• ସୂର୍ଯ୍ୟସ୍ନାତା ଦାସ

ନକଲି ମୁଦ୍ରା ; ସଚେତନ ହେବା ଭାଙ୍ଗି ଠକଙ୍କର ନିଦ୍ରା



ଆଜିର ସମୟରେ ମୁଦ୍ରାର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ।ତେବେ ମୁଦ୍ରା କହିଲେ ଆମେ କ'ଣ ବୁଝୁ? ମୁଦ୍ରା ହେଉଛି ଏମିତି ଏକ ଧାତବ ଖଣ୍ଡ ଯାହା କି କୈାଣସି ରାଷ୍ଟ୍ର ବା ସାର୍ବଭୌମ ଶକ୍ତିର ଅନୁମୋଦନ ପାଇ ଅର୍ଥ ବା ଟଙ୍କା ଭାବରେ ବ୍ୟବହାର ହୁଏ।ଏହି ମୁଦ୍ରା ଦୈନନ୍ଦିନ ଜୀବନର କାରବାରରେ ଓତଃପ୍ରୋତଭାବେ ସଂପୃକ୍ତ ହୋଇ ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ଼ କରିପାରିଛି।ତେବେ ମୁଦ୍ରା ସମୂହକୁ ନେଇ ସୃଷ୍ଟ ଅପରାଧ ନିମନ୍ତେ ଦଣ୍ଡ ସଂହିତାରେ ନିମ୍ନଲିଖିତ ପ୍ରକାରରେ ଆଲୋଚନା କରାଯାଇଛି।


ସବୁଦିନର ଖବର କାଗଜରେ ଆପଣ ତ ଜାଲନୋଟ ଓ ବା ନକଲି ନୋଟ ଜବତ ବିଷୟରେ ପଢୁଥିବେ।ଦଫା ୨୩୧ ଅନୁଯାୟୀ ଯିଏ ମୁଦ୍ରାକୁ ନକଲ କରେ କିମ୍ବା ମୁଦ୍ରା ନକଲ ପ୍ରକ୍ରିୟାରେ ଜାଣି ଶୁଣି ଅଂଶ ଗ୍ରହଣ କରେ, ସେ ଉଭୟ ପ୍ରକାରର କାରାଦଣ୍ଡ ମଧ୍ୟରୁ ଯେ କୌଣସି ଗୋଟିଏରେ ଦଣ୍ଡିତ ହେବେ ଯା‌ଆ ଯାହା ସାତ ବର୍ଷ ପର୍ଯ୍ୟନ୍ତ ବଢିପାରେ ଏବଂ ଏଥିସହିତ ଜରିମାନାରେ ମଧ୍ୟ ଦଣ୍ଡିତ ହେବ ।ସରଳ ଭାଷାରେ କହିଲେ,ଯେଉଁ ବ୍ୟକ୍ତି ଏକ ମୁଦ୍ରା ତିଆରି କରେ ଯାହା ଏକ ପ୍ରକୃତ ମୁଦ୍ରା ପରି ଦେଖାଯାଏ ଏବଂ ଯାହା ଦ୍ଵାରା ସେ ଠକାମି କରେ ବା କରିପାରେ,ତେବେ ସେ ଦୋଷୀ ହେବ।ଯଦି ସେ ଭାରତୀୟ ମୁଦ୍ରାର ଏହିଭଳି ନକଲ କରୁଛି,ତେବେ ଦଫା ୨୩୨ ଅନୁଯାୟୀ ଆଜୀବନ କାରାଦଣ୍ଡ କିମ୍ବା ଦଶବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜରିମାନାରେ ଦଣ୍ଡିତ ହୋଇପାରେ।


