• ସୂର୍ଯ୍ୟସ୍ନାତା ଦାସ

ତଲାସୀ;ଖୋଜିନେବ ଆସି ଆଇନର ଆଖି




ତଲାସୀ ଶବ୍ଦ ସହିତ ତ ସମସ୍ତେ ଉଣାଅଧିକେ ପରିଚିତ ଥିବେ।ତେବେ କେଉଁ କେଉଁ କେଉଁ କ୍ଷେତ୍ରରେ ଏହି ତଲାସୀ ପରୱାନା ଜାରି କରାଯାଇପାରିବ,ଆସନ୍ତୁ ଜାଣିବା ।ଧାରା ୯୩ ଅନୁସାରେ ଯଦି କୌଣସି ବ୍ୟକ୍ତି ପ୍ରତି ୯୧ ଧାରା ବଳରେ ସମନ ବା ଆଦେଶ ଅଥବା ୯୨ ଧାରା ୧ମ ଉପଧାରା ଅନୁସାରେ ଆଦେଶ ଦିଆଯାଇଛି,ଏବଂ ସେ ଉକ୍ତ ବସ୍ତୁ ଦାଖଲ କରୁ ନାହାନ୍ତି,ତେବେ ତାଙ୍କ ତଲାସୀ ନିଆଯାଇପାରିବ। ଏହି ଧାରା ୯୧ରେ ଅନୁସନ୍ଧାନ,ତଦନ୍ତ ବା ନ୍ୟାୟାଳୟର ବିଚାର ପ୍ରକ୍ରିୟା ଅବା ଅନ୍ୟ ପ୍ରକ୍ରିୟା ନିମନ୍ତେ ଆବଶ୍ୟକ ଦଲିଲ କିମ୍ବା ଅନ୍ୟାନ୍ୟ ସାମଗ୍ରୀକୁ ନ୍ୟାୟାଳୟରେ ଦାଖଲ କରିବା ପାଇଁ ନ୍ୟାୟାଳୟ ଅଥବା ପୋଲିସ ଷ୍ଟେସନର ଭାରପ୍ରାପ୍ତ ଅଧିକାରୀଙ୍କ ଦ୍ଵାରା ସମନ କରାଯାଇଥାଏ। ଯଦି ସେ ବ୍ୟକ୍ତିଜଣଙ୍କ ନ୍ୟାୟାଳୟ ସମ୍ମୁଖରେ ତାହା ପ୍ରସ୍ତୁତ କରୁନାହାନ୍ତି ଅବା ବ୍ୟକ୍ତିଙ୍କ ନିକଟରେ ଏପରି ଦଲିଲ୍ ରହିଛି କି ନାହିଁ, ନ୍ୟାୟାଳୟ ଜାଣିନାହିଁ, ତେବେ ସେ କ୍ଷେତ୍ରରେ ଏପରି ପରୱାନା ଜାରି କରାଯାଇପାରିବ।ତେବେ ଏସବୁ କ୍ଷେତ୍ରରେ ନ୍ୟାୟାଳୟ ଉଚିତ୍ ମନେକଲେ କେବଳମାତ୍ର କୌଣସି ବିଶେଷ ସ୍ଥାନ ବା ତାହାର କୌଣସି ନିର୍ଦ୍ଦିଷ୍ଟ ଅଂଶରେ ତଲାସୀ ପରୱାନା ଜାରି କରିପାରିବେ।


ଚୋରା ମାଲ, ଜାଲ୍ ଦଲିଲ୍ ଇତ୍ୟାଦି ରହିଥିବାର ସନ୍ଦେହ କରାଯାଉଥିବା ସ୍ଥାନର ଚଲାସୀ ନେବା ପାଇଁ କୌଣସି ଜିଲ୍ଲା ମାଜିଷ୍ଟ୍ରେଟ୍, ସବ-ଡିଭିଜନାଲ ମାଜିଷ୍ଟ୍ରେଟ୍ କିମ୍ବା ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ତଲାସୀ ପରୱାନା ଜାରି କରିପାରିବେ।ଏହି ତଲାସୀ ନେବା ପାଇଁ କନେଷ୍ଟବଳ ଉପରିସ୍ଥ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥାଏ। ଯେଉଁ ଆପତ୍ତିଜନକ ପଦାର୍ଥ ପ୍ରତି ଏହା ପ୍ରଯୁଜ୍ୟ ସେସବୁ ହେଲା-


