• ସୂର୍ଯ୍ୟସ୍ନାତା ଦାସ

କଲେ କାହାର ମାନହାନି; ଦଣ୍ଡ ପାଇବ ଥାଅ ଜାଣି



କୌଣସି ବ୍ୟକ୍ତିନିମନ୍ତେ ତାହାର ମାନସମ୍ମାନ ଓ ପ୍ରତିଷ୍ଠା ତାହା ପାଇଁ ସବୁଠାରୁ ବଡ଼ ସମ୍ପତ୍ତି ହୋଇଥାଏ। ମିଥ୍ୟା ଭାବରେ ଏହାକୁ କଳଙ୍କିତ କରିବାର ଚେଷ୍ଟାକରିବା ଉକ୍ତ ବ୍ୟକ୍ତିଟି ବିପକ୍ଷରେ ବହୁତ ବଡ ଅପରାଧ ହୋଇଥାଏ । ଆପଣ ତ ଜାଣନ୍ତି ଆଇନର କାର୍ଯ୍ୟ ହେଉଛି ବ୍ୟକ୍ତି ତଥା ତାଙ୍କର ଅଧିକାର ଓ ସମ୍ପତ୍ତି ପ୍ରଭୃତିକୁ ସୁରକ୍ଷା ପ୍ରଦାନ କରିବା, ତେଣୁ ବ୍ୟକ୍ତି ବିରୁଦ୍ଧରେ ଏହିଭଳି କ୍ଷତିକାରକ ଓ ଅପମାନଜନକ କାର୍ଯ୍ୟକୁ ଆଇନ କ୍ଷମା ଦେଇନଥାଏ।


ସଂହିତାର ଦଫା ୪୯୯ ଅନୁଯାୟୀ ଯଦି କେହି ବ୍ୟକ୍ତି ;


-କଥନ ଦ୍ଵାରା କିମ୍ବା


-ପଢିବା ଉଦ୍ଦିଷ୍ଟ ଶବ୍ଦ ଦ୍ଵାରା ବା


-ସଙ୍କେତ ଦ୍ଵାରା ଅଥବା


-କୌଣସି ଦୃଶ୍ୟ ଦ୍ଵାରା


କୌଣସି ବ୍ୟକ୍ତି ସମ୍ପର୍କରେ ଏପରି ଆକ୍ଷେପ ପ୍ରକାଶିତ କରନ୍ତି, ଯାହା ତାଙ୍କ ଖ୍ୟାତିରେ ଆଞ୍ଚ ଆଣୁଥାଏ ବା ଆଣିବାର ସମ୍ଭାବନା ଥାଏ, ତେବେ ତାହାକୁ ମାନହାନି ବୋଲି କୁହାଯାଇଥାଏ। ସଂହିତା ଅନୁଯାୟୀ ଏପରି କରିବା ଏକ ଅପରାଧ ଏବଂ ଉକ୍ତ ଅପରାଧ ପାଇଁ ବ୍ୟକ୍ତିଟିକୁ ଦୁଇବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ବା ଜରିମାନା ଦଣ୍ଡ ବା ଉଭୟ ଦଣ୍ଡ ମିଳିପାରେ।ଏପରି ମାନହାନି କାରକ ବସ୍ତୁର ମୁଦ୍ରଣ ବା ଖୋଦନ କଲେ ବା ତାହାକୁ ବିକ୍ରି କଲେ,ତାହା ପାଇଁ ମଧ୍ୟ ଉପରୋକ୍ତ ଦଣ୍ଡର ବ୍ୟବସ୍ଥା ହୋଇଥାଏ।


