• ସୂର୍ଯ୍ୟସ୍ନାତା ଦାସ

ନିକାହ



ଆପଣମାନେ ତ ଜାଣିଥିବେ,ମୁସଲିମ ବିବାହକୁ "ନିକାହ"କୁହାଯାଇଥାଏ। ପ୍ରତ୍ୟେକ ସଂପ୍ରଦାୟରେ ବିବାହ ବନ୍ଧନର ନିର୍ଦ୍ଦିଷ୍ଟ ରୀତିନୀତି ସର୍ବଦା ଗୁରୁତ୍ଵ ବହନ କରିଥାଏ। ଏକ ଇସଲାମିକ ବା ମୁସଲିମ ବିବାହର ପ୍ରକୃତକୁ ଲକ୍ଷ୍ୟ କଲେ ଏହା ଜଣାଯାଏ ଯେ,ଏହା ମୁଖ୍ୟତଃ ବର ଓ କନ୍ୟା ମଧ୍ୟରେ ଏକ ସାମାଜିକ ତଥା ଆଇନଗତ ଚୁକ୍ତି,ଯଦିଓ ସୁନ୍ନାରେ ଉଲ୍ଲେଖ ରହିବା କାରଣରୁ ଏହାର କିଛିଟା ଧାର୍ମିକ ଗୁରୁତ୍ଵ ମଧ୍ୟ ରହିଛି।


ନିକାର ମୂଳ ଉଦ୍ଦେଶ୍ୟ ହେଉଛି ପୁରୁଷ ଏବଂ ସ୍ତ୍ରୀ ମଧ୍ୟରେ ବୈଧିକ ରୂପେ ଶାରୀରିକ ସମ୍ପର୍କ ସ୍ଥାପନ କରାଇବା ଏବଂ ଦ୍ଵିତୀୟତଃ ଜନ୍ମ ନେଉଥିବା ସନ୍ତାନସନ୍ତତିଙ୍କର ଉପଯୁକ୍ତ ପାଳନପୋଷଣ କରିବା।


ଡଃ. ଜଙ୍ଗଙ୍କ ଅନୁଯାୟୀ “ଯଦିଓ ବିବାହ ମୁଖ୍ୟତଃ ଏକ ଚୁକ୍ତି ,ତେବେ ମଧ୍ୟ ଏହା ଏକ ସମର୍ପିତ କାର୍ଯ୍ୟ, ଯାହାର ଲକ୍ଷ୍ୟ ହେଉଛି ଉପଭୋଗରେ ଅଧିକାର ପ୍ରାପ୍ତକରିବା,ପିଲାମାନଙ୍କର ପ୍ରସବ କରିବା ଏବଂ ସମାଜର ସ୍ୱାର୍ଥ ନିମନ୍ତେ ନିୟମାବଦ୍ଧ ସମାଜିକ ଜୀବନ ବଞ୍ଚିବା ।”


ଶହୋରତ ସିଂହ ବନାମ ଜାଫ୍ରି ବେଗମ ମାମଲାରେ ପ୍ରିଭି କାଉନସିଲ ନିକାହର ଧାର୍ମିକ ମହତ୍ତ୍ଵକୁ ଗୁରୁତ୍ଵାରୋପ କରିଥିଲେ।


ତେବେ ତାର୍ମିଜି ମତରେ ଏହି ନିକାହର ୫ ଗୋଟି ପ୍ରମୁଖ ଉଦ୍ଦେଶ୍ୟ ରହିଛି :


