• ସୂର୍ଯ୍ୟସ୍ନାତା ଦାସ

ଦୋଷାରୋପ ଏବଂ ଆଇନର ଥୋପ



ଚାର୍ଜ ବା ଦୋଷାରୋପ ଶବ୍ଦ ସହିତ ତ ଆପଣମାନେ ପୂର୍ବ ପରିଚିତ ଏବଂ ଏହା ବି ଜାଣିଥିବେ ଯେ କୌଣସି ଅପରାଧ ସଂଘଟିତ ହେଲେ ଆରୋପୀ ବ୍ୟକ୍ତିନାମରେ ସର୍ବପ୍ରଥମେ ଚାର୍ଜ ବା ଦୋଷାରୋପ ଲଗାଯାଇଥାଏ।ତେବେ ଫୌଜଦାରୀ କାର୍ଯ୍ୟବିଧି ଆଇନର ଭାଷାରେ ଏହା କଣ ଆସନ୍ତୁ ଜାଣିବା।


ଦୋଷାରୋପ ଶବ୍ଦଟିର ଅର୍ଥ ବିସ୍ତୃତ ଭାବରେ କେଉଁଠି ବର୍ଣ୍ଣନା କରାଯାଇନାହିଁ।କାର୍ଯ୍ୟବିଧି ଆଇନର ଭାଗ ୨"ଗ" ରେ ଦୋଷାରୋପଗୁଡିକର ଅର୍ଥ କେବଳ ଦୋଷାରୋପ ମାନଙ୍କର ସମଷ୍ଟି ଭାବରେ ହିଁ ଉଲ୍ଲେଖ ହୋଇଛି।ତେବେ ବିରୀଚ ଭୂୟାଁ ବନାମ ବିସାର ରାଜ୍ୟ ମାମଲାରେ,ଏହି ଦୋଷାରୋପକୁ ଅପରାଧ ଆରୋପିତ ବ୍ୟକ୍ତି ଉପରେ ଲଗାଯାଇଥିବା ଏକ ନିର୍ଦ୍ଦିଷ୍ଟ ଆରୋପ ଭାବରେ ସୂଚୀତ କରାଯାଇଛି।


ଏହି ଦୋଷାରୋପ ବାସ୍ତବରେ କୌଣସି ବ୍ୟକ୍ତିଙ୍କୁ ଅପରାଧୀ ଭାବରେ ଚିତ୍ରିତ କରାଏ ନାହିଁ ।ନ୍ୟାୟାଳୟରେ ଦୋଷ ପ୍ରମାଣିତ ହେବା ପର୍ଯ୍ୟନ୍ତ ତାଙ୍କୁ କେବଳ ଆରୋପୀ ଭାବରେ ହିଁ ଆଇନ ଦେଖିଥାଏ ଏବଂ ଦୋଷ ପ୍ରମାଣିତ ନହେବା ପର୍ଯ୍ୟନ୍ତ ତାଙ୍କୁ ନିର୍ଦ୍ଦୋଷ ବୋଲି ଧରାଯାଇଥାଏ ।