ଆପଣ ଜାଣିଛନ୍ତି କି,ଯିଏ ମୁଦ୍ରା ନକଲ ପାଇଁ ବ୍ୟବହୃତ ହେବା ଉଦ୍ଦେଶ୍ୟ ନେଇ ଛାଞ୍ଚ କିମ୍ବା ଯନ୍ତ୍ର ତିଆରି କରିବ ବା ମରାମତି କରିବ ,ତେବେ ତାକୁ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ଜରିମାନାରେ ଦଣ୍ଡିତ କରାଯାଇପାରେ। ଯିଏ ଭାରତୀୟ ମୁଦ୍ରାର ନକଲ ପାଇଁ ଏମିତି କରିବ,ତାକୁ ଦଫା ୨୩୪ ଅନୁଯାୟୀ ସାତ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ଜରିମାନାରେ ଦଣ୍ଡିତ କରାଯାଇପାରେ। ଯିଏ ସେହି ଭଳି ସାମଗ୍ରୀ ବା ଯନ୍ତ୍ରକୁ ନିଜପାଖରେ ରଖିବ,ସେ ମଧ୍ୟ ଦଣ୍ଡ ସଂହିତା ଅନୁଯାୟୀ ଦୋଷୀ ହେବ ଏବଂ ତାକୁ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ଜରିମାନାରେ ଦଣ୍ଡିତ କରାଯାଇପାରେ।ସେ ଯଦି ଭାରତୀୟ ମୁଦ୍ରାର ନକଲ ନିମନ୍ତେ ଏସବୁ ରଖିଥିବା,ତେବେ ତାକୁ ଦଶ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ଜରିମାନାରେ ଦଣ୍ଡିତ କରାଯାଇପାରେ।


ତେବେ କେବଳ ଭାରତ ମଧ୍ୟରେ ନୁହେଁ,ଭାରତ ବାହାରେ ମଧ୍ୟ ଭାରତୀୟ ମୁଦ୍ରାର ନକଲ ବ୍ୟବହାର ନିମନ୍ତେ ସେ ସେହିଭଳି ଦଣ୍ଡିତ ହେବ,ଯେପରି ଭାରତରେ ଥିଲେ ହୋଇଥାନ୍ତା।ଏହି ଜାଲ ବା ନକଲି ମୁଦ୍ରା ସମୂହର ଆମଦାନୀ ଓ ରପ୍ତାନି ପାଇଁ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ଜରିମାନାରେ ଦଣ୍ଡିତ କରାଯାଇପାରେ, ଯାହା କି ଭାରତୀୟ ମୁଦ୍ରା କ୍ଷେତ୍ରରେ ଦଫା ୨୩୮ ଅନୁଯାୟୀ ଦଶବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରେ।


ନକଲି ଟଙ୍କା ଆପଣଙ୍କ ପାଖକୁ ଆସିଲେ ଆପଣଙ୍କୁ ସାଙ୍ଗେସାଙ୍ଗେ ପୋଲିସକୁ ଖବର କରିବାକୁ ପଡ଼ିଥାଏ।ତାହା ନକରି ଆପଣ ଏହା ନକଲି ଜାଣି ମଧ୍ୟ ଯଦି ଏହାକୁ ବ୍ୟବହାର କଲେ,ତେବେ ଆପଣ ପାଞ୍ଚବର୍ଷ ପର୍ଯ୍ୟନ୍ତ ଜେଲ ଓ ଜରିମାନାରେ ଦଣ୍ଡିତ ହୋଇପାରିବେ।ଯଦି ଏହି ମୁଦ୍ରାଟି ଭାରତୀୟ ମୁଦ୍ରା ହୋଇଥାଏ,ତେବେ ଆପଣଙ୍କ କାରାଦଣ୍ଡ ଦଶବର୍ଷକୁ ବର୍ଦ୍ଧିତ ହୋଇପାରେ। ବହୁତ ଜଣ ବ୍ୟକ୍ତି ଜାଣିଶୁଣି ଏହିଭଳି ଭୁଲ କରିବସନ୍ତି ଓ ପରେ ଧରାପଡ଼ି ଦୋଷୀ ସାବ୍ୟସ୍ତ ହୁଅନ୍ତି।ଯଦି ବି ପ୍ରଥମରୁ ଆପଣ ଜାଣିନାହାନ୍ତି ମୁଦ୍ରାଟି ନକଲି ବୋଲି ମାତ୍ର ପରେ ଜାଣିଲେ ଏବଂ ଏହାକୁ ଅନ୍ୟ କାହାକୁ ଦେବାର ପ୍ରଯତ୍ନ କଲେ ତେବେ ଆପଣଙ୍କୁ ଦଫା ୨୪୧ ଅନୁଯାୟୀ ଦୁଇବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ଉକ୍ତ ମୁଦ୍ରାର ଦଶଗୁଣ ପର୍ଯ୍ୟନ୍ତ ଜରିମାନା ହୋଇପାରେ କିମ୍ବା ଉଭୟ ଦଣ୍ଡ ମିଳିପାରେ।