ପ୍ରଥମତଃ ଏହା ଯୌନ କାମନା ଉପରେ ରୋକ ଲଗାଇଥାଏ।


ଦ୍ଵିତୀୟତଃ ଏହା ସାଂସାରିକ ଜୀବନକୁ ବ୍ୟବସ୍ଥିତ କରିଥାଏ।


ତୃତୀୟତଃ ପରିବାରକୁ ବଢାଇଥାଏ ।


ଚତୁର୍ଥତଃ ପତ୍ନୀ ଓ ପିଲାଙ୍କର ଦାୟିତ୍ଵ ନେଇ ରକ୍ଷଣାବେକ୍ଷଣ କରିଥାଏ।


ଏବଂ ପଞ୍ଚମତଃ ପିଲାମାନଙ୍କୁ ଉପଯୁକ୍ତ ମୂଲ୍ୟବୋଧ ଓ ସଂସ୍କାର ଦେଇ ବଢାଇଥାଏ।


ଏହି ନିକା କିଛି ସର୍ତ୍ତ ଉପରେ ଆଧାରିତ ହୋଇଥାଏ ।


ଏହା ବାସ୍ତବରେ ଏକ ଉପଯୁକ୍ତ ବିବାହ ନିମନ୍ତେ ଉଭୟ ପକ୍ଷର ଯୋଗ୍ୟତାର ଆବଶ୍ୟକତା ଦୃଷ୍ଟିରୁ ନିର୍ଦ୍ଧାରଣ କରାଯାଇଥାଏ। ଯେତେବେଳେ ଏହି ସର୍ତ୍ତଗୁଡିକ ପୂରଣ ହୁଏ, ସେତେବେଳେ ଜଣେ ପୁରୁଷ ଏବଂ ସ୍ତ୍ରୀ ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଘୋଷିତ ହୁଅନ୍ତି ଏବଂ ସେମାନେ ଏକତ୍ର ରହି ସେମାନଙ୍କ ବୈବାହିକ କାର୍ଯ୍ୟ ତୁଲାଇବାରେ ବିଧିବଦ୍ଧ ଭାବରେ ସମର୍ଥ ହୁଅନ୍ତି ।ସେଗୁଡିକ ହେଲା-


୧-ଉଭୟ ପକ୍ଷ ସକ୍ଷମ ହୋଇଥିବେ


୨-ଉଭୟ ପକ୍ଷ ଏବଂ ସେମାନଙ୍କର ଅଭିଭାବକଙ୍କର ମୁକ୍ତ ସମ୍ମତି ଥିବ


୩-ସମସ୍ତ ବିଧିସମ୍ପନ୍ନ କାର୍ଯ୍ୟ ଏବଂ ରୀତିନୀତି ସଠିକ୍ ଭାବରେ ପାଳନ କରାଯିବ


୪-କୌଣସି ବାଧା ବା ପ୍ରତିବନ୍ଧକ ନଥିବ ।


ମୁସଲିମ ବିବାହ ନିମନ୍ତେ ପକ୍ଷମାନଙ୍କର ଯୋଗ୍ୟତା ଉପରେ ଗୁରୁତ୍ୱାରୋପ କରାଯାଇଥାଏ।ସେମାନଙ୍କ ପାଇଁ ନିର୍ଦ୍ଧାରିତ ଦକ୍ଷତା ହେଉଛି,