ଏହାକୁ ଏକ ସହଜ ଉଦାହରଣ ଭାବରେ ବୁଝାଯାଇପାରେ। ଧରନ୍ତୁ ଆପଢଣଙ୍କ ସାନଭାଇ ଗୋଟିଏ କାଚଗ୍ଲାସ ଭାଙ୍ଗିଦେଲା ଏବଂ ମାଆ ଭାବୁଛନ୍ତି ଯେ ଆପଣ ଭାଙ୍ଗିଦେଇଛନ୍ତି।ତେବେ ଏ କ୍ଷେତ୍ରରେ ଆପଣ ଆରୋପୀ ଯେ ପର୍ଯ୍ୟନ୍ତ ଆପଣ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ ନ କରିଛନ୍ତି।ଏ କ୍ଷେତ୍ରରେ ଆପଣ ଦେଖାଇପାରନ୍ତି ଯେ,ଦିନସାରା ଆପଣ ଘରେ ନଥିଲେ ଅଥବା ସାନଭାଇ ବି ମାନିଯାଇପାରେ ଯେ,ସେ କାଚଗ୍ଲାସ ଭାଙ୍ଗିଛି ।ଏପରି ହେଲେ ଆପଣଙ୍କୁ ଉପରୁ କାଚଗ୍ଲାସ ଭାଙ୍ଗିଥିବାର ଦୋଷାରୋପ ଉଠିଯିବ।ଆଇନର ଲକ୍ଷ୍ୟ ବି ଠିକ ସେହିଭଳି,ଆରୋପୀ ବ୍ୟକ୍ତିଙ୍କୁ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ଏକ ସୁଯୋଗ ଦେଇ ନ୍ୟାୟପ୍ରଦାନକୁ ସୁରକ୍ଷିତ କରିବା ତାର ଲକ୍ଷ୍ୟ। ଉପର କ୍ଷେତ୍ରରେ ଯଦି ମାଆ ଆପଣଙ୍କୁ କିଛି ନକହି ଯଦି କେବଳ ବାଡିଧରି ପିଟିଯାଇଥାନ୍ତେ,ତେବେ ଆପଣ କଣ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ କିଛି ସୁଯୋଗ ପାଇଥାନ୍ତେ କି? ଯାହା ନିଶ୍ଚିତ ଭାବରେ ଆପଣଙ୍କ ପକ୍ଷେ ଅନ୍ୟାୟ ହୋଇଥାନ୍ତା ନୁହେଁ କି?


ଦୋଷାରୋପର ବିଷୟବସ୍ତୁ କଣ ହେବା ଉଚିତ ଏହା ଦଫା ୨୧୧ରେ ବର୍ଣ୍ଣନା କରାଯାଇଛି -


(୧) ସଂହିତା ଅନୁସାରେ ପ୍ରତ୍ୟେକ ଦୋଷାରୋପରେ ଅଭିଯୁକ୍ତ ଉପରେ ଆରୋପ କରାଯାଇଥିବା ଅପରାଧ ସମ୍ପର୍କରେ ଉଲ୍ଲେଖ ରହିବ ।


(୨) ଯଦି ଅପରାଧକୁ କୌଣସି ବିଶେଷ ନାମରେ ଜଣାଯାଉଥିବ,ତେବେ ଉକ୍ତ ନାମଟି ଦୋଷାରୋପରେ ଉଲ୍ଲେଖ ରହିବ।


(୩) ଯଦି ଉକ୍ତ ଅପରାଧର କିଛି ବିଶେଷ ନାମ ନଥିବ,ତେବେ ସେ ଅପରାଧର ସଂଜ୍ଞାକୁ ହିଁ ଆରୋପୀ ପାଖକୁ ନୋଟିସ ଭାବରେ ପଠାଯାଇପାରିବ।


(୪) ଯେଉଁ ଆଇନ୍ ଓ ଏବଂ ଯେଉଁ ଦଫାନୁଯାୟୀ ଅପରାଧ କରାଯାଇଛି,ତାହା ଦୋଷାରୋପରେ ଉଲ୍ଲେଖ ରହିବ ।


(୫) ତେବେ ଏହି ଦୋଷାରୋପ କରାଯିବାର ଅର୍ଥ କଣ? ଆପଣ ମାନେ ତ ଜାଣିଛନ୍ତି ଦଣ୍ଡସଂହିତାରେ ଅପରାଧର ଆବଶ୍ୟକ ଉପାଦାନ ପୂର୍ଣ୍ଣ ହେଲେ ଅପରାଧ ସଂଘଟିତ ହୋଇଛି ବୋଲି କୁହାଯାଇଥାଏ।ତେଣୁ ଦୋଷାରୋପରେ ଦଫା ଉଲ୍ଲେଖ କରିବାର ଅର୍ଥ ହେଉଛି ଆରୋପୀକୁ ତାର ଅପରାଧ ସଂପର୍କରେ ଜଣାଇବା ଓ ତାକୁ ନିଜକୁ ଦୋଷମୁକ୍ତ ସାବ୍ୟସ୍ତ କରିବାର ଏକ ସୁଯୋଗ ଦେବା ।


