• ସୂର୍ଯ୍ୟସ୍ନାତା ଦାସ

ବେଆଇନ ଅଟକ, ବେଆଇନ ନିରୋଧ;ଖୋଜିଦେବ ତାଙ୍କୁ ଆଇନର ପାଦ



ଆପଣ ମାନେ ତ ଦେଖିଥିବେ ଚଳଚ୍ଚିତ୍ର ପ୍ରଭୃତିରେ ବେଆଇନ ଅଟକ ଓ ବେଆଇନ ନିରୋଧ ଓ ଅପହରଣ କିଭଳି ଅତି ସାଧାରଣ କଥା ହୋଇଥାଏ ଓ ଚଳଚ୍ଚିତ୍ରରେ ଶେଷରେ ନାୟକ ତଥା ପୁଲିସ ଯାଇ ସେମାନଙ୍କୁ ଉଦ୍ଧାର କରନ୍ତି।ତେବେ ଆସନ୍ତୁ ଜାଣିବା,ପ୍ରକୃତପକ୍ଷେ ଏଭଳି ଅପରାଧ କ୍ଷେତ୍ରରେ ସଂହିତା କ'ଣ କହିଥାଏ।


ଯଦି କୌଣସି ବ୍ୟକ୍ତି ସ୍ଵେଚ୍ଛାରେ ଅନ୍ୟ ବ୍ୟକ୍ତିଙ୍କୁ ତାଙ୍କର ନିଜ ଅଧକାର ପରିସରଭୁକ୍ତ ଯେ କୌଣସି ଗନ୍ତବ୍ୟ ଦିଗକୁ ଅଗ୍ରସର ହେବାରେ ବାଧା ପ୍ରଦାନ କରନ୍ତି,ତେବେ ସେ ବେଆଇନ ନିରୋଧ କରିଛନ୍ତି ବୋଲି କୁହାଯାଇଥାଏ।ତେବେ ଯେତେବେଳେ କୌଣସି ବ୍ୟକ୍ତିକୁ ଏପରି ଭାବରେ ବେଆଇନ ନିରୋଧ କରାଯାଏ ଯେ, ସେ ଚାରିପାଖରେ ଉକ୍ତ ନିର୍ଦ୍ଧାରିତ ସୀମାରୁ ବାହାରି ଯିବାରେ ବାଧାପ୍ରାପ୍ତ ହୁଏ, ତେବେ ତାହାକୁ ବେଆଇନ ଅଟକ କୁହାଯାଏ ।


ଭାରତୀୟ ଦଣ୍ଡ ସଂହିତା ଉଭୟ ବେଆଇନ ନିରୋଧ ଓ ବେଆଇନ ଅବରୋଧକୁ ଅପରାଧ ଭାବରେ ଗଣନା କରିଥାଏ।ଦଫା ୩୪୧ ଅନୁସାରେ ଏହି ବେଆଇନ ନିରୋଧ ନିମନ୍ତେ ଏକ ମାସ ପର୍ଯ୍ୟନ୍ତ କାରାଦଣ୍ଡ, କିମ୍ବା ପାଞ୍ଚଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇଥାଏ।


ମହେନ୍ଦ୍ର ନାଥ ଚକ୍ରବର୍ତ୍ତୀ ବନାମ ଏମ୍ପେରର ମକଦ୍ଦମାରେ କୁହାଯାଇଥିଲା ଯେ,ଯେଉଁମାନେ ଶାରୀରିକ ଉପାୟ ସାହାଯ୍ୟରେ ଚାଲିପାରନ୍ତି,କେବଳ ସେହିମାନଙ୍କର ହିଁ ଯେ ବେଆଇନ ଅଟକ ହୋଇପାରିବ,ସେହିପରି ଭାବିବା ଭୁଲ୍,ଯେଉଁମାନେ କୌଣସି ସାହାରା ସାହାଯ୍ୟରେ ଚାଲନ୍ତି,ସେମାନଙ୍କର ମଧ୍ୟ ବେଆଇନ ଅଟକ ହୋଇପାରିଥାଏ।


ଦଫା ୩୪୨ ଅନୁସାରେ ବେଆଇନ ଅବରୋଧ ବା ଅଟକ କଲେ ଉକ୍ତ ବ୍ୟକ୍ତିଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ତ, କିମ୍ବା ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡରେ କିମ୍ବା ଉଭୟ ଦଣ୍ଡ ନିମନ୍ତେ ଦଣ୍ଡାଦେଶ ହୋଇପାରେ।


