• ସୂର୍ଯ୍ୟସ୍ନାତା ଦାସ

ନକଲି ଷ୍ଟାମ୍ପ ଓ ଭୁଲ ଓଜନ;କଣ ହେବ ଯଦି କରିବ ଜାଣ



ଜାଣିଶୁଣି ନକଲି ଷ୍ଟାମ୍ପ ତଥା ଭୁଲ ଓଜନର ମାପ ବ୍ୟବହାର କରି ଅନେକ ଠକ ସରକାର ତଥା ସାଧାରଣ ଲୋକଙ୍କ ସହ ପ୍ରତାରଣା କରିଥାନ୍ତି। ସେମାନଙ୍କ ପାଇଁ ଆମ ସଂହିତାରେ ନିମ୍ନଲିଖିତ ଭାବରେ ଦଣ୍ଡର ବ୍ୟବସ୍ଥା ରହିଛି।


ଦଫା ୨୫୫ ଅନୁଯାୟୀ ଯିଏ ରାଜସ୍ଵ ଉଦ୍ଦେଶ୍ୟରେ ଷ୍ଟାମ୍ପକୁ ନକଲ କରେ କିମ୍ବା ଷ୍ଟାମ୍ପ ନକଲ ପ୍ରକ୍ରିୟାରେ ଜାଣି ଶୁଣି ଅଂଶ ଗ୍ରହଣ କରେ, ସେ ଆଜୀବନ କାରାଦଣ୍ଡ ଅଥବା ଉଭୟ ପ୍ରକାରର କାରାଦଣ୍ଡ ମଧ୍ୟରୁ ଯେ କୈାଣସି ଗୋଟିଏରେ ଦଣ୍ଡିତ ହେବେ ଯାହା ଯାହା ଦଶ ବର୍ଷ ପର୍ଯ୍ୟନ୍ତ ବଢିପାରେ ଏବଂ ଏଥିସହିତ ଜରିମାନାରେ ମଧ୍ୟ ଦଣ୍ଡିତ ହେବ ।


ଆପଣ ଜାଣନ୍ତି କି,ଯଦି କୈାଣସି ବ୍ୟକ୍ତି ଷ୍ଟାମ୍ପକୁ ନକଲି କରିବା ପାଇଁ ସାମଗ୍ରୀ ଅଥବା ଯନ୍ତ୍ର ନିଜ ପାଖରେ ରଖିବେ,ତିଆରି କରିବେ ଅଥବା ବିକ୍ରୟ କରିବେ,ତେବେ ତାଙ୍କୁ ସାତ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ତଥା ଜରିମାନା ହୋଇପାରେ।ଯଦି ଜଣେ ବ୍ୟକ୍ତି ନକଲି ଷ୍ଟାମ୍ପକୁ ବିକ୍ରୟ କରନ୍ତି ଅବା ନିଜ ପାଖରେ ରଖନ୍ତି,ତେବେ ସେ ଯଥାକ୍ରମେ ଦଫା ୨୫୮,୨୫୯ ଅନୁଯାୟୀ ସାତ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ତଥା ଜରିମାନା ଦଣ୍ଡରେ ଦଣ୍ଡିତ ହୋଇପାରନ୍ତି।ନକଲି ବୋଲି ଜାଣି ସୁଦ୍ଧା ସରକାରୀ ଷ୍ଟାମ୍ପର ବ୍ୟବହାର ଦଫା ୨୬୦ ଅଧୀନରେ ସାତବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ବା ଜରିମାନା ବା ଉଭୟ ଦଣ୍ଡ ପ୍ରଦାନ କରିଥାଏ।


ଅନେକ ସମୟରେ ଆପଣ ଦେଖିଥିବେ ଯେ,ବ୍ୟବହୃତ ହୋଇଥିବା ଷ୍ଟାମ୍ପକୁ ପୁନର୍ବାର ବ୍ୟବହାର କରିବା ସମୟରେ କେତେଜଣ ଠକ ଧରାପଡିଥାନ୍ତି।ସଂହିତା ଅନୁସାରେ,ଯଦି ଜଣେ ବ୍ୟକ୍ତି ପୂର୍ବରୁ ବ୍ୟବହୃତ ହୋଇଥିବା ଷ୍ଟାମ୍ପକୁ ବ୍ୟବହାର ହୋଇଛି ଜାଣିମଧ୍ୟ ପୁନର୍ବାର ବ୍ୟବହାର କରନ୍ତି ତେବେ ତାଙ୍କୁ ଦୁଇବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ଜରିମାନା ବା ଉଭୟ ଦଣ୍ଡ ହୋଇପାରେ।ଯଦି ସେ ବ୍ୟକ୍ତି ସରକାରଙ୍କ କ୍ଷତି ଘଟାଇବା ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥିବା ଷ୍ଟାମ୍ପରୁ ବ୍ୟବହାର କରାଯାଇଛି ବୋଲି ଦିଆଯାଇଥିବା ଚିହ୍ନକୁ ଲିଭାଇଦିଅନ୍ତି,ତେବେ ତାଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ବା ଜରିମାନା ବା ଉଭୟ ଦଣ୍ଡାଦେଶ ହୋଇପାରେ।ଦଫା ୨୬୩ 'କ' ଦ୍ଵାରା ମିଥ୍ୟା ଷ୍ଟାମ୍ପ ବା ନକଲି ଷ୍ଟାମ୍ପର ବ୍ୟବହାରକୁ ନିଷିଦ୍ଧ ତଥା ଦଣ୍ଡନୀୟ ବୋଲି ଘୋଷଣା କରାଯାଇଛି।


ଅନେକ ସମୟରେ ଲୋକମାନଙ୍କୁ ଠକେଇବା ଉଦ୍ଦେଶ୍ୟରେ ବ୍ୟବସାୟୀ ମାନେ ଜାଣିଶୁଣି ଭୁଲ ମାପ ବ୍ୟବହାର କରନ୍ତି।ମାପ ବା ଓଜନ ବିଷୟରେ ଏହି ସଂହିତାରେ ଆଇନ୍ ପ୍ରଣୟନ କରି କୁହାଯାଇଛି ଯେ, ଯେ କେହି ଓଜନରେ ଠକାଇବା ପାଇଁ ଭୁଲ ଯନ୍ତ୍ର ବ୍ୟବହାର କରନ୍ତି କିମ୍ବା ଭୁଲ ମାପ ଓ ଓଜନର ବ୍ୟବହାର କରନ୍ତି ,ତାଙ୍କୁ ଆଇନ ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ବା ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରିପାରେ।ଏହାର ଦଫା ୨୬୬ ଏବଂ ୨୬୭ରେ ମଧ୍ୟ କୁହାଯାଇଛି ଯେ,ଯଦି ବ୍ୟକ୍ତି ଠକାଇବା ଉଦ୍ଦେଶ୍ୟରେ ଏମିତି ଭୁଲ ମାପ ବା ଓଜନ ତିଆରି କରନ୍ତି, ବିକ୍ରି କରନ୍ତି ବା ନିଜ ପାଖରେ ରଖନ୍ତି,ତେବେ ତାଙ୍କୁ ମଧ୍ୟ ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ବା ଜରିମାନା କିମ୍ବା ଉଭୟ ଦଣ୍ଡାଦେଶ ହୋଇପାରେ।

Our Recent Posts

Law in Odia

India

LAW IN ODIA