• ସୂର୍ଯ୍ୟସ୍ନାତା ଦାସ

କର ନିଜର ପ୍ରତିରକ୍ଷା, ପାଇବ ଆଇନର ସୁରକ୍ଷା



ଯଦିଓ ସବୁ ନାଗରିକ ତଥା ସେମାନଙ୍କର ସୁରକ୍ଷାର ଭାର ରାଷ୍ଟ୍ର ଉପରେ ନ୍ୟସ୍ତ ଥାଏ,ତଥାପି ସାଧନର ଅଭାବ ହେତୁ ସବୁ ସମୟରେ ଏହା ସମ୍ଭବ ହୋଇପାରେ ନାହିଁ,ତେଣୁ ବ୍ୟକ୍ତିର ନିଜକୁ ରକ୍ଷା କରିବା ପାଇଁ ପ୍ରତିରକ୍ଷା ଅଧିକାରର ବ୍ୟବସ୍ଥା କରାଯାଇଛି।ଯଦି ନିଜର ପ୍ରତିରକ୍ଷା କରିବାକୁ ଯାଇ ବ୍ୟକ୍ତି ଅପରାଧର ସଂଜ୍ଞାରେ ପ୍ରଦତ୍ତ କିଛି କାର୍ଯ୍ୟ କରୁଛି,ତେବେ ତାହା ଅପରାଧ ଭାବରେ ପରିଗଣିତ ହେବ ନାହିଁ,ଏହା ଦଫା ୯୬ରେ ଉଲ୍ଲେଖ କରାଯାଇଛି।ଏହି ପ୍ରତିରକ୍ଷାର ଅଧିକାର ଦଣ୍ଡ ସଂହିତାର ଦଫା ୯୬ରୁ ଦଫା ୧୦୬ ମଧ୍ୟରେ ପ୍ରଦାନ କରାଯାଇଛି।


ଦଫା ୯୭ ଏହାର ପ୍ରଥମ ଭାଗରେ ଘୋଷଣା କରିଥାଏ ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ଶରୀର ତଥା ଅନ୍ୟ ବ୍ୟକ୍ତିଙ୍କ ଶରୀରକୁ ରକ୍ଷା କରିବାର ଅଧିକାର ଅଛି।ଏହାର ଦ୍ଵିତୀୟ ଭାଗରେ ଏହା ନିଜର ତଥା ଅନ୍ୟ ବ୍ୟକ୍ତିଙ୍କ ଚଳ ବା ଅଚଳ ସମ୍ପତ୍ତିକୁ ଚୋରି,ଡକାୟତି,ଅଥବା ଫୌଜଦାରୀ ଅନଧିକାର ପ୍ରବେଶ ଇତ୍ୟାଦିରୁ ରକ୍ଷା କରିବା ପାଇଁ ପ୍ରତିରକ୍ଷାର ଅଧିକାର ଦେଇଥାଏ।


ରାମସ୍ୱରୂପ ବନାମ ଉତ୍ତରପ୍ରଦେଶ ରାଜ୍ୟ ମାମଲାରେ ଏହା କୁହାଯାଇଥିଲା ଯେ ଯେତେବେଳେ ବ୍ୟକ୍ତିଙ୍କ ମନ ଓ ମସ୍ତିଷ୍କରେ ବିପଦର ଯୁକ୍ତିଯୁକ୍ତ ଧାରଣା ହୋଇଯାଏ,ସେହି ସମୟରୁ ଆତ୍ମରକ୍ଷା କରିବାର ଅଧିକାର ଆରମ୍ଭ ହୋଇଯାଏ।


ଏହି ଅଧିକାର ଅସୁସ୍ଥ ମସ୍ତିଷ୍କ ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ରହିଛି,ଯିଏ ନିଜ କାର୍ଯ୍ୟର ପ୍ରକୃତି କିମ୍ବା ପରିଣାମ ବୁଝିବାକୁ ସମର୍ଥ ନୁହଁନ୍ତି।ସରଳ ଭାଷାରେ କହିବାକୁ ଗଲେ ଏହି ଅଧିକାର କେବଳ ଆକ୍ରମଣକୁ ପ୍ରତିରୋଧ କରିବାପାଇଁ ଉଦ୍ଦିଷ୍ଟ ଏବଂ ଆକ୍ରମଣକାରୀ ବ୍ୟକ୍ତି ଯେ କେହି ବି ହୋଇଥାଆନ୍ତୁ ନା କାହିଁକି,ତାଙ୍କ ବିରୁଦ୍ଧରେ ଏ ଅଧିକାରର ବ୍ୟବହାର କରାଯାଇପାରିବ।


