• ସୂର୍ଯ୍ୟସ୍ନାତା ଦାସ

ଡାୱର ବା ମହର



ମୁସଲିମ ବିବାହ ପ୍ରଥାରେ ଡାୱର ଏକ ଅବିଚ୍ଛେଦ୍ୟ ଅଙ୍ଗ,ଯାହାର ଅନୁପସ୍ଥିତିରେ ମୁସଲିମ ବିବାହ ଅସମ୍ଭବ ପ୍ରାୟ ହୋଇଥାଏ।ବିବାହିତା ନାରୀର ରକ୍ଷଣାବେକ୍ଷଣ ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ରୀତିର ପ୍ରଚଳନ କରାଯାଇଥିଲା।ଡାୱରକୁ ମହର ମଧ୍ୟ କୁହାଯାଇଥାଏ।ଅବଦୁଲ ରହୀମ ତାଙ୍କ ପୁସ୍ତକ ମହମ୍ମଦାନ୍ ଜରିସପ୍ରୁଡେନ୍ସରେ ଉଲ୍ଲେଖ କରିଛନ୍ତି ଯେ “ମହର ହେଉଛି ଏକ ଅର୍ଥ ବା ଅନ୍ୟ ସମ୍ପତ୍ତି ଯେଉଁଥିରେ ପତ୍ନୀ ବିବାହ ଦ୍ୱାରା ଅଧିକାର ପାଇଥା’ନ୍ତି। ଏହା ମୁଖ୍ୟତଃ ଛାଡପତ୍ର ପରେ,ପତିଙ୍କ ମୃତ୍ୟୁ ପରେ ଅଥବା ଇଦତ ସମୟରେ ମହିଳାଙ୍କର ପାଳନପୋଷଣ ପାଇଁ ପ୍ରଦତ୍ତ ଆର୍ଥିକ ରାଶିକୁ ସୂଚାଇଥାଏ।


ମୁସଲିମ ନିୟମ ବିବାହକୁ ଏକ ଚୁକ୍ତି ଭାବରେ ସ୍ୱୀକୃତି ଦେଇଥାଏ । ଯେହେତୁ ବିନା ବିଚାର ,ପ୍ରତିଫଳ ବା କନସିଡିରେସନରେ ଚୁକ୍ତି ହୋଇପାରିବ ନାହିଁ, ତେଣୁ ଡାୱରକୁ ଚୁକ୍ତିର ଏକ ପ୍ରତିଫଳ ବୋଲି କୁହାଯାଇପାରେ।ଅମିୟ ଅଲୀଙ୍କ ମତରେ,"ଡାୱର ଏକ ପ୍ରତିଫଳ,ଯାହା କେବଳ ପତ୍ନୀକୁ ପ୍ରାପ୍ତ ହୋଇଥାଏ।" ମଲ୍ଲିକ ଡୋଭରକୁ ଅର୍ଥ ବା ଅନ୍ୟାନ୍ୟ ସମ୍ପତ୍ତି ଭାବରେ ବ୍ୟାଖ୍ୟା କରିଛନ୍ତି ଯାହା ବିବାହକୁ ବିଚାର କରି ପତ୍ନୀ ତାଙ୍କ ସ୍ୱାମୀଙ୍କଠାରୁ ପାଇବାକୁ ହକଦାର ।ଉପଯୋଗିତା ଦୃଷ୍ଟିରୁ ଦେଖିବାକୁ ଗଲେ କିନ୍ତୁ ଏହା ବାସ୍ତବରେ ପତ୍ନୀଙ୍କ ପ୍ରତି ସମ୍ମାନର ଚିହ୍ନ ଭାବରେ ମୁସଲମାନ ସମାଜରେ ଦୃଷ୍ଟିଗୋଚର ହୁଏ।

ଡାୱରକୁ ବିବାହର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ବିବେଚନା କରାଯାଏ । ବାସ୍ତବରେ ଏହାର ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖିବାକୁ ଗଲେ,ଏହା ପତ୍ନୀଙ୍କ ପ୍ରତି ସମ୍ମାନର ଚିହ୍ନ ଭାବରେ ଶୋଭା ପାଏ।ଏହା ସ୍ୱାମୀଙ୍କ ମନମୁଖୀ ଛାଡପତ୍ରର କ୍ଷମତା ଉପରେ ଏକ ରୋକ ଲଗାଇଥାଏ।ବିବାହ ବିଚ୍ଛେଦ ପରେ ଅଥବା ପତିଙ୍କର ମୃତ୍ୟୁ ପରେ ଇଦତ ସମୟରେ ଏହା ପତ୍ନୀଙ୍କୁ ଭରଣପୋଷଣ ଯୋଗାଇବାରେ ସମର୍ଥ ହୁଏ।


