• ସୂର୍ଯ୍ୟସ୍ନାତା ଦାସ

ଜାଣିଶୁଣି କରିନାହିଁ ଖରାପ କାମ, କ୍ଷମାଯୋଗ୍ୟ ମୁଁ କହେ ବ୍ୟତିକ୍ରମ -



ଆପଣମାନେ ତ ଜାଣନ୍ତି, ଅପରାଧ ଘଟାଇବା ନିମନ୍ତେ ଅପରାଧୀ କୁକର୍ମସମୂହ ଉଦ୍ଦେଶ୍ୟ ସହିତ କରିଥିବା ଆବଶ୍ୟକ, ନଚେତ ତାହା ଅପରାଧ ନୁହେଁ। ସୁତରାଂ ଏହି ଅପରାଧ କରିବାର ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ପରିସ୍ଥିତି ଅନୁଯାୟୀ କେତେକ କାର୍ଯ୍ୟକୁ ଅପରାଧର ବ୍ୟତିକ୍ରମ ଶ୍ରେଣୀରେ ସ୍ଥାନିତ କରାଯାଇଛି।


ସେ ଗୁଡିକ ହେଲା -


୧ ଭୁଲ (ଦଫା ୭୬, ୭୯)

୨ ନ୍ୟାୟିକ କାର୍ଯ୍ୟ (ଦଫା ୭୭, ୭୮)

୩ ଦୁର୍ଘଟଣା କିମ୍ବା ଦୁର୍ଭାଗ୍ୟ । (ଦଫା ୮୦)

୪ ଆବଶ୍ୟକତା (ଦଫା ୮୧)

୫ ବାଲ୍ୟାବସ୍ଥା ବା ଶୈଶବାବସ୍ଥା ( ଦଫା ୮୨, ୮୩)

୬ ଅସୁସ୍ଥ ମସ୍ତିଷ୍କ ବା ବିକୃତଚିନ୍ତ ( ଦଫା ୮୪)

୭ ଇଚ୍ଛା ବିରୁଦ୍ଧରେ ନିଶାଗ୍ରସ୍ତ ( ଦଫା ୮୫, ୮୬)

୮ ସହମତି (ଦଫା ୮୭ରୁ ୯୧)

୯.ସଦ୍ଭାବନା ବା ସରଳବିଶ୍ଵାସ (ଦଫା ୯୨, ୯୩)

୧୦ ଧମକ ଦ୍ୱାରା ବାଧ୍ୟ (ଦଫା ୯୪)

୧୧ ତୁଚ୍ଛ କାର୍ଯ୍ୟ ( ଦଫା ୯୫)

୧୨ ବ୍ୟକ୍ତିଗତ ପ୍ରତିରକ୍ଷା ଅଧିକାର (ଦଫା ୯୬ ରୁ ୧୦୬)


ଦଫା ୭୬ ରୁ ୯୫ ରେ ବର୍ଣ୍ଣନା କରାଯାଇଥିବା ଅପରାଧ ଗୁଡିକ କ୍ଷମା ଯୋଗ୍ୟ କାରଣ ଏଥିରେ ଏକ ଅପରାଧ ଅଛି କିନ୍ତୁ ଦୋଷୀଙ୍କର ଏକ ଭ୍ରଷ୍ଟ ଉଦ୍ଦେଶ୍ୟ ନାହିଁ, ତେଣୁ ଏହାକୁ କ୍ଷମା କରାଯାଇଥାଏ। ଦଫା୯୬ ରୁ ୧୦୬ ରେ ବର୍ଣ୍ଣନା କରାଯାଇଥିବା କାର୍ଯ୍ୟଗୁଡିକ ଗୁଡିକ ଯୁକ୍ତିଯୁକ୍ତ ଏବଂ ତାହା ଅପରାଧ ପରିସର ମଧ୍ୟକୁ ଆସିନଥାଏ ।


-ଆଇନତଃ ବାଧ୍ୟ, ବା ତଥ୍ୟଗତ ବିଭ୍ରାନ୍ତି ଯୋଗୁଁ ନିଜେ ଆଇନ୍ ଦ୍ଵାରା ବାଧ୍ୟ ବୋଲି ସରଳ ବିଶ୍ୱାସ-ପୋଷଣ କରିଥିବା ବ୍ୟକ୍ତିଙ୍କ ଦ୍ଵାରା କୃତକାର୍ଯ୍ୟ ଅପରାଧ ନୁହେଁ।


