• ସୂର୍ଯ୍ୟସ୍ନାତା ଦାସ

ବିଭାଜନକୁ ଆଉଥରେ ଖୋଲିବା


ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ଥରେ ଭାଗ ହୋଇସାରିବା ପରେ କଣ ସମ୍ପତ୍ତି ପୁନର୍ବାର ମିଳିତ ହୋଇପାରିବ।ମନୁଙ୍କ ଅନୁଯାୟୀ, "ଯୌଥ ପରିବାରରେ ଥରୁଟିଏ ହିଁ କେବଳ ବିଭାଜନ ହୋଇଥାଏ" । ଯଦି ବିଭାଜନ ଥରେ କରାଯାଇଥାଏ, ଏହା ଚୂଡାନ୍ତ ଏବଂ ଅପରିବର୍ତ୍ତନୀୟ। ତେଣୁ ଏହାକୁ ପୁନର୍ବାର ଖୋଲାଯାଇପାରିବ ନାହିଁ । ତେବେ ଏହାର ନିମ୍ନଲିଖିତ ବ୍ୟତିକ୍ରମଗୁଡିକ ଅଛି ।


ଠକେଇ - ଯଦି ବିଭାଜନରେ ଠକେଇ ହୁଏ, ତେବେ କ୍ଷତିଗ୍ରସ୍ତ ବ୍ୟକ୍ତି ବିଭାଜନକୁ ପୁନର୍ବାର ଖୋଲିବାକୁ ଦାବି କରିପାରିବେ।ଉଦାହରଣ ସ୍ଵରୂପ ବିଭାଜନ ସମୟରେ ମୂଲ୍ୟହୀନ ସମ୍ପତ୍ତିଗୁଡିକ ମିଥ୍ୟା ଭାବରେ ମୂଲ୍ୟବାନ ସମ୍ପତ୍ତି ରୂପେ ଉପସ୍ଥାପିତ କରାଯାଇଛି କିମ୍ବା କୈାଣସି ମୂଲ୍ୟବାନ ସମ୍ପତ୍ତିକୁ ଭାଗସମୟରେ ଗୋପନରେ ରଖାଯାଇଛି ,ତେବେ ଏହା ନିଶ୍ଚିତ ରୂପେ ଏକ ଅନ୍ୟାୟ ହେବ ଏବଂ କ୍ଷତିଗ୍ରସ୍ତ ବ୍ୟକ୍ତିଟି ବିଭାଜନକୁ ଆଉଥରେ ଖୋଲିବାକୁ ଦାବି କରିପାରିବେ ।ଏହି ଦାବି ନେଇ ସେ ମଧ୍ୟ ନ୍ୟାୟାଳୟର ଦ୍ଵାରସ୍ଥ ହୋଇପାରନ୍ତି।

ଗର୍ଭରେ ଥିବା ପୁତ୍ର - ଗର୍ଭରେ ଉପସ୍ଥିତ ହେବାର ଅର୍ଥ ଜୀବନ୍ତ ଭାବରେ ଜନ୍ମ ହେଲେ ପରିବାରର ଉତ୍ତରାଧିକାରୀ ଭାବରେ ପରିଗଣିତ ହେବାବିଭାଜନ ସମୟରେ, ଯଦି ଗୋଟିଏ ପୁତ୍ର ଗର୍ଭରେ ଥାଏ, ଏବଂ ତାଙ୍କୁ ଉତ୍ତରାଧିକାରୀ ଭାବରେ ତାଙ୍କ ଅଂଶ ମିଳିନଥାଏ, ତେବେ ସେ ବିଭାଜନକୁ ପୁନଃ ଖୋଲିବାକୁ ଦାବି କରିପାରିବେ ।

