୍ଥ ମନ ନଥିବା ବ୍ୟକ୍ତିଙ୍କର ୱକଫ ସୃଷ୍ଟି କରିବାର କ୍ଷମତା ନାହିଁ କାରଣ ସେ ଏସବୁର ପ୍ରକୃତି,ପରିଣାମ,ଲକ୍ଷ୍ୟ ତଥା ଆଇନଗତ ପରିଣାମ ଜାଣିବାରେ ଅସମର୍ଥ ଏବଂ ଖୁବ ଶୀଘ୍ର ଅନ୍ୟଙ୍କ ପ୍ରରୋଚନାରେ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ଥାଏ। ସେହି ସମାନ କାରଣରୁ ଏକ ପାଗଳ କିମ୍ବା ନାବାଳକ ଦ୍ୱାରା ଗଠିତ ୱକଫ ଶୂନ୍ୟ ଅଟେ ,କାରଣ ସେମାନେ ଏହାର ଉଦ୍ଦେଶ୍ୟ,ଲକ୍ଷ୍ୟ ତଥା ପ୍ରକୃତି ବିଷୟରେ ଅଜ୍ଞ‌ ।


ପରଦାନାଶିନ ମହିଳାଙ୍କ କ୍ଷେତ୍ରରେ ତାଙ୍କ ସହମତିକୁ ପ୍ରମାଣ କରିବାର ଦାୟିତ୍ଵ ହିତାଧିକାରୀ ଓ ମୁତାଓ୍ବାରୀଙ୍କ ଉପରେ ଥାଏ।ଜଣେ ପରଦାନାଶିନ୍ ମହିଳା ୱକଫ ଗଠନ ପାଇଁ ଯୋଗ୍ୟ ମାତ୍ର କ୍ଷେତ୍ରରେ ହିତାଧିକାରୀ ଏବଂ ମୁତାୱାଲୀଙ୍କୁ ପ୍ରମାଣ କରିବାକୁ ପଡିଥାଏ ଯେ ସେ ୱକଫ ଗଠନରେ ମହିଳାଜଣଙ୍କ ସୁସ୍ଥ ଓ ନିରପେକ୍ଷ ମନ ବ୍ୟବହାର କରିଛନ୍ତି ଏବଂ ଏହାର ପ୍ରକୃତି ସ୍ଵରୂପ ସମ୍ପର୍କରେ ଅବଗତ ଅଛନ୍ତି,ଅନ୍ୟଥା ଏହା ଅବୈଧ ହୋଇଯାଇଥାଏ ।ଏସବୁ ବାସ୍ତବରେ ୱକଫର ଉଦ୍ଦେଶ୍ୟ ଯେ ଧାର୍ମିକ ତଥା ପରୋପକାର ପାଇଁ ହେବା ଉଚିତ ତାହା ଜଣାଇଥାଏ।


ତେବେ ଏଠାରେ ପ୍ରଶ୍ନ ଉଠେ ଜଣେ ଅଣମୁସଲମାନ କଣ ୱକଫ ଗଠନ କରିପାରିବ? ଆଜ୍ଞା ହଁ ,ବିଭିନ୍ନ ହାଇକୋର୍ଟ ଭିନ୍ନଭିନ୍ନ ସମୟରେ କହିଛନ୍ତି ଯେ ,ଜଣେ ଅଣ-ମୁସଲମାନ ମଧ୍ୟ ଏକ ବୈଧ ୱକଫ ସୃଷ୍ଟି କରିପାରନ୍ତି ଯଦି ୱକଫବସ୍ତୁ ଇସଲାମର ନୀତି ବିରୁଦ୍ଧ ନୁହେଁ।ତେବେ ବ୍ୟକ୍ତିଗତ ୱକଫ ଗଠନ କରିବାର କ୍ଷମତା ଅଣମୁସଲିମଙ୍କର ନଥାଏ।


