• ସୂର୍ଯ୍ୟସ୍ନାତା ଦାସ

କୁପ୍ରରୋଚନା ,କରିବାକୁ ମନା



କୁପ୍ରରୋଚନା ଅପରାଧର ବିଭିନ୍ନ କାରଣ ମଧ୍ୟରୁ ଗୋଟିଏ ବଡ଼ କାରଣ ହୋଇଥାଏ।ଅପରାଧ ପାଇଁ ଦୋଷୀ ଭୂମିକା ଠାରୁ କୁପ୍ରରୋଚକର ଭୂମିକା ସେତିକି ଅବା ତା' ଠାରୁ ଅଧିକ ନିନ୍ଦନୀୟ।ତେବେ ଆସନ୍ତୁ ଜାଣିବା ସଂହିତାର ଭାଷାରେ ଏହି କୁପ୍ରରୋଚନା କଣ ।


ଦଫା ୧୦୭ଅନୁଯାୟୀ କୁପ୍ରରୋଚନା ହେଉଛି-


-କୌଣସି ବ୍ୟକ୍ତିକୁ ଅପରାଧ କରିବା ନିମନ୍ତେ ପ୍ରେରଣା ଦେବା


– ଅପରାଧିକ କାର୍ଯ୍ୟ କରିବା ନିମନ୍ତେ ବ୍ୟକ୍ତି ବା ବ୍ୟକ୍ତିମାନଙ୍କ ସହିତ କୌଣସି ଷଡ଼ଯନ୍ତ୍ରରେ ଲିପ୍ତ ରହିବା ଏବଂ ଯଦି ସେହି ଷଡ଼ଯନ୍ତ୍ର ଅନୁସାରେ ଉକ୍ତ କାର୍ଯ୍ୟ ବା ଅକୃତ ସମ୍ପନ୍ନ କରିବା


– ଅବା କୌଣସି ଅପରାଧ ନିମନ୍ତେ ସ୍ଵେଚ୍ଛାରେ ସହାୟତା ପ୍ରଦାନ କରିବା ।


ଯଦି କୌଣସି ବ୍ୟକ୍ତି ଅପରାଧ ସଂଗଠନରେ କୁପ୍ରରୋଚନା ପ୍ରଦାନ କରେ କିମ୍ବା ଏପରି କାର୍ଯ୍ୟ ନିମନ୍ତେ ଉତ୍ସାହ ପ୍ରଦାନ କରେ,ଯାହା ଅପରାଧର ଅନ୍ତର୍ଗତ,ତେବେ ତାହାକୁ କୁପ୍ରରୋଚକ କୁହାଯାଇଥାଏ।ଏହି କୁପ୍ରରୋଚନା ଗୋଟିଏ କାର୍ଯ୍ୟକୁ କରିବା ପାଇଁ ଅବା ଗୋଟିଏ କର୍ତ୍ତବ୍ୟରୁ ନିବୃତ୍ତ ରହିବା ପାଇଁ ହୋଇପାରେ,ଯାହା ସଂହିତା ଭାଷାରେ ଅପରାଧ ଭାବରେ ସ୍ଥାନିତ ହୋଇଥାଏ।ଏପରିକି ଏହି ସଂହିତା ଅନୁସାରେ ଭାରତରେ ଦଣ୍ତନୀୟ ଅପରାଧକୁ ଯଦି ଭାରତ ବାହାରେ ରହି କରାଯାଇଥାଏ,ତେବେ ବି ଉକ୍ତ ଅପରାଧ ନିମନ୍ତେ ସେ କୁପ୍ରରୋଚକ ଭାବେ ବିବେଚିତ ହେବ ।ଏହି କୁପ୍ରରୋଚନାରେ ଦଣ୍ତ ମିଳିବା ନିମନ୍ତେ ଅପରାଧ ସଂଘଟିତ ହେବା ବା ଅପରାଧିକ କାର୍ଯ୍ୟ ସଂପୂର୍ଣ୍ଣ ହେବାର ଆବଶ୍ୟକତା ନଥାଏ।ଆଇନର ଭାଷାରେ କୁପ୍ରରୋଚନା ଦେବା ପାଇଁ କୁପ୍ରରୋଚନା ଦେବା ମଧ୍ୟ ଏକ ଅପରାଧ ହୋଇଥାଏ ।


