• ସୂର୍ଯ୍ୟସ୍ନାତା ଦାସ

ଗର୍ଭପାତ - ତଣ୍ଟି ଚିପିଦେବ ଆଇନର ହାତ


ଆପଣ ଜାଣନ୍ତି କି,ଗର୍ଭପାତ କରିବା, ଜନ୍ମପୂର୍ବରୁ ଶିଶୁର କ୍ଷତି କରିବା, ଶିଶୁକୁ ଅରକ୍ଷିତ କରି ଛାଡ଼ିଯିବା ଓ ଜନ୍ମ-ଗୋପନ ରଖିବା ଇତ୍ୟାଦି ଅପରାଧ ପର୍ଯ୍ୟାୟବାଚକ। ଆମ ସଂହିତାର ଷୋଡଶ ଅଧ୍ୟାୟ ଏ ବିଷୟରେ କହିଥାଏ ।


ଦଫା ୩୧୨ ଅନୁସାରେ ଗର୍ଭପାତ କରାଇବା ଏକ ଅପରାଧ ।ଯଦି ସରଳ ବିଶ୍ୱାସରେ ନାରୀର ଜୀବନ ରକ୍ଷା ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ କୌଣସି ବ୍ୟକ୍ତି ସ୍ଵେଚ୍ଛାରେ ଗର୍ଭବତୀ ନାରୀର ଗର୍ଭପାତ କରାନ୍ତି ତେବେ ତାଙ୍କୁ ଉଭୟ ବର୍ଣ୍ଣନୀୟ କାରାଦଣ୍ଡ ମଧ୍ୟରୁ ଯେ କୌଣସି ପ୍ରକାରର କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ,ଯାହାର ସମୟସୀମା ତିନି ବର୍ଷ ପର୍ଯ୍ୟନ୍ତ ବଦ୍ଧିତ ହୋଇପାରେ, କିମ୍ବା ତାଙ୍କୁ ଜରିମାନା ଦଣ୍ଡ କିମ୍ବା ଉଭୟଦଣ୍ଡ ଦିଆଯାଇପାରେ।


ଏଠାରେ ଦୃଷ୍ଟି ରଖିବା କଥା ଯେ, ଯଦି ଗର୍ଭସ୍ଥ ଭ୍ରୁଣ ସ୍ପନ୍ଦନ ଯୁକ୍ତ ଅବସ୍ଥାପ୍ରାପ୍ତ ହୋଇଥାଏ, ତେବେ ତାଙ୍କ କାରାଦଣ୍ତ ମିଆଦା ସାତବର୍ଷ ପର୍ଯ୍ୟନ୍ତ ବଢିପାରେ।


ଗର୍ଭବତୀଙ୍କର ବିନା ସମ୍ମତିରେ ଗର୍ଭପାତ କରାଇବା ଦ୍ଵାରା ତାଙ୍କର ମନ ଓ ଶରୀର ଉପରେ ଗଭୀର କୁପ୍ରଭାବ ପଡିଥାଏ ଏବଂ ଆମ ଆଇନର ଆଖିରେ ଏହା ଏକ ଜଘନ୍ୟ ଅପରାଧ ଯାହା ପାଇଁ ୩୧୩ ଦଫାରେ ତାଙ୍କୁ ଆଜୀବନ କାରାଦଣ୍ଡ ଅବା ଦଶ ବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ଏବଂ ତା ସହିତ ଜରିମାନା ହୋଇପାରେ ।