-ନ୍ୟାୟିକ-ରୀତି ସମ୍ପାଦନ ସମୟରେ ବିଚାରପତିଙ୍କ କାର୍ଯ୍ୟ କିମ୍ବା ନ୍ୟାୟାଳୟର ରାୟ କିମ୍ବା ଆଦେଶନୁସାରେ ସରଳ-ବିଶ୍ଵାସରେ କରାଯାଇଥିବା କାର୍ଯ୍ୟ ଅପରାଧ ଅନ୍ତର୍ଗତ ହୁଏନାହିଁ ।


- ନ୍ୟାୟୋଚିତ ବା ତଥ୍ୟଗତ ଭ୍ରାନ୍ତି ଯୋଗୁଁ ଗୋଟିଏ କାର୍ଯ୍ୟକୁ ଆଇନ୍-ସଙ୍ଗତ ବୋଲି ବିଶ୍ଵାସ ପୋଷଣ କରୁଥିବା ବ୍ୟକ୍ତିଙ୍କ ଦ୍ଵାରା କୃତ କାର୍ଯ୍ୟ ଅପରାଧ ନୁହେଁ।ଉଦାହରଣସ୍ଵରୂପ ଦେଖନ୍ତୁ 'କ' କୁ 'ଖ' ର କାର୍ଯ୍ୟ ନରହତ୍ୟା ଭଳି ଜଣାଗଲା ।ନିଜ ସମ୍ମୁଖରେ ଏପରି କାର୍ଯ୍ୟ ସଂଗଠିତ ହେଲେ ଆଇନ୍ ଅପରାଧୀକୁ ଗିରଫ କରିବାପାଇଁ କ୍ଷମତା ଦେଇଛି । ତେଣୁ 'କ' ସରଳ-ବିଶ୍ଵାସରେ,ଖ ’କୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚାଇବା ପାଇଁ ଅଟକ ରଖିଲା ।ପରେ ଜଣାପଡିଲା ଯେ, 'ଖ' ଏପରି କାର୍ଯ୍ୟ ଆତ୍ମରକ୍ଷା ଉଦ୍ଦେଶ୍ୟରେ କରୁଥିଲା ଏବଂ ସେ ହତ୍ୟା ଅପରାଧରେ ନିର୍ଦ୍ଦୋଷ। ତେବେ ବି ଏ କ୍ଷେତ୍ରରେ 'କ' ବେଆଇନ ଅଟକର ଅପରାଧରେ ଦୋଷୀ ସାବ୍ୟସ୍ତ ହେବନାହିଁ ।


-ଗୋଟିଏ ବୈଧ କାର୍ଯ୍ୟ ଯଦି ଉପଯୁକ୍ତ ଧ୍ୟାନ ଓ ସତର୍କତା ଅବଲମ୍ବନ କରି ବୈଧ ଉପାୟରେ କରାଯାଉଥିଲେ ମଧ୍ୟ ଦୁ୍ର୍ଘଟଣା ଘଟେ,ତେବେ ଖରାପ ଅଭିପ୍ରାୟ ବା ଉଦ୍ଦେଶ୍ୟ ନଥିବାରୁ ତାହା କ୍ଷମାଯୋଗ୍ୟ ।


ଜଗଦେଶ୍ୱର ବନାମ ଏମ୍ପେରର ମାମଲାରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ପିଟୁଥିଲେ ।ସେତେବେଳେ ତାଙ୍କ ପତ୍ନୀ ଦୁଇ ମାସର ଶିଶୁକୁ କୋଳରେ ନେଇ ସେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲେ କିନ୍ତୁ ସେ ପ୍ରଥମ ପୁରୁଷଟି ମହିଳାଙ୍କ ଉପରେ ବି ପ୍ରହାର କଲା କିନ୍ତୁ ସେ ଆଘାତ ମହିଳାଙ୍କୁ ନଲାଗି ଶିଶୁଟିକୁ ଲାଗିଗଲା ଓ ତାର ମୃତ୍ୟୁ ଘଟିଲା ।ଏ କ୍ଷେତ୍ରରେ ଯେହେତୁ ବ୍ୟକ୍ତି ଜଣଙ୍କ ବୈଧ କାର୍ଯ୍ୟକୁ ବୈଧ ଉପାୟରେ କରୁନଥିଲା,ତେଣୁ ସେ ଦଫା ୮୦ର ବ୍ୟତିକ୍ରମ ନିମନ୍ତେ ଯୋଗ୍ୟ ହେଲାନାହିଁ ଓ ଦୋଷୀକୁ କ୍ଷମା ମିଳିଲା ନାହିଁ।


- ଯଦି କୌଣସି କାର୍ଯ୍ୟରେ କ୍ଷତି ହେବାର ସମ୍ଭାବନା ଥାଏ ମାତ୍ର ତାହା ଅନ୍ୟ କ୍ଷତି ନିବାରଣ ନିମନ୍ତେ ସରଳ ବିଶ୍ଵାସରେ କରାଯାଉଥାଏ ,ତେବେ କ୍ଷତି ହେଲେ ମଧ୍ୟ ସେ କ୍ଷତିଟି ଅଭିପ୍ରାୟରହିତ ହୋଇଥାଏ ଏବଂ ଅପରାଧ ଅନ୍ତର୍ଭୁକ୍ତ ହୁଏନାହିଁ।


