• ସୂର୍ଯ୍ୟସ୍ନାତା ଦାସ

ନିରାପତ୍ତା ଓ ସୁବିଧା ପ୍ରଭୃତିର ସୁରକ୍ଷା ଦିଗରେ ସଂହିତା



ରାଷ୍ଟ୍ରର ଉନ୍ନତି ତଥା ଉପଯୁକ୍ତ ପରିଚାଳନା ନିମନ୍ତେ ଜନସାଧାରଣଙ୍କ ସ୍ଵାସ୍ଥ୍ୟ, ନିରାପତ୍ତା ଓ ସୁବିଧା ପ୍ରଭୃତିର ସୁରକ୍ଷା କରିବା ଆଇନର ଏକ ମହତ୍ ଲକ୍ଷ୍ୟ। ଏହାର ଅଭାବରେ ରାଷ୍ଟ୍ରରେ ବିଶୃଙ୍ଖଳା ସୃଷ୍ଟି ହୋଇ ଜନସାଧାରଣଙ୍କ ଜୀବନ ଅବ୍ୟବସ୍ଥିତ ହୋଇପଡେ,ଯାହା ରାଷ୍ଟ୍ର ପାଇଁ ବିପଦପୂର୍ଣ୍ଣ ହୋଇଥାଏ। ଏହାକୁ ପ୍ରତିରୋଧ କରିବା ପାଇଁ ଏହି ସଂହିତାର ଚତୁର୍ଦ୍ଦଶ ଅଧ୍ୟାୟର ବିଭିନ୍ନ ଧାରାରେ ଭିନ୍ନଭିନ୍ନ ବ୍ୟବସ୍ଥା ରହିଛି।


ଦଫା ୨୬୮ ଅନୁଯାୟୀ,ଯଦି କିଛି କାର୍ଯ୍ୟ ସର୍ବସାଧାରଣଙ୍କ ଅଥବା ନିକଟରେ ବସବାସ ବା ସମ୍ପତ୍ତି ଭୋଗ କରୁଥିବା କୌଣସି ବ୍ୟକ୍ତିଙ୍କର ଅବା ବ୍ୟକ୍ତିଙ୍କ ଉକ୍ତ ଅଧିକାରର କ୍ଷତି, ବିପଦ ବା ବିରକ୍ତି ସୃଷ୍ଟି କରେ,ତାହା ଦଣ୍ତନୀୟ ହୋଇଥାଏ।


ଖାଦ୍ୟ,ପାନୀୟ ତଥା ଓ୍ୟଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀରେ ଅପମିଶ୍ରଣ ସମାଜ ପାଇଁ ଖୁବ ଭୟଙ୍କର ହୋଇଥାଏ ।ଦଫା ୨୭୨ ଓ ଦଫା ୨୭୩,ଖାଦ୍ୟ ଓ ପାନୀୟରେ ଅପମିଶ୍ରଣ କରିବା ବା ତାର ବିକ୍ରୟକୁ ତଥା ଦଫା ୨୭୪,୨୭୫ ଯଥାକ୍ରମେ ଔଷଧ ପ୍ରଭୃତିରେ ଅପମିଶ୍ରଣ ଓ ତାର ବିକ୍ରୟକୁ ଦଣ୍ଡିତ କରିଥାଏ। ଅପମିଶ୍ରଣର ଅର୍ଥ ଖାଦ୍ୟ ବା ପାନୀୟରେ ସେହି ପ୍ରକୃତିର ମାତ୍ର ନିକୃଷ୍ଟ ଧରଣର କିଛି ମିଶାଇବା।ଚାଉଳ,ସୋୟାବିନ ପ୍ରଭୃତିରେ ଗୋଡି ପ୍ରଭୃତି ଅପମିଶ୍ରଣର ଉଦାହରଣ।ତେବେ ଏହି ଦଫା ଗୁଡିକ ଅନୁସାରେ ବିକ୍ରି ଉଦ୍ଦେଶ୍ୟରେ ଏପରି କରିବା କିମ୍ବା ଏଭଳି ଅପମିଶ୍ରିତ ଦ୍ରବ୍ୟର ବିକ୍ରି କରିବା ଏକ ଅପରାଧ ଏବଂ ଏଥିନିମନ୍ତେ ଛଅ ମାସ ପର୍ଯ୍ୟନ୍ତ କାରାଦଣ୍ଡ ବା ୧୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଅଥବା ଉଭୟ ଦଣ୍ଡାଦେଶ ହୋଇପାରେ।ଏସବୁ ଅପରାଧ କ୍ଷେତ୍ରରେ ଓଡିଶା ନିଜ ଆଇନରେ ସଂଶୋଧନ କରି କାରାଦଣ୍ଡର ସୀମାକୁ ପରିସ୍ଥିତି ଅନୁସାରେ ବଢାଇପାରିବାର ଏପରିକି ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ସଂପ୍ରସାରିତ କରିପାରିବାର ବ୍ୟବସ୍ଥା କରିଛି।


