• ସୂର୍ଯ୍ୟସ୍ନାତା ଦାସ

ପ୍ରବଞ୍ଚନା -କରନାହିଁ ଜମା



ନୈତିକତା ଓ ଆଇନର ଆଖିରେ ପ୍ରବଞ୍ଚନା ବା ଚିଟିଙ୍ଗ ଏକ ଅପରାଧ,ଏହା ଆମ ସମସ୍ତଙ୍କୁ ଜଣା।ତେବେ ଆସନ୍ତୁ ଜାଣିବା,ସଂହିତାର ଭାଷାରେ ଏହି ପ୍ରବଞ୍ଚନା କ'ଣ?


କୌଣସି ବ୍ୟକ୍ତିଙ୍କୁ ଠକାଇ ବା ପ୍ରତାରଣା କରି ଅର୍ଥାତ ଧୋକା ଦେଇ ଅଥବା ଅସାଧୁତାରେ ଦିଆଯାଇଥିବା ପ୍ରବର୍ତ୍ତନାରୁ ସୃଷ୍ଟ କାର୍ଯ୍ୟ ଫଳରେ ଯଦି ବ୍ୟକ୍ତିର ଶରୀର,ମନ,ସମ୍ପତ୍ତି ଓ ସମ୍ମାନ ପ୍ରଭୃତି ଉପରେ କ୍ଷତି ଆସେ ,ତେବେ ତାହା ପ୍ରତାରଣା ରୂପେ କଥିତ ହୁଏ।ଏହି ଅପରାଧରେ ପୀଡିତଙ୍କୁ ମୁଖ୍ୟତଃ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ କରାଯାଇ ପ୍ରଭାବିତ କରାଯାଇଥାଏ।


ଆପଣ ତ ଜାଣିଛନ୍ତି,ଏହି ପ୍ରବଞ୍ଚନା ଅନେକ ଉପାୟରେ କରାଯାଇପାରେ। ଛଦ୍ମବେଶରେ ଆସି ପ୍ରବଞ୍ଚନା କରିବା ତାହା ମଧ୍ୟରୁ ଅନ୍ୟତମ। ଯଦି କୌଣସି ବ୍ୟକ୍ତି, ନିଜକୁ ଅନ୍ୟବ୍ୟକ୍ତି ବୋଲି ଛଳନା କରି କିମ୍ବା ଜାଣିଶୁଣି ଅନ୍ୟ କାହାକୁ ଉକ୍ତ ବ୍ୟକ୍ତି ବୋଲି ପରିଚିତ କରାଇ ପ୍ରତାରଣା କରନ୍ତି,ତେବେ ସେ ଛଦ୍ମବେଶରେ ପ୍ରବଞ୍ଚନା କରିଛନ୍ତି ବୋଲି କୁହାଯିବ।


ପ୍ରବଞ୍ଚନା ନିମନ୍ତେ ଅପରାଧୀକୁ ଏକବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ବା ଜରିମାନା ଦଣ୍ଡ ବା ଉଭୟ ଦଣ୍ଡ ଦିଆଯାଇଥାଏ।ଅପରାଧଟି ଛଦ୍ମବେଶରେ ହେଲେ କାରାଦଣ୍ଡର ସୀମା ତିନି ବର୍ଷ ପର୍ଯ୍ୟନ୍ତ ବଢିଯାଇଥାଏ।


'ଳ' ଏକ ଜିନିଷ ଉପରେ ମିଛ ଚିହ୍ନ ଲଗାଇ 'ଧ' କୁ ଜଣାଏ ଯେ ଜିନିଷଟି ଏକ ବଡ଼ ଓ ଭଲ କମ୍ପାନୀର ଓ 'ଧ' କୁ ଏହା କିଣିବା ପାଇଁ ପ୍ରବର୍ତ୍ତାଏ। ଏ କ୍ଷେତ୍ରରେ ‘ଳ’ ପ୍ରବଞ୍ଚକ ରୂପେ କଥିତ ହୋଇଥାଏ ।


'ଡ଼' ଗୋଟିଏ ଜିନିଷର ମିଛ ସାମ୍ପଲ ବା ନମୁନା ପ୍ରଦର୍ଶିତ କରି 'ବ' କୁ ଜଣାଏ ଯେ, ଜିନିଷଟି ଉତ୍କୃଷ୍ଟ ଧରଣର ,ତେଣୁ 'ବ' ଏହାକୁ କିଣିବା ଉଚିତ ।'ଡ଼' ପ୍ରବଞ୍ଚନା କଲା ବୋଲି କୁହାଯିବ ।