-ଉଭୟ ପକ୍ଷ ମୁସଲମାନ ଧର୍ମ ଗ୍ରହଣ କରିଥିବେ।

-ଉଭୟ ପକ୍ଷ ମାନସିକ ଅକ୍ଷମ ହୋଇନଥିବେ।

- ବୟୋଃପ୍ରାପ୍ତି ବୟସ ପୂର୍ଣ୍ଣ କରିଥିବେ।

-ନିଷିଦ୍ଧ ସମ୍ପର୍କ ପରିସର ମଧ୍ୟକୁ ଆସୁନଥିବେ।


ଶିଆ ବା ସୁନ୍ନି ଯେ କୈାଣସି ଭାଗର ହୋଇଥାନ୍ତୁ ନା କାହିଁକି,ମୁସଲିମ ବିବାହ ସମୟରେ ଉଭୟ ପକ୍ଷ ମୁସଲିମ ଧର୍ମର ହୋଇଥିବା ଆବଶ୍ୟକ,ଅନ୍ୟଥା ବିବାହଟି ଉପଯୁକ୍ତ ମାନ୍ୟତା ପାଏନାହିଁ। ସେମାନେ ବିବାହ କରିବାକୁ ତଥା ସନ୍ତାନର ଲାଲଳପାଳନ ନିମନ୍ତେ ମାନସିକ ଅକ୍ଷମ ହୋଇନଥିବେ,ଏହା ବିବାହ ନିମନ୍ତେ ଏକ ଜରୁରୀ ଆବଶ୍ୟକତା।ସେମାନେ ଯେ ସ୍ଥିରୀକୃତ ଋତୁସ୍ରାବର ବୟସ କିମ୍ବା ବୟୋଃପ୍ରାପ୍ତିର ବୟସ ଅତିକ୍ରମ କରିଥିବେ,ଏହା ମଧ୍ୟ ବିବାହ ନିମନ୍ତେ ଏକ ଅନିବାର୍ଯ୍ୟ ଆବଶ୍ୟକତା ।


ଅତିକା ବେଗମ ବନାମ ମହମ୍ମଦ ଇବ୍ରାହମ ମାମଲାରେ ମୁସଲିମ ଧର୍ମରେ ଝିଅମାନଙ୍କର ବୟୋଃପ୍ରାପ୍ତି ବୟସ ନିମନ୍ତେ ଦୁଇଟି କ୍ଷେତ୍ର ଦେଖାଯାଇଛି।


-ସାଧାରଣତଃ ଗୋଟିଏ ଝିଅ ଯେତେବେଳେ ୧୫ବର୍ଷର ହୁଏ


-ଅବା ଯେତେବେଳେ ସେ ଶୀଘ୍ର ବୟୋଃପ୍ରାପ୍ତି ଅବସ୍ଥା ପ୍ରାପ୍ତ କରିନେଇଥାଏ।


ବିବାହର ଏକ ପକ୍ଷଙ୍କ ଦ୍ଵାରା କିମ୍ବା ତାଙ୍କ ଅଭିଭାବକଙ୍କ ତରଫରୁ ଏକ ପ୍ରସ୍ତାବ ରହିବା ଉଚିତ୍ ଏବଂ ଅନ୍ୟ ପକ୍ଷଙ୍କ ଦ୍ଵାରା କିମ୍ବା ତାଙ୍କ ଅଭିଭାବକଙ୍କ ଦ୍ଵାରା ଏହି ପ୍ରସ୍ତାବକୁ ଗ୍ରହଣ କରିବା ଉଚିତ୍ ।ମୁସଲମାନ ବିବାହ ଗୋଟିଏ ଦଳରୁ ପ୍ରସ୍ତାବ 'ଇଜାବ' ଏବଂ ଅନ୍ୟ ପଟେ 'କୁବୁଲ' ଗ୍ରହଣ କରିବା ଆବଶ୍ୟକ କରେ। ଏହି ସମୟରେ ଉଭୟ ପକ୍ଷ ଏବଂ ସେମାନଙ୍କର ଅଭିଭାବଙ୍କର ସୁସ୍ଥଚିତ୍ତରେ ମୁକ୍ତ ସମ୍ମତି ଥିବା ଆବଶ୍ୟକ।ଯଦି ଏହି ସମ୍ମତିଟି ଛଳ ବା ବଳପୂର୍ବକ ନିଆଯାଇଥାଏ,ତେବେ ତାହା ବୈଧ ନୁହେଁ। ଗୋଟିଏ ଦେଖା ବା ମିଳନରେ ହିଁ ଏକାଥରକେ ଏହି ପ୍ରସ୍ତାବ ପ୍ରଦାନ ଓ ଗ୍ରହଣ ହେବା ଉଚିତ।ଏହି ଧର୍ମର ନିୟମ ଅନୁସାରେ ଯଦି ପ୍ରସ୍ତାବ ଏବଂ ଗ୍ରହଣ ଉଭୟ ଗୋଟିଏ ବୈଠକରେ ଅନୁମୋଦନ ପାଏ, ତେବେ ହିଁ ବିବାହ ଗ୍ରହଣୀୟ ହେବ, ଅନ୍ୟଥା ନୁହେଁ ।


