• ସୂର୍ଯ୍ୟସ୍ନାତା ଦାସ

ପ୍ରମାଣର ଭାର - କାହା ଉପରେ ଖଣ୍ଡାର ଧାର



ଅପରାଧଟିଏ ଘଟିଲେ ନ୍ୟାୟ ପ୍ରଦାନ ପାଇଁ ଆଇନ ଅପରାଧଟି ଘଟିଥିବାର ପ୍ରମାଣ ଖୋଜିଥାଏ।ଏହି ପ୍ରମାଣ ଖୋଜିବା ନିମନ୍ତେ ପ୍ରମାଣର ଭାର ଅପରାଧ ସଂପର୍କିତ ଆଇନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।ସରଳ ଅର୍ଥରେ ପ୍ରମାଣର ଭାର କହିଲେ ଯେ, ପ୍ରମାଣ କରିବା ଦାୟିତ୍ୱକୁ ବୁଝାଇଥାଏ,ଏ ବିଷୟରେ ତ ସମସ୍ତେ ଅବଗତ,ତେବେ ଏ ପ୍ରମାଣକରିବାର ଦାୟିତ୍ୱଟି କେଉଁ କ୍ଷେତ୍ରରେ କାହା ଉପରେ ପଡିଥାଏ ଆସନ୍ତୁ ଜାଣିବା।


ଏହି ପ୍ରମାଣର ଭାରକୁ ବର୍ଣ୍ଣନା କରି ଭାରତୀୟ ସାକ୍ଷ୍ୟବିଧି ଆଇନ କହେ ଯେ, ଯେତେବେଳେ କୌଣସି ବ୍ୟକ୍ତି ନିର୍ଦ୍ଦିଷ୍ଟ ତଥ୍ୟ ଉପରେ ନିର୍ଭର କରୁଥିବା ନିଜର ଆଇନ୍‌ଗତ ଅଧିକାର କିମ୍ବା ଦାୟିତ୍ଵ ପାଇବା ପାଇଁ ନ୍ୟାୟାଳୟର ଦ୍ଵାରସ୍ଥ ହୁଅନ୍ତି, ନ୍ୟାୟାଳୟ ସମ୍ମୁଖରେ ଉକ୍ତ ତଥ୍ୟର ଅସ୍ତିତ୍ଵ ପ୍ରମାଣ କରିବାକୁ ସେ ଆଇନଗତ ଭାବେ ବାଧ୍ୟ ହୁଅନ୍ତି।ସାକ୍ଷ୍ୟବିଧି ଆଇନର ଧାରା ୧୦୧ ଅନୁଯାୟୀ ଏହାକୁ ପ୍ରମାଣର ଭାର କୁହାଯାଇଥାଏ।


ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ପ୍ରମାଣର ଭାର କାହା ଉପରେ ପଡ଼ିବ।ଧାରା ୧୦୨ ଅନୁଯାୟୀ କୌଣସି ମକଦ୍ଦମା ବା କାର୍ଯ୍ୟାନୁଷ୍ଠାନରେ ଦୁଇ ପକ୍ଷଭିତରୁ କେହି ପକ୍ଷ ସାକ୍ଷ୍ୟ ନ ଦେଲେ, ସେଥି ଯୋଗୁଁ ଅସଫଳ ହୋଇଥିବା ବ୍ୟକ୍ତିଙ୍କ ଉପରେ ପ୍ରମାଣର ଭାର ନ୍ୟସ୍ତ ହେବ ।ଏହାକୁ ଏକ ଉଦାହରଣ ସାହାଯ୍ୟରେ ବୁଝାଯାଇପାରିବ,


ଧରନ୍ତୁ ଗୋଟିଏ ଜମି ନେଇ ଦୁଇ ପଡୋଶୀ 'କ' ଓ 'ଖ'ଙ୍କ ମଧ୍ୟରେ ବିବାଦ ଚାଲିଛି। 'କ'ର ମତରେ ସେ ଜମିଟି ତାର ପୈତୃକ ଜମି ଓ ସେ ଜମିଟିକୁ 'କ'ର ପରିବାର ବହୁଦିନରୁ ବ୍ୟବହାର କରିଆସୁଛି।ମାତ୍ର 'ଖ' ମତରେ 'କ'ର ବାପା 'ଖ'ର ବାପାଙ୍କୁ ଉକ୍ତ ଜମିଟି ବିକ୍ରି କରିଦେଇଥିଲେ।