ଇଦତ୍ ଓ ଡାୱର ପରସ୍ପର ସହ ସଂପୃକ୍ତ,ତେଣୁ ଡାୱର ବିଷୟରେ ଜାଣିବା ପୂର୍ବରୁ ପ୍ରଥମେ ଇଦତ୍ ବିଷୟରେ ଜାଣିବା ଉଚିତ୍।


ଇଦତ୍ ହେଉଛି ଏକ ଆରବୀ ଶବ୍ଦ ଯାହାର ଅର୍ଥ ହେଉଛି ଅପେକ୍ଷା ସମୟ ।ଇସଲାମ ପରମ୍ପରାରେ ଏହା ଏକ ସଠିକତାର ଅବଧି ଯାହା ଜଣେ ମୁସଲମାନ ମହିଳା ସ୍ୱାମୀଙ୍କ ମୃତ୍ୟୁ ପରେ କିମ୍ବା ବିଚ୍ଛେଦ ପରେ ପାଳନ କରନ୍ତି।ମୁସଲିମ ନିୟମ ମାନଙ୍କରେ ଏହି ପରମ୍ପରାର ଉଲ୍ଲେଖ ଅଛି ଏବଂ ସମସ୍ତ ବିଧବା ଅଥବା ଛାଡପତ୍ର ପ୍ରାପ୍ତ ମହିଳା ଏହା ପାଳନ କରିବାକୁ ବାଧ୍ୟ। ଏହାର ଭଙ୍ଗରେ ପୁନଃ ବିବାହଟି ମର୍ଯ୍ୟାଦା ପାଇନଥାଏ। ଇଦତ୍ ଅବଧି ପାଳନ କରିବାର କାରଣ ହେଉଛି ମହିଳା ଗର୍ଭବତୀ ଅଛନ୍ତି କି ନାହିଁ ତାହା ଜାଣିବା ଏବଂ ପିତୃତ୍ୱକୁ ନିଶ୍ଚିତ କରିବା ।ଏହି ଇଦତ୍ ସମୟରେ ମହିଳାଜଣଙ୍କର ଭରଣପୋଷଣ ଡାୱରରୁ ପ୍ରାପ୍ତ ରାଶିରେ ହୋଇଥାଏ।


ସ୍ଥାନ ନିରୂପଣ ସମ୍ପର୍କରେ ସେହି ଘରେ ଇଦତ୍ ଅବଧି ପାଳନ କରିବା ବାଧ୍ୟତାମୂଳକ, ଯେଉଁଠାରେ ସ୍ୱାମୀଙ୍କ ମୃତ୍ୟୁ ସମୟରେ କିମ୍ବା ବିବାହ ବିଚ୍ଛେଦ ସମୟରେ ମହିଳା ସ୍ଥାୟୀ ଭାବରେ ରହୁଥିଲେ। ମାତ୍ର ସମୟ ନିରୂପଣ ସମ୍ପର୍କରେ ପରିସ୍ଥିତି ଅନୁଯାୟୀ ଏହି ଇଦତ୍ ଅବଧି ବିଭିନ୍ନ କ୍ଷେତ୍ରରେ ଭିନ୍ନ ହୋଇଥାଏ । ଜଣେ ଛାଡପତ୍ର ପାଇଥିବା ମହିଳା ଏହାକୁ ତିନି ମାସ ପାଳନ କରନ୍ତି ଯେଉଁଠାରେ ଜଣେ ବିଧବା ପତିଙ୍କ ମୃତ୍ୟୁ ଦିନଠାରୁ ଚାରିମାସ ଦଶ ଦିନ ପର୍ଯ୍ୟନ୍ତ ଏହା ପାଳନ କରନ୍ତି।ତେବେ କେତେକ ଭାଗର ମତ ଅନୁଯାୟୀ ଯଦି ବୈବାହିକ ଶାରୀରିକ ସମ୍ପର୍କ ସ୍ଥାପନ ହୋଇନଥିବ,ତେବେ ଇଦତ ପାଳନର ପ୍ରୟୋଜନ ନାହିଁ,ତେବେ କେତେକ ଭାଗ ଏହାର ବିରୋଧ ମଧ୍ୟ କରନ୍ତି। ସ୍ୱାମୀଙ୍କ ମୃତ୍ୟୁ ସମୟରେ ଯଦି କୌଣସି ମହିଳା ଗର୍ଭବତୀ ହୁଅନ୍ତି, ତେବେ ସନ୍ତାନ ପ୍ରସବ ପର୍ଯ୍ୟନ୍ତ ସେ ଇଦତ୍ ଅବଧି ପାଳିଥାନ୍ତି।