ସାଧାରଣତଃ, ଉଦ୍ଦେଶ୍ୟ ଦୃଷ୍ଟିକୋଣରୁ ୱକଫଗୁଡିକ ବିଭିନ୍ନ ଭାବର ବର୍ଗୀକରଣ କରାଯାଇପାରେ। ୱକଫଅହଲିରେ ୱକଫର ଆୟ ୱକଫପ୍ରତିଷ୍ଠାତାଙ୍କ ସନ୍ତାନ ଏବଂ ସେମାନଙ୍କର ସନ୍ତାନମାନଙ୍କ ପାଇଁ ଉପଯୋଗ ହୁଏ ।ଏହା ମୁଖ୍ୟତଃ ଏକ ବ୍ୟକ୍ତିଗତ ଅଥବା ପାରବାରିକ ସଂସ୍ଥାନ ଭଳି।ମାତ୍ର ଏହି ହିତାଧିକାରୀମାନେ ୱକଫ ର ସମ୍ପତ୍ତି ବିଷୟବସ୍ତୁ ବିକ୍ରୟ କିମ୍ବା ସ୍ଥାନାନ୍ତର ଅଥବା ବିସର୍ଜନ କରିପାରିବେ ନାହିଁ ।ୱକଫଖାଇରୀରେ ସାଧାରଣତଃ ମସଜିଦ, ଆଶ୍ରୟସ୍ଥଳ ତଥା ଶିକ୍ଷାୟତନକୁ ଅର୍ଥ ପ୍ରଦାନ ପାଇଁ ବ୍ୟବହୃତ ହୁଏ ।ଏହା ସେସବୁ ଧାର୍ମିକ ସ୍ଥାନ ମାନଙ୍କର ପରିଚାଳନା ଏବଂ ରକ୍ଷଣାବେକ୍ଷଣରେ ଉପଯୋଗ ହୁଏ। ଏହା ମଧ୍ୟ ସମ୍ପ୍ରଦାୟ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ । ୱକଫଅଲ-ସାବିଲ ସାଧାରଣତଃ ଉପଯୋଗିତା ଯେପରିକି ବିଚାରଧାରା, ଚିକିତ୍ସାଳୟ, ମସଜିଦ, କବରସ୍ଥାନ, ଇତ୍ୟାଦି ପ୍ରତିଷ୍ଠା ତଥା ପରିଚାଳନା ପାଇଁ ବ୍ୟବହୃତ ହୁଏ । ୱକଫଅଲ-ଆୱାରିଡ ଏକ ଆକସ୍ମିକ ପାଣ୍ଠି ଭଳି ମଧ୍ୟ କାର୍ଯ୍ୟ କରିଥାଏ।ୱକଫ ର ଆୟକୁ ସଞ୍ଚୟ କରି ରଖାଯାଇଥାଏ ଯାହା ଏପରି ଏକ ଜରୁରୀକାଳୀନ କିମ୍ବା ଅପ୍ରତ୍ୟାଶିତ ଘଟଣା ସମୟରେ ବ୍ୟବହୃତ ହୋଇପାରେ ।


ୱକଫର ସୃଷ୍ଟି


ଯେତେବେଳେ ଜରୁରୀ ଉପାଦାନଗୁଡ଼ିକ ପୂରଣ ହୁଏ,ଏକ ୱକଫ ସୃଷ୍ଟି ହୋଇଥାଏ।ଜଣେ ଜୀବନ୍ତ ବ୍ୟକ୍ତି ଜୀବନକାଳରେ ନିଜ କାର୍ଯ୍ୟ ଦ୍ୱାରା ତାଙ୍କ ସମ୍ପତ୍ତିର ଉତ୍ସର୍ଗ ଘୋଷଣା କରି ୱକଫ ଗଠନ କରିପାରିବେ। ଏଥିପାଇଁ ସେ ଆଇନ୍ ପ୍ରଣୋଦିତ ଧାରା ପ୍ରଭୃତି ଉପଯୋଗ କରି ଏକ ବୈଧ ୱକଫ ଗଠନ କରିପାରିବେ।ବ୍ୟକ୍ତି ମୃତ୍ୟୁ ଶଯ୍ୟାରେ ଥିବାବେଳେ ଏହା ମଧ୍ୟ କରାଯାଇପାରିବେ, ମାତ୍ର ସେ କ୍ଷେତ୍ରରେ ସେ ୱକଫ ପାଇଁ ତାଙ୍କର ଏକ ତୃତୀୟାଂଶ ରୁ ଅଧିକ ସମ୍ପତ୍ତି ଉତ୍ସର୍ଗ କରିପାରିବେ ନାହିଁ ।