-ଏହି ବେଆଇନ ଅବରୋଧ ଯଦି ତିନି ବା ଅଧିକ ଦିନ ପାଇଁ ହୋଇଥାଏ,ତେବେ କାରାଦଣ୍ତର ସମୟସୀମା ଦୁଇବର୍ଷକୁ ବଢିପାରେ।


-ଦଶ ବା ଅଧିକ ଦିନ ପାଇଁ ଏହି ବେଆଇନ ଅବରୋଧ କ୍ଷେତ୍ରରେ ଜରିମାନା ସହିତ କାରାଦଣ୍ତର ସମୟସୀମା ତିନିବର୍ଷ ପର୍ଯ୍ୟନ୍ତ ହୋଇପାରେ।

ଗୋପାଳ ରେଡ୍ଡୀ ବନାମ ଲକ୍ଷ୍ମୀ ରେଡ୍ଡୀ ମାମଲାରେ ଏହା କୁହାଯାଇଥିଲା ଯେ,ଲୋକମାନେ ଯାଉଥିବା ଶଗଡ ଆଗରେ ଜାଣିଶୁଣି ବାଧା ସୃଷ୍ଟି କଲେ ତାହା ମଧ୍ୟ ବେଆଇନ ଅଟକ ହୋଇଥାଏ।


ଯଦି ଅନ୍ୟ କୌଣସି ବ୍ୟକ୍ତିର ମୁକ୍ତି ନିମନ୍ତେ ଆଦେଶନାମା ବାହାରିସାରିଛି ବୋଲି ଜାଣି ସୁଦ୍ଧା ତାଙ୍କୁ ବେଆଇନ ଭାବରେ ଅବରୋଧରେ ରଖାଯାଏ,ତେବେ ତାଙ୍କୁ ଏହି ସଂହିତା ଅନୂଯାୟୀ ଦୁଇ ବର୍ଷ ପର୍ଯ୍ୟନ୍ତ ଉଭୟ ବର୍ଣ୍ଣନୀୟ କାରାଦଣ୍ଡ ମଧ୍ୟରୁ ଯେକୌଣସି ଗୋଟିଏ ପ୍ରକାର କାରାଦଣ୍ତ ମିଳିପାରେ।


ଯଦି କୌଣସି ବ୍ୟକ୍ତିଙ୍କ ଏହି ବେଆଇନ ଅବରୋଧ ଗୋପନରେ କରାଯାଏ, ଅର୍ଥାତ୍


- ଉକ୍ତ ଅବରୁଦ୍ଧ ବ୍ୟକ୍ତିଙ୍କ ସ୍ଵାର୍ଥ ସହ ଜଡିତ ବ୍ୟକ୍ତି ଯେପରିକି ତାଙ୍କର ବନ୍ଧୁ,ପରିବାରବର୍ଗ ପ୍ରଭୃତିଙ୍କୁ ଅଥବା


- ଲୋକ-ସେବକମାନଙ୍କୁ


ତାଙ୍କର ଅବରୁଦ୍ଧ ବିଷୟ ଅବା ଅବରୁଦ୍ଧ-ସ୍ଥାନ ସଂପର୍କରେ ଜଣା ନପଡ଼େ ଓ ଏହା ହିଁ ଅବରୋଧକାରୀର ଉଦ୍ଦେଶ୍ୟ ଥାଏ,ତେବେ ତାକୁ ଦୁଇବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ହୋଇପାରେ।


ଜୋରଜବରଦସ୍ତ ସମ୍ପତ୍ତି ଆଦାୟ କିମ୍ବା ବାଧ୍ୟତାମୂଳକଭାବେ ଅବୈଧ କାର୍ଯ୍ୟ କରାଇବା ପାଇଁ ଅନ୍ୟାଯ୍ୟ ଅବରୋଧ କିମ୍ବା ଜବରଦସ୍ତ ଦୋଷ-ସ୍ଵୀକାରୋକ୍ତ ଆଦାୟ କିମ୍ବା ବାଧ୍ୟତାମୂଳକ ଭାବେ ସମ୍ପତ୍ତି ପ୍ରତ୍ୟାର୍ପଣ ଉଦ୍ଦେଶ୍ୟରେ ବେଆଇନ ଅବରୋଧ କରିବାର ଅପରାଧ କଲେ,ଉକ୍ତ ବ୍ୟକ୍ତିକୁ ଜରିମାନା ସହ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ହୋଇପାରେ।