ଶାକିର ଖାନ ବନାମ କ୍ରାଉନ ମାମଲାରେ କିଛି ଲୋକ ଜଙ୍ଗଲରେ ଗୋଟିଏ ଶୂକରର ଶିକାର କରିବା ପାଇଁ ଯାଇଥିଲେ।ଶୂକରଟି ସେମାନଙ୍କୁ ଆକ୍ରମଣ କଲା ତେଣୁ ଜଣେ ଲୋକ ଶୂକର ଉପରକୁ ଗୁଳି ଚଲାଇଲେ ଯାହା ଶୂକରର ଦେହରେ ନ ବାଜି ଦଳର ଗୋଟିଏ ଲୋକ ଦେହରେ ବାଜିଲା ଓ ତାର ମୃତ୍ୟୁ ଘଟିଲା।ଏ କ୍ଷେତ୍ରରେ ଏହାକୁ ଗୋଟିଏ ଅପରାଧ ନକହି ଦୁର୍ଘଟଣା ବୋଲି କୁହାଗଲା।


-କୃତକର୍ମର ପ୍ରକୃତି ଓ ପରିଣାମ ବିଚାର କରିବାରେ ଅକ୍ଷମ ଥିବା କୌଣସି ବ୍ୟକ୍ତିଦ୍ଵାରା କରାଯାଇଥିବା କାର୍ଯ୍ୟ ଅପରାଧ ଭାବରେ ପରିଗଣିତ ହୋଇନଥାଇ କ୍ଷମାଯୋଗ୍ୟ ହୋଇଥାଏ।ସଂହିତା ଶିଶୁର ନିଷ୍କପଟ ମନ ଥିବା କଥାକୁ ଗୁରୁତ୍ଵ ଦେଇ 'ଡୋଲି ଇନକାପକ୍ସ' ମତବାଦ ଅନୁସାରେ ଶିଶୁକୁ ଦଣ୍ଡ ଦିଏନାହିଁ। ଏହି ମତବାଦ ଅନୁଯାୟୀ ଜକ ନିର୍ଦ୍ଦିଷ୍ଟ ବୟସରେ ପହଞ୍ଚିବା ପୂର୍ବରୁ ଭୁଲଠିକ ଇତ୍ୟାଦିକୁ ନେଇ ଶିଶୁଙ୍କର ଧାରଣା ଜନ୍ମିନଥାଏ ଏବଂ କାର୍ଯ୍ୟରେ ତାଙ୍କର କୌଣସି ମନ୍ଦ ଅଭିପ୍ରାୟ ନଥାଏ,ତେଣୁ ସେ ଦୋଷୀ ନୁହେଁ। ଦଫା ୮୨ ଅନୁସାରେ ସାତ ବର୍ଷରୁ କମ୍ ବୟସ୍କ ଶିଶୁର ହିତାହିତ ଜ୍ଞାନ ଆସି ନଥାଏ ତେଣୁ ତାର କୌଣସି କାର୍ଯ୍ୟକୁ ଅପରାଧ ବୋଲି କୁହାଯାଇପାରିବ ନାହିଁ।


-ଦଫା ୮୩ ଅନୁସାରେ ସାତ ବର୍ଷରୁ ଅଧିକ ଓ ବାର ବର୍ଷରୁ କମ୍ ଅପରିପକ୍ବ-ବୁଦ୍ଧି ସମ୍ପନ୍ନ ବାଳକର କାର୍ଯ୍ୟ ଅପରାଧ ବୋଲି ବିବେଚିତ ହୋଇପାରିବ ନାହିଁ ଯଦି ସେ କାର୍ଯ୍ୟକାରଣର ପରିଣାମ ସମ୍ପର୍କରେ ଅଜ୍ଞ ଥିବ ।ମାତ୍ର ଏହି ଦଫା ଅନୁସାରେ ଯଦି ପିଲାଟି ଜାଣିଶୁଣି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନେଇ ଏ କାର୍ଯ୍ୟ କରିଥାଏ,ତେବେ ଏହାକୁ ଅପରାଧ ଭାବରେ ଗଣନା କରାଯିବ।ଉଦାହରଣ ସ୍ୱରୂପ ଏହି ବୟସର ଗୋଟିଏ ଶିଶୁ ଗୋଟିଏ ହାର ଚୋରି କରି ଆଣିଲା ଓ ତାହାକୁ ବଜାରରେ ବିକ୍ରି କରିଦେଲା ।ତେବେ ଏ କ୍ଷେତ୍ରରେ ବିକ୍ରି କରିବାର ଉଦ୍ଦେଶ୍ୟ ନେଇ ହିଁ ସେ ଚୋରି କରିଥିଲା,ସୁତରାଂ ତାହା ଅପରାଧ ହୋଇଥାଏ।