ସରଳ ଭାଷାରେ କହିବାକୁ ଗଲେ,ଏକ ମାନହାନି ଅପରାଧ ହେଉଛି ତାହା ଯେଉଁଠି କୌଣସି ପ୍ରକାଶନ ଦ୍ଵାରା ଗୋଟିଏ ବ୍ୟକ୍ତିଙ୍କର ଛବିକୁ ସମାଜ ଆଖିରେ ମଳିନ କରିଦିଆଯାଏ। ଏହି କାର୍ଯ୍ୟ ଫଳରେ ବ୍ୟକ୍ତିଙ୍କର ଚରିତ୍ର, ଖ୍ୟାତି, ସମ୍ମାନ ପ୍ରଭୃତିରେ ଆଞ୍ଚ ଆସିଥାଏ ଏବଂ ବ୍ୟକ୍ତିଙ୍କର ମାନହାନି ଘଟିଥାଏ। ଏହି ଅପରାଧ ଯେ କେବଳ ଜୀବିତ ବ୍ୟକ୍ତିଙ୍କ ବିରୁଦ୍ଧରେ କରାଯାଇପାରେ ତାହା ନୁହେଁ , ବରଂ ଏହା ମୃତ ବ୍ୟକ୍ତିଙ୍କ ବିରୁଦ୍ଧରେ ହେଲେ ମଧ୍ୟ ଦଣ୍ଡଯୋଗ୍ୟ ହୋଇଥାଏ କାରଣ ଏପରି ଆପେକ୍ଷ ମୃତ୍ୟୁ ପଶ୍ଚାତ ମୃତବ୍ୟକ୍ତିଙ୍କ ସମ୍ମାନର ହାନି ଘଟାଇବା ସହ ମୃତ ବ୍ୟକ୍ତିଙ୍କ ପରିବାର ଓ ସମ୍ପର୍କୀୟ ମାନଙ୍କୁ ଆଘାତ ପ୍ରଦାନ କରିଥାଏ ।


ଚୌଧୁରୀ ବନାମ ମଞ୍ଜୁଲତା ମାମଲାରେ ଏକ ସମ୍ବାଦପତ୍ରରେ ପ୍ରକାଶ ପାଇଲା ଯେ, ସେ ଝିଅଟି କାହା ସହ ଫେରାର ହୋଇଯାଇଛନ୍ତି , ଯାହା ମିଥ୍ୟା ଥିଲା ଓ ସେ ଝିଅର ସମ୍ମାନ ହାନି କଲା ,ତେଣୁ ଏହାକୁ ମାନହାନିର ଅପରାଧ ଭାବରେ ଗଣନା କରାଗଲା ।


ଏହି ମାନହାନି ଅପରାଧଟିକୁ କେତେକ ଉଦାହରଣ ମାଧ୍ୟମରେ ସହଜରେ ବୁଝାଯାଇପାରେ।


ଯଦି 'ଷ' ବ୍ୟଙ୍ଗାତ୍ମକ ଭାବରେ କହିଲା ଯେ , 'ଥ' ଜଣେ ଭଲଲୋକ ସେ କଣ 'ଯ'ର ଘଣ୍ଟା ଚୋରି କରିପାରିବେ। ଏଠାରେ ବ୍ୟଙ୍ଗ ଓ କଥାରୁ ଶୈଳୀରେ 'ଥ'କୁ ଚୋର ଭାବରେ ଆକ୍ଷେପ କରାଯାଇଛି, ଯାହା ଫଳରେ 'ଥ'ର ମାନହାନି ହୋଇଛି।


ଅଥବା 'ଷ' ଏକ ଚିତ୍ର କରିଛନ୍ତି ଯେଉଁଠି 'ଥ' କୁ 'ଯ' ର ଘଣ୍ଟା ଚୋରି କରିନେଇ ଦୌଡି ପଳାଉଥିବାର ଦେଖାଯାଇଛି, ତେବେ ଏହା 'ଥ' ର ମାନହାନି ହେଉଛି କାରଣ 'ଷ' ଜାଣିଛି ଯେ, ଏହି ଚିତ୍ର ଦେଖିବା ଦ୍ଵାରା ଲୋକମାନେ 'ଥ' କୁ ଚୋର ବୋଲି ଭାବିବେ ।