ଅପହରଣ ଏବଂ ବଳାତ୍ ଅପହରଣ ଅର୍ଥାତ ଆବଡକ୍ସନ ଓ କିଡନାପର ଅପରାଧ ଏହାଠାରୁ ଖୁବ ଭିନ୍ନ ଓ ପ୍ରକୃତିରେ ଅଲଗା ।ଦଫା ୩୬୧ ଅନୁସାରେ ଯେତେବେଳେ କୌଣସି ବ୍ୟକ୍ତିଙ୍କୁ ଭାରତ ବାହାରକୁ ଅଥବା ତାଙ୍କର ଆଇନତଃ ଅଭିଭାବକଙ୍କ ହେପାଜତ ବାହାରକୁ ନିଆଯାଉଛି,ସେତେବେଳେ ତାହାକୁ ବଳାତ୍ ଅପହରଣ ଅବା କିଡନାପିଙ୍ଗ କୁହାଯାଏ ମାତ୍ର ଯେତେବେଳେ ପ୍ରତାରଣା ବା ବଳପୂର୍ବକ କୌଣସି ବ୍ୟକ୍ତିଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଏ,ତାହା ଅପହରଣ ବା ଆବଡକ୍ସନ ହୋଇଥାଏ। ।


ପ୍ରଥମ ଦୁଇଟି ଅପରାଧ କେବଳ ଗୋଟିଏ ସ୍ଥାନରେ ଅଟକାଇ ରହିବା ପର୍ଯ୍ୟନ୍ତ ହୋଇଥିବା ବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଲେ ଶେଷ ଅପରାଧ ଦୁଇଟି ହୋଇଥାଏ।ସୁତରାଂ ଏ ଦୁଇଟି ଅପରାଧର ପରିଣାମ ଭିନ୍ନ ।


ଏହି ଅପହରଣ ଏବଂ ବଳାତ୍ ଅପହରଣ ଅର୍ଥାତ ଆବଡକ୍ସନ ଓ କିଡନାପିଙ୍ଗ ମଧ୍ୟ ପରସ୍ପର ଠାରୁ ଖୁବ ପୃଥକ।ପ୍ରଥମଟିରେ ଅପରାଧ ନିମନ୍ତେ ଅପରାଧିକ ଅଭିପ୍ରାୟ ଆବଶ୍ୟକ ହେଉଥିବା ବେଳେ ଦ୍ଵିତୀୟଟିରେ ଅଭିପ୍ରାୟ ଥାଉ ଅବା ନଥାଉ,ଅପରାଧ ହୋଇଥାଏ।ପ୍ରଥମଟି ସାଧାରଣତଃ ଯେ କୌଣସି ବ୍ୟକ୍ତି ନିମନ୍ତେ ପ୍ରଯୁଜ୍ୟ ଥିବା ବେଳେ ଦ୍ଵିତୀୟଟିନାବାଳକ ଓ ମାନସିକ ଅକ୍ଷମ ବ୍ୟକ୍ତିଙ୍କୁ ଆଇନତଃ ଅଭିଭାବକଙ୍କ ହେପାଜତ ବାହାରକୁ ନେବା ସମୟରେ ହୋଇଥାଏ।


ରାଜ୍ୟ ହରିୟାଣା ବନାମ ରାଜାରାମରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଅଭିଯୁକ୍ତର ମନାଇବା ଫଳରେ ନାବାଳକ ଜଣଙ୍କ ତାଙ୍କ ସହିତ ଯାଏ,ତେବେ ଫୁସୁଲାଇ ନେଇଯିବା ଦ୍ଵାରା ତାହା ଦଫା ୩୬୧ ଅଧୀନରେ ଅପରାଧ ହେବ।

ଅନ୍ୟ ଏକ ଚର୍ଚ୍ଚିତ ମାମଲା ଏହି ସଂପର୍କରେ ସାମ୍ନାକୁ ଆସେ।ଏଠାରେ ଜଣେ ମହିଳା ଛାତ ଉପରେ ଶୋଇଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କ ପାଖକୁ ଆସିଥିଲେ ଓ ସାଥିରେ ଯିବାକୁ କହିଥିଲେ ।ମାତ୍ର ମହିଳା ମନା କରିବାକୁ ତାଙ୍କୁ ଜୋରଜବରଦସ୍ତ ଉଠାଇନେବାକୁ ଚେଷ୍ଟା କଲେ।ମହିଳା ଜଣଙ୍କ ବିରୋଧ କରି ଚିତ୍କାର କରିବାରୁ ସେ ଏଥିରେ ସଫଳ ହେଲେନାହିଁ।ଏ କ୍ଷେତ୍ରରେ ଅପହରଣ ମାମଲାରେ ଅଭିଯୁକ୍ତ ଜଣଙ୍କ ଦୋଷୀ ସାବ୍ୟସ୍ତ ହୋଇନଥିଲେ କାରଣ ସେ ମହିଳାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇପାରିନଥିଲେ।

Our Recent Posts

Law in Odia

India

LAW IN ODIA