- ବିକୃତ ମସ୍ତିଷ୍କ ବ୍ୟକ୍ତି ନିଜ କାର୍ଯ୍ୟର ପ୍ରକୃତି ସମ୍ପର୍କରେ ଧାରଣା କରିପାରେ ନାହିଁ। ତେଣୁ ମସ୍ତିଷ୍କ ବିକୃତି ଯୋଗୁଁ କୌଣସି କାର୍ଯ୍ୟ ଆଇନ-ବିରୁଦ୍ଧ ବୋଲି ଭାବିବାରେ ଅକ୍ଷମ ହୋଇ କରିଛି,ତେବେ ତାହା କ୍ଷମାଯୋଗ୍ୟ ହୋଇପାରେ।


କ୍ଵିନ ଏମ୍ପରେସ ବନାମ କେ.ଏନ.ଶାହା ମାମଲାରେ ଏହା କୁହାଯାଇଥିଲା ଯେ,ମାନସିକ ସ୍ତରରେ ଯେ କୌଣସି ଅସୁବିଧା ଏହାର ବ୍ୟତିକ୍ରମ ନୁହେଁ ବରଂ କେବଳ ଏହା କେବଳ ସେହି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିଥାଏ,ଯେଉଁ କ୍ଷେତ୍ରରେ ଏହି ଅସୁବିଧା ମାନସିକ କ୍ଷମତାକୁ ବାସ୍ତବ ରୂପରେ ଅକ୍ଷମ କରିଦେଇଥାଏ।ଏହାକୁ ବୁଝିବା ପାଇଁ ଆଉ ଅନ୍ୟ ଏକ ମାମଲାକୁ ନିଆଯାଇପାରେ।ଦୟାଭାଇ ଥକ୍କର ବନାମ ଗୁଜୁରାଟ ରାଜ୍ୟ ମାମଲାରେ ଏହା କୁହାଯାଇଥିଲା ଯେ,ପାଗଳାମୀ ନିମନ୍ତେ ବ୍ୟତିକ୍ରମ ପାଇବା ପାଇଁ ଏହା ଦେଖିବା ଆବଶ୍ୟକ ଯେ,ଅପରାଧଟି ଘଟିବା ସମୟରେ ସେ ବ୍ୟକ୍ତିଟି ମାନସିକ ଅକ୍ଷମ ଥିଲେ।


ଘୁଙ୍ଗର ମଲ ବନାମ ଇମ୍ପେରର ମାମଲାରେ,ମୃତକଙ୍କୁ ପଥରରେ ହତ୍ୟା କରିବା ପରେ ନଦୀ ପାଖକୁ ଯାଇ ଅଭିଯୁକ୍ତ ଦେହରେ ଲାଗିଥିବା ରକ୍ତର ଦାଗ ସଫା କରିଥିଲେ ଓ ରକ୍ତଲଗା ପୋଷାକ ଲୁଚାଇଦେଇଥିଲେ।ଏପରି ପରିସ୍ଥିତିରେ ନ୍ୟାୟାଳୟ ଧାରା ୮୪ ଅନୁଯାୟୀ କ୍ଷମା ଦେବାକୁ ମନା କରିଥିଲେ କାରଣ ଅପରାଧୀଙ୍କ ଉକ୍ତ କାର୍ଯ୍ୟରୁ ସ୍ପଷ୍ଟ ଜଣାପଡୁଥିଲା ଯେ ,କାର୍ଯ୍ୟର ପରିଣାମ ବୁଝିବା ପାଇଁ ସେ ମାନସିକ ସକ୍ଷମ ଥିଲେ।