ଉଦାହରଣ ଭାବେ 'କ' ଯଦି 'ଖ' କୁ ହତ୍ୟା କରିବା ପାଇଁ 'ଗ'କୁ ପ୍ରରୋଚନା ଦେଲା,


- 'ଗ' କୁପ୍ରରୋଚନାର ବଶବର୍ତ୍ତୀ ହୋଇ 'ଖ'କୁ ହତ୍ୟା କଲା


-ଅବା 'ଗ' ଏହି କୁପ୍ରରୋଚନାକୁ ଗ୍ରହଣ କଲାନାହିଁ ଏବଂ 'ଖ'ର କିଛି କ୍ଷତି କଲାନାହିଁ।


ଉଭୟ କ୍ଷେତ୍ରରେ 'କ' କୁପ୍ରରୋଚକ ଭାବରେ ଦଣ୍ତ ପାଇବାର ଯୋଗ୍ୟ।


ଏଠାରେ ଦୃଷ୍ଟି ରଖିବାକୁ ହେବ ଯେ, ଯଦି କୁପ୍ରରୋଚନାର ପରିଣତିରୁ ସମ୍ପନ୍ନ କାର୍ଯ୍ୟ ନିମନ୍ତେ ସଂହିତାରେ କୌଣସି ଦଣ୍ତ ବ୍ୟବସ୍ଥା ନଥାଏ, ତେବେ ଅପରାଧ ନିମନ୍ତେ ବିହିତ ଶାସ୍ତି ହିଁ କୁପ୍ରରୋଚନା ନିମନ୍ତେ ପ୍ରଯୁଜ୍ୟ ଅଟେ ।


ସମୟ ସମୟରେ ଦେଖିବାକୁ ମିଳେ ଯେ,ଅପରାଧୀ ଜଣଙ୍କ କୁପ୍ରରୋଚକର ଅଭିପ୍ରାୟ ଭିନ୍ନ ଅନ୍ୟ ଅଭିପ୍ରାୟ ନେଇ ଅପରାଧ ଘଟାଇଥାନ୍ତି।ସେ କ୍ଷେତ୍ରରେ ବ୍ୟକ୍ତି ଜଣଙ୍କ କୁପ୍ରରୋଚକଙ୍କ ଅଭିପ୍ରାୟରେ କାର୍ଯ୍ୟ କରିଥିଲେ ଯେଉଁ ଦଣ୍ତ ମିଳିଥାନ୍ତା,କେବଳ ସେତିକି ଦଣ୍ତ ହିଁ ପ୍ରାପ୍ତ ହେବ।ମାତ୍ର ଯଦି ଗୋଟିଏ କାର୍ଯ୍ୟ ନିମନ୍ତେ କୁପ୍ରରୋଚନା ଦିଆଯାଇଥିବା ସ୍ଥଳେ ଅପରାଧୀ ଅନ୍ୟ ଏକ ଅପରାଧ କରେ ଯାହା ପ୍ରରୋଚିତ କାର୍ଯ୍ୟର ସମ୍ଭାବ୍ୟ ପରିଣାମ ସଦୃଶ ହୋଇଥାଏ,ତେବେ କୁପ୍ରରୋଚକ ସେହି ସମ୍ପାଦିତ କାର୍ଯ୍ୟ ଅନୁସାରେ ଦଣ୍ତ ପାଇଥାଏ।ତେବେ ସେ ଅପରାଧଟି କୁପ୍ରରୋଚକର ଦୁଷ୍ପ୍ରେରଣା ଓ ପ୍ରଦତ୍ତ ଉତ୍ତେଜନା ବା ଚକ୍ରାନ୍ତ ସାହାଯ୍ୟରେ ହୋଇଥିବା ଆବଶ୍ୟକ।