ଯେଉଁ ବ୍ୟକ୍ତି ନିଜ ଅଧୀନକୁ ଆସିବା ପରେ ମୁଦ୍ରା ନକଲି ବୋଲି ଜାଣି ସୁଦ୍ଧା ଠକାଇବା ପାଇଁ ନିଜ ପାଖରେ ରଖିବ,ସେ ମଧ୍ୟ ଅପରାଧୀ ରୂପେ ପରିଗଣିତ ହେବ ଏବଂ ତିନିବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ତଥା ଜରିମାନାରେ ଦଣ୍ଡିତ ହେବ।ଯଦି ସେ ନକଲି ମୁଦ୍ରାଟି ଭାରତୀୟ ମୁଦ୍ରା ହୋଇଥାଏ,ତେବେ ଦଫା ୨୪୩ ଅନୁଯାୟୀ ଏଥିପାଇଁ ସାତବର୍ଷ ପର୍ଯ୍ୟନ୍ତ ଜେଲ ଓ ଜରିମାନା ଦଣ୍ଡ ହୋଇପାରେ।


ମୁଦ୍ରା ତିଆରି ମେଣ୍ଟରେ ନିୟୋଜିତ ବ୍ୟକ୍ତି ଯଦି ଆଇନ ଅନୁଯାୟୀ ଧାର୍ଯ୍ୟ ହୋଇଥିବା ଓଜନ କିମ୍ବା ମିଶ୍ରଣଠାରୁ ଭିନ୍ନ ମୁଦ୍ରା ପ୍ରସ୍ତୁତ କରନ୍ତି କିମ୍ବା ମେଣ୍ଟର ସାମଗ୍ରୀ ଅବୈଧ ଭାବରେ ନେଇଯାଆନ୍ତି,ତେବେ ତାଙ୍କୁ ସାତବର୍ଷ ପର୍ଯ୍ୟନ୍ତ ଜେଲ ଓ ଜରିମାନା ହୋଇପାରେ।


ଏତଦବ୍ୟତୀତ ଅସାଧୁ ଭାବରେ ମୁଦ୍ରାର ଓଜନ ହ୍ରାସ କରିବା କିମ୍ବା ମିଶ୍ରଣକୁ ବଦଳାଉଥିବା ବ୍ୟକ୍ତିଙ୍କୁ ତିନିବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ତଥା ଜରିମାନା ହୋଇପାରେ। ମୁଦ୍ରାଟି ଯଦି ଭାରତୀୟ ମୁଦ୍ରା ହୋଇଥାଏ ତେବେ ତାହାକୁ ଦଫା ୨୪୭ ଅନୁଯାୟୀ ସାତବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇପାରେ।ଅନ୍ୟ ମୁଦ୍ରା ଭାବରେ ବ୍ୟବହାର କରିବାର ଉଦ୍ଦେଶ୍ୟ ରଖି ଏକ ମୁଦ୍ରାର ରୂପ ବଦଳାଇବାର ପ୍ରଯତ୍ନ କଲେ,ତାହା ମଧ୍ୟ ଅପରାଧ ରୂପେ ପରିଗଣିତ ହୋଇଥାଏ।