ଯୋଗେନ୍ଦ୍ର ମୋରାଜୀ ବନାମ ଗୁଜୁରାଟ ରାଜ୍ୟ ଜଷ୍ଟିସ୍ ସାର୍କରିଆ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି ଆତ୍ମରକ୍ଷା ଅଧିକାର ବ୍ୟବହାର କରିବା ପୂର୍ବରୁ ବେଆଇନ ଆକ୍ରମଣକୁ ଏଡ଼ାଇବାକୁ ଚେଷ୍ଟା କରିବା ଉଚିତ ।


ତେବେ ସରକାରୀ କର୍ମଚାରୀଙ୍କ ଦ୍ଵାରା ବା ସରକାରୀ କର୍ମଚାରୀଙ୍କ ଆଦେଶରେ ସରଳ ବିଶ୍ଵାସରେ କରାଯାଇଥିବା କାର୍ଯ୍ୟ ନିମନ୍ତେ ସେ ପର୍ଯ୍ୟନ୍ତ ଆତ୍ମରକ୍ଷାର ଅଧିକାର ନାହିଁ,ଯେ ପର୍ଯ୍ୟନ୍ତ କୈାଣସି ଗୁରୁତର ଆଘାତ ଅଥବା ମୃତ୍ୟୁର ଭୟ ପ୍ରତୀୟମାନ ନ ହୋଇଛି।


ଆପଣ ଜାଣନ୍ତି କି ଶରୀରର ଆତ୍ମରକ୍ଷା ଘଟାଇବାକୁ ଯାଇ କେତେକ ପରିସ୍ଥିତିରେ ଯଦି ଆପଣ ଉକ୍ତ ଆକ୍ରମଣକାରୀ ମୃତ୍ୟୁ ଘଟାଉଛନ୍ତି,ତେବେ ଏହା ଆପଣଙ୍କୁ ଅପରାଧୀ କରେ ନାହିଁ ,ସେପରି ପରିସ୍ଥିତି ଗୁଡିକ ଦଫା ୧୦୦ରେ ବର୍ଣ୍ଣିତ ଅଛି,ତାହା ହେଲା-


-ଏମିତି ଆକ୍ରମଣ ବା ଅତ୍ୟାଚାର ଯାହା ଆପଣଙ୍କୁ ମୃତ୍ୟୁ ବା ଗୁରୁତର ଆହତ ହେବାର ଭୟ ଆଣିଦେବ ଅଥବା


-ଏମିତି ଆକ୍ରମଣ ଯାହା ଧର୍ଷଣ ବା କୌଣସି ଅପ୍ରାକୃତିକ ଯୌନ ଇଚ୍ଛାର ପରିତୃପ୍ତି ନିମନ୍ତେ କରାଯାଇଥିବ ବା


-ଏମିତି ଆକ୍ରମଣ ଯାହା ବଳପୂର୍ବକ ହରଣ ଇତ୍ୟାଦି ଉଦ୍ଦେଶ୍ୟରେ କରାଯାଇଥିବ କିମ୍ବା ;


-ଯେତେବେଳେ କୈାଣସି ବ୍ୟକ୍ତିଙ୍କୁ ଏପରି ଅବୈଧ ଭାବରେ ବନ୍ଧା ବା ଅଟକ ରଖାଯାଇଥିବା ଯେ,ତାଙ୍କୁ ଲାଗିବ ସେ ନିଜର ମୁକ୍ତି ପାଇଁ ସେ ସରକାରୀ ଦାୟିତ୍ଵ କର୍ମଚାରୀଙ୍କ ସାହାଯ୍ୟ ନେଇପାରିବେ ନାହିଁ।ନଚେତ୍


-ଯେତେବେଳେ ଏସିଡ୍ ପକାଯାଉଥିବ କିମ୍ବା ପକାଯିବାର ପ୍ରୟାସ କରାଯାଉଥିବ,ଏବଂ ଏହା ପରିବର୍ତ୍ତୀ ସମୟରେ ଗୁରୁତର ଆଘାତ ଆଣିବାର ସମ୍ଭାବନା ଥିବ,ତେବେ ସେତେବେଳେ ଏହି ଅଧିକାର ବ୍ୟକ୍ତିର ମୃତ୍ୟୁ ଘଟାଇବା ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ।