ପୋଷ୍ୟପୁତ୍ର - ଯଦି ଉତ୍ତରାଧିକାରୀଙ୍କ ଜଣେ ବିଧବା ବିଭାଜନ ପରେ ଏକ ପୁତ୍ରକୁ ଗ୍ରହଣ କରନ୍ତି, ତେବେ ପୋଷ୍ୟପୁତ୍ରକୁ ଉକ୍ତ ପୁତ୍ରକୁ ମୃତ ପିତାଙ୍କର ସନ୍ତାନ ତଥା ପରିବାରର ଉତ୍ତରାଧିକାରୀ ଭାବରେ ଗ୍ରହଣ କରାଯାଇଥାଏ।ସେ ବିଭାଜନକୁ ପୁନଃ ଖୋଲି ନିଜ ଭାଗ ପାଇବାକୁ ହକଦାର ହୋଇଥାଏ ।


ଅଯୋଗ୍ୟ ଉତ୍ତରାଧିକାରୀ - ଯଦି ବିଭାଜନ ସମୟରେ କିଛି ଅଯୋଗ୍ୟତା ହେତୁ ଜଣେ ଉତ୍ତରାଧିକାରୀ ବିଭାଜନରେ ତାଙ୍କ ଅଂଶ ପାଇବାରୁ ବଞ୍ଚିତ ,ତେବେ ଅଯୋଗ୍ୟତାରୁ ମୁକ୍ତ ହେବାପରେ, ସେ ବିଭାଜନକୁ ହଟାଇ ପାରିବେ ।ଉଦାହରଣସ୍ଵରୂପ ମାନସିକ ସନ୍ତୁଳନ ହରାଇବା କାରଣରୁ ଜଣେ ଉତ୍ତରାଧିକାରୀଙ୍କୁ ପାଗଳର ଆଖ୍ୟା ଦିଆଯାଇ ବିଭାଜନରେ ଅଂଶ ଦିଆଯାଇନାହିଁ।ସେ ସୁସ୍ଥ ହେବା ପରେ ଉକ୍ତ ସମ୍ପତ୍ତିରେ ନିଜ ଭାଗ ଦାବି କରବା ପାଇଁ ପୁନର୍ବାର ସମ୍ପତ୍ତିର ମିଳନ କରାଇପାରିବେ।

ବିଭାଜନ ପରେ ଜନ୍ମ ହୋଇଥିବା ପୁତ୍ର - ଯେଉଁଠାରେ ଜଣେ ପିତା ବିଭାଜନରେ ଅଂଶ ଗ୍ରହଣ କରନ୍ତି ନାହିଁ ଏବଂ ତାଙ୍କର ଗୋଟିଏ ପୁତ୍ର ଜନ୍ମ ହୁଏ,ସେ ପୁତ୍ର ଉତ୍ତରାଧିକାରୀ ଭାବରେ ନିଜ ଭାଗ ପାଇବା ପାଇଁ ପୁଣିଥରେ ବିଭାଜନ ଖୋଲିପାରେ ।ମାତ୍ର ଯଦି ପିତା ନିଜ ପାଇଁ ଭାଗ ସଂରକ୍ଷିତ କରି ରଖିନେଇଥାନ୍ତି ତେବେ ପରବର୍ତ୍ତୀ ସମୟରେ ଜନ୍ମ ହୋଇଥିବା ପୁତ୍ରର ମିଳିତ ସମ୍ପତ୍ତିରେ କୌଣସି ଅଧିକାର ନଥାଏ।


ଅନୁପସ୍ଥିତ ଉତ୍ତରାଧିକାରୀ - କୁହାଯାଏ ଶୋଇଲା ପୁଅର ଭାଗ ନାହିଁ ମାତ୍ର ବିଭାଜନ କ୍ଷେତ୍ରରେ ଏହି ଉକ୍ତିଟି ଆଦୌ ଗ୍ରହଣୀୟ ନୁହେଁ।ବିଭାଜନ ସମୟରେ ଯଦି କୈାଣସି ଉତ୍ତରାଧିକାରୀ ଅନୁପସ୍ଥିତ ଥାଆନ୍ତି ଏବଂ ତାଙ୍କୁ କୌଣସି ଅଂଶ ବଣ୍ଟନ କରାଯାଇ ନଥାଏ, ତେବେ ସେ ବିଭାଜନକୁ ଆଉଥରେ ଖୋଲିବା ପାଇଁ ଦାବି କରିପାରିବେ ।