କେ ଆର କୁମାରନ ବନାମ କେରଳ ରାଜ୍ୟ ମାମଲାରେ ଡାକ୍ତର ଜାଣିଥିଲେ ଯେ ବ୍ୟକ୍ତି ଜଣଙ୍କ ଶରୀର ଏତେ ଖରାପ ଅଛି ବା ସେ ଏପରି ଅବସ୍ଥାରେ ଅଛନ୍ତି ଯେ, ତାଙ୍କର ଅଧିକ ଦିନ ବଞ୍ଚିବା ସମ୍ଭବ ନୁହେଁ। ଏହା ପରେ ବି ଜୀବନ ବୀମା କରିବା ନିମନ୍ତେ ତାଙ୍କୁ ଉପଯୁକ୍ତ ଓ ସୁସ୍ଥ ଥିବାର ପ୍ରମାଣ ପତ୍ର ଦେଇଥିଲେ ।ଏ କ୍ଷେତ୍ରରେ ବୀମା କମ୍ପାନୀ ସହ ପ୍ରବଞ୍ଚନା କରିବା ନିମନ୍ତେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।


ଯେଉଁ ବ୍ୟକ୍ତିର ସ୍ଵାର୍ଥ ରକ୍ଷା ପାଇଁ ଅପରାଧୀ ବାଧ୍ୟ ଥାଇ ସୁଦ୍ଧା ଜାଣିଶୁଣି ପ୍ରବଞ୍ଚନା କରିଥାଏ,ସେ କ୍ଷେତ୍ରରେ ଏହି ପ୍ରବଞ୍ଚନାଟିର ଗମ୍ଭୀରତା ଖୁବ ବଢିଯାଇଥାଏ।ଏହି ପ୍ରକାରର ଅପରାଧରେ ସେହି ଅପରାଧୀଟିକୁ ତିନିବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ବା ଜରିମାନା ବା ଉଭୟ ଦଣ୍ଡ ମିଳିଥାଏ।


ଯଦି ଏହି ପ୍ରତାରଣାଟି ସମ୍ପତ୍ତି ସମର୍ପଣ ପାଇଁ ବା ସମ୍ପତ୍ତିକୁ ନଷ୍ଟ କରିବା ଉଦ୍ଦେଶ୍ୟରେ କରାଯାଇଥାଏ,ତେବେ ଆଇନର ଆଖିରେ ପାଇବାକୁ ଥିବା ଦଣ୍ଡ ଅପରାଧୀ ନିମନ୍ତେ ଅଧିକ ଶକ୍ତ ହୋଇଯାଇଥାଏ।ଯେତେବେଳେ ଅପରାଧୀ ଜଣଙ୍କ କୌଣସି ସମ୍ପତ୍ତି ଦେଇଦେବା ପାଇଁ ଅବା ନଷ୍ଟ କରିବା ପାଇଁ ବା କୌଣସି ମୂଲ୍ୟବାନ ପ୍ରତିଭୂତିଯୁକ୍ତ କାଗଜ ଦେଇଦେବା ପାଇଁ ବା ନଷ୍ଟ କରିଦେବା ପାଇଁ ଅସାଧୁ ପ୍ରବର୍ତ୍ତନା ଦିଅନ୍ତି,ତେବେ ତାଙ୍କୁ ଜରିମାନା ସହ ସାତବର୍ଷ ପର୍ଯ୍ୟନ୍ତ ଅଶ୍ରମ ବା ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ ମିଳିଥାଏ।


ଅପରାଧ କରିବା ଯେତିକି ନିନ୍ଦନୀୟ,ପ୍ରବଞ୍ଚନା ପୂର୍ବକ ଅପରାଧ କରିବା ତାହାଠାରୁ ଅଧିକ ନିନ୍ଦନୀୟ କାରଣ ଅପରାଧ ବ୍ୟତିରକେ ପ୍ରବଞ୍ଚନାଟି ମୂଲ୍ୟବୋଧ ଦୃଷ୍ଟିକୋଣରୁ ନିଜେ ଏକ ସ୍ଵତନ୍ତ୍ର ଅପରାଧ ଭାବରେ ପରିଗଣିତ।

Our Recent Posts

Law in Odia

India

LAW IN ODIA