• ସୂର୍ଯ୍ୟସ୍ନାତା ଦାସ

ଖ୍ରୀଷ୍ଟିଆନ ନିୟମ ଅନୁଯାୟୀ ଅଭିଭାବକ



ଅଭିଭାବକତ୍ଵ ନିୟମ ନାବାଳକ ଏବଂ ମାନସିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ସୃଷ୍ଟି ହୋଇଥାଏ, ଯେଉଁମାନେ କି ନିଜର ଯତ୍ନ ନେବା କିମ୍ବା ନିଜର ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ସମର୍ଥ ହୋଇନଥାନ୍ତି। ସେମାନଙ୍କର ଉପଯୁକ୍ତ ଧ୍ୟାନ ରଖିବା ସହ ତାଙ୍କ କାର୍ଯ୍ୟର ସଠିକ୍ ପରିଚାଳନା କରିବା ଦାୟିତ୍ଵ ଅଭିଭାବକଙ୍କ ଉପରେ ନ୍ୟସ୍ତ ହୁଏ। ଅଭିଭାବକତ୍ଵ ସମ୍ବନ୍ଧୀୟ ସମସ୍ତ ସାଧାରଣ ନିୟମ ଯଦିଓ ଅଭିବାକତ୍ଵ ଏବଂ ସନ୍ତାନ ଅଧିନିୟମ (ଗାର୍ଜନ ଏଣ୍ଡ ଓ୍ବାଡସ ଆକ୍ଟ)୧୮୯୦ରେ ରଖାଯାଇଛି,ତଥାପି କେତୋଟି ଭିନ୍ନ ଭିନ୍ନ ଧର୍ମର ବ୍ୟକ୍ତିଗତ ନିୟମ ଅନୁଯାୟୀ ଏହି ଅଭିଭାବତ୍ଵପାଇଁ ଅଲଗା ଅଲଗା ବିଶେଷ ନିୟମ ପ୍ରଣିତ ହୋଇଛି।ତେବେ ଖ୍ରୀଷ୍ଟିଆନ ବ୍ୟବସ୍ଥାରେ ସେମିତି କୈାଣସି ବିଶେଷ ନିୟମ ପ୍ରଣୟନ ହୋଇନି ଏବଂ ଅନ୍ୟାନ୍ୟ ଧର୍ମସମୂହ ଭଳି ଏହା ମଧ୍ୟ ଧର୍ମନିରପେକ୍ଷ ଗାର୍ଜନ ଏଣ୍ଡ ଓ୍ବାଡସ ଆକ୍ଟ ୧୮୯୦ର ଆଇନ ଦ୍ଵାରା ନିୟନ୍ତ୍ରିତ।


ଏହି ଅଧିନିୟମର ଧାରା ୨୪ ଅନୁଯାୟୀ ଯେତେବେଳେ ଜଣେ ଅଭିଭାବକଙ୍କୁ ନାବାଳକଙ୍କର ଦାୟିତ୍ୱରେ ରଖାଯାଏ,ସେତେବେଳେ ତାଙ୍କର ପ୍ରଧାନ କର୍ତ୍ତବ୍ୟ ହୋଇଥାଏ ଯେ, ନାବାଳକ ତଥା ତାହାର ସମ୍ପତ୍ତିର ରକ୍ଷା ସାଥେସାଥେ ତାହାର ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଏବଂ ଅନ୍ୟାନ୍ୟ ବିଷୟଗୁଡ଼ିକ ପ୍ରତି ଉପଯୁକ୍ତ ଦେବା‌।ଅଭିଭାବକଙ୍କର ମୁଖ୍ୟ କାର୍ଯ୍ୟ ହୋଇଥାଏ ନାବାଳକର ସମସ୍ତ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରି ତାକୁ ଉପଯୁକ୍ତ ସୁରକ୍ଷା ପ୍ରଦାନ କରିବା।ଉପରୋକ୍ତ ଅଧିନିୟମର ଧାରା ୧୭ ଅନୁଯାୟୀ, ଅଭିଭାବକ ନିଯୁକ୍ତ କରିବାରେ କୋର୍ଟ ବୟସ, ଲିଙ୍ଗ ଏବଂ ଧର୍ମ ଅନୁଯାୟୀ ନାବାଳକଙ୍କର କଲ୍ୟାଣକୁ ସବୁଠାରୁ ଅଧିକ ମହତ୍ତ୍ଵ ଦିଆଯାଇଥାଏ।


କେତୋଟି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ସମ୍ପତ୍ତି ପାଇଁ ଅଭିଭାବକ ନିଯୁକ୍ତି କରିବାର ଆବଶ୍ୟକତା ପଡେନାହିଁ ,ଯେତେବେଳେ