- ଯଦି ଜଣଙ୍କର ଇଚ୍ଛା ବିରୁଦ୍ଧରେ ଜଣଙ୍କୁ ନିଶାଗ୍ରସ୍ତ କରାଯାଇଛି ଓ ଏଥିଯୋଗୁଁ ସେ ବିଚାର-କ୍ଷମତା ହରାଇ କାର୍ଯ୍ୟର ପ୍ରକୃତି ଓ ପରିଣାମ ବୁଝିବାରେ ଅକ୍ଷମ ହୋଇ କୌଣସି କାର୍ଯ୍ୟ କରିଛନ୍ତି,ଏମିତି କି ଯଦି ସେ କାର୍ଯ୍ୟ ବିଶେଷ ଉଦ୍ଦେଶ୍ୟ କିମ୍ବା ଜ୍ଞାନ ଆବଶ୍ୟକ କରୁଥିବା ଅପରାଧ ବି ହୋଇଥାଏ ,ତେବେ ତାହାକୁ କ୍ଷମା କରାଯିବା ଉଚିତ।ମାତ୍ର ଯଦି ସେ ନିଜ ଇଚ୍ଛାରେ ନିଶାଗ୍ରସ୍ତ ହୋଇ ଅପରାଧିକ କାର୍ଯ୍ୟ କରିଛନ୍ତି ତେବେ ତାଙ୍କୁ କ୍ଷମା ମିଳିବ ନାହିଁ।


-ଆବଶ୍ୟକତା ଦୃଷ୍ଟିରୁ ସରଳବିଶ୍ଵାସରେ କରାଯାଇଥିବା କାର୍ଯ୍ୟକୁ ଅପରାଧ କୁହାଯାଇପାରିବ ନାହିଁ ।ମୃତ୍ୟୁ ବା ଗୁରୁତର ଆଘାତ ଘଟାଇବାର ଅଭିପ୍ରାୟ ନ ରଖି କିମ୍ବା ସେପରି ଘଟିବାର ସମ୍ଭାବନା ଅଛି ବୋଲି ନଜାଣି କୌଣସି ସାବାଳକଙ୍କ ସମ୍ମତିରେ ତାଙ୍କ ପ୍ରତି କୃତକାର୍ଯ୍ୟ ଯଦି ସମ୍ମତିଦାତାଙ୍କର କ୍ଷତି କରିବ,ତେବେ ତାହା ଅପରାଧ ନୁହେଁ।ଏହି ସମ୍ମତିଟି ଭୟ,ବାଧ୍ୟବାଧକତା, ଭ୍ରାନ୍ତଧାରଣା ବା ଉନ୍ମାଦନା ଅବସ୍ଥା ଇତ୍ୟାଦି ଠାରୁ ମୁକ୍ତ ହୋଇ କାର୍ଯ୍ୟର ପ୍ରକୃତି ଓ ପରିମାଣ ବୁଝିବାକୁ ସକ୍ଷମ ବ୍ୟକ୍ତିଦ୍ଵାରା ଦିଆଯାଇଥିବା ଆବଶ୍ୟକ।


ଆର ବନାମ ଡଡଲେ ଏବଂ ଷ୍ଟିଫେନ୍ସର ମାମଲା ବ୍ୟତିକ୍ରମ କ୍ଷେତ୍ରରେ ଏକ ବହୁଚର୍ଚ୍ଚିତ ମାମଲା।ଏକ ଜଳଯାନରେ ଜଣେ ନାବାଳକ ଓ ଅନ୍ୟ ତିନିଜଣ ବ୍ୟକ୍ତି ସମୁଦ୍ରରେ ଯାତ୍ରା କରୁଥିଲେ।ତୋଫାନ ଯୋଗୁଁ ସେମାନେ ପଥଭ୍ରଷ୍ଟ ହୋଇଯାଇଥିଲେ ଓ ସେମାନଙ୍କ ପାଖରେ ଖାଦ୍ୟ ସାମଗ୍ରୀ ସରିଯାଇଥିଲା।ଖାଦ୍ୟର ଅଭାବ ଫଳରେ ନାବାଳକ ଜଣଙ୍କ ଦୁର୍ବଳ ହୋଇଯାଉଥିଲେ।ସେହି ଜଳଯାନର ଦୁଇଜଣ ବ୍ୟକ୍ତି ଭୋକରେ ନରହି ସେହି ନାବାଳକକୁ ମାରି ଖାଇଯିବା ପାଇଁ ଚିନ୍ତା କଲେ ଯାହାକୁ ତୃତୀୟ ବ୍ୟକ୍ତି ଜଣଙ୍କ ସମ୍ମତି ଦେଲେନାହିଁ।ମାତ୍ର ଯେତେବେଳେ ସେ ଦୁଇଜଣ ବାଳକଟିକୁ ମାରିଦେଲେ,ତିନିଜଣ ମିଶି ତାକୁ ଖାଇଦେଲେ।ସୁରକ୍ଷିତ ଭାବେ ଫେରିବା ପରେ ନ୍ୟାୟାଳୟ ସମ୍ମୁଖରେ ସେମାନେ ଯୁକ୍ତି କଲେ ଯେ,ପିଲାଟିର ଅବସ୍ଥା ସଙ୍କଟାପନ୍ନ ଥିଲା ଏବଂ ସମ୍ଭବତଃ ତାର ହିଁ ସବୁଠାରୁ ପ୍ରଥମେ ମୃତ୍ୟୁ ଘଟିଥାନ୍ତା ।ଯଦି ତିନିଜଣ ଶିଶୁକୁ ହତ୍ୟା କରି ନ ଖାଇଥାନ୍ତେ ତେବେ ସେମାନେ ମଧ୍ୟ ବଞ୍ଚିପାରିନଥାନ୍ତେ।