ମୁଦ୍ରା ବଦଳିଥିବା ଜାଣି ମଧ୍ୟ ଯଦି ଏହାକୁ ଜଣେ ବ୍ୟବହାର କଲେ,ତେବେ ସେ ଦଫା ୨୫୦ ଅନୁଯାୟୀ ପାଞ୍ଚବର୍ଷ ପର୍ଯ୍ୟନ୍ତ ଜେଲ ଓ ଜରିମାନାରେ ଦଣ୍ଡିତ ହୋଇପାରିବେ।ଯଦି ଏହି ମୁଦ୍ରାଟି ଭାରତୀୟ ମୁଦ୍ରା ହୋଇଥାଏ,ତେବେ ତାଙ୍କ କାରାଦଣ୍ଡ ୨୫୧ ଅନୁଯାୟୀ ଏହି କାରାଦଣ୍ଡ ଦଶବର୍ଷକୁ ବର୍ଦ୍ଧିତ ହୋଇପାରେ।


ଯେଉଁ ବ୍ୟକ୍ତି ନିଜ ଅଧୀନକୁ ଆସିବା ପରେ ମୁଦ୍ରା ବଦଳିଥିବା ବୋଲି ଜାଣି ସୁଦ୍ଧା ଠକାଇବା ଉଦ୍ଦେଶ୍ୟରେ ନିଜ ପାଖରେ ରଖିବ,ସେ ଦଫା ୨୫୨ ଅନୁଯାୟୀ ଅପରାଧୀ ରୂପେ ପରିଗଣିତ ହେବ ଏବଂ ତିନିବର୍ଷର ଜେଲଦଣ୍ଡ ତଥା ଜରିମାନାରେ ଦଣ୍ଡିତ ହେବ।ଯଦି ସେ ବଦଳାଯାଇଥିବା ମୁଦ୍ରାଟି ଭାରତୀୟ ମୁଦ୍ରା ହୋଇଥାଏ,ତେବେ ଦଫା ୨୫୩ ଅନୁଯାୟୀ ଏଥିପାଇଁ ପାଞ୍ଚବର୍ଷ ପର୍ଯ୍ୟନ୍ତ ଜେଲ ଓ ଜରିମାନା ଦଣ୍ଡ ହୋଇପାରେ।


ନକଲି ମୁଦ୍ରା ଭଳି ଏ କ୍ଷେତ୍ରରେ ମଧ୍ୟ ଯଦି ପ୍ରଥମରୁ ଜଣେ ଜାଣିନାହାନ୍ତି ମୁଦ୍ରାଟି ବଦଳାଯାଇଛି ବୋଲି ମାତ୍ର ପରେ ଜାଣିଲେ ଏବଂ ଏହାକୁ ଅନ୍ୟ କାହାକୁ ଦେବାର ପ୍ରଯତ୍ନ କଲେ ତେବେ ତାଙ୍କୁ ଦଫା ୨୫୪ ଅନୁଯାୟୀ ଦୁଇବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ଉକ୍ତ ମୁଦ୍ରାର ଦଶଗୁଣ ପର୍ଯ୍ୟନ୍ତ ଜରିମାନା ହୋଇପାରେ।