ଏ କ୍ଷେତ୍ରରେ ଜମିଟି ବିକ୍ରି ହୋଇଛି ବୋଲି ପ୍ରମାଣ କରିବା।ଦାୟିତ୍ୱ 'ଖ'ର ,ଅନ୍ୟଥା ଜମିଟି 'କ'ର ବୋଲି ମାନିନିଆଯିବ।


ସାକ୍ଷ୍ୟବିଧି ଆଇନରେ ଯଦି କୌଣସି ବିଶେଷ ସ୍ଥିତିରେ ପ୍ରମାଣର ଭାର ଆଇନଦ୍ଵାରା କୌଣସି ବ୍ୟକ୍ତି ଉପରେ ନ୍ୟସ୍ତ କରାଯାଇନାହିଁ,ତେବେ ସେ କ୍ଷେତ୍ରରେ ଉକ୍ତ ତଥ୍ୟ ଉପରେ ନ୍ୟାୟାଳୟର ଭରସା ପାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଉପରେ ପ୍ରମାଣର ଭାର ନ୍ୟସ୍ତ ରୁହେ।


ସାକ୍ଷ୍ୟକୁ ଗ୍ରହଣଯୋଗ୍ୟ କରିବା ପାଇଁ ଯେଉଁ ତଥ୍ୟ ପ୍ରମାଣିତ କରାଯିବା ଉଚିତ୍, ତାହାକୁ ପ୍ରମାଣିତ କରିବାର ଭାର ସେହି ବ୍ୟକ୍ତିଙ୍କ ଉପରେ ନ୍ୟସ୍ତରୁହେ,ଯିଏ ଏପରି ସାକ୍ଷ୍ୟ ଦେବା ନିମନ୍ତେ ଇଚ୍ଛା ପ୍ରକାଶ କରେ ।ଉଦାହରଣ ସ୍ଵରୂପ ଜଣଙ୍କର ମୃତପରର ୱିଲ କାର୍ଯ୍ୟକାରୀ କରିବା ପୂର୍ବରୁ ତାଙ୍କର ଯେ ମୃତ୍ୟୁ ଘଟିସାରିଛି,ଦାବି କରୁଥିବା ବ୍ୟକ୍ତି ନିମନ୍ତେ ଏହା ଦର୍ଶାଇବା ଆବଶ୍ୟକ ପଡିଥାଏ ।


ମାମଲା ଯଦି ବ୍ୟତିକ୍ରମ ଅନ୍ତର୍ଗତ, ତେବେ ତାହାକୁ ପ୍ରମାଣ କରିବାର ଦାୟିତ୍ୱ ଉକ୍ତ ଆରୋପୀ ଉପରେ ପଡିଥାଏ।ଉଦାହରଣସ୍ଵରୂପ ଯଦି କ ଯଦି ମାନସିକ ଅସୁସ୍ଥତାର ବଶବର୍ତ୍ତୀ ହୋଇ କୌଣସି ଅପରାଧ କରିଛି,ତେବେ ସେ ଅପରାଧ ସଂଘଟିତ ସମୟରେ ଯେ,କ ମାନସିକ ଅସୁସ୍ଥ ଥିଲା,ଧାରା ୧୦୫ ଅନୁଯାୟୀ ଏହାକୁ ପ୍ରମାଣ କରିବା କ ଉପରେ ନ୍ୟସ୍ତ ରହୁଛି।ସାଧାରଣତଃ ବିଚାର ସମୟରେ ନ୍ୟାୟାଳୟ ଏପରି କୌଣସି ପରିସ୍ଥିତିର ଅନୁପସ୍ଥିତିକୁ ହିଁ ଅନୁମାନ କରିଥାନ୍ତି ଏବଂ ଏହାର ଅସ୍ତିତ୍ଵକୁ ପ୍ରମାଣ କରିବାର ଭାର ଆରୋପୀ ଉପରେ ନ୍ୟସ୍ତ ଥାଏ ।