ମାତ୍ର ନ୍ୟାୟାଳୟ ଏ ଯୁକ୍ତିକୁ ଗ୍ରହଣ କରିନଥିଲା ଓ ତାଙ୍କୁ ଅପରାଧୀ ଘୋଷଣା କରିଥିଲା। ନ୍ୟାୟାଳୟର ମତରେ ଅଭିଯୁକ୍ତଙ୍କର ଏପରି କୌଣସି ଆବଶ୍ୟକତା ନଥିଲା ଯାହା ଦ୍ଵାରା ସେ ଉକ୍ତ କାର୍ଯ୍ୟକୁ ନ୍ୟାୟୋଚିତ କହିପାରିବେ।


-ମୃତ୍ୟୁ ଘଟାଇବାର ଅଭିପ୍ରାୟ ନ ରଖି କୌଣସି ବ୍ୟକ୍ତିର ଉପକାର ଓ ମଙ୍ଗଳ ନିମନ୍ତେ ସମ୍ମତି କ୍ରମେ ସରଳ ବିଶ୍ୱାସରେ କରାଯାଇଥିବା କାର୍ଯ୍ୟ ଅପରାଧ ନୁହେଁ।


-ବାର ବର୍ଷରୁ କମ୍ ବୟସ୍କ ପିଲା ବା ବିକୃତ-ମସ୍ତିଷ୍କ ବ୍ୟକ୍ତିଙ୍କର ଉପକାର ପାଇଁ ଅଭିଭାବକ ବା ତତ୍ତ୍ଵାବଧାରକଙ୍କର ସମ୍ମତିକ୍ରମେ ସରଳ ବିଶ୍ୱାସରେ କରାଯାଇଥିବା କାର୍ଯ୍ୟ ଅପରାଧ ପରିସର ବର୍ହିଭୁକ୍ତ ହୋଇଥାଏ।


-ତେବେ ଏଠାରେ ଦୃଷ୍ଟି ରଖିବା ଉଚିତ ଯେ ଯେଉଁ ବ୍ୟକ୍ତି ସମ୍ମତି ପ୍ରଦାନ କରେ କିମ୍ବା ଯାହା ସପକ୍ଷରେ ସମ୍ମତି ପ୍ରଦାନ କରାଯାଇଥାଏ, ସେ କ୍ଷତି ଯଦି ସଂହିତାର ନିୟମ ଅବା ଅନ୍ୟ କୌଣସି ଆଇନ ଅନୁଯାୟୀ ସ୍ଵତନ୍ତ୍ର ଭାବରେ ଏକ ଅପରାଧ ରୂପେ ବିବେଚିତ ହୁଏ, ତେବେ ଏଭଳି ବ୍ୟତିକ୍ରମ ବ୍ୟବସ୍ଥାରେ କ୍ଷମା ପାଇନଥାଏ।ଉଦାହରଣସ୍ଵରୂପ ଗର୍ଭବତୀଙ୍କର ସମ୍ମତି ଥିଲେ ମଧ୍ୟ ବେଆଇନ ଭାବରେ ଗର୍ଭପାତ କରିବା ଏକ ଅପରାଧ ଭାବରେ ଗଣ୍ୟ ହୋଇଥାଏ ଏବଂ କ୍ଷମାଯୋଗ୍ୟ ହୋଇନଥାଏ।


-ବେଳେବେଳେ ଏମିତି ହୁଏ ଯେ,ସମ୍ମତି ପ୍ରଦାନରେ ଅସମର୍ଥ ଥିବା ଅଥବା କୌଣସି ଅଭିଭାବକ ବା ତତ୍ତ୍ଵାବଧାରକ ନଥିବା ବ୍ୟକ୍ତିଙ୍କର ହିତ ଉଦ୍ଦେଶ୍ୟରେ ସରଳ-ବିଶ୍ଵାସରେ କିଛି କାର୍ଯ୍ୟ କରାଯାଏ।ଯଦି ସେ କାର୍ଯ୍ୟରେ ଉକ୍ତ ବ୍ୟକ୍ତିଙ୍କର କିଛି କ୍ଷତି ଘଟେ ତେବେ ତାହାକୁ ଅପରାଧ ଅନ୍ତର୍ଗତ କରାଯାଇପାରିବ ନାହିଁ।ଦଫା ୯୨ ଅନୁସାରେ ବିନା ସମ୍ମତିରେ କୌଣସି ବ୍ୟକ୍ତିର ହିତ ପାଇଁ ସରଳ-ବିଶ୍ଵାସରେ କରାଯାଉଥିବା କାର୍ଯ୍ୟ ସେହି କ୍ଷେତ୍ରରେ ଅପରାଧ ଅନ୍ତର୍ଭୁକ୍ତ ହୋଇନଥାଏ,ମାତ୍ର ଯେତେବେଳେ ଏହା ନିମ୍ନଲିଖିତ ଉଦ୍ଦେଶ୍ୟ ସହ କରାଯାଏ, ତାହା ଅପରାଧ ହୋଇଥାଏ;