ତେବେ କେବଳ ମୁଦ୍ରା କ୍ଷେତ୍ରରେ ନୁହେଁ, ବରଂ ଭାବତୀୟ ଦଣ୍ଡବିଧି ଆଇନରେ ପ୍ରଚଳିତ ନୋଟ୍ କିମ୍ବା ବ୍ୟାଙ୍କ ନୋଟ୍ ନକଲିକରଣ ମଧ୍ୟ ଦଣ୍ଡନୀୟ।ଦଫା ୪୮୯ ‘କ’ ଅନୁସାରେଯଦି କୌଣସି ବ୍ୟକ୍ତି ପ୍ରଚଳିତ ନୋଟ୍ ବା ବ୍ୟାଙ୍କ ନୋଟର ନକଲ କରନ୍ତି, କିମ୍ବା କୌଣସି ପ୍ରଚଳିତ ନୋଟ୍ ବା ବ୍ୟାଙ୍କ ନୋଟ୍ ଜାଲି କରିବା ପ୍ରକ୍ରିୟାରେ ଜାଣିଶୁଣି ଯୋଗ ଦିଅନ୍ତି, ତେବେ ତାଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ଦଶ ବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ଏବଂ ଜରିମାନା ଦଣ୍ଡ ହୋଇପାରେ ।ଦଫା – ୪୮୯ “ଖ” ଅନୁସାରେ ଯଦି କୌଣସି ବ୍ୟକ୍ତି ନୋଟଟି ଜାଲ୍ ବା ନକଲି ଜାଣି ସୁଦ୍ଧା ଏହାକୁ ଅସଲି ରୂପେ ବ୍ୟବହାର କରନ୍ତି ବା କାରବାର କରନ୍ତି,ତେବେ ସେ ମଧ୍ୟ ଉକ୍ତ ସମାନ ଦଣ୍ଡର ଯୋଗ୍ୟ ହୋଇଥାନ୍ତି।


ଆପଣଙ୍କ ଜାଣନ୍ତି କି,ଏହି ଜାଲ୍ ବା ନକଲି ନୋଟ୍ ବା ବ୍ୟାଙ୍କ ନୋଟକୁ କେବଳ ବ୍ୟବହାର କରିବା ଯେ ଅପରାଧ ତାହା ନୁହେଁ, ବରଂ ବ୍ୟବହାର କରିବା ଉଦ୍ଦେଶ୍ୟରେ।ଜାଣିଶୁଣି ନିଜ ପାଖରେ ରଖିବା ମଧ୍ୟ ଅପରାଧ ଏବଂ ଉକ୍ତ ଅପରାଧ ପାଇଁ ସାତବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ଜରିମାନା ଦଣ୍ଡରେ କିମ୍ବା ଉଭୟ ଦଣ୍ଡ ମିଳିପାରେ ।ପ୍ରଚଳିତ ନୋଟ୍ ବା ବ୍ୟାଙ୍କ ନୋଟର ସାଦୃଶ୍ୟ ସମ୍ବଳିତ ଦଲିଲ ଇତ୍ୟାଦି ତିଆରି କରିବା ବା ବ୍ୟବହାର କରିବା ମଧ୍ୟ ଏକ ଅପରାଧ।


ନକଲିମୁଦ୍ରା ଭଳି ପ୍ରଚଳିତ ନୋଟ୍ ବା ବ୍ୟାଙ୍କ ନୋଟ୍‌କୁ ଜାଲ ବା ନକଲି କରିବା ନିମନ୍ତେ ଆବଶ୍ୟକ ଯନ୍ତ୍ର ବା ଉପକରଣ ତିଆରି କରିବା କିମ୍ବା ପାଖରେ ରଖିବା ମଧ୍ୟ ଅପରାଧ ଯାହା ପାଇଁ ଦଫା ୪୮୯'ଘ' ଅନୁସାରେ ଜରିମାନା ସହ ଦଶବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ହୋଇପାରେ।ଆମ ଦଣ୍ଡସଂହିତାର ଉପରୋକ୍ତ ବ୍ୟବସ୍ଥା ଅର୍ଥବ୍ୟବସ୍ଥାର ସଞ୍ଚାଳନକୁ ସୁରକ୍ଷିତ କରିବା ସହିତ ମୁଦ୍ରା ଓ ନୋଟର ପ୍ରଚଳନକୁ ନିୟନ୍ତ୍ରିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

Our Recent Posts

Law in Odia

India

LAW IN ODIA