କେ.ଏମ ନାନାବତୀ ବନାମ ମହାରାଷ୍ଟ୍ର ରାଜ୍ୟ ମାମଲାରେ ଏହା ଦେଖାଯାଇଥିଲା ଯେ,ଯେତେବେଳେ ଜଣେ ନିଜକୁ ଏହି ବ୍ୟତିକ୍ରମର ଅନ୍ତର୍ଗତ ବୋଲି ଦାବି କରିଥାଏ,ସେତେବେଳେ ତାହା ସାବ୍ୟସ୍ତ କରିବା ନିମନ୍ତେ ପ୍ରମାଣର ଭାର ଉକ୍ତ ବ୍ୟକ୍ତି ଉପରେ ହିଁ ପଡିଥାଏ।


ଯେତେବେଳେ କୌଣସି ବ୍ୟକ୍ତିଙ୍କ ସ୍ଥିତି ଜୀବିତ ବା ମୃତ ଥିଲା ବୋଲି ନେଇ ପ୍ରଶ୍ନ ଉଠେ ଏବଂ ୩୦ ବର୍ଷ ମଧ୍ୟରେ ସେ ଜୀବିତ ବୋଲି ଦର୍ଶାଇଦିଆଯାଏ, ତେବେ ତାଙ୍କୁ ମୃତ ପ୍ରମାଣ କରିବାର ଭାର ଦାବିକରୁଥିବା ବ୍ୟକ୍ତି ଉପରେ ନ୍ୟସ୍ତ ରହିବ। କୌଣସି ବ୍ୟକ୍ତିଜଣଙ୍କ ବଞ୍ଚିଛନ୍ତି ନା ମରିଯାଇଛନ୍ତି,ଯଦି ଏ ବିଷୟରେ ସାତ ବର୍ଷ ହେଲା କିଛି ଜଣାନାହିଁ,ତେବେ ଏପରି ବ୍ୟକ୍ତି ଜୀବିତ ଥିବା ସମ୍ବନ୍ଧରେ ପ୍ରମାଣ ଭାର ଉକ୍ତ ଦାବି କରୁଥିବା ବ୍ୟକ୍ତି ଉପରେ ହିଁ ପଡିଥାଏ।ସଂହିତା ଅନୁଯାୟୀ ବିଶେଷଭାବେ ଜ୍ଞାତ ତଥ୍ୟର ପ୍ରମାଣ ଭାର ଦାବିକରୁଥିବା ବ୍ୟକ୍ତିଙ୍କ ଉପରେ ଥାଏ।


ଯେତେବେଳେ କିଛି ନିର୍ଦ୍ଦିଷ୍ଟ ସଂପର୍କର ପ୍ରକାରକୁ ନେଇ ପ୍ରଶ୍ନ ଉଠେ ଅର୍ଥାତ ଯେତେବେଳେ ଦୁଇ ବ୍ୟକ୍ତିଙ୍କ ଭିତରର ସଂପର୍କଟି ଅଂଶୀଦାରର କିମ୍ବା ଜମିମାଲିକ ମଧ୍ୟରେ ଥିବା ସଂପର୍କ ଏବଂ ଭଡା ନେଇଥିବା ବ୍ୟକ୍ତିର ଅବା ମାଲିକ ଓ ଅଭିକର୍ତ୍ତାଙ୍କ ସଂପର୍କ, ଏ ସମ୍ବନ୍ଧରେ ପ୍ରମାଣ ଭାର ସଂପର୍କ ଥିଲା ବୋଲି ଦାବି କରୁଥିବା ବ୍ୟକ୍ତି ଉପରେ ହିଁ ପଡିଥାଏ।