(କ) ଜଣେ ନାବାଳିକା ଯିଏ ବିବାହିତ ମହିଳା ଏବଂ ଯାହାର ପତି କୋର୍ଟଙ୍କ ମତରେ ତାଙ୍କ ଅଭିଭାବକ ହେବା ପାଇଁ ଅଯୋଗ୍ୟ ନୁହେଁ । କିମ୍ବା


(ଖ) ଜଣେ ନାବାଳକର, ଯାହାଙ୍କର ପିତା ବଞ୍ଚିଛନ୍ତି ଏବଂ କୋର୍ଟଙ୍କ ମତରେ ନାବାଳକର ଅଭିଭାବକ ହେବା ପାଇଁ ଅଯୋଗ୍ୟ ନୁହଁନ୍ତି ।


ଏହି ଆଇନ ଅନୁଯାୟୀ ନାବାଳକଟିଏ ସର୍ବଦା ଅଭିଭାବକଙ୍କର ତତ୍ତ୍ୱାବଧାନରେ ରହିବା ଉଚିତ। ଏହାର ବ୍ୟତିକ୍ରମ ଘଟାଇ , ଯଦି ଜଣେ ନାବାଳକ ଅଭିଭାବକଙ୍କ ହେପାଜତରୁ ଚାଲିଯାଏ ତେବେ ସେ ନାବାଳକର କଲ୍ୟାଣ ପାଇଁ ତାଙ୍କ ଅଭିଭାବକଙ୍କ ହେପାଜତକୁ ଫେରାଇଆଣିବା ନିମନ୍ତେ ତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆଦେଶ ଦିଆଯାଏ ।ନାବାଳକର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଆଦେଶ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ନାବାଳକକୁ ଗିରଫ କରାଯାଇ ପୁନର୍ବାର ତାଙ୍କ ଅଭିଭାବକଙ୍କ ହେପାଜତକୁ ପଠାଯାଇପାରେ ।


ଏହି ଅଧିନିୟମର ଧାରା ୧୩ ଅନୁସାରେ ଅଭିଭାବକତ୍ଵ ନେବାପାଇଁ ଆଗ୍ରହୀ ବ୍ୟକ୍ତିଙ୍କୁ ନ୍ୟାୟାଳୟ ସମ୍ମୁଖରେ ସାକ୍ଷ୍ୟ ପ୍ରମାଣ କରିବାକୁ ପଡିଥାଏ ଯେ,ଏହାଦ୍ଵାରା ନାବାଳକଟିର ସ୍ଵାର୍ଥରକ୍ଷା ତଥା କଲ୍ୟାଣ ହେବ।


ଆବଶ୍ୟକସ୍ଥଳେ ନ୍ୟାୟାଳୟର ଅନୁମୋଦନ କ୍ରମେ ଏହି ଅଭିଭାବକ ଜଣଙ୍କର ଅପସାରଣ ମଧ୍ୟ କରାଯାଇପାରେ।ଯଦି ଅଭିଭାବକ ରୂପେ ନିଯୁକ୍ତ ବ୍ୟକ୍ତିଜଣଙ୍କର କର୍ତ୍ତବ୍ୟ ପାଳନ କରିବାରେ ବିଫଳତା, କାର୍ଯ୍ୟ କରିବାରେ ଅକ୍ଷମତା,ବିଶ୍ଵାସଭଙ୍ଗ, ଅସଦାଚରଣ,ନାବାଳକର ଯତ୍ନ ନେବାରେ ଅସମର୍ଥତା ଅଥବା ଏହି ଆଇନର କୌଣସି ଧାରା କିମ୍ବା କୋର୍ଟର ଆଦେଶକୁ ଅବମାନନା କଲେ,

ସେ ଅଭିଭାବକ ହେବାକୁ ଅଯୋଗ୍ୟ ହୋଇଯାଆନ୍ତି।


ଯଦି ନ୍ୟାୟାଳୟ ଦ୍ଵାରା ନିଯୁକ୍ତ ଅଭିଭାବକଙ୍କର ମୃତ୍ୟୁ ହୁଏ,କିମ୍ବା କୈାଣସି କାରଣରୁ ସେ ଦାୟିତ୍ଵ ତୁଲାଇବାରେ ଅକ୍ଷମ ହୋଇଥାଆନ୍ତି,ତେବେ ନ୍ୟାୟାଳୟ ପୁନଶ୍ଚ ଆଉ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଅଭିଭାବକ ରୂପେ ନିଯୁକ୍ତ କରିପାରିବ।


Our Recent Posts