ଉପରୋକ୍ତ ପରିସ୍ଥିତି ବ୍ୟତିରକେ ଅନ୍ୟ କୌଣସି ପରିସ୍ଥିତିରେ ବ୍ୟକ୍ତିର ମୃତ୍ୟୁ ଘଟାଇବା ପାଇଁ ଏହି ଅଧିକାରର ପ୍ରୟୋଗ କରାଯାଇପାରିବ ନାହିଁ।ଦଫା ୧୦୨ ଅନୁଯାୟୀ ଯେତେବେଳେ ବିପଦ ଆରମ୍ଭ ହୁଏ ସେତେବେଳଠୁଁ ବିପଦ ଥିବା ସମୟ ପର୍ଯ୍ୟନ୍ତ ଏହି ଅଧିକାର ରହିଥାଏ।ବିପଦ ଦୂର ହୋଇଗଲା ପରେ ଯଦି ଆପଣ କିଛି ଆଘାତ କରୁଛନ୍ତି ,ତେବେ ଆପଣ ଦୋଷୀ ରହିବେ।


ଦେବନାରାୟଣ ବନାମ ଉତ୍ତରପ୍ରଦେଶ ମାମଲାରେ ଅଭିଯୁକ୍ତ ଜଣଙ୍କ ଆକ୍ରମଣକାରୀଙ୍କ ଲାଠି ପ୍ରହାରରୁ ବଞ୍ଚିବା ପାଇଁ ଆକ୍ରମଣକାରୀଙ୍କୁ ଏକ ବର୍ଚ୍ଛା ଦ୍ୱାରା ଆଘାତ କଲେ,ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଲା।ଉଚ୍ଚତମ ନ୍ୟାୟାଳୟର ମତରେ ,ଏଠାରେ ଅଭିଯୁକ୍ତ ଜଣଙ୍କ ଆବଶ୍ୟକତା ଠାରୁ ଅଧିକ ବଳ ପ୍ରୟୋଗ କରିଛନ୍ତି,ଯେଉଁଥିପାଇଁ ସେ କ୍ଷମା ପାଇବାର ଯୋଗ୍ୟ ନୁହଁନ୍ତି।


କେବଳ ଶରୀର ପ୍ରତି ନୁହେଁ ବରଂ ସମ୍ପତ୍ତି ପ୍ରତି ମଧ୍ୟ ଆମର ଆତ୍ମରକ୍ଷାର ଅଧିକାର ରହିଛି । ସମ୍ପତ୍ତି ପ୍ରତି ଆତ୍ମରକ୍ଷାର ଅଧିକାର ଡକାୟତି, ରାତିରେ ଘରଭାଙ୍ଗି ପଶୁଥିବା ବ୍ୟକ୍ତି ଇତ୍ୟାଦିଙ୍କ ବିରୁଦ୍ଧରେ ତଥା ବାସସ୍ଥାନ ବା ରକ୍ଷଣାବେକ୍ଷଣ ସ୍ଥାନରେ ଅଗ୍ନିସଂଯୋଗ କରୁଥିବା ବ୍ୟକ୍ତି ଅଥବା ଚୋରି କିମ୍ବା ଅନଧିକାରରେ ପଶୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମୃତ୍ୟୁ ପର୍ଯ୍ୟନ୍ତ ସେତେବେଳେ ସଂପ୍ରସାରିତ ହୋଇପାରିବ,ଯେତେବେଳେ ଏହା ଦ୍ଵାରା ମୃତ୍ୟୁ କିମ୍ବା ଗୁରୁତର ଶାରୀରିକ ଆଘାତ ଘଟିପାରିବାର ଯଥେଷ୍ଟ ସମ୍ଭାବନା ଥିବ।


ଚୋରି କ୍ଷେତ୍ରରେ ସେ ପର୍ଯ୍ୟନ୍ତ ଆତ୍ମରକ୍ଷାର ଅଧିକାର ଥାଏ,ଯେ ପର୍ଯ୍ୟନ୍ତ ;


-ସେ ସମ୍ପତ୍ତି ସହ ଚୋର ପହଞ୍ଚରୁ ବାହାର ନ ହୋଇଯାଇଛି, ଅବା


-ଯେ ପର୍ଯ୍ୟନ୍ତ ଲୋକ ପ୍ରାଧିକରଣ ବା ସରକାରୀ ଦାୟିତ୍ଵ ନ୍ୟସ୍ତ ଅଧିକାରୀଙ୍କ ସହାୟତା ପ୍ରାପ୍ତ ହୋଇନାହିଁ ଅଥବା


-ଯେ ପର୍ଯ୍ୟନ୍ତ ସମ୍ପତ୍ତିର ପୁନଃ ପ୍ରାପ୍ତି ନ ହୋଇଛି।


ଡକାୟତି କ୍ଷେତ୍ରରେ ଏ ଆତ୍ମରକ୍ଷାର ଅଧିକାର ସେ ପର୍ଯ୍ୟନ୍ତ ଥାଏ,ଯେ ପର୍ଯ୍ୟନ୍ତ ;


-ତତକ୍ଷଣାତ୍ ମୃତ୍ୟୁ,ଗୁରୁତର ଆଘାତ ହେବା ଅଥବା ତତ୍କାଳୀନ ଅବରୋଧର ଭୟ ଥାଏ।


-ଅନଧିକାର ପ୍ରବେଶ ବା ଗୃହ ଭାଙ୍ଗି ପଶୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆତ୍ମରକ୍ଷା ସେ ପର୍ଯ୍ୟନ୍ତ ଥାଏ, ଯେ ପର୍ଯ୍ୟନ୍ତ ଏ କାର୍ଯ୍ୟ ଆରମ୍ଭ ହୋଇ ଚାଲିବା ପରେ ଚାଲୁ ରହିଥାଏ।


ଏହି ପ୍ରତିରକ୍ଷାର ଅଧିକାର ଏକ ଆଘାତ କରିବା ଅସ୍ତ୍ର ନ ହୋଇ ବରଂ ଢାଲ ଭଳି କାର୍ଯ୍ୟ କରିଥାଏ। ଝରହା ବନାମ ସୁରତିରାମ ମାମଲାରେ ଏହା ବୁଝାଯାଇଥିଲା ଯେ,ଚୋରି ବ୍ୟତୀତ ଅନ୍ୟ କୌଣସି ଅପରାଧ ସମାପ୍ତ ହେବା ପରେ ଆତ୍ମରକ୍ଷାର ଏହି ଅଧିକାର ରହିବ ନାହିଁ।


କେତେକ କ୍ଷେତ୍ରରେ ଏମିତି ହୁଏ ଯେ, ନିଜର ଆତ୍ମରକ୍ଷା କରିବାକୁ ଯାଇ ପ୍ରତିଆକ୍ରମଣରେ ବ୍ୟକ୍ତିଙ୍କୁ ଅପରାଧୀ ସମେତ ନିର୍ଦ୍ଦୋଷ ଲୋକଙ୍କୁ ବି କ୍ଷତି ପହଞ୍ଚାଇବାକୁ ପଡିଥାଏ,ତେବେ ଯଦି ସେପରି କରିବାକୁ ପଡ଼ିଥାଏ,ତେବେ ସେ କ୍ଷେତ୍ରରେ ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ନାହିଁ । ଉଦାହରଣରେ ଧରନ୍ତୁ,ଜଣେ ଲୋକଙ୍କ ପଛରେ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ରାସ୍ତାରେ କିଛି ଗୁଣ୍ଡା ପଡିଛନ୍ତି ଏବଂ ସେ ବ୍ୟକ୍ତି ପ୍ରତିରକ୍ଷା ଉଦ୍ଦେଶ୍ୟରେ ସେମାନଙ୍କ

ଉପରକୁ ଗୁଳି ଚଲାଉଛନ୍ତି , ବ୍ୟକ୍ତି ଜଣଙ୍କ ଏହା ଜାଣିଛନ୍ତି ଯେ, ସେ ଗୁଳି କୈାଣସି ନିର୍ଦ୍ଦୋଷ ଲୋକଙ୍କୁ ମଧ୍ୟ କ୍ଷତି ପହଞ୍ଚାଇ ପାରେ,ତେବେ ମଧ୍ୟ ସେ ନିଜକୁ ବଞ୍ଚାଇବାକୁ ଯାଇ ଯଦି ସେ ଏହି କାର୍ଯ୍ୟ କରୁଛନ୍ତି,ତେବେ ଏହା ଅପରାଧ ନୁହେଁ।

Our Recent Posts