ଏହାକୁ ଏକ ଉଦାହରଣ ଦ୍ଵାରା ସହଜରେ ବୁଝାଯାଇପାରେ।


ଧରନ୍ତୁ 'ଚ' ଜଣେ ଶିଶୁକୁ 'ଜ' ର ଖାଦ୍ୟରେ ବିଷ ଦେବା ପାଇଁ ଉତ୍ସାହିତ କରେ ଏବଂ ପିଲାଟି ଭୁଲରେ 'ଚ' ଦେଇଥିବା ସେହି ବିଷକୁ 'ଫ'ରଖାଦ୍ୟରେ ଦେଇଦିଏ ,ଯିଏ ସେହିସମୟରେ 'ଜ' ପାଖରେ ବସିଥିଲା।ଏ କ୍ଷେତ୍ରରେ 'ଚ' ସମାନ ଢଙ୍ଗରେ ଏବଂ ସମାନ ପରିମାଣରେ ଦାୟୀ, ଯେପରି ସେ ଶିଶୁକୁ 'ଜ' ର ଖାଦ୍ୟରେ ବିଷ ପକାଇବାକୁ ପ୍ରବର୍ତ୍ତାଇଥିଲା ।


ଆଉ ଗୋଟିଏ ଉଦାହରଣରେ ଧରନ୍ତୁ 'ଞ' ର ଘର ଜାଳିବା 'ଙ' ନାମକ ବ୍ୟକ୍ତି 'ଣ' କୁ ପ୍ରବର୍ତ୍ତାଇଲା । 'ଣ' ଯାଇ ଞ''ର ଘରେ ନିଆଁ ଲଗାଏ ଏବଂ ସମ୍ପତ୍ତି ଚୋରି କରେ। ଏ କ୍ଷେତ୍ରରେ 'ଙ' ଯଦିଓ ଘର ଜାଳିବାରେ ଦୋଷୀ, ତଥାପି ଚୋରି କରିବାରେ ଦୋଷୀ ନୁହେଁ; କାରଣ ଚୋରି ଏକ ଭିନ୍ନ କାର୍ଯ୍ୟ ଥିଲା ଯାହା ଜଳିବାର ସମ୍ଭାବ୍ୟ ପରିଣାମ ନୁହେଁ ।


ଯଦି କୌଣସି କାର୍ଯ୍ୟ କୁପ୍ରରୋଚିତ କାର୍ଯ୍ୟଠାରୁ ଅଧିକ ହୋଇ ସମ୍ପାଦିତ ହୁଏ ଓ ତାହା ପୃଥକ୍ ଅପରାଧ ଗଠନ କରୁଥାଏ, ତେବେ ପ୍ରତ୍ୟେକ ଅପରାଧ ପାଇଁ କୁପ୍ରରୋଚକ ଦାୟୀ ରହିଥାଏ ।ଦଫା ୧୧୩ ଅନୁଯାୟୀ ଯଦି କୌଣସି ନିର୍ଦ୍ଦିଷ୍ଟ ଫଳପ୍ରାପ୍ତି ନିମନ୍ତେ ଗୋଟିଏ ଅପରାଧ ଘଟାଇବା ପାଇଁ କୁପ୍ରରୋଚନା ପ୍ରଦାନ କରେ,ମାତ୍ର କୁପ୍ରରୋଚନାରୁ ସଂଘଟିତ ଉକ୍ତ ଅପରାଧର ଫଳାଫଳ ଭିନ୍ନ ରହେ,ତେବେ ମଧ୍ୟ କୁପ୍ରରୋଚକ ଏଥିନିମନ୍ତେ ଦାୟୀ ହେବ ସତେ ଯେପରି ସେ ସେହି ଅପରାଧ ପାଇଁ କୁପ୍ରରୋଚନା ଦେଇଛି।