ଏହି ପ୍ରସ୍ତାବ ଏବଂ ଗ୍ରହଣ ଉଭୟ ମୌଖିକ ଏବଂ ଲିଖିତ ଭାବରେ ରହିପାରେ, ତେବେ ଏହାର ଶବ୍ଦ ସ୍ପଷ୍ଟ ଅର୍ଥ ପ୍ରକାଶ କରୁଥିବା ଉଚିତ।ଏହି ପ୍ରସ୍ତାବ ପ୍ରଦାନ ଏବଂ ଗ୍ରହଣ ସମୟରେ ସେଠାରେ ଦୁଇଜଣ ପୁରୁଷ କିମ୍ବା ଜଣେ ପୁରୁଷ ଏବଂ ଦୁଇଜଣ ମହିଳା ସାକ୍ଷୀ ରହିବା ଆବଶ୍ୟକ, ଯେଉଁମାନେ ନିଶ୍ଚୟ ବୟୋଃପ୍ରାପ୍ତ ହୋଇଥିବା ଆବଶ୍ୟକ,ତେବେ ଶିଆର ନିୟମରେ ବିବାହ ସମୟରେ ସାକ୍ଷୀ ଉପସ୍ଥିତ ରହିବା ଅନିବାର୍ଯ୍ୟ ନୁହେଁ ।


କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଯେଉଁଥିରେ ବିବାହ ଅନୁମତି ନାହିଁ ,ଏହାକୁ ସଂପୂର୍ଣ୍ଣ ଅକ୍ଷମତା କୁହାଯାଏ।ଏହି ପରିପ୍ରେକ୍ଷୀରେ ପରିସ୍ଥିତିରେ ବ୍ୟକ୍ତିର ନିଜର ପିତା କିମ୍ବା ମାତାଙ୍କର ଆରୋହଣ ପାର୍ଶ୍ୱରେ କିମ୍ବା ଅବତରଣ ପାର୍ଶ୍ୱରେ ନିଜର ସମ୍ପର୍କ ସହିତ ଜଡିତ ବ୍ୟକ୍ତିଙ୍କ ମଧ୍ୟରେ ବିବାହ, ଏପରିକି ପତ୍ନୀଙ୍କ ମାଧ୍ୟମରେ ସମ୍ପର୍କରେ ଜଡିତ ବ୍ୟକ୍ତିମାନଙ୍କ ମଧ୍ୟରେ ଏହା ଅନୁମତିପ୍ରାପ୍ତ ନୁହେଁ । ପାଳିତ ମା ସହିତ ବିବାହ ଏବଂ ଏହିପରି ପାଳିତ ମାତା ମାଧ୍ୟମରେ ଅନ୍ୟାନ୍ୟ ସମ୍ପର୍କ ମଧ୍ୟ ଅନୁମତିପ୍ରାପ୍ତ ନୁହେଁ ।


କୁରାବତରେ ବିବାହ ନିକ୍ଷିଦ୍ଧ। ଏହାର ଅର୍ଥ ହେଉଛି ରକ୍ତ ସମ୍ପର୍କ ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ ବାରଣ କରେ।ଆଫିନିଟି (ମୁଶାରତ) ଜଣେ ବ୍ୟକ୍ତିଙ୍କୁ ତାଙ୍କ ବୈବାହିକ ବିପରୀତ ପକ୍ଷର ସମ୍ବନ୍ଧୀଙ୍କ ସହ ବିବାହକୁ ନିଷେଧ କରିଥାଏ। ପୋଷଣ (ରିଜା)ରେ ମଧ୍ୟ ବିବାହ ହୁଏନାହିଁ। ଯେତେବେଳେ ଦୁଇ ବର୍ଷରୁ କମ୍ ବୟସର ଶିଶୁଙ୍କୁ ତାଙ୍କ ମା ବ୍ୟତୀତ ଅନ୍ୟ ଜଣେ ସ୍ତ୍ରୀ ସ୍ତନ୍ୟପାନ କରାଏ, ମହିଳା ଜଣକ ତାଙ୍କ ପାଳିତ ମାତା ତଥା ସେହି ସମ୍ପର୍କରେ ବିବାହ କରିପାରିବେ ନାହିଁ।, ଜଣେ ପୁରୁଷ ତା’ର ପାଳିତ ମା କିମ୍ବା ପାଳିତ ଝିଅ କିମ୍ବା ପାଳିତ ଭଉଣୀକୁ ବିବାହ କରିପାରିବ ନାହିଁ ।