ଆପଣ ଜାଣନ୍ତି କି, ଗର୍ଭପାତ ଉଦ୍ଦେଶ୍ୟରେ କରାଯାଇଥିବା କର୍ମ ପାଇଁ ଯଦି ଗର୍ଭବତୀଙ୍କର ମୃତ୍ୟୁ ହୁଏ,ତେବେ ଅପରାଧର ଗମ୍ଭୀରତା ବଢିଯାଏ ଓ ଏଥିପାଇଁ ତାଙ୍କୁ ଦଶ ବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ଓ ତାଙ୍କୁ ଜରିମାନା ଦଣ୍ଡରେ ମଧ୍ୟ ଦଣ୍ଡିତ କରାଯିବ ।କାର୍ଯ୍ୟଟି ଯଦି ଗର୍ଭିଣୀର ବିନା ସମ୍ମତିରେ କରାଯାଇଥାଏ ତେବେ ଦଣ୍ଡଟି ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିଥାଏ।


ଗର୍ଭସ୍ଥ ଶିଶୁ ଯେପରି ଜୀବନ୍ତ ଅବସ୍ଥାରେ ଜନ୍ମ ନ ହୁଏ, ଅଥବା ଜନ୍ମ ହେବା ପରେ ମୃତ୍ୟୁ ଲାଭ କରେ,ଏପରି ଉଦ୍ଦେଶ୍ୟରେ ଯଦି କୌଣସି ବ୍ୟକ୍ତି, ଶିଶୁର ଭୂମିଷ୍ଠ ହେବା ପୂର୍ବରୁ କିଛି କାର୍ଯ୍ୟ କରନ୍ତି ଏବଂ ଉଦ୍ଦେଶ୍ୟରେ ସଫଳ ହୁଅନ୍ତି,ତେବେ ଆଇନ ତାଙ୍କୁ କ୍ଷମା କରିନଥାଏ ଓ ସେ ଦଶ ବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ତଥା ଜରିମାନା ଦଣ୍ଡରେ ଦଣ୍ଡିତ ହୋଇଥାଆନ୍ତି ।ମାତ୍ର ଏହା ଯଦି ସେ ଗର୍ଭବତୀଙ୍କର ଜୀବନରକ୍ଷା ନିମନ୍ତେ କରାଯାଇ ଥାଏ,ତେବେ କ୍ଷମାଯୋଗ୍ୟ ଅଟେ।


ଯଦି କୌଣସି ବ୍ୟକ୍ତି, ସ୍ପନ୍ଦନଶୀଳ ଅଜାତ ଶିଶୁ କ୍ଷେତ୍ରରେ ଏପରି କିଛି ପରିସ୍ଥିତି ସୃଷ୍ଟି କରନ୍ତି,ଯେଉଁଥିରେ କାହାରି ମୃତ୍ୟୁ ହେଲେ ଦଣ୍ଡଯୋଗ୍ୟ ନରହତ୍ୟା ଅପରାଧ ହୋଇଥାଏ,ତେବେ ତାଙ୍କୁ ଦଶ ବର୍ଷ ପର୍ଯ୍ୟନ୍ତ ଉଭୟ ବର୍ଣ୍ଣନୀୟ କାରାଦଣ୍ଡ ମଧ୍ୟରୁ କୌଣସି ଗୋଟିକରେ ଦଣ୍ଡିତ କରାଯାଇପାରିବ ଏବଂ ଜରିମାନା ମଧ୍ୟ ଲାଗିପାରିବ।


ଶିଶୁମାନଙ୍କର ସୁରକ୍ଷା ଓ ହେପାଜତ ନେଇ ଆଇନ ବେଶ ସଚେତନ ।ବାର ବର୍ଷରୁ କମ୍ ବୟସ୍କ ପିଲାକୁ ତାର ପିତାମାତା ବା ତତ୍ତ୍ଵାବଧାରକ ପରିତ୍ୟାଗ କରିବା ଉଦ୍ଦେଶ୍ୟରେ ବେ-ସାହାରା କରି ଖୋଲାରେ ପକାଇଦେଇ ପଳାନ୍ତି,ତେବେ ସେମାନେ ସାତ ବର୍ଷ ପର୍ଯ୍ୟନ୍ତ କାରାଦଣ୍ତ କିମ୍ବା ଜରିମାନା ଦଣ୍ଡ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହୋଇଥାଆନ୍ତି ।ଉକ୍ତ କାର୍ଯ୍ୟ ପାଇଁ ଯଦି ଶିଶୁଟିର ମୃତ୍ୟୁ ଘଟିଥାଏ,ତେବେ ଏହାକୁ ଦଣ୍ଡଯୋଗ୍ୟ ନରହତ୍ୟା ଭାବରେ ଦେଖାଯାଇଥାଏ।