ଆପଣ ଜାଣନ୍ତି କି,ପର୍ଯ୍ୟାବରଣକୁ ଖରାପ କରିବା ଏକ ଅପରାଧ ଭାବରେ ସ୍ଵୀକୃତ ହୋଇଥାଏ ଏବଂ ଏଥିନିମନ୍ତେ ୫୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ସର୍ବସାଧାରଣରେ ବ୍ୟବହୃତ ଜଳ ଉତ୍ସକୁ ଖରାପ କରିବା ମଧ୍ୟ ଏକ ଅପରାଧ ଏବଂ ଏଥିନିମନ୍ତେ ୩ ମାସ ପର୍ଯ୍ୟନ୍ତ କାରାଦଣ୍ଡ ବା ୫୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଅଥବା ଉଭୟ ଦଣ୍ଡାଦେଶ ହୋଇପାରେ।


ଲୋକମାର୍ଗ ହେଉ ଅଥବା ଜଳପଥ,ଅସୁରକ୍ଷିତ ଭାବରେ ଦ୍ରୁତଗତି ଉଭୟ ଚାଳକ ତଥା ସର୍ବସାଧାରଣଙ୍କ ପାଇଁ ମହାବିପତ୍ତି,ତେଣୁ ଏଥିନିମନ୍ତେ ଦଣ୍ଡର ଫଳସ୍ଵରୂପ ଛଅ ମାସ ପର୍ଯ୍ୟନ୍ତ କାରାଦଣ୍ଡ ବା ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଅଥବା ଉଭୟ ଦଣ୍ଡାଦେଶ ହୋଇପାରେ।


ନୌଚାଳକକୁ ବିପଥରେ ପଠାଇବା ପାଇଁ ମିଛଆଲୋକ, ନିଶାଣ ଇତ୍ୟାଦି ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କୁ ଉଭୟ କାରାଦଣ୍ଡ ମଧ୍ୟରୁ ଯେ କୌଣସି ପ୍ରକାର କାରାଦଣ୍ଡରେ ଦଣ୍ଡିତ କରାଯିବ, ଯାହାର ସମୟସୀମା ସାତ ବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇପାରେ,କିମ୍ବା ଜରିମାନା ଦଣ୍ଡ କିମ୍ବା ଉଭୟରେ ଦଣ୍ଡିତ କରାଯିବ ।


ଅନେକ ସମୟରେ ଆପଣ ଅଧିକ ଯାତ୍ରୀ ହେତୁ ଅବା ଜଳଯାନର ନିରାପଦହୀନ ଖରାପ ଅବସ୍ଥା ଯୋଗୁଁ ଡଙ୍ଗାବୁଡି ହେବାର ଖବର ଶୁଣିଥିବେ। ଏହାକୁ ପ୍ରତିରୋଧ କରିବା ପାଇଁ ଦଣ୍ତ ସଂହିତାରେ ଦଫା ୨୮୨ର ବ୍ୟବସ୍ଥା ଅଛି,ଯାହା ଅନୁଯାୟୀ ଜ୍ଞାତସାରରେ ବା ଅବହେଳାବଶତଃ ଏ ପ୍ରକାର ନେବାଆଣିବା କଲେ ଛଅ ମାସ ପର୍ଯ୍ୟନ୍ତ କାରାଦଣ୍ତ ବା ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡ ବା ଉଭୟ ଦଣ୍ଡରେ ମିଳିପାରେ ।


ଯଦି କୌଣସି ବ୍ୟକ୍ତି ନିଜ ନିୟନ୍ତ୍ରଣରେ ଥିବା କୌଣସି ଦ୍ରବ୍ୟକୁ ଶୃଙ୍ଖଳିତ ଭାବେ ନ ରଖିବା ଦ୍ଵାରା ତାହା କୌଣସି ସର୍ବସାଧାରଣ ରାସ୍ତା ବା ନୌଚଳାଚଳରେ କୌଣସି ବ୍ୟକ୍ତି ପାଇଁ ବିପଦ ସୃଷ୍ଟି କରେ, ତେବେ ତାଙ୍କୁ ଦୁଇ ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ ।