ଗୋଟିଏ ପରିସ୍ଥିତି ଯେଉଁଠି ପ୍ରତିବନ୍ଧକ ସୃଷ୍ଟି କରୁଥିବା କାରଣ ସମୂହକୁ ହଟାଇଦିଆଯାଇପାରେ ଏବଂ ହଟାଇଦେବା ମାତ୍ରକେ ଅକ୍ଷମତା ସମାପ୍ତ ହୁଏ ଓ ବିବାହଟି ବୈଧ ହୋଇଯାଏ, ତାହାକୁ ଆପେକ୍ଷିକ ଅକ୍ଷମତା କୁହାଯାଇଥାଏ। ଚାରୋଟି ବିବାହ ବୈଧ ଏବଂ ପତ୍ନୀ ଜୀବିତ ଥିବା ବେଳେ ପଞ୍ଚମ ପତ୍ନୀଙ୍କୁ ବିବାହ କରିବା ,ମହିଳା ପ୍ରଥମ ବିବାହର ଅସ୍ତିତ୍ଵ ସମୟରେ ଦ୍ୱିତୀୟ ଥର ବିବାହ କରିବା,ଇଦତ ଅତିକ୍ରମ କରୁଥିବା ମହିଳାଙ୍କୁ ବିବାହ କରିବା,ଜଣେ ଅଣ ମୁସଲମାନ ସହିତ ବିବାହ କରିବା,ସୁନ୍ନିରେ ଉପଯୁକ୍ତ ସାକ୍ଷୀଙ୍କ ଅନୁପସ୍ଥିତିରେ ବିବାହ କରିବା,ଗର୍ଭବତୀ ମହିଳାଙ୍କୁ ବିବାହ କରିବା, ତୀର୍ଥଯାତ୍ରା ସମୟରେ ବିବାହ କରିବା ପ୍ରଭୃତି ଆପେକ୍ଷିକ ଅକ୍ଷମତାର ଅନ୍ତର୍ଗତ ଏବଂ ଏହାର ଦୂରୀକରଣ ଦ୍ଵାରା ବିବାହ ସମ୍ଭବ ହୋଇଥାଏ।


ବିବାହର ବୈଧତା


ମୁସଲମାନ ନିୟମ ଅନୁଯାୟୀ, ଏକ ବୈଧ ବିବାହ ହେଉଛି ସେହି ବିବାହ ଯାହା ପୂର୍ବରୁ ନିର୍ଦ୍ଧାରିତ ଅତ୍ୟାବଶ୍ୟକ ସର୍ତ୍ତ ଅନୁଯାୟୀ ଗଠିତ ହୋଇଛି । ଏହା ସମସ୍ତ ଆଇନଗତ ଆବଶ୍ୟକତା ମଧ୍ୟ ପୂରଣ କରିଥାଏ ଏବଂ ଏହିଭଳି ବିବାହକୁ "ସହି ବା ବୈଧ ବିବାହ" କୁହାଯାଇଥାଏ।ଆଇନ ଦୃଷ୍ଟିରେ ତଥା ମୁସଲିମ ଧର୍ମରେ ଏହା ହିଁ ସଠିକ ବିବାହ।


ତେବେ କିଛି ପରିସ୍ଥିତି ବିବାହ ଏହି ସମସ୍ତ ସର୍ତ୍ତକୁ ମାନିନଥାଏ,ତେବେ ସେ କ୍ଷେତ୍ରରେ ତାର ବୈଧତା ନିମ୍ନ ଉପାୟରେ ନିରୂପଣ କରାଯାଏ।