ଅଥବା ଯଦି ପଚରାଗଲା ଯେ 'ଯ' ର ଘଣ୍ଟା କିଏ ଚୋରାଇଛି ଏବଂ 'ଷ' ଯାଇ 'ଥ' କୁ ଚୋର ବୋଲି ଦେଖାଇବା ପାଇଁ ତା' ଆଡକୁ ହାତ ଦେଖାଉଛି, ତେବେ ଏହା 'ଥ' ବିରୁଦ୍ଧରେ ମାନହାନି ଅପରାଧ।


ଏନ୍. ପି. ନାରାୟଣ ପିଲ୍ଲାଇ ଏବଂ ଅନ୍ୟମାନେ ବନାମ ଏମ୍.ପି. ଚାକୋ ଓ ଅନ୍ୟମାନେ ମାମଲାରେ ନ୍ୟାୟାଳୟ କହିଥିଲେ ଯେ , ଯଦି କୌଣସି ଲେଖାର କିଛି ଭାଗରେ ମାନହାନିକାରକ କିଛି କଥା ରହୁଛି ଓ ଅନ୍ୟ ଭାଗରେ ରହୁନାହିଁ, ତେବେ ସେ କ୍ଷେତ୍ରରେ ସମଗ୍ର ଲେଖାଟିକୁ ପଢି ପାଠକଙ୍କ ମସ୍ତିଷ୍କ ଉପରେ ତାହାର ପଡୁଥିବା ପ୍ରଭାବକୁ ବିଚାର କରିବାକୁ ପଡ଼ିବ।


ସଂହିତାରେ ଏହି ଅପରାଧର କେତେବେଳେ ସଂଘଟିତ ହୋଇପାରିବ ଓ କେତେବେଳେ ହୋଇପାରିବ ନାହିଁ ,ସେ ନେଇ ଆଲୋଚନା କରାଯାଇଛି। ଏହାର ବ୍ୟତିକ୍ରମ ମଧ୍ୟ ପ୍ରଦାନ କରାଯାଇଛି, ଯେଉଁ ପରିସ୍ଥିତିର ଅପସ୍ଥିତିରେ କାର୍ଯ୍ୟଟିକୁ ମାନହାନି ଅପରାଧ ଭାବରେ ଗ୍ରହଣ କରାଯାଇପାରିବ। ସଂହିତାର ଭାଷାରେ ଯଦି ନିମ୍ନଲିଖିତ ବ୍ୟତିକ୍ରମ ସମୂହ ଥିବ, ତେବେ ଅପରାଧଟିକୁ ଏକ ମାନହାନି ଅପରାଧ ବୋଲି କୁହାଯାଇପାରିବ ନାହିଁ ;


-ଯଦି ସେହି ଆକ୍ଷେପ ବା ଆରୋପଟି ସତ ହୋଇଥିବ ଏବଂ ଯାହା ସର୍ବସାଧାରଣଙ୍କ ମଙ୍ଗଳ ନିମନ୍ତେ କରାଯାଇଥିବ ;


ଆଲେକ୍ସଜାଣ୍ଡାର୍ ବନାମ ଉତ୍ତର ପୂର୍ବାଞ୍ଚଳ ରେଳ କମ୍ପାନୀର ମକଦ୍ଦମାରେ ଅଭିଯୋଗକାରୀ ଜଣଙ୍କ ଟିକେଟ ନ ନେଇ ଟ୍ରେନରେ ଯାତ୍ରା କରିବା ଫଳସ୍ୱରୂପ ଗୋଟିଏ ପାଉଣ୍ଡ ଜରିମାନା କିମ୍ବା ଏହାର ବଦଳରେ ୧୪ ଦିନ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ମାତ୍ର ପ୍ରତିବାଦୀ ଏକ ବିଜ୍ଞପ୍ତି ଜରିଆରେ ଏହା ପ୍ରକାଶ କରିଥିଲେ ଯେ, ତାଙ୍କୁ ଜରିମାନା ବଦଳରେ ତିନି ସପ୍ତାହ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରାଯିବ।ଏହା ଆଂଶିକ ସତ୍ୟ ହୋଇଥିବାରୁ ମାନହାନି ଭାବରେ ଗ୍ରହଣ କରାଯାଇନଥିଲା।