ଧରନ୍ତୁ 'ର' କୁ ଗୁରୁତର ଆଘାତ ଦେବା ପାଇଁ 'ଷ'ଯାଇ 'ଢ଼'କୁ ପ୍ରବର୍ତ୍ତାଏ। ଏହି କୁପ୍ରରୋଚନା ପାଇ 'ଢ଼' ଯାଇ 'ର'କୁ ଗୁରୁତର ଆଘାତ ଦିଏ ଏବଂ ସେହି ଆଘାତ କାରଣରୁ 'ର' ର ମୃତ୍ୟୁ ହୁଏ। ଏଠାରେ, ଯଦି 'ଷ' ଜାଣିଥିଲା ଯେ ଆଘାତପ୍ରାପ୍ତ ହେଲେ 'ର" ର ମୃତ୍ୟୁ ହେବାର ସମ୍ଭାବନା ଅଛି, ତେବେ ସେ ହତ୍ୟା ପାଇଁ ଦିଆଯାଇଥିବା କୁପ୍ରରୋଚନା ପାଇଁ ଦଣ୍ତିତ ହେବ।


ଅପରାଧ କ୍ଷେତ୍ରରେ କୁପ୍ରରୋଚକର ଭୂମିକା ଯେ,ଅପରାଧୀ ଠାରୁ କେତେ ଅଧିକ ଗୁରୁତ୍ଵପୂର୍ଣ୍ଣ,ତାହା ଉପରୋକ୍ତ ଦଫାମାନଙ୍କରୁ ଆପଣ ଜାଣିସାରିଥିବେ। ତେବେ ଆପଣ ଜାଣନ୍ତି କି, ଅପରାଧ ସଂଗଠିତ ହେବା ସମୟରେ କୁପ୍ରରୋଚକର ଉପସ୍ଥିତି ତାକୁ ଅର୍ଥାତ କୁପ୍ରରୋଚକକୁ ଅପରାଧର କର୍ତ୍ତା ଭାବରେ ବିବେଚିତ କରାଇଥାଏ। ଏପରି କ୍ଷେତ୍ରରେ କୁପ୍ରରୋଚକ ଜଣଙ୍କ ନିଜେ ଅପରାଧ ଘଟାଇଛନ୍ତି ବୋଲି ଧରିନିଆଯାଏ ।ଆପଣମାନେ ତ ଜାଣନ୍ତି,ଅପରାଧ ଘଟୁ ଅବା ନ ଘଟୁ,ମାତ୍ର କୁପ୍ରରୋଚନାକାରୀ ଆଇନ ଆଖିରେ ସର୍ବଦା ଜଣେ ଅପରାଧୀ।ତେବେ ସଂହିତା ତାଙ୍କୁ କେଉଁଭଳି ଦଣ୍ତ ପ୍ରଦାନ କରିଥାଏ,ଆସନ୍ତୁ ଜାଣିବା -


ଯଦି କୌଣସି ବ୍ୟକ୍ତି ମୃତ୍ୟୁ ଦଣ୍ଡ ବା ଆଜୀବନ କାରାଦଣ୍ଡରେ ଦଣ୍ଡନୀୟ ଅପରାଧ ସଂଗଠନ ନିମନ୍ତେ କୁପ୍ରରୋଚନା ପ୍ରଦାନ କରନ୍ତି


-ମାତ୍ର ସେହି ଅପରାଧ କୁପ୍ରରୋଚନାର ପରିଣାମରୁ ହୋଇ ନଥାଏ ଅବା ସେପରି କୁପ୍ରରୋଚନା ପ୍ରଦାନ ପାଇଁ ସଂହିତାରେ କୌଣସି ଦଣ୍ଡ ବ୍ୟବସ୍ଥା ନଥାଏ, ତେବେ ସେ ପ୍ରରୋଚକ ଜଣଙ୍କ ସଶ୍ରମ ବା ଅଶ୍ରମ କାରାଦଣ୍ଡ ଭୋଗ କରିବ, ଯାହାକି ଜରିମାନା ସହିତ ସାତ ବର୍ଷ ପର୍ଯ୍ୟନ୍ତ ପରିବର୍ଦ୍ଧିତ ହୋଇପାରେ ।