ଯେଉଁ ଦ୍ରବ୍ୟ ନିଜ ନିୟନ୍ତ୍ରଣରେ ନରହି ପାରିଲେ ଅନ୍ୟ ପାଇଁ କ୍ଷତିକାରକ ହୋଇଥାଏ,ସେଥିରେ ଜ୍ଞାତସାରରେ ବା ଅବହେଳାବଶତଃ ଉପେକ୍ଷା ବା ଅସାବଧାନତା ଦଣ୍ଡଯୋଗ୍ୟ ହୋଇଥାଏ। ସେହି ରଖିବା ସମୟରେ ମାନବ ଜୀବନନାଶର ଆଶଙ୍କା କିମ୍ବା ଗୁରୁତର ଆଘାତର ଆଶଙ୍କା ନ ହେବା ପ୍ରତି ଯଥୋଚିତ ସତର୍କତା ଅବଲମ୍ବନ କରିବାକୁ ହୋଇଥାଏ।


-ବିଷାକ୍ତ ଦ୍ରବ୍ୟ ସମ୍ବନ୍ଧରେ ଅସାବଧାନ ଆଚରଣ ପାଇଁ ମଧ୍ୟ ଛଅ ମାସ ପର୍ଯ୍ୟନ୍ତ କାରାଦଣ୍ତ କିମ୍ବା ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡ ବା ଉଭୟ ଦଣ୍ଡର ମିଳିପାରେ ।


-ଅଗ୍ନି ବା ଦହନୀୟ ବସ୍ତୁକୁ ନେଇ ଅସାବଧାନ ଆଚରଣ ପାଇଁ ମଧ୍ୟ ସମାନ ଦଣ୍ଡ ମିଳିଥାଏ।


-ବିଷ୍ଫୋରକ ଦ୍ରବ୍ୟ ସମ୍ବନ୍ଧୀୟ ଅସାବଧାନ ଆଚରଣ ମଧ୍ୟ ସମାନ ଦଣ୍ଡ ଆକର୍ଷିତ କରିଥାଏ।


- ଯନ୍ତ୍ରପାତିକୁ ନେଇ ଅସାବଧାନ ଆଚରଣ ମଧ୍ୟ ଛଅ ମାସ ପର୍ଯ୍ୟନ୍ତ ବଦ୍ଧିତ ହୋଇପାରେ କିମ୍ବା ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡ ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ ।


-କୌଣସି ଘର ଭାଙ୍ଗିବା ବା ମରାମତି ସମୟରେ ଅସାବଧାନ ଆଚରଣ ପାଇଁ ମଧ୍ୟ ଉକ୍ତ ଦଣ୍ଡ ମିଳିଥାଏ।


-ରଖାଯାଇଥିବା କୌଣସି ପଶୁ ସମ୍ବନ୍ଧୀୟ ଅସାବଧାନ ଆଚରଣ ମଧ୍ୟ ଆପଣଙ୍କୁ ଉପରୋକ୍ତ ଦଣ୍ଡରେ ଦଣ୍ତିତ କରାଇପାରିବ।


ଏହି ସଂହିତାରେ ଦଣ୍ଡର ବ୍ୟବସ୍ଥା ନଥିବା ସ୍ଥଳେ,ଯଦି କୌଣସି ବ୍ୟକ୍ତି ସର୍ବସାଧାରଣଙ୍କର କୌଣସି ଅପକାର ହେବାଭଳି କାର୍ଯ୍ୟ କରନ୍ତି, ତେବେ ତାଙ୍କୁ ଦୁଇ ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇପାରିବ ।ତେବେ ଯଦି କୌଣସି ବ୍ୟକ୍ତି ପ୍ରାଧିକାରପ୍ରାପ୍ତ ଲୋକ-ସେବକଙ୍କଠାରୁ ନିବୃତ ରହିବା ପାଇଁ ନିଷେଧାଦେଶ ପାଇ ମଧ୍ୟ ଉକ୍ତ ଅପକାରକୁ ଚାଲୁ ରଖୁଛି ,ତେବେ ଉକ୍ତ ବ୍ୟକ୍ତିଙ୍କୁ ଛଅ ମାସ ପର୍ଯ୍ୟନ୍ତ ଅଶ୍ରମ କାରାଦଣ୍ଡ ବା ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇପାରେ ।


ଏହା ବ୍ୟତିରକେ ଆମ ସଂହିତାରେ ବେଆଇନ ଲଟେରୀକୁ ମଧ୍ୟ ଦଣ୍ତନୀୟ କରାଯାଇଛି ଓ ଏଥିପାଇଁ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା କରାଯାଇଛି।ଏହା ଅନୁସାରେ ମଧ୍ୟ କେହି ଯଦି ବେଆଇନ ଭାବରେ ଲଟେରୀ କାର୍ଯ୍ୟାଳୟ ରଖନ୍ତି, ତେବେ ତାଙ୍କୁ ଛଅମାସ ପର୍ଯ୍ୟନ୍ତ କାରାଦଣ୍ଡ ବା ଜରିମାନା ଦଣ୍ଡ ବା ଉଭୟ ଦଣ୍ଡ ମିଳିପାରେ।

Our Recent Posts

Law in Odia

India

LAW IN ODIA