ଇଚ୍ଛାପତ୍ର ବା ୱିଲ ଅନୁଯାୟୀ ମଧ୍ୟ ଉଭୟ ଶିଆ ଓ ସୁନ୍ନି ସଂପ୍ରଦାୟର ମୁସଲମାନ ୱକଫ ଗଠନ କରିପାରିବେ। ଯେତେବେଳେ ଜଣେ ବ୍ୟକ୍ତି ଜୀବିତ ଥିବା ଅବସ୍ଥାରେ ଏକ ୱିଲ ବା ଇଚ୍ଛା ଛାଡିଦେବେ ଯେ, ନିଜ ମୃତ୍ୟୁ ପରେ ନିଜର ସମ୍ପତ୍ତି ଉତ୍ସର୍ଗ କରି ଏକ ୱକଫ ଗଠନ କରୁଛନ୍ତି,ତେବେ ତାଙ୍କ ମୃତ୍ୟୁ ପରେ ଏହା ଲାଗୁ ହୋଇପାରିବ। ବ୍ୟବହାର ଦ୍ଵାରା ମଧ୍ୟ ୱକଫ ଗଠନ ହୋଇଥାଏ। ଯେତେବେଳେ ଏକ ସମ୍ପତ୍ତି ପ୍ରାଚୀନ କାଳରୁ ଧାର୍ମିକ ତଥା ପରୋପକାରୀ କାର୍ଯ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଆସୁଥିଲା, ଏହା ୱକଫବୋଲି ଧରାଯାଏ ।


ଥରେ ୱକଫସମ୍ପୂର୍ଣ୍ଣ ହୋଇଗଲେ, ଏହାର ଆଇନଗତ ପରିଣାମ ମଧ୍ୟ ରହିଅଛି। ଏହାର ପ୍ରକୃତି ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ହୋଇଥାଏ ଏବଂ ଥରେ ୱକଫ ଗଠନ କଲେ କୌଣସି କାରଣ ଆଳରେ ଏହାକୁ ପ୍ରତ୍ୟାହାର କରିହେବ ନାହିଁ । ୱକଫ ମୁଖ୍ୟତଃ ଈଶ୍ୱରଙ୍କ ନିକଟରେ ସମ୍ପତ୍ତି ସମର୍ପଣ କରିବାକୁ ସୂଚୀତ କରେ ।ଏଥିପାଇଁ ସମ୍ପତ୍ତି ରହିବା ସହ ସମ୍ପତ୍ତିର ସ୍ଥାୟୀ ସମର୍ପଣ ହେବା ଆବଶ୍ୟକ।ନିଜ ଅଧିକାରରେ ଥିବା ସମ୍ପତ୍ତିକୁ ଥରେ ୱକଫରେ ପ୍ରଦାନ କଲେ, ଆଇନ ଆଖିରେ ଏହାର ମାଲିକାନା ବ୍ୟକ୍ତି ପାଖରୁ ଈଶ୍ୱରଙ୍କ ପାଖକୁ ଚାଲିଯାଏ।ୱକିଫ ସମ୍ପତ୍ତି ଉପରୁ ନିଜର ସମସ୍ତ ଅଧିକାର ହରାଇଥାଏ ଏବଂ ସେ ସେହି ସମ୍ପତ୍ତିରୁ କୌଣସ ଲାଭ ସେ ଦାବି କରିପାରିବ ନାହିଁ ଅନୁମୋଦନ କରିଥାଏ।ତେଣୁ ଥରେ ୱକଫ ସୃଷ୍ଟି ହେଲା ପରେ ସେହି ୱକଫ ସମ୍ପତ୍ତିରେ କେହି ବ୍ୟକ୍ତି ଏପରିକି ନିଜେ ଓ୍ବାକିଫ ଅଥବା ତାହାର ବଂଶଧର ମାନେ ମଧ୍ୟ ମାଲିକାନା ଦାବି କରିପାରନ୍ତି ନାହିଁ ।ମାଲିକାନା ହସ୍ତାନ୍ତର ଫଳରେ ୱକଫ ସମ୍ପତ୍ତିଟି ମଧ୍ୟ ଦାନ କିମ୍ବା ବିକ୍ରିଯୋଗ୍ୟ ହୋଇ ରହେନାହିଁ।ଯଦି କୈାଣସି ନିର୍ଦିଷ୍ଟ ସମୟ ପାଇଁ ୱକଫ ଦେଇ ପରବର୍ତ୍ତୀ ସମୟରେ ଫେରାଇନେବାର ବ୍ୟବସ୍ଥା କରାଯାଏ,ତାହା ମଧ୍ୟ କଦାପି ଏକ ବୈଧ ୱକଫ ଭାବରେ ସ୍ଵୀକୃତି ପାଇନଥାଏ।