-ଲୋକ ସେବକଙ୍କ ଦ୍ଵାରା ତାଙ୍କ କର୍ତ୍ତବ୍ୟ ସମ୍ପାଦନ ସମୟରେ ଓ ସେହି ନିମନ୍ତେ କରାଯାଇଥିବା କାର୍ଯ୍ୟ ;


-ଜନସ୍ଵାର୍ଥ ପ୍ରଶ୍ନ ସହ ଜଡିତ କିଛି ବିଷୟରେ ବ୍ୟକ୍ତିଙ୍କ ଆଚରଣ ମାନହାନି ନୁହେଁ।


-ନ୍ୟାୟାଳୟର କାର୍ଯ୍ୟ ବିବରଣୀ ପ୍ରକାଶନ ;


-ନ୍ୟାୟାଳୟରେ ନିଷ୍ପତ୍ତି ହୋଇଥିବା ମାମଲାର ଗୁଣ ବା ତହିଁରେ ସଂପୃକ୍ତ ସାକ୍ଷୀ ଓ ଅନ୍ୟ ବ୍ୟକ୍ତିଙ୍କ ଆଚରଣ


-ସର୍ବସାଧାରଣରେ କରାଯାଇଥିବା ଉପସ୍ଥାପନର ଗୁଣାଗୁଣ ସମ୍ପର୍କରେ ଯେଉଁଥିରେ ସର୍ବସାଧାରଣ ମତାମତ ଦେଇପାରନ୍ତି ;


-ବ୍ୟକ୍ତି ଉପରେ ଅଧିକାର ଥିବା ଆଇନତଃ କ୍ଷମତାପନ୍ନ ବ୍ୟକ୍ତିର ସରଳ ବିଶ୍ଵାସରେ କରାଯାଇଥିବା ତିରସ୍କାର।ଉଦାହରଣସ୍ଵରୂପ ପିତାମାତା ବା ଶିକ୍ଷକ ଯଦି ଅନ୍ୟ କାହା ସମ୍ମୁଖରେ ପିଲାଟିକୁ ତିରସ୍କାର କରୁଛନ୍ତି, ତେବେ ତାହା ମାନହାନି ନୁହେଁ।


-ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ନିକଟରେ ସରଳ ବିଶ୍ଵାସରେ ଆଗତ ଅଭିଯୋଗ ମାନହାନି ନୁହେଁ ।ଉଦାହରଣ ସ୍ଵରୂପ ଯଦି 'ଦ' ମାଜିଷ୍ଟ୍ରେଟଙ୍କ ସାମ୍ନାରେ ସରଳବିଶ୍ଵାସରେ 'ଝ' ବିରୁଦ୍ଧରେ କିଛି ଆରୋପ ଲଗାଉଛି,ତେବେ ତାହା ମାନହାନି ନୁହେଁ।


-ବ୍ୟକ୍ତି ନିଜର ବା ଅନ୍ୟର ସ୍ଵାର୍ଥରକ୍ଷା ନିମନ୍ତେ ସରଳ ବିଶ୍ଵାସରେ କରୁଥିବା କାର୍ଯ୍ୟ


-ବ୍ୟକ୍ତି ବା ଜନସାଧାରଣଙ୍କ ମଙ୍ଗଳ ସାଧନ ପାଇଁ କରାଯାଇଥିବା ସତର୍କତା


ଏହିସମସ୍ତ ବ୍ୟତିକ୍ରମର ଉପସ୍ଥିତିରେ କାର୍ଯ୍ୟଟି ମାନହାନି ସଂଘଟିତ କରେ ନାହିଁ ଓ ଅପରାଧ ଭାବରେ କଥିତ ହୋଇ ଦଣ୍ଡ ଯୋଗ୍ୟ ହୁଏ ନାହିଁ ।

Our Recent Posts