(କ) ନକଲି ମୁଦ୍ରା

(ଖ)୧୮୮୯ ମସିହାର ମେଟାଲ ଟୋକନ ଆକ୍ଟର ନିୟମ ଉଲ୍ଲଘଂନ କରି ପ୍ରସ୍ତୁତ ଧାତୁଖଣ୍ତ ଅଥବା ୧୯୬୨ ମସିହାର ଶୁଳ୍କ ଆଇନର ଉଲ୍ଲଘଂନ କରି ଭାରତକୁ ଅଣାଯାଇଥିବା ଧାତୁ।

(ଗ) ନକଲି ପ୍ରଚଳିତ ନୋଟ, ନକଲି ।

(ଘ) ଜାଲ ଦଲିଲ;

(ଙ) ମିଥ୍ୟା ମୋହର,

(ଚ) ଭାରତୀୟ ଦଣ୍ଡ ସଂହିତାର ଦଫା ୨୯୨ରେ ସ୍ଥାନିତ ଅଶ୍ଳୀଳ ଦ୍ରବ୍ୟ

(ଛ)ଏହିସବୁ ପୂର୍ବ ଉପଧାରା ଅର୍ଥାତ ଉପଧାରା (କ) ଠାରୁ (ଚ) ପର୍ଯ୍ୟନ୍ତ ଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହୃତ ଯନ୍ତ୍ରପାତି ବା ଉପକରଣ ।


ଧାରା ୯୫ ବଳରେ ରାଜ୍ୟ ସରକାର କେତେକ ପ୍ରକାଶନର ବାଜ୍ୟାପ୍ତିକରଣ ଘୋଷଣା ସହିତ ସେସବୁ ଉପରେ ତଲାସୀ ପରୱାନା ଜାରି କରିପାରିବେ,ଯଦି ଏହାର ପ୍ରକାଶନ ଭାରତୀୟ ଦଣ୍ଡ ସଂହିତାର ନିମ୍ନ ଦଫା ଅନୁସାରେ ଦଣ୍ଡନୀୟ ହୋଇଥିବ ;


- ୧୨୪-କ ଦଫା

-ବା ୧୫୩-କ ଦଫା

-ଅଥବା ୧୫୩-ଖ ଦଫା

-ବା ୨୯୨ ଦଫା ବା

-୨୯୩-କ ଦଫା

- ବା ୨୯୫-କ ଦଫା


ତେବେ ବାଜ୍ୟାପ୍ତି ଘୋଷଣାକୁ ରଦ୍ଦ କରିବା ନିମନ୍ତେ ଉକ୍ତ ପ୍ରକାଶନରେ ସ୍ଵାର୍ଥ ନିହିତ ଥିବା ଯେ କୌଣସି ବ୍ୟକ୍ତି ଆଦେଶ ଜାରିର ଦୁଇମାସ ମଧ୍ୟରେ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ତ ହୋଇପାରିବେ ।


ସ୍ଥଳବିଶେଷରେ ବ୍ୟକ୍ତିଙ୍କ ନିମନ୍ତେ ମଧ୍ୟ ତଲାସୀ ପରୱାନା ଜାରି କରାଯାଇପାରେ। ଯଦି କୌଣସି ଜିଲ୍ଲା ମାଜିଷ୍ଟ୍ରେଟ୍, ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍ କିମ୍ବା ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କର ବିଶ୍ଵାସ କରିବାର କାରଣ ଥାଏ ଯେ କୌଣସି ବ୍ୟକ୍ତିକୁ ଏପରି ଅବସ୍ଥାରେ ଅବରୁଦ୍ଧ କରି ରଖାଯାଇଛି,ଯାହା ଅପରାଧଜନକ, ତେବେ ସେ ଉକ୍ତ ବ୍ୟକ୍ତି ନିମନ୍ତେ ତଲାସୀ ପରୱାନା ଜାରି କରିପାରନ୍ତି ।ଯଦି କୌଣସି ମାଜିଷ୍ଟ୍ରେଟ ବା ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ ନିକଟରେ ଶପଥ ବା ଅଭିଯୋଗ କରାଯାଏ ଯେ,କୌଣସି ନାରୀକୁ ବା ଅଠରରୁ କମ୍ ବୟସ୍କା ବାଳିକାକୁ କୌଣସି ଅବୈଧ କାରଣ ପାଇଁ ଅଟକ ରଖାଯାଇଛି ତେବେ ତତ୍‌କ୍ଷଣାତ୍ ମହିଳା ଜଣଙ୍କୁ ଛାଡ଼ିଦେବା ପାଇଁ କିମ୍ବା ବାଳିକାକୁ ତା'ର ପିତାମାତା ବା ଅଭିଭାବକଙ୍କ ହେପାଜତକୁ ପଠାଇବା ପାଇଁ ନ୍ୟାୟାଳୟ ଆଦେଶ ଦେଇପାରିଥାଏ।