ଡାୱରର ଶ୍ରେଣୀକରଣ-


ଡାୱର ମୁଖ୍ୟତଃ ଦୁଇ ପ୍ରକାରରେ ବିଭକ୍ତ ହୋଇଛି ଯଥା-

ମହର-ଇ-ମୁଜାମ୍ମା ଏବଂ ମହର-ଇ-ମିସ୍ଲ।ପ୍ରଥମ ପ୍ରକାରଟି ନିର୍ଦ୍ଦିଷ୍ଟ ଡାୱର ଯଥା ଡାୱର ଯାହା ସ୍ଥିର ହୋଇଛି ଏବଂ ଦ୍ଵିତୀୟ ପ୍ରକାରଟି ପ୍ରଥା ଅନୁମୋଦିତ ଡାୱର‌ ବା ସଠିକ ଡାୱର।


ନିର୍ଦ୍ଦିଷ୍ଟ ଡାୱର-


ଯଦି ବିବାହ ପୂର୍ବରୁ କିମ୍ବା ବିବାହ ସମୟରେ ଉଭୟଙ୍କ ଦ୍ଵାରା ଡାୱରର ପରିମାଣ ସ୍ଥିର କରାଯାଇଥାଏ, ତେବେ ଏହାକୁ ନିର୍ଦ୍ଦିଷ୍ଟ ଡାୱର ବା ମହର-ଇ-ମୁସାମା କୁହାଯାଏ ।ଥରେ ସ୍ଥିର ହେବାପରେ ଏହାକୁ ପୁନର୍ବାର ଆଉ ହ୍ରାସ କରାଯାଇପାରିନଥାଏ ଏବଂ ପତିଙ୍କ ନିମନ୍ତେ ଏହି ସ୍ଥିର ହୋଇଥିବା ଅର୍ଥ ହିଁ ପ୍ରଦାନ କରିବା ବାଧ୍ୟତାମୂଳକ ହୋଇଥାଏ।


କୁକ୍କିଆ ବେଗମ୍ ବନାମ ରାଧା କିଶନରେ, ଆହ୍ଲାବାଦ ହାଇକୋର୍ଟ କହିଥିଲେ ଯେ ପାରସ୍ପରିକ ସହମତି ଅନୁଯାୟୀ ବିବାହ ପୂର୍ବରୁ ସ୍ଥିର ହୋଇଥିବା ଡାୱର ପରିମାଣ ବିବାହ ବୃଦ୍ଧି କରାଯାଇପାରେ ।


ଯଦି ବର ଜଣେ ନାବାଳକ ହୋଇଥାଏ, ତେବେ ଡାୱରର ପରିମାଣ ସାଧାରଣତଃ ତାଙ୍କ ପିତା / ଅଭିଭାବକ ଦ୍ୱାରା ସ୍ଥିର କରାଯାଇଥାଏ ,ଯାହାକୁ ସେ ପରେ ପ୍ରତ୍ୟାଖ୍ୟାନ କରିପାରିନଥାଏ।


ନିର୍ଦ୍ଦିଷ୍ଟ ଡାୱର ପୁନଶ୍ଚ ଦୁଇ ଭାଗରେ ବିଭକ୍ତ।ପ୍ରମ୍ପ୍ଟ ବା ତୁରନ୍ତ ଡାୱର୍ ଏବଂ ଡିଫରର୍ଡ ବା ସ୍ଥଗିତ ଡାୱର। ଏକ ନିର୍ଦ୍ଦିଷ୍ଟ ଡାୱର ଯାହା ବିବାହ ପରେ ତୁରନ୍ତ କିମ୍ବା ପତ୍ନୀଙ୍କ ଚାହିଦା ଅନୁଯାୟୀ ଅନ୍ୟ କୈାଣସି ସମୟରେ ଦେୟ ପ୍ରଦାନ କରାଯାଏ, ଏହାକୁ ତୁରନ୍ତ ଡାୱର କୁହାଯାଏ । ଏକ ସ୍ଥଗିତ ଡାୱର ହେଉଛି,ସେହି ଡାୱର ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ଡାୱର ଘଟଣାପରେ ଯେପରିକି ପତିଙ୍କର ମୃତ୍ୟୁ କିମ୍ବା ବିବାହ ବିଲୋପ ପରେ ପ୍ରଦାନ କରାଯାଇଥାଏ।