- କିନ୍ତୁ ଯଦି କୁପ୍ରରୋଚନାରୁ ସୃଷ୍ଟ କାର୍ଯ୍ୟରେ କିଛି ଅପରାଧ ହୁଏ , ଯଦ୍ଵାରା ବ୍ୟକ୍ତିର କ୍ଷତି ଘଟେ, ତେବେ କୁପ୍ରରୋଚକକୁ ସଶ୍ରମ ବା ଅଶ୍ରମ କାରାଦଣ୍ଡ ଭୋଗ କରିବାକୁ ପଡ଼ିବ, ଯାହାର ମିଆଦ ଚଉଦ ବର୍ଷ ପର୍ଯ୍ୟନ୍ତ ପରିବର୍ଦ୍ଧିତ ହୋଇପାରେ ଓ ତାହା ସହ ଜରିମାନା ଦଣ୍ଡ ମଧ୍ୟ ହେବ ।


ଯଦି ଜଣେ ବ୍ୟକ୍ତି କାରାଦଣ୍ଡରେ ଦଣ୍ଡନୀୟ ଅପରାଧ ନିମନ୍ତେ କୁପ୍ରରୋଚନା ଦିଅନ୍ତି ଏବଂ ଯଦି ଅପରାଧ କରା ନଯାଏ ,ତେବେ ସେ ଅପରାଧ ନିମନ୍ତେ ନିରୂପିତ ସର୍ବୋଚ୍ଚ କାରାଦଣ୍ଡର ଏକ ଚତୁର୍ଥାଶ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ଧାର୍ଯ୍ୟ ଜରିମାନା ଦଣ୍ଡ ଅଥବା ଉଭୟ ପ୍ରକାର ଦଣ୍ଡାଦେଶରେ ଦଣ୍ଡିତ ହୋଇପାରିବେ ।ଯଦି କୁପ୍ରରୋଚକ ଜଣଙ୍କ ଅପରାଧ-ନିରୋଧ-ଦାୟିତ୍ଵ ସମ୍ପନ୍ନ ଲୋକ ସେବକ ହୋଇଥାଆନ୍ତି ,ତେବେ ସେ ଅପରାଧ ନିମନ୍ତେ ଧାର୍ଯ୍ୟ ଦଣ୍ତର ଅର୍ଦ୍ଧ ପରିମାଣ କାରାଦଣ୍ଡରେ ଦଣ୍ଡିତ ହେବେ, କିମ୍ବା ସେଥି ନିମନ୍ତେ ଥିବା ଜରିମାନା ଦଣ୍ଡ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହେବେ ।


ଯଦି କେହି ସର୍ବସାଧାରଣଙ୍କୁ ବା ଦଶ ଜଣରୁ ଅଧିକ ସଂଖ୍ୟକ ବ୍ୟକ୍ତିଙ୍କୁ କୁପ୍ରରୋଚନା ପ୍ରଦାନ କରନ୍ତି ଓ ଅପରାଧ ସଂଘଟିତ ହୁଏ, ତେବେ ସେ ସଶ୍ରମ ବା ଅଶ୍ରମ କାରାଦଣ୍ଡ ଯାହାର ସମୟ ତିନି ବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରେ କିମ୍ବା ଜରିମାନା ଦଣ୍ଡ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହେବେ।


କୁପ୍ରରୋଚନା ପ୍ରଦାନ ତଥା କୁପ୍ରରୋଚକ ଉଭୟ ଆଇନ ଆଖିରେ ନିନ୍ଦନୀୟ ଓ ସମାଜ ତଥା ରାଷ୍ଟ୍ର ପାଇଁ ଅନେକ ଗୁଣରେ କ୍ଷତିକାରକ ହୋଇଥାଏ, ଯାହାକୁ ସଂହିତାର ଏହିଭଳି ଉପଯୁକ୍ତ ବ୍ୟବସ୍ଥା ଦଣ୍ତନୀୟ କରିଥାଏ ।

Our Recent Posts

Law in Odia

India

LAW IN ODIA