ନାବାଳକ ଉତ୍ତରାଧିକାରୀ - ମିଳିତ ପରିବାରର ସମ୍ପତ୍ତିରେ ସମସ୍ତ ଉତ୍ତରାଧିକାରୀ ବୟସ ନିର୍ବିଶେଷରେ ଭାଗ ପାଇବାର ଯୋଗ୍ୟ।ଯେତେବେଳେ ବିଭାଜନ ସମୟରେ ଜଣେ ଉତ୍ତରାଧିକାରୀ ନାବାଳକ ହୋଇଥାଏ, ଏବଂ ଭାଗ ସମୟରେ ତାଙ୍କର ସ୍ୱାର୍ଥ ଯଦି ସଠିକ୍ ଭାବରେ ସୁରକ୍ଷିତ ହୋଇନଥାଏ, ତେବେ ସେ ବିଭାଜନକୁ ପୁନଃ ଖୋଲିପାରନ୍ତି ।


ଭୁଲ୍ - ବେଳେବେଳେ ଏପରି ହୋଇଥାଏ ଯେ, ଭୁଲ୍ ଦ୍ଵାରା କୌଣସି ସମ୍ପତ୍ତି ମିଳିତ ପରିବାର ସମ୍ପତ୍ତି ବିଭାଜନ ସମୟରେ ବାଦ ପଡିଯାଏ ଅଥବା ବିଭାଜନ ପରେ କୌଣସି ସମ୍ପତ୍ତି ମିଳିତ ପରିବାରର ସମ୍ପତ୍ତି ଥିଲା ବୋଲି ଜ୍ଞାତ ହୁଏ। ସୁତରାଂ ତାହା ମିଳିତ ପରିବାରର ସମ୍ପତ୍ତି ଥିଲେ ମଧ୍ୟ ଉତ୍ତରାଧିକାରୀଙ୍କ ମଧ୍ୟରେ ଭାଗ ହୋଇପାରିନଥାଏ। ତେଣୁ ପରବର୍ତ୍ତୀ ସମୟରେ ତାହାକୁ ମିଶାଇ ସମ୍ପତ୍ତି ଭାଗ କରିବା ଉଦ୍ଦେଶ୍ୟରେ ପୁନଶ୍ଚ ବିଭାଜନ ଖୋଲାଯାଇପାରେ ।


ଥରେ ବିଭାଜନ ହେବା ପରେ ଆଉ ଥରେ ପୁନର୍ମିଳନକୁ ନେଇ ହିନ୍ଦୁଧର୍ମର ବିଭିନ୍ନ ଭାଗ ମଧ୍ୟରେ ଭିନ୍ନଭିନ୍ନ ମନ୍ତବ୍ୟ ପ୍ରକାଶ ପାଇଥାଏ।କେତେକ ଭାଗ ଏହାକୁ ସମର୍ଥନ କରୁଥିବା ବେଳେ କେତେକ ଭାଗ ପୁନର୍ମିଳନ ପ୍ରକ୍ରିୟାକୁ ବିରୋଧ କରନ୍ତି,ତେବେ ଥରେ ବିଭାଜନ ପରେ ଉପରଲିଖିତ କାରଣ ଯୋଗୁଁ ସମ୍ପତ୍ତି ସମୂହ ପୁନଶ୍ଚ ବିଭାଜନ ଯୋଗ୍ୟ ହୋଇଥାଏ ।

Our Recent Posts

Law in Odia

India

LAW IN ODIA