• ସୂର୍ଯ୍ୟସ୍ନାତା ଦାସ

ଜଗିବା ନିଜ ସ୍ଵାସ୍ଥ୍ୟ ନିରାପତ୍ତା;ମାନିଚାଲି ଆମେ ଆଇନର କଥା



ସର୍ବସାଧାରଣ ସାସ୍ଥ୍ୟ ନିରାପତ୍ତା ସମ୍ପର୍କରେ ଆଇନ -


ଆପଣମାନେ ତ ଦେଖିଲେ,କରୋନାର ଭୟାବହତା ସମୟରେ ଏହାକୁ ପ୍ରତିରୋଧ କରିବା ପାଇଁ କିଭଳି ଭାବରେ କ୍ଵାରେଣ୍ଟାଇନ,ଲକଡାଉନ,ସଟଡାଉନ ପ୍ରଭୃତି କରାଯାଉଥିଲା।ଯେଉଁମାନେ ଏ ନିୟମ ସବୁ ପାଳନ ନ କରୁଥିଲେ,ସେମାନେ ବିଭିନ୍ନ ଦଣ୍ଡରେ ଦଣ୍ଡିତ ହେଉଥିବାର ମଧ୍ୟ ଆମେ ମାନେ ଦେଖୁଥିଲେ।ତେବେ ଏ ବ୍ୟବସ୍ଥା କାହିଁକି,କେମିତି କରାଯାଇଥାଏ ଓ ସଂହିତାର କେଉଁ ଦଫା ଅନୁଯାୟୀ କରାଯାଇଥାଏ,ଆସନ୍ତୁ ଜାଣିବା ।


ଚତୁର୍ଦ୍ଦଶ ଅଧ୍ୟାୟରେ ସର୍ବସାଧାରଣ ସାସ୍ଥ୍ୟ ନିରାପତ୍ତା, ସୁବିଧା, ନୈତିକତା ଓ ଶାଳୀନତାକୁ କ୍ଷୁର୍ଣ୍ଣ କରୁଥିବା ଅପରାଧ ସମ୍ପର୍କରେ ଦଣ୍ଡ ପ୍ରଦାନର ବ୍ୟବସ୍ଥା ରହିଛି।ଏହି ଅପରାଧ ସବୁ ନିୟନ୍ତ୍ରଣ ବାସ୍ତବରେ ସମାଜ ତଥା ଜନସାଧାରଣଙ୍କ ପାଇଁ କେତେ ଜରୁରୀ,ତାହା କରୋନା ସହିତ ଏ ଲମ୍ବାଯୁଦ୍ଧରେ ଆମେମାନେ ଦେଖିସାରିଛୁ।ତେବେ କରୋନା ଭଳି ଜୀବନ ପ୍ରତି ସଂକ୍ରାମକ ରୋଗ କ୍ଷେତ୍ରରେ ନିରାପତ୍ତା ପାଇଁ ଦଣ୍ଡସଂହିତାର ଦଫା ୨୬୯,୨୭୦ ଓ ୨୭୧ ଲାଗୁ ହୋଇଥାଏ।ଏହା ଅନୁଯାୟୀ -


-ଯଦି କୌଣସି କାର୍ଯ୍ୟ ଦ୍ୱାରା ଜୀବନ ପ୍ରତି ବିପଦପୂର୍ଣ୍ଣ କୌଣସି ସଂକ୍ରାମକ ରୋଗ ବ୍ୟାପିବାରେ ବା ବ୍ୟାପିବାର ସମ୍ଭାବନା ଥାଏ ଓ କୌଣସି ବ୍ୟକ୍ତିଙ୍କର ଅବହେଳାରୁ ସେ କାର୍ଯ୍ୟ ଘଟେ,ତେବେ ତାଙ୍କୁ ଛଅ ମାସ ପର୍ଯ୍ୟନ୍ତ କାରାଦଣ୍ତ କିମ୍ବା ଜରିମାନା ଦଣ୍ଡ କିମ୍ବା ଉଭୟ ଦଣ୍ତ ମିଳିଥାଏ ।


-ଯଦି କୌଣସି ବ୍ୟକ୍ତି ଜ୍ଞାତସାରରେ ଏପରି ହାନିକର କାର୍ଯ୍ୟ କରନ୍ତି ଯଦ୍ଵାରା କୌଣସି ଜୀବନ ପ୍ରତି ବିପଦପୂର୍ଣ୍ଣ ସଂକ୍ରାମକ ରୋଗ ବ୍ୟାପିବାରେ ପାରେ, ତେବେ ସେ ଦୁଇ ବର୍ଷ ପର୍ଯ୍ୟନ୍ତ କାରାଦଣ୍ତ କିମ୍ବା ଜରିମାନା ଦଣ୍ଡ କିମ୍ବା ଉଭୟ ଦଣ୍ଡର ଯୋଗ୍ୟ ହୋଇଥାଆନ୍ତି ।


-ଯଦି କୌଣସି ଜଳଯାନକୁ ଅବା ଜଳଯାନର ଲୋକମାନଙ୍କୁ ପୃଥକୀକରଣ ବା ସଂଗରୋଧ ବା କ୍ଵାରେଣ୍ଟାଇନ ଅବସ୍ଥାରେ ରଖିବା ପାଇଁ କିମ୍ବା ଯେଉଁଠି କୌଣସି ସଂକ୍ରାମକ ରୋଗର ପ୍ରାଦୁର୍ଭାବ ଅଛି ସେ ସ୍ଥାନରେ ଲୋକମାନଙ୍କର ସହିତ ଅନ୍ୟ ସ୍ଥାନରେ ଲୋକମାନଙ୍କର ମଧ୍ୟରେ ସଂସ୍ପର୍ଶ ନିୟନ୍ତ୍ରଣ କରିବା ପାଇଁ ସରକାର ଯେଉଁ ନିୟମ କରିଥାନ୍ତି,ତାହାକୁ ଯଦି ଜାଣିଶୁଣି କୌଣସି ବ୍ୟକ୍ତି ଅମାନ୍ୟ କରନ୍ତି,ତେବେ ତାଙ୍କୁ ଛଅ ମାସ ପର୍ଯ୍ୟନ୍ତ କାରାଦଣ୍ତ କିମ୍ବା ଜରିମାନା ଦଣ୍ଡ କିମ୍ବା ଉଭୟ ଦଣ୍ତ ମିଳିଥାଏ ।


ଏତଦବ୍ୟତୀତ ଏହି ମାରାତ୍ମକ ରୋଗର ପ୍ରତିରୋଧ କ୍ଷେତ୍ରରେ ଦଫା ୧୮୮ରେ ପ୍ରଦତ୍ତ ବାଧ୍ୟତାମୂଳକ ଲୋକସେବକଙ୍କ ଆଦେଶ ସହ ସଂକ୍ରାମକ ରୋଗ ଅଧିନିୟମ ବା ଏପିଡେମିକ ଡିଜିଜ ଆକ୍ଟ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ ବା ଏସେନ୍ସିଆଲ କମୋଡିଟିସ ଆକ୍ଟ ଅବା ବିପତ୍ତି ପରିଚାଳନା ଅଧିନିୟମ ବା ଡିଜାଷ୍ଟର ମେନେଜମେଣ୍ଟ ଆକ୍ଟର ଭୂମିକା ଅତ୍ୟନ୍ତ ଉଲ୍ଲେଖଯୋଗ୍ୟ।


Our Recent Posts