ଯେତେବେଳେ ପ୍ରଶ୍ନ ଏହା ଯେ କେତେକ ବ୍ୟକ୍ତି ଅଂଶୀଦାର, ଜମିଦାର ଓ ପ୍ରଜା କିମ୍ବା ମାଲିକ ଓ ଅଭିକର୍ତ୍ତା କି ନୁହଁନ୍ତି, ଯଦି ସେମାନେ ଏପରି ଭାବରେ କାର୍ଯ୍ୟ କରୁଥିବାର ଦର୍ଶାଇ ଦିଆଯାଇଛି, ତେବେ ସେମାନଙ୍କର ନିଜ ନିଜ ଭିତରେ ସଂପର୍କ ଯେ ସେପରି ନୁହେଁ ବା ବର୍ତ୍ତମାନ ସେପରି ସଂପର୍କ ଆଉ ନାହିଁ, ତାହା ଦୃଢୋକ୍ତି କରୁଥିବା ବ୍ୟକ୍ତିଙ୍କ ଉପରେ ତାହାର ପ୍ରମାଣ ଭାର ଥାଏ ।ମାଲିକାନା ବା ଦଖଲ ସଂପର୍କୀୟ ପ୍ରମାଣ ଭାର ଉକ୍ତ ଦାବି କରୁଥିବା ବ୍ୟକ୍ତି ଉପରେ ହିଁ ନ୍ୟସ୍ତ ଥାଏ।ଯେତେବେଳେ କାରବାରରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷର ବିଶେଷ ବିଶ୍ଵାସଭାଜନ ଥାଏ ଏବଂ ସରଳ ବିଶ୍ଵାସକୁ ନେଇ ପ୍ରଶ୍ନ ଉଠେ,ସେ କ୍ଷେତ୍ରରେ ସରଳ ବିଶ୍ୱାସର ପ୍ରମାଣ ଭାର ଯେଉଁ ପକ୍ଷ ବିଶେଷ ଭାବେ ବିଶ୍ଵାସ ଭାଜନ ସେହି ପକ୍ଷଟି ଉପରେ ହିଁ ପଡିଥାଏ ।


ସନ୍ତାନର ବୈଧତା ନିର୍ଦ୍ଧାରଣ କରିବାରେ ସାକ୍ଷ୍ୟବିଧି ଆଇନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ;


-ଯଦି ଗୋଟିଏ ବୈଧ ବିବାହ ମଧ୍ୟରେ ଶିଶୁଟିର ଜନ୍ମ ହେଉଛି,ତେବେ ଉକ୍ତ ଦମ୍ପତି ହିଁ ଜନ୍ମିତ ଶିଶୁର ବୈଧ ପିତାମାତା ଭାବରେ ପରିଗଣିତ ହୁଅନ୍ତି।


-ଯଦି ବିବାହ ବିଚ୍ଛେଦର ଦୁଇ ଶହ ଅଶି (୨୮୦) ଦିନ ମଧ୍ୟରେ ସନ୍ତାନ ଜନ୍ମ ନିଏ ଏବଂ ସେହି ସମୟ ମଧ୍ୟରେ ପ୍ରସୂତି ଜଣଙ୍କ ପୁର୍ନବିବାହ କରିନଥାନ୍ତି, ତେବେ ଶିଶୁଟି ଉକ୍ତ ପୁରୁଷର ବୈଧ ସନ୍ତାନରୂପେ ସ୍ଵୀକୃତି ପାଇଥାଏ।


ମାତ୍ର ଯଦି ପକ୍ଷଦ୍ୱୟଙ୍କର କେବେହେଲେ ପରସ୍ପର ମିଳନ ହୋଇନଥିବା ଦର୍ଶାଇଦିଆଯାଏ, ତେବେ ପରିସ୍ଥିତି ଭିନ୍ନ ହୁଏ।


