• ସୂର୍ଯ୍ୟସ୍ନାତା ଦାସ

ବିଭାଜନର ଅଧିକାର ଥିବା ବ୍ୟକ୍ତି



ବିଭାଜନରେ ଏକ ଅଂଶୀଦାର ପାଇଁ ଅଧିକାର ପ୍ରାପ୍ତ ପ୍ରତ୍ୟେକ କପାର୍ସେନର ବା ଉତ୍ତରାଧିକାରୀଙ୍କର ବିଭାଜନ ଦାବି କରିବାକୁ ହକଦାର ଏବଂ ବିଭାଜନ ପରେ ଏକ ଅଂଶ ପାଇବାର ଅଧିକାର ଅଛି ।


ପିତା,ପୁଅ ଏବଂ ନାତି: ସେମାନଙ୍କର ନିଜ ଇଚ୍ଛାରେ ବିଭାଜନ ମାଗିବାର ଏବଂ ଭାଗ ପାଇବାର ଅଧିକାର ଅଛି ।ପିତା,ପୁତ୍ର ଓ ନାତି ଯୌଥ ପରିବାରର ଉତ୍ତରାଧିକାରୀ ଭାବରେ ନିଜ ଇଚ୍ଛାରେ ବିଭାଜନ ଦାବି କରିପାରିବେ। ପିତା ଯେତେବେଳେ ଚାହିଁଲେ ନିଜ ପୁଅଙ୍କ ସହ ମିଶି ବିଭାଜନ କରିପାରିବେ। ହିନ୍ଦୁଧର୍ମର ବିଭିନ୍ନ ଭାଗ ଅନୁଯାୟୀ ବିଭାଜନ ଭିନ୍ନ ଭିନ୍ନ ହୋଇଥାଏ।ପଞ୍ଜାବ ଓ ବମ୍ବେର ପାରମ୍ପରିକ ନିୟମ ଅନୁଯାୟୀ ପୁଅମାନଙ୍କ ପିତାଙ୍କ ଇଚ୍ଛା ବିରୁଦ୍ଧରେ ବିଭାଜନ କରିବାର ଅଧିକାର ନାହିଁ।ପିତା ଯେତେବେଳେ ବି ଚାହିଁଲେ, ପୁଅମାନଙ୍କର ଅନୁମତି ବା ବିନା ଅନୁମତିରେ ବିଭାଜନ କରିଦେଇ ପାରିବେ।


ଏହି ବିଭାଜନ ପ୍ରକ୍ରିୟା ସେହି ପୁତ୍ରମାନଙ୍କୁ ମଧ୍ୟ ଅନ୍ତର୍ଗତ କରେ ଯେଉଁମାନେ ବିଭାଜନ ପରେ ଜନ୍ମ ହୋଇଥିଲେ ମଧ୍ୟ ବିଭାଜନ ସମୟରେ ମାତାଙ୍କ ଗର୍ଭରେ ଥିଲେ। ଗର୍ଭରେ ଉପସ୍ଥିତ ରହିଥିବା କାରଣରୁ ସେମାନଙ୍କୁ ପରିବାରରେ ଉପସ୍ଥିତ ବୋଲି ମାନି ନିଆଯାଏ ଏବଂ ଜୀବନ୍ତ ଭାବରେ ଜନ୍ମ ହୋଇ ସେମାନେ ମଧ୍ୟ ଏକ ଭାଗ ପାଇବାର ହକଦାର ହୋଇଥାଆନ୍ତି।


ହିନ୍ଦୁ ଉତ୍ତରାଧିକାରୀ (ସଂଶୋଧନ) ଅଧିନିୟମ, ୨୦୦୫ ଆରମ୍ଭ ହେବା ପରେ ଝିଅ ଉତ୍ତରାଧିକାରୀ କ୍ଷେତ୍ରରେ ମଧ୍ୟ ସମାନ ନୀତି ପ୍ରଯୁଜ୍ୟ ହେବ।ଝିଅ ମାନେ ଏବେ ପୁଅମାନଙ୍କ ଭଳି ସମ୍ପତ୍ତିରେ ସମାନ ଅଧିକାର ପାଇବେ।ପୁଅ ଉତ୍ତରାଧିକାରୀଙ୍କ ପ୍ରତି ଲାଗୁଥିବା ନିୟମ ଝିଅ ଉତ୍ତରାଧିକାରୀ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।


ପୋଷ୍ୟପୁତ୍ର : ଧର୍ମଶାସ୍ତ୍ରର ମତ ଅନୁଯାୟୀ ପୋଷ୍ୟପୁତ୍ର ମଧ୍ୟ ଏକ ଜନ୍ମିତ ପୁତ୍ର ପରି ବିଭାଜନରେ ଏକ ଅଂଶ ପାଇବାକୁ ହକଦାର ।ଯଦି ପୋଷ୍ୟ ସନ୍ତାନ ପରେ ଏକ ପୁତ୍ର ଜନ୍ମ ନେଉଛନ୍ତି ,ତେବେ ତାଙ୍କ ମଧ୍ୟରେ ଏକ ବିଭାଜନ ହୁଏ । ଏବଂ ପୋଷ୍ୟପୁତ୍ର ପରେ ଜନ୍ମ ନେଇଥିବା ଜନ୍ମିତ ପୁତ୍ରର ସମାନ ଅଂଶ ପାଇବ ନାହିଁ; ବରଂ,ସେ ବିଭାଜନରେ ନିମ୍ନଲିଖିତ ଭାବରେ ଅଂଶ ପାଇଥାଏ-