ପ୍ରଥମତଃ – ଏହା ମୃତ୍ୟୁ ଘଟାଇବା ଅଭିପ୍ରାୟରେ ବା ସେଭଳି ପ୍ରଚେଷ୍ଟା ସହ କରାଯାଇଥାଏ ।


ଦ୍ଵିତୀୟତଃ – ଯଦି କାର୍ଯ୍ୟଟି ଉକ୍ତ ବ୍ୟକ୍ତିର ମୃତ୍ୟୁ ବା ଗୁରୁତର ଶାରିରୀକ ଆଘାତ ନିବାରଣ ପାଇଁ କରାଯାଇନଥାଏ ଏବଂ ଉକ୍ତ କାର୍ଯ୍ୟରେ ବ୍ୟକ୍ତିର ମୃତ୍ୟୁ ଘଟିବା ସମ୍ଭବ ବୋଲି କର୍ତ୍ତାଙ୍କର ଜ୍ଞାନ ଥାଏ।


ତୃତୀୟତଃ – ମୃତ୍ୟୁ ବା ଆଘାତ ନିବାରଣ ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ ଉକ୍ତ ବ୍ୟକ୍ତି ଉପରେ ସ୍ଵେଚ୍ଛାରେ ଆଘାତ କଲେ ବା ଆଘାତ ଦେବାର ଚେଷ୍ଟା କଲେ।


ଚତୁର୍ଥତଃ — ଯେଉଁସବୁ ଅପରାଧ ନିମନ୍ତେ, ଏହି ଦଫା ଅନ୍ତର୍ଗତ ବ୍ୟତିକ୍ରମ ପ୍ରଯୁଜ୍ୟ ନୁହେଁ,ତାହା କଲେ ।


ଏହାକୁ ନିମ୍ନଲିଖିତ ଉଦାହରଣ ଦ୍ଵାରା ବୁଝାଯାଇପାରେ,


ଧରନ୍ତୁ 'ପ'କୁ କୌଣସି ବଣ୍ୟ ହିଂସ୍ରଜୀବ ଆକ୍ରମଣ କରିଛି।

ଏହିସମୟରେ 'ପ'କୁ ରକ୍ଷା କରିବା ପାଇଁ 'ତ' ଗୁଳି ଚଲାଇଲା ।ସେ ଗୁଳିଟି ଯାଇ ଭୁଲରେ 'ପ' ଦେହରେ ବାଜିଗଲା।ତେବେ ଏହା ଅପରାଧ ନୁହେଁ।


ଆଉ ଗୋଟିଏ ଉଦାହରଣ ପାଇଁ ଧରନ୍ତୁ 'ଭ' ଜଣେ ଡାକ୍ତର ଯାହାଙ୍କ ସମ୍ମୁଖରେ ଗୋଟିଏ ଶିଶୁର ଦୁର୍ଘଟଣା ଘଟିଲା ଓ ତୁରନ୍ତ ଅପରେସନ ନହେଲେ ସେ ସଂକଟାପନ୍ନ ହେବାର ସମ୍ଭାବନା ଅଛି।ତେବେ ଏ ସମୟ ମଧ୍ୟରେ ଶିଶୁର ଅଭିଭାବକଙ୍କ ନିକଟରେ ଏ ବିଷୟରେ ଆବେଦନ କରାଯାଇ ତାଙ୍କ ସମ୍ମତିକୁ ପ୍ରତୀକ୍ଷା କରିବାର ସମୟ ନାହିଁ।ତେବେ ଏ କ୍ଷେତ୍ରରେ ଅପରେସନ ଫଳରେ ଯଦି ଉକ୍ତ ଶିଶୁର କୌଣସି କ୍ଷତି ଘଟୁଛି,ତେବେ ତାହା ଅପରାଧ ନୁହେଁ।