ଆପଣ ଜାଣିଛନ୍ତି କି,ଯଦି କୌଣସି ବିବାହିତ ନାରୀ ତାଙ୍କ ବିବାହର ସାତ ବର୍ଷ ମଧ୍ୟରେ ଆତ୍ମ ହତ୍ୟା କରୁଛନ୍ତି ଓ ଏହା ପୂର୍ବରୁ ତାଙ୍କ ସ୍ଵାମୀ ବା ସ୍ଵାମୀଙ୍କର ସଂପର୍କୀୟ ତାଙ୍କ ପ୍ରତି ନିଷ୍ଠୁର ଆଚରଣ ଦେଖାଇଛନ୍ତି,ତେବେ ନ୍ୟାୟାଳୟ ଅନୁମାନ କରିଥାଏ ଯେ, ମହିଳାଜଣଙ୍କର ଆତ୍ମହତ୍ୟା ନିମନ୍ତେ ଉକ୍ତ ବ୍ୟକ୍ତିମାନେ ହିଁ କୁପ୍ରରୋଚକ ଭାବରେ କାର୍ଯ୍ୟ କରିଛନ୍ତି।ଏହି ନିଷ୍ଠୁର ଆଚରଣ କଣ ଏହି ସଂପର୍କରେ ଦଣ୍ଡସଂହିତା ୧୮୬୦ର ଦଫା ୪୯୮'କ'ରେ ବର୍ଣ୍ଣନା କରାଯାଇଛି। ସାକ୍ଷ୍ୟବିଧି ଆଇନର ଧାରା - ୧୧୩ ‘ଖ, ଅନୁସାରେ ଯୌତୁକ ମୃତ୍ୟୁ କ୍ଷେତ୍ରରେ ମଧ୍ୟ ଏହି ବ୍ୟବସ୍ଥା ଦେଖିବାକୁ ମିଳିଥାଏ।ଯଦି ମୃତ୍ୟୁ ପୂର୍ବରୁ ବିବାହିତା ମହିଳାଜଣଙ୍କ ଯୌତୁକ ଦାବିରେ ସ୍ଵାମୀ ବା ସ୍ଵାମୀଙ୍କର ସଂପର୍କୀୟଙ୍କ ଦ୍ଵାରା ନିଷ୍ଠୁର ଆଚରଣର ଶିକାର ହୋଇଛନ୍ତି,ତେବେ ଏହାକୁ ଦଣ୍ଡସଂହିତା ୧୮୬୦ର ଦଫା ୩୦୪ଖ ଅନୁଯାୟୀ ଯୌତୁକ ଜନିତ ମୃତ୍ୟୁ ବୋଲି ଅନୁମାନ କରାଯିବ।


ଏତଦବ୍ୟତୀତ ୧)ପ୍ରାକୃତିକ ଘଟଣାର ପ୍ରବାହ,୨) ମାନବିକ ଆଚରଣ, ୩) ସାର୍ବଜନୀନ ଏବଂ ବ୍ୟକ୍ତିଗତ ବ୍ୟାପାରର ସାଧାରଣ ଅନୁକ୍ରମକୁ ଦୃଷ୍ଟିକୁ ନେଇ ନ୍ୟାୟାଳୟ କେତେକ ତଥ୍ୟର ଅସ୍ତିତ୍ଵ ସଂପର୍କରେ ଅନୁମାନ କରି ପାରିବେ, ଯେଉଁ ଘଟଣା ସମ୍ଭବତଃ ଘଟିଛି ବୋଲି ନ୍ୟାୟାଳୟ ମନେ କରନ୍ତି। ଉଦାହରଣସ୍ଵରୂପ ଜଣେ ବ୍ୟକ୍ତିଙ୍କ ପାଖରୁ କିଛି ଚୋରି ହୋଇଯାଇଥିବା ଜିନିଷ ମିଳେ ଏବଂ ସେ ନିଜ ଦଖଲରେ କୈଫିୟତ ଦେଇ ନ ପାରନ୍ତି, ତେବେ ନ୍ୟାୟାଳୟ ହୁଏତ ଅନୁମାନ କରି ପାରନ୍ତି ଯେ,ଉକ୍ତ ବ୍ୟକ୍ତି ଜଣଙ୍କ ନିଜେ ଚୋର ବା ଜାଣିଶୁଣି ଚୋରାମାଲ ଗ୍ରହଣ କରିଛନ୍ତି।

Our Recent Posts

Law in Odia

India

LAW IN ODIA