(୧)ଯଦି କୌଣସି ଆବଦ୍ଧ ସ୍ଥାନର ତଲାସୀ କିମ୍ବା ନିରୀକ୍ଷଣର ଆବଶ୍ୟକତା ପଡେ ତେବେ ଯେଉଁ ବ୍ୟକ୍ତି ସେଠାରେ ରହୁଥାଆନ୍ତି ଅବା ସେ ସ୍ଥାନର ମାଲିକ ହୋଇଥାଆନ୍ତି,ସେ ପରୱାନା ଦେଖାଉଥିବା ଅଧିକାରୀଙ୍କୁ ବିନା ବାଧାରେ ପ୍ରବେଶ କରି ତଲାସୀ ନେବାପାଇଁ ଦେବେ।


(୨) ଯଦି ଏପରି ସ୍ଥାନରେ ପ୍ରବେଶ କରି ହୁଏ ନାହିଁ , ତେବେ ଅଧିକାରୀ ବା ଅନ୍ୟ ବ୍ୟକ୍ତି ୪୭ ଧାରା ୨ୟ ଉପଧାରା ବଣ୍ଡିତ ବିଧାନ ଅନୁସାରେ ଘରଭିତରର କବାଟଝରକା ଭାଙ୍ଗି ତାହା ମଧ୍ୟକୁ ପଶିପାରିବେ।


(୩) ଯେତେବେଳେ କୌଣସି ବ୍ୟକ୍ତି ନିଜ ଶରୀରରେ କୌଣସି ବସ୍ତୁ ଲୁଚାଇଛନ୍ତି ବୋଲି ସନ୍ଦେହ ହୁଏ,ସେତେବେଳେ ତଲାସୀ ନିଆଯାଇପାରେ।ମହିଳାଙ୍କ କ୍ଷେତ୍ରରେ ଅନ୍ୟ ଜଣେ ମହିଳାଙ୍କ ଦ୍ଵାରା ଶାଳୀନତା ରକ୍ଷାପୂର୍ବକ ତଲାସୀ ନିଆଯାଇପାରିବ ।


(୪)ତଲାସୀ ନେବା ପୂର୍ବରୁ, ଯେଉଁ ଅଧିକାରୀ ବା ବ୍ୟକ୍ତି ଏହା କରିବେ, ସେମାନେ ଯେଉଁ ସ୍ଥାନ ତଲାସୀ ହେବ ସେଠାରେ ବସବାସ କରୁଥିବା ସ୍ଥାନୀୟ ଦୁଇ ବା ଅଧିକ ନିରପେକ୍ଷ ଓ ସମ୍ମାନିତ ବ୍ୟକ୍ତିଙ୍କୁ ଡକାଇବେ। ସେଠାରେ ଏପରି ବ୍ୟକ୍ତି ନ ମିଳିଲେ ବା ସାକ୍ଷୀ ଦେବାକୁ ଅନିଚ୍ଛୁକ ହେଲେ ସେମାନଙ୍କ ମଧ୍ୟରୁ କାହାକୁ ଲିଖିତ ଆକାରରେ ଆଦେଶ ଦିଆଯାଇପାରିବ ।