-ସେହିସବୁ ବିବାହ ଯାହା ବିବାହ ପାଇଁ ଆବଶ୍ୟକ ସର୍ତ୍ତ ଆରମ୍ଭରୁ ପୂରଣ କରେନାହିଁ ଏବଂ ଭବିଷ୍ୟତରେ ପୂରଣ କରିବାର ସୁଯୋଗ ମଧ୍ୟ ପାଇବ ନାହିଁ , ତାହାକୁ "ଶୂନ୍ୟ ବିବାହ ବା ବାତିଲ ବିବାହ"ବୋଲି କୁହାଯାଇଥାଏ। ଏକ ଶୂନ୍ୟ ବିବାହରୁ ସନ୍ତାନ ଅବୈଧ ସନ୍ତାନ ସନ୍ତାନ ରୂପରେ ପରିଗଣିତ ହୁଏ।


-ସେହି ବିବାହ ଯାହା ପୂର୍ବ ସର୍ତ୍ତ ପୂରଣ ନକରି ବିବାହ କରେ ମାତ୍ର ପରବର୍ତ୍ତୀ ସମୟରେ ପ୍ରତିବନ୍ଧକର ଦୂରୀକରଣ ଦ୍ଵାରା ବିବାହ ବୈଧ ହୋଇପାରେ, ତାହାକୁ ଅନିୟମିତ ବିବାହ ବୋଲି କୁହାଯାଇଥାଏ।


ପୁନଶ୍ଚ ମୁସଲିମ ଶିଆ ସମ୍ପ୍ରଦାୟରେ ଏକ ପ୍ରକାର ସାମୟିକ ବିବାହ ଦୃଷ୍ଟିଗୋଚର ହୁଏ,ଯାହାକୁ "ମୁତା ବିବାହ"କୁହାଯାଇଥାଏ,।ବିବାହ ପୂର୍ବରୁ ଏଥିରେ ସମୟ ତଥା ଡାୱରର ପରିମାଣ ନିର୍ଦ୍ଦିଷ୍ଟ କରାଯାଏ।ନିର୍ଦ୍ଧାରିତ ସମୟ ସୀମା ଅତିକ୍ରାନ୍ତେ ବିବାହଟି ଆପେଆପେ ବିଲୋପ ହୋଇଯାଇଥାଏ।ମୁତାରେ ସେମିତି କୈାଣସି ନିର୍ଦ୍ଦିଷ୍ଟ ସମୟସୀମା ସ୍ଥିର ନକଲେ ଏହା ନିକାହର ମାନ୍ୟତା ପାଏ।"ମୁତା" ଏକ ଆରବିକ ଶବ୍ଦରୁ ଆନୀତ,ଯାହାର ଅର୍ଥ ହେଉଛି,ଉପଭୋଗ,ତେବେ ଏହି ବିବାହ ନିମନ୍ତେ ମଧ୍ୟ ନିକାହ ଭଳି ଅନ୍ୟାନ୍ୟ ସକ୍ଷମତା ଅର୍ଜନ କରିବାକୁ ପଡିଥାଏ।


ତେବେ ଏହି ମୁତା ବିବାହରେ ପତି ଏବଂ ପତ୍ନୀ ପରସ୍ପରର ସମ୍ପତ୍ତିର ଉତ୍ତରାଧିକାରୀ ନୁହଁନ୍ତି।ଏହି ବିବାହ ରୁ ଜାତ ପିଲାମାନେ କିନ୍ତୁ ବୈଧ ଏବଂ ମାତାପିତା ଉଭୟଙ୍କ ସମ୍ପତ୍ତିରୁ ଉତ୍ତରାଧିକାର ପାଇଥାନ୍ତି।ଏହି ବିବାହରେ ସମୟସୀମା ଅତିକ୍ରାନ୍ତେ ଆପେଆପେ ବିଚ୍ଛେଦ ହୋଇଯାଏ,ଏବଂ ତା ପୂର୍ବରୁ ବିଚ୍ଛେଦ ହୋଇପାରିନଥାଏ।

Our Recent Posts