(୬) ଦୋଷାରୋପ ନ୍ୟାୟାଳୟର ଭାଷାରେ ଲିଖିତ ହେବ ।


(୭)ଆରୋପୀ ଯଦି ପୂର୍ବରୁ କେବେ ଦୋଷୀଭାବରେ ଦଣ୍ତ ପାଇଥିବେ ତାହା ମଧ୍ୟ ଦୋଷାରୋପରେ ଲିଖିତ ରହିବ।


ଧାରା ୨୧୨ ଅନୁସାରେ ଅପରାଧର ସମୟ, ସ୍ଥାନ ଓ ବ୍ୟକ୍ତି ସମ୍ବନ୍ଧରେ ବିବରଣୀ ଦୋଷାରୋପରେ ଉଲ୍ଲେଖ ରହିବ।


(୧) ଉକ୍ତ ଅପରାଧ ସମ୍ବନ୍ଧରେ ସମସ୍ତ ବିଷୟ ଯେପରିକି ଅପରାଧଟି କେଉଁ ସମୟରେ, କେଉଁ ସ୍ଥାନରେ, କେଉଁ ବ୍ୟକ୍ତି ବିରୁଦ୍ଧରେ ବା କେଉଁ ଦ୍ରବ୍ୟ ସଂପର୍କରେ କରାଯାଇଛି,ତାହା ଦୋଷାରୋପରେ ଉଲ୍ଲେଖ ରହିବ।


(୨) ଆରୋପୀ ନାମରେ ଯଦି ଆପରାଧିକ ବିଶ୍ଵାସଘାତକତା ବା ପ୍ରବଞ୍ଚନାକ୍ରମେ ଅର୍ଥ ବାଅନ୍ୟାନ୍ୟ ଚଳନ୍ତି ସଂପରି ଆତ୍ମସାତ କରିବା ଅଭିଯୋଗ ଥିବ, ତେବେ ଦୋଷାରୋପରେ ନିମ୍ନଲିଖିତ ଉପାଦାନ ଉଲ୍ଲେଖ ରହିବ।


-ଆତ୍ମସାତ୍ ହେବାର ମୋଟ ଅର୍ଥରାଶି


- କିମ୍ବା ଚଳନ୍ତି ସଂପତ୍ତି ଯାହା ସଂପର୍କରେ ଏହି ଅଭିଯୋଗ ଆରୋପିତ


- ଏବଂ ଯେଉଁ ତାରିଖରୁ ଯେଉଁ ତାରିଖ ମଧ୍ୟରେ ଅପରାଧ କରାଯାଇଛି ।


ଦୋଷାରୋପରେ ବେଳେବେଳେ ଅପରାଧ ସଂଘଠନର ପ୍ରଣାଳୀ ମଧ୍ୟ ଉଲ୍ଲେଖଯୋଗ୍ୟ ହୋଇଥାଏ।ତେବେ ତାହା କେଉଁ ସମୟରେ ହୋଇଥାଏ,ତାହା ଧାରା ୨୧୩ରେ ବର୍ଣ୍ଣନା କରାଯାଇଛି।ଏହା ଅନୁଯାୟୀ ଯଦି ୨୧୧ ଓ ୨୧୨ ଧାରାରେ ବର୍ଣ୍ଣିତ ବିବରଣୀରୁ ଆସାମୀକୁ ଦୋଷାରୋପର ପର୍ଯ୍ୟାପ୍ତ ସୂଚନା ମିଳେ ନାହିଁ, ତେବେ ଅପରାଧ କେଉଁ ଉପାୟରେ ହେଲା ତହିଁରେ ଉଲ୍ଲେଖ କରିବାକୁ ପଡ଼ିବ ।ଦୋଷାରୋପରେ କୌଣସି ଅପରାଧର ବର୍ଣ୍ଣନା ବେଳେ ବ୍ୟବହୃତ ଶବ୍ଦର ଅର୍ଥ ଆଇନରେ ବ୍ୟବହୃତ ଉକ୍ତ ଶବ୍ଦର ଅର୍ଥ ସହ ସମାନ ରହିବ।