ଛେଦୀ ଲାଲ ମିଶ୍ର ବନାମ ସିଭିଲ ଜଜ୍ ମାମଲାରେ ଉଚ୍ଚତମ ନ୍ୟାୟାଳୟ କହିଥିଲେ ଯେ,ଥରେ ଓ୍ବାକିଫ ତିଆରି ହୋଇଗଲେ,ସମସ୍ତ ଅଧିକାର ଈଶ୍ୱରଙ୍କ ଠାରେ ନିହିତ ହୋଇଯାଏ।


ୱକଫସମ୍ପତ୍ତିର କାର୍ଯ୍ୟକାରିତା କିମ୍ବା ପରିଚଳନା ଯାଞ୍ଚ କରିବାର ଅଦାଲତର କ୍ଷମତା ଅଛି । ୱକଫଆକ୍ଟ ୧୯୯୫ ଅନୁଯାୟୀ ୱକଫ ସମ୍ପତ୍ତିର ଅପବ୍ୟବହାର ହେଉଛି ଏକ ଅପରାଧ ।ଏତଦବ୍ୟତୀତ ୧୯୧୩ ର ଅଫିସିଆଲ୍ ଟ୍ରଷ୍ଟି ଆକ୍ଟ II । ୧୮୯୦ ର ଚାରିଟେବୁଲ୍ ଏଣ୍ଡୋମେଣ୍ଟସ୍ ଆକ୍ଟ VI । ୧୮୬୩ ର ଧାର୍ମିକ ଅନୁଦାନ ଅଧିନିୟମ XX, ଧାରା ୧୪।ସିଭିଲ୍ ପ୍ରୋସିସର୍ କୋଡ୍, ୧୯୦୮ର ବିଭାଗ ୯୨-୯୩ । ୧୯୨୦ ର ବଦାନ୍ୟତା ଏବଂ ଧାର୍ମିକ ଟ୍ରଷ୍ଟସ୍ ଆକ୍ଟ XIV ପ୍ରଭୃତି କେତେକ ଧାରା ମଧ୍ୟ ଏହି ୱକଫ ସମ୍ପର୍କରେ ଉଲ୍ଲେଖ କରାଯାଇପାରେ।


ୱକଫ ସର୍ବଦା ଧାର୍ମିକ ତଥା ପରୋପକାର ନିମନ୍ତେ ହେବା ଉଚିତ । କର୍ଣ୍ଣାଟକର ୱକଫ ସ୍ ବୋର୍ଡ ବନାମ ମହମ୍ମଦ ନାଜିର ଅହମ୍ମଦ ମାମଲାଟି ଏଇ କ୍ଷେତ୍ରରେ ପ୍ରଣିଧାନ ଯୋଗ୍ୟ।ଏହି ମାମାଲାରେ ଧର୍ମ ଏବଂ ସ୍ଥିତି ନିର୍ବିଶେଷରେ ସମସ୍ତ ଯାତ୍ରୀଙ୍କ ବ୍ୟବହାର ପାଇଁ ମୁସଲିମଙ୍କ ଦ୍ୱାରା ଗୃହ ଉତ୍ସର୍ଗ କରାଯାଇଥିଲା,ମାତ୍ର ତାହା ୱକଫ ହେବାକୁ ଯୋଗ୍ୟ ହେଲାନାହିଁ କାରଣ ମୁସଲିମ ନିୟମ ଅନୁଯାୟୀ ୱକଫ ଙ୍କର କେବଳ ମୁସଲମାନମାନଙ୍କ ହିତ ପାଇଁ ହେବା ଉଚିତ।

Our Recent Posts