-ସରଳ ବିଶ୍ୱାସରେ ବ୍ୟକ୍ତିର ମଙ୍ଗଳ ପାଇଁ ଯେଉଁ ସୂଚନା ଦିଆଯାଏ, ତାହା ଯୋଗୁଁ ଯଦି ସୂଚନା ପ୍ରାପ୍ତ ବ୍ୟକ୍ତିର କିଛି କ୍ଷତି ହୁଏ, ତେବେ ସୂଚନାଦାତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ।ଉଦାହରଣସ୍ଵରୂପ ଦେଖନ୍ତୁ ଯଦି ଡାକ୍ତର ଜଣେ ରୋଗୀଙ୍କୁ ଜଣାଉଛନ୍ତି ଯେ ତାଙ୍କ ଶେଷ ସମୟ ଉପସ୍ଥିତ ଏବଂ ଏହାଶୁଣି ହଠାତ୍ ଆଘାତ ପାଇ ରୋଗୀ ଜଣଙ୍କ ମୃତ୍ୟୁବରଣ କରୁଛନ୍ତି, ତେବେ ସେ କ୍ଷେତ୍ରରେ ଡାକ୍ତରଙ୍କୁ ଦୋଷୀ କରାଇବା ଠିକ କି? ନିଶ୍ଚିତ ଭାବରେ ଏହା ଠିକ ନୁହେଁ, କାରଣ ଜଣେ ଡାକ୍ତର ଭାବରେ ସେ ରୋଗୀ ତଥା ତାର ପରିବାରର ମଙ୍ଗଳ ପାଇଁ ସରଳ ବିଶ୍ଵାସରେ ଏହା କହିଛନ୍ତି।


-ହତ୍ୟା ଓ ପ୍ରାଣଦଣ୍ଡ ଥିବା ରାଷ୍ଟ୍ରବିରୁଦ୍ଧରେ ଅପରାଧ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ଯାହା ମୃତ୍ୟୁ ଧମକ ହେତୁ ବାଧ୍ୟତାମୂଳକ ଭାବେ କୌଣସି ବ୍ୟକ୍ତି ଦ୍ଵାରା ସମ୍ପାଦିତ ହୁଏ, ତାହା ଅପରାଧ ନୁହେଁ।ମାତ୍ର ଯଦି କ୍ଷତିର ସାମାନ୍ୟ ଧମକ ଯେପରିକି ମାଡ଼ ଖାଇବା ଧମକ ଅଥବା ପଇସା ଲୁଟିନେବା ଧମକ ଇତ୍ୟାଦିରେ କୌଣସି ବଡ ଅପରାଧ କରାଯାଏ,ତେବେ ସେଥିରେ କ୍ଷମା ମିଳିନଥାଏ।


ଉଦାହରଣସ୍ଵରୂପ ଯଦି ଆପଣଙ୍କୁ କେହି ରାତିରେ ଗୋଟିଏ ଘରୁ ସେମାନଙ୍କ ସହ ମିଶି ଡ଼କାୟତି କରିବାକୁ କହିଲେ ଏବଂ ଆପଣ ତାହା ନକଲେ ଆପଣଙ୍କୁ ବାଡିରେ ପିଟିବାକୁ ଧମକ ଦେଲେ,ତେବେ ଯଦି ଆପଣ ଯଦି ସେତିକିରେ ଡରିଯାଇ ତାହା କରୁଛନ୍ତି,ତେବେ ଏହି ବ୍ୟତିକ୍ରମ ଲାଗୁ ହୋଇନଥାଏ । ମାତ୍ର ଯଦି ବାଡିରେ ପିଟିବା ପରିବର୍ତ୍ତେ ଆପଣଙ୍କୁ ତତକ୍ଷଣାତ୍ ହତ୍ୟାର ଧମକ ଦେଇ ଏପରି କାର୍ଯ୍ୟ କରିବାକୁ ବାଧ୍ୟ କରୁଛନ୍ତି,ତେବେ ଆପଣ ଅପରାଧୀ ହେବେନାହିଁ।


ଏତଦବ୍ୟତୀତ ସ୍ଵଳ୍ପ କ୍ଷତି ଘଟାଉଥିବା କାର୍ଯ୍ୟ ଅପରାଧ ପରିସର ଭୁକ୍ତ ହୋଇନଥାଏ ।ଧରନ୍ତୁ ଜନସମାଗମ ସ୍ଥଳରେ ଆପଣଙ୍କ କହୁଣୀ ଭୁଲରେ କାହା ଦେହରେ ବାଜିଗଲା ଅବା କେହି ଭୁଲରେ ଆପଣଙ୍କ ପାଦ ମାଡି଼ଦେଲେ ତେବେ ତାକୁ ଅପରାଧ ଭାବରେ ବିବେଚନା କରାଯାଇ ଦଣ୍ଡ ଦିଆଯାଇପାରିବ ନାହିଁ।

Our Recent Posts

Law in Odia

India

LAW IN ODIA