କ) ବଙ୍ଗଳାରେ ପୋଷ୍ୟ ପିତାଙ୍କ ସମ୍ପତ୍ତିର ଏକ ତୃତୀୟାଂଶ;

ଖ) ବନାରସରେ ପୋଷ୍ୟ ପିତାଙ୍କ ସମ୍ପତ୍ତିର ଏକ ଚତୁର୍ଥାଂଶ-; ଏବଂ

ଗ) ମହାରାଷ୍ଟ୍ର ଏବଂ ଗୁଜୁରାଟରେ ପୋଷ୍ୟ ପିତାଙ୍କ ସମ୍ପତ୍ତିର ଏକ ପଞ୍ଚମାଂଶ


ତେବେ ବର୍ତ୍ତମାନର ନିୟମ ଅନୁଯାୟୀ ପୋଷ୍ୟପୁତ୍ର ମଧ୍ୟ ଜନ୍ମିତ ପୁତ୍ର ଭଳି ସମାନ ଭାବରେ ଅଧିକାର ପାଇ ବିଭାଜନ ନିମନ୍ତେ ଦାବିକରିବାକୁ ଯୋଗ୍ୟ ହୋଇଥାଏ।


ଅବୈଧ ପୁତ୍ର: ଅବୈଧ ପୁତ୍ରଙ୍କର ସମ୍ପତ୍ତି ପ୍ରତି କୌଣସି ଭାଗ ନ ଥିବାରୁ ସେ ବିଭାଜନ ଦାବି କରିପାରନ୍ତି ନାହିଁ କିନ୍ତୁ ସେ ତାଙ୍କ ପିତାଙ୍କ ସମ୍ପତ୍ତିରୁ ରକ୍ଷଣାବେକ୍ଷଣ ପାଇଁ ହକଦାର ହୋଇପାରିବେ ।


ବିଧବା: ମିତାକ୍ଷରା ନିୟମ ଅନୁଯାୟୀ ବିଧବା ଯଦିଓ ଏକ ଅଂଶ ପାଇବାକୁ ହକଦାର ,ତଥାପି, ସେ ବିଭାଜନ ପାଇଁ ଦାବି କରିପାରିବେ ନାହିଁ ।

ମହିଳା ଅଂଶୀଦାର: (i) ପତ୍ନୀ, (ii) ବିଧବା ମା ଏବଂ (iii) ଜେଜେମା । ଏହିସବୁ ମହିଳା ଅଂଶୀଦାର ଏକ ବିଭାଜନ ଦାବି କରିପାରିବେ ନାହିଁ କିନ୍ତୁ ବିଭାଜନ ସମୟରେ ସେମାନଙ୍କର ଅଂଶ ପାଇବାକୁ ହକଦାର ହେବେ।ଏହି ମହିଳା ଉତ୍ତରାଧିକାରୀଙ୍କ ନିମନ୍ତେ ହିନ୍ଦୁ ଧର୍ମର ବିଭିନ୍ନ ଭାଗରେ ଅଲଗା ଅଲଗା ନିୟମ ପ୍ରଚଳିତ ହୋଇଥାଏ।


ସମ୍ପତ୍ତି କ୍ରୟକାରୀ : ଲାଶପତି ଦେବୀ ବନାମ ଭୁବନେଶ୍ୱରୀ ଦେବୀ ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ ମିଳିତ ହିନ୍ଦୁ ପରିବାରର ଜଣେ ସଦସ୍ୟଙ୍କଠାରୁ ମିଳିତ ପରିବାର ସମ୍ପତ୍ତି କ୍ରୟକାରୀ ନିଜ ଭାଗ ନିମନ୍ତେ ବିଭାଜନ ପାଇଁ ଏକ ସାଧାରଣ ମକଦ୍ଦମା ଦାୟର କରିବାର ଅଧିକାର ପାଇପାରନ୍ତି ।

କିଏ ବିଭାଜନ ପାଇଁ ମକଦ୍ଦମା ଦାୟର କରିପାରିବ ?


- ପ୍ରତ୍ୟେକ ବୟସ୍କ କପର୍ସେନର୍- ପ୍ରତ୍ୟେକ ପ୍ରାପ୍ତ ବୟସ୍କ କପର୍ସେନର୍ ବା ଉତ୍ତରାଧିକାରୀଙ୍କର ବିଭାଜନ ପାଇଁ ମକଦ୍ଦମା ଦାୟର କରିବାର ଅଧିକାର ରହିଛି ଏବଂ ସେମାନେ ବିