• ସୂର୍ଯ୍ୟସ୍ନାତା ଦାସ

କରେ ଯେ ଅନିଷ୍ଟ ; ଭୋଗେ ଦଣ୍ଡର କଷ୍ଟ



ଅନିଷ୍ଟ ବା ଅପକାର ଘଟାଇବା ଆଇନର ଆଖିରେ ସର୍ବଦା ଦଣ୍ଡନୀୟ ହୋଇଥାଏ।ଯଦି କୌଣସି ବ୍ୟକ୍ତି କ୍ଷତି ଘଟାଇବା ପାଇଁ ସମ୍ପତ୍ତି ନଷ୍ଟ କରନ୍ତି ବା ତାହା ଉପରେ କୌଣସି କ୍ଷତିକାରକ ପ୍ରଭାବ ପକାନ୍ତି ବା ତାର ସ୍ଥିତିରେ ପରିବର୍ତ୍ତନ ଘଟାଇ ତାହାର ଉପଯୋଗିତା ନଷ୍ଟ କରନ୍ତି,ତେବେ ସେଅନିଷ୍ଟ ବା ଅପକାର ବା ମିସଚିପ କରିଛନ୍ତି ବୋଲି କୁହାଯିବ।ଏହି କାର୍ଯ୍ୟକୁ ଏକ ଅପରାଧ ଭାବରେ ପରିଗଣନା କରାଯାଏ ଏବଂ ଏଥିପାଇଁ ବ୍ୟକ୍ତିଙ୍କୁ ତିନି ମାସ ପର୍ଯ୍ୟନ୍ତ ବର୍ଦ୍ଧିତ କାରାଦଣ୍ତ, କିମ୍ବା ଜରିମାନା ଦଣ୍ଡ, କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇପାରିବ।


-ଯଦି ଏପରି କାର୍ଯ୍ୟ ଦ୍ଵାରା ପଚାଶ ବା ତତୋଧିକ ଟଙ୍କାର କ୍ଷତି ହୁଏ, ତେବେ ତାଙ୍କ କାରାଦଣ୍ଡର ସୀମା ଦୁଇ ବର୍ଷ ପର୍ଯ୍ୟନ୍ତ ବଢାଯାଇପାରିବ।


-ଆବହମାନ କାଳରୁ ପଶୁଙ୍କୁ ସମ୍ପତ୍ତି ଭାବରେ ଗଣନା କରାଯାଇଥାଏ। କେହି ଯଦି ଦଶ ଟଙ୍କା ମୂଲ୍ୟର କୌଣସି ପଶୁଙ୍କୁ ବଧ ବା ବିକଳାଙ୍ଗ କରନ୍ତି ବା ତାଙ୍କ ଉପରେ ବିଷ ପ୍ରୟୋଗ କରନ୍ତି,ତେବେ ତାଙ୍କୁ ଜରିମାନା କିମ୍ବା ଦୁଇ ବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ବା ଉଭୟ ଦଣ୍ଡ ମିଳିପାରେ।ଯଦି ଏହି ପଶୁଙ୍କର ମୂଲ୍ୟ ପଚାଶ ଟଙ୍କା ବା ବେଶୀ ଥାଏ,ତେବେ କାରାଦଣ୍ଡର ସୀମା ପାଞ୍ଚବର୍ଷ ପର୍ଯ୍ୟନ୍ତ ବଢିପାରେ। ଗାଈଗୋରୁ,ହାତୀ,ଘୋଡା,ଓଟ,ଷଣ୍ଢ,ମଇଁଷି ପ୍ରଭୃତିଙ୍କ ଅନିଷ୍ଟ କରିବା ଏହି ଦଫା ଅଧୀନରେ ଏକ ଅପରାଧ।


-ଯଦି କେହି ଶହେଟଙ୍କା ବା ତାହାଠାରୁ ଅଧିକ ଟଙ୍କାର କୌଣସି ସମ୍ପତ୍ତିରେ ଜାଣିଶୁଣି ଅଗ୍ନି ବା ବିଷ୍ଫୋରକ ଦ୍ଵାରା କ୍ଷତି ଘଟାନ୍ତି,ତେବେ ସଂହିତା ତାଙ୍କୁ ଜରିମାନା ଅବା ସାତ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ବା ଉଭୟ ଦଣ୍ଡର ଦଣ୍ଡାଦେଶ ଦେଇଥାଏ।ଦଶଟଙ୍କା ବା ତାହା ଠାରୁ ବେଶୀ ଟଙ୍କାର କୃଷିଜାତ ସମ୍ପତ୍ତିକୁ ଏହା ଦ୍ଵାରା ନଷ୍ଟ କରିବା ପାଇଁ ମଧ୍ୟ ସମାନ ଦଣ୍ଡ ମିଳିଥାଏ।


- ଯଦି ଏହି ଅଗ୍ନି ବା ବିଷ୍ଫୋରକ ଦ୍ରବ୍ୟର ବ୍ୟବହାର ବାସଗୃହ ଅବା ଦ୍ରବ୍ୟ ସଂରକ୍ଷଣ ସ୍ଥାନରେ ଅନିଷ୍ଟ ପାଇଁ କରାଯାଏ,ତେବେ ସେ କ୍ଷେତ୍ରରେ ଅପରାଧର ଗମ୍ଭୀରତା ଦୃଷ୍ଟିରୁ କାରାଦଣ୍ଡର ସୀମା ଦଶବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରିଥାଏ।


କୃଷି କର୍ମ ପାଇଁ କିମ୍ବା ମନୁଷ୍ୟର ବା ପଶୁ ସମ୍ପଦର ପାନୀୟ ପାଇଁ କିମ୍ବା ପରିଚ୍ଛନ୍ନତା ରକ୍ଷା ପାଇଁ ଅଥବା କୌଣସି ଶିଳ୍ପ କାର୍ଯ୍ୟ ଇତ୍ୟାଦି ଚଳାଇବା ପାଇଁ ବ୍ୟବହାର କରାଯାଏ। ଯଦି କେହି ଏହି କାର୍ଯ୍ୟରେ ଅନିଷ୍ଟ କରି ଜଳପ୍ରବାହ ହ୍ରାସ କରେ ଅଥବା ଏହି ଜଳଧାରାକୁ ଅନ୍ୟ ଦିଗକୁ ମଡାଇଦିଏ,ତେବେ ଏହା ଏକ ଅପରାଧ ହୋଇଥାଏ, ଯେଉଁଥି ପାଇଁ ବ୍ୟକ୍ତିଜଣଙ୍କ ଜରିମାନା ଦଣ୍ଡ କିମ୍ବା ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ଉଭୟ ଦଣ୍ଡ ପାଇଥାଆନ୍ତି।କେବଳ ଜଳସେଚନ ପାଇଁ ନୁହେଁ ବରଂ ଡ୍ରେନେଜ ବା ସର୍ବସାଧାରଣ ଜଳ ନିଷ୍କାସନ ପ୍ରଣାଳୀରେ ଅନିଷ୍ଟ କଲେ ବା ତାହାକୁ ନିରୋଧ କରିବାର ପ୍ରଯତ୍ନ କଲେ ମଧ୍ୟ ସମାନ ଦଣ୍ଡ ମିଳିଥାଏ।


ଆପଣ ଜାଣନ୍ତି କି, ସର୍ବସାଧାରଣ ରାସ୍ତା, ପୋଲ, ନଦୀ ବା ଜଳପଥକୁ କ୍ଷତିଗ୍ରସ୍ତ କରିବାର ଅପରାଧକୁ ମଧ୍ୟ ଆଇନ କ୍ଷମା ଦିଏ ନାହିଁ । ଏଥିପାଇଁ ମଧ୍ୟ ଉପରୋକ୍ତ ଦଣ୍ଡର ବ୍ୟବସ୍ଥା କରାଯାଇଥାଏ।


କୌଣସି ଲାଇଟହାଉସ ବା ଆଲୋକଗୃହ, କିମ୍ବା ସମୁଦ୍ରରେ ନାବିକମାନଙ୍କର ପଥପ୍ରଦର୍ଶକ ରୂପେ ରଖାଯାଇଥିବା ସାଗର ସଙ୍କେତ ବା ସି-ମାର୍କ ପ୍ରଭୃତିର ସ୍ଥାନାନ୍ତରଣ ବା ତାହାର ଉପଯୋଗିତା କମାଇବା ପାଇଁ ସେଥିରେ କ୍ଷତି କରିବା ଏକ ଅପରାଧ ରୂପେ ବହୁପୂର୍ବରୁ ବିବେଚିତ ହୋଇଆସୁଛି‌। ଭାରତୀୟ ଦଣ୍ଡ ସଂହିତା ଏଥିପାଇଁ ଜରିମାନା ବା ସାତ ଦର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ବା ଉଭୟଦଣ୍ଡର ବ୍ୟବସ୍ଥା କରିଥାଏ।


କେବଳ ସାଗର ଉପରେ ନୁହେଁ ବରଂ ଭୂମି ଉପରେ ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରଦତ୍ତ ସୀମାଚିହ୍ନକୁ ନଷ୍ଟ ବା ସ୍ଥାନାନ୍ତର କରିବା ମଧ୍ୟ ଆଇନ ସହ ଖେଳିବା ଅର୍ଥରେ ଏକ ଅପରାଧ।ତେଣୁ ସେ କ୍ଷେତ୍ରରେ ଏକବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବା ଜରିମାନା ବା ଉଭୟ ଦଣ୍ଡର ବ୍ୟବସ୍ଥା ଥାଏ।


ଡେକ୍ ଜଳଯାନ ଅବା କୋଡିଏ ଟନର ମାଲ ପରିବହନ କରୁଥିବା ଜଳଯାନର ଅନିଷ୍ଟ କରିବା କ୍ଷେତ୍ରରେ ଜରିମାନା ସହ କାରାଦଣ୍ଡର ସୀମା ଦଶବର୍ଷ ପର୍ଯ୍ୟନ୍ତ ରଖାଯାଇଛି।ଉକ୍ତ କ୍ଷେତ୍ରରେ ଯଦି ଅଗ୍ନି କିମ୍ବା ବିଷ୍ଫୋରକ ଦ୍ରବ୍ୟର ପ୍ରୟୋଗ ହୁଏ, ବା ଜଳଯାନର ମାଲକୁ ଚୋରି ବା ଆତ୍ମସାତ କରିବା ଉଦ୍ଦେଶ୍ୟରେ ତାହାକୁ କୌଣସି ଚଡା ବା କୂଳରେ ଲଗାଯାଏ,ତେବେ ମଧ୍ୟ ସମାନ ଦଣ୍ଡ ମିଳିଥାଏ।


ମୃତ୍ୟୁ ଘଟାଇବା ବା ଆଘାତ ଦେବା ପାଇଁ ପ୍ରସ୍ତୁତି କରିସାରିବା ପରେ ଉକ୍ତ ଆୟୋଜନ ସହ ଏପରି ଅନିଷ୍ଟ ସମୂହ ଘଟାଇଲେ ଜରିମାନା ସହ ପାଞ୍ଚବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ମିଳିପାରିଥାଏ।

Our Recent Posts