ଏହି ଦୋଷାରୋପ ପ୍ରସ୍ତୁତ କରିବା ସମୟରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ।ଅପରାଧର ବର୍ଣ୍ଣନା ସମୟରେ କିମ୍ବା ଦୋଷାରୋପରେ ବିବରଣୀ ଉଲ୍ଲେଖ କରିବା ସମୟରେ କୌଣସି ତ୍ରୁଟି ହେଲେ ଏବଂ ସେହି ତ୍ରୁଟି ଯୋଗୁଁ ଆରୋପୀ ହଇରାଣ ହେଲେ ଓ ନ୍ୟାୟ ପାଇବାରେ ଅସୁବିଧା ହେଲେ,ଏହାକୁ ଗୁରୁତର ତ୍ରୁଟି ଭାବରେ ଧରାଯାଇଥାଏ।ତେବେ ଏହି ଚାର୍ଜ ବା ଦୋଷାରୋପରେ ସାମାନ୍ୟ ତ୍ରୁଟି ଯୋଗୁଁ କ୍ଷମତାସମ୍ପନ୍ନ ନ୍ୟାୟାଳୟର କାର୍ଯ୍ୟକାରିତା,ଆଦେଶ ବା ଦଣ୍ତାଦେଶକୁ ରଦ୍ଦ କରାଯାଇପାରିବ ନାହିଁ, ଯେତେପର୍ଯ୍ୟନ୍ତ ସେ ତ୍ରୁଟି ନ୍ୟାୟ ପ୍ରଦାନରେ ଅସୁବିଧା ସୃଷ୍ଟି ନ କରିଛି।


ତେବେ ଏହି ଦୋଷାରୋପ ବା ଚାର୍ଜ ପରବର୍ତ୍ତୀ ସମୟରେ ପରିବର୍ତ୍ତନ ହୋଇପାରିବ କି?


ହଁ ଆଜ୍ଞା , ଧାରା ୨୧୬ ଅନୁସାରେ ଯେକୌଣସି ନ୍ୟାୟାଳୟ ନିର୍ଣ୍ଣୟ ଶୁଣାଇବା ପୂର୍ବରୁ ନ୍ୟାୟ ପ୍ରଦାନର ଆବଶ୍ୟକତାକୁ ଆଖି ଆଗରେ ରଖି ଯେ କୌଣସି ସମୟରେ ଦୋଷାରୋପରେ ଉପଯୁକ୍ତ ପରିବର୍ତ୍ତନ ଆଣି ପାରନ୍ତି। ଏପରି ପ୍ରତ୍ୟେକ ପରିବର୍ତ୍ତନ ଆରୋପୀକୁ ବୁଝାଇ ଦିଆଯାଇଥାଏ ।ଦୋଷାରୋପରେ ପରିବର୍ତ୍ତନ ପରେ ନ୍ୟାୟବ୍ୟବସ୍ଥାକୁ ସୁଗମ କରିବା ପାଇଁ ସାକ୍ଷୀ ମାନଙ୍କୁ ଆଉଥରେ ଡକାଯାଇପାରେ ଏବଂ ଆବଶ୍ୟକ ସ୍ଥଳେ ଅଧିକ ସାକ୍ଷୀ ମାନଙ୍କୁ ମଧ୍ୟ ଡକାଯାଇଥାଏ।

Our Recent Posts