(୫) ତଲାସୀ ସେମାନଙ୍କ ସମ୍ମୁଖରେ କରାଯିବ ଓ ତଲାସୀ ଫଳରେ ଯେଉଁସବୁ ବସ୍ତୁ ଜବତ ହେବ, ଅଧିକାରୀ ବା ଅନ୍ୟ କୌଣସି ବ୍ୟକ୍ତି ଉକ୍ତ ଦ୍ରବ୍ୟ ସହ ସେସବୁ ଯେଉଁସବୁ ସ୍ଥାନରୁ ମିଳିଥିବ ,ତାହାର ଏକ ତାଲିକା ପ୍ରସ୍ତୁତ କରି ସେଥିରେ ସାକ୍ଷୀମାନଙ୍କର ସ୍ଵାକ୍ଷର ନେବେ। ତେବେ ତଲାସୀରେ ସାକ୍ଷୀମାନଙ୍କୁ ଯଦି ବିଶେଷ ଭାବରେ ସମନ ନହୁଏ ତେବେ ସେମାନଙ୍କର ନ୍ୟାୟାଳୟରେ ହାଜର ହେବାର କୌଣସି ଆବଶ୍ୟକତା ନାହିଁ ।


(୬) ଯେଉଁ ସ୍ଥାନ ତଲାସୀ ହେବ ସେ ସ୍ଥାନର ଦଖଲକାରୀ କିମ୍ବା ତାଙ୍କ ତରଫରୁ କୌଣସି ବ୍ୟକ୍ତି ତଲାସୀ ସମୟରେ ଉପସ୍ଥିତ ରହିପାରିବେ ଏବଂ ସାକ୍ଷୀମାନଙ୍କ ଦ୍ଵାରା ସାକ୍ଷରିତ ତାଲିକାରେ ଏକ ନକଲ ତାଙ୍କୁ ପ୍ରଦାନ କରାଯିବ।


(୭) ଯେତେବେଳ କୌଣସି ବ୍ୟକ୍ତିର ତଲାସୀ ହେବ,ଦଖଲ ହୋଇଥିବା ପଦାର୍ଥର ଏକ ତାଲିକା ପ୍ରସ୍ତୁତ କରି ତାଙ୍କୁ ଦିଆଯିବ।


(୮) ଯାହାଙ୍କୁ ତଲାସୀ ବେଳେ ହାଜର ରହିବାକୁ ବା ସାକ୍ଷୀ ହେବା ନିମନ୍ତେ ଲିଖିତ ଆଦେଶ ଜାରି ହୋଇଛି, ଉକ୍ତ ବ୍ୟକ୍ତି ଯଦି ନ୍ୟାୟାସଙ୍ଗତ କାରଣ ବ୍ୟତୀତ ଅନ୍ୟ କୌଣସି କାରଣରୁ ଏଥିରେ ଅବହେଳା କରନ୍ତି, ତେବେ ତାଙ୍କ ନିମନ୍ତେ ଭାରତୀୟ ଦଣ୍ଡ ସଂହିତାର ଦଫା ୧୮୭ ଅନୁସାରେ ଦଣ୍ତ ବିଧାନ ହୋଇଥାଏ ।


ବେଳେବେଳେ ଏମିତି ହୋଇଥାଏ ଯେ,ତଲାସୀ ପରୱାନା ଜାରି କରାଯାଇଥିବା ଅଞ୍ଚଳର ବାହାର ସ୍ଥାନରେ ତଲାସୀରେ ଯଦି କୌଣସି ଦ୍ରବ୍ୟ ମିଳିଥାଏ,ତେବେ ସେହି ଅଞ୍ଚଳ ଠାରୁ ନିକଟତର ବା ସେହି ଅଞ୍ଚଳ ଯେଉଁ ନ୍ୟାୟାଳୟର ଶକ୍ତି ମଧ୍ୟରେ ଆସୁଥାଏ,ସେହି ନ୍ୟାୟାଳୟରେ ଜବତ ସାମଗ୍ରୀ ତଥା ତାହାର ଚିଠା ପ୍ରସ୍ତୁତ କରାଯାଏ।ଏ ପ୍ରକାରର ସ୍ଥିତିରେ ଯଦି ବିପକ୍ଷରେ କୌଣସି ଯଥାଯଥ କାରଣ ନଥାଏ ତେବେ ଉକ୍ତ ନ୍ୟାୟାଳୟ ତଲାସକାରୀ ବ୍ୟକ୍ତିଙ୍କୁ ସେ ସମସ୍ତ ଜବତ ହୋଇଥିବା ସାମଗ୍ରୀ ତଲାସୀ ପରୱାନା ଜାରି କରିଥିବା ନ୍ୟାୟାଳୟ ନିକଟକୁ ନେବାପାଇଁ ତଲାସକାରୀ ଅଧିକାରୀଙ୍କୁ କ୍ଷମତା ଦେଇଥାଏ।


Our Recent Posts