ରବିଆ ଖାତୁନ୍ ବନାମ ମୁଖାର୍ ଅହମ୍ମଦରେ, ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଏହି ତୁରନ୍ତ ଡାୱର ପ୍ରଦାନ ନହେବା ପର୍ଯ୍ୟନ୍ତ ପତ୍ନୀ ତାଙ୍କ ସ୍ୱାମୀଙ୍କ ବୈବାହିକ ଶାରୀରିକ ସମ୍ପର୍କ ରଖିବାକୁ ମନା କରିପାରନ୍ତି।


ସଠିକ୍ ଡାୱର ।


ମୁସଲିମ ବିବାହରେ ଡାୱର ହେଉଛି ପତ୍ନୀଙ୍କର ଏକ ଅଧିକାର। ଯଦି ବିବାହ ପୂର୍ବରୁ କିମ୍ବା ସମୟରେ ଉଭୟଙ୍କ ମଧ୍ୟରେ ଡାୱରର ପରିମାଣ ସ୍ଥିର କରାଯାଇ ନାହିଁ, ତେବେ ପତ୍ନୀ ସ୍ୱାମୀଙ୍କଠାରୁ ଡାୱର ଭାବରେ ଯୁକ୍ତିଯୁକ୍ତ ପରିମାଣ ପାଇବାକୁ ହକଦାର । ଏହି ଡାୱର କୁ ସଠିକ୍ ଡାୱର ବା ମହର-ଇ-ମିସଲ୍ କୁହାଯାଏ । ଏହା ସାଧାରଣତଃ ପରିବାରରେ ପ୍ରଚଳିତ ଡାୱରର ପରିମାଣକୁ ଦେଖି ସ୍ଥିର କରାଯାଏ।ପତ୍ନୀଙ୍କ ବ୍ୟକ୍ତିଗତ ଯୋଗ୍ୟତା,ପତ୍ନୀଙ୍କ ବୟସ, ପତ୍ନୀଙ୍କ ସୈ।ନ୍ଦର୍ଯ୍ୟ ତଥା ବୁଦ୍ଧିମତା,ପତ୍ନୀଙ୍କ ପିତାଙ୍କ ପରିବାରର ସାମାଜିକ ସ୍ଥିତି,ପତିଙ୍କ ଆର୍ଥିକ ସ୍ଥିତି ପ୍ରଭୃତିକୁ ଆଖି ଆଗରେ ରଖି ପ୍ରଥା ଅନୁମୋଦିତ ଡାୱର ତଥା ସଠିକ୍ ଡାୱରର ପରିମାଣ ସ୍ଥିର କରାଯାଇଥାଏ।


ତେବେ ଏହି ଡାୱରର ପରିମାଣ ତଥା ତାହାର ପରିମାଣ ଇତ୍ୟାଦିକୁ ନେଇ ମୁସଲିମ ଧର୍ମର ଶିଆ ଏବଂ ସୁନ୍ନି ନିୟମ ମଧ୍ୟରେ ପାର୍ଥକ୍ୟ ରହିଆସିଛି।ସୁନ୍ନି ନିୟମର ହାନଫି ଭାଗରେ ଏହାର ସର୍ବନିମ୍ନ ସୀମା ୧୦ ଦୀରହମ ରଖାଯାଇଥିବା ବେଳେ ସର୍ବୋଚ୍ଚ ସୀମା ଧାର୍ଯ୍ୟ କରାଯାଇନଥାଏ ।ଅନ୍ୟ ପକ୍ଷରେ ଶିଆ ନିୟମ ଅନୁଯାୟୀ ଏହାର କୈାଣସି ସର୍ବନିମ୍ନ ସୀମା ନାହିଁ ମାତ୍ର ସର୍ବାଧିକ ସୀମା ୫୦୦ ଦୀରହାମରୁ ଅଧିକ ହୋଇପାରିବ ନାହିଁ।ପୁନଶ୍ଚ ଶିଆ ନିୟମ ଅନୁସାରେ ଯଦି ପତିଙ୍କର ମୃତ୍ୟୁ ଘଟେ ଏବଂ ତା ପୂର୍ବରୁ ବୈବାହିକ ସମ୍ବନ୍ଧ ସ୍ଥାପନ ହୋଇନଥାଏ,ତେବେ ବି ପତ୍ନୀ ଡାୱର ପାଇବା ଯୋଗ୍ୟ ମାତ୍ର ଶିଆ ଏହାକୁ ଅନୁମୋଦନ କରିନଥାଏ।

Our Recent Posts

Law in Odia

India

LAW IN ODIA