ଯଦି କୌଣସି ବ୍ୟକ୍ତି, ଶିଶୁର ଭୂମିଷ୍ଠ ହେବା ପୂର୍ବରୁ ବା ପରେ ତା’ର ମୃତଦେହକୁ ଗୁପ୍ତ ଭାବରେ କବର ଦେଇ ବା ଅନ୍ୟ କୌଣସି ଉପାୟରେ ଶିଶୁଟିର ଜନ୍ମକୁ ଇଚ୍ଛାପୂର୍ବକ ଭାବରେ ଗୋପନ ରଖନ୍ତି ବା ଗୋପନ ରଖିବାର ଚେଷ୍ଟା କରନ୍ତି, ତେବେ ତାଙ୍କୁ ଦଫା ୩୧୮ ଅନୁଯାୟୀ ଦୁଇବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ବା ଜରିମାନା ଦଣ୍ଡ ବା ଉଭୟ ଦଣ୍ଡ ମିଳିପାରେ।


ତେବେ ମେଡିକାଲ ଟର୍ମିନେସନ ଅଫ ପ୍ରେଗନେନ୍ସି ଆକ୍ଟ କେତେକ ବିଶେଷ ପରିସ୍ଥିତିରେ ଗର୍ଭପାତକୁ ଅନୁମତି ଦେଇଥାଏ।ଏହା ଅନୁଯାୟୀ ଗର୍ଭଧାରଣର ୨୦ ସପ୍ତାହ ମଧ୍ୟରେ ସ୍ଵୀକୃତିପ୍ରାପ୍ତ ଡାକ୍ତରଙ୍କ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ସ୍ଥାନ ମାନଙ୍କରେ ହିଁ ଗର୍ଭପାତ କରାଯାଇପାରିବ,ଯଦି-


- ଉକ୍ତ ଗର୍ଭଧାରଣଟି ଗର୍ଭବତୀ ମହିଳାଙ୍କ ଜୀବନ ପ୍ରତି ବିପଦ ଦେଇପାରେ କିମ୍ବା ଶାରୀରିକ କିମ୍ବା ମାନସିକ ଗୁରୁତର ଆଘାତ ଦେଇପାରେ;


- ଯେତେବେଳେ ଜନ୍ମହେବାକୁ ଥିବା ଶିଶୁଟି ମୃତ ଅବା ଗୁରୁତର ଶାରୀରିକ କିମ୍ବା ମାନସିକ ଅସ୍ୱାଭାବିକତାରେ ପୀଡିତ ହେବାର ଅତ୍ୟଧିକ ସମ୍ଭାବନା ଥାଏ ।


ଉଦାହରଣସ୍ଵରୂପ ଯେଉଁ କ୍ଷେତ୍ରରେ ବଳାତ୍କାର ହେତୁ ଗର୍ଭଧାରଣ ହୋଇଥାଏ ଅବା ଗର୍ଭନିରୋଧକ ବିଫଳତା ହେତୁ ଗର୍ଭଧାରଣ ହୋଇଥାଏ ଏବଂ ତାହା ମହିଳାଙ୍କୁ ଶକ୍ତ ମାନସିକ ଆଘାତ ଦେଇଥାଏ ସେ କ୍ଷେତ୍ରରେ ସମ୍ମତି ସହିତ ଗର୍ଭପାତ କରାଯାଇପାରିବ,ଯାହା ସଂହିତା ଅନୁସାରେ ଦଣ୍ଡନୀୟ ହେବନାହିଁ।

Our Recent Posts

Law in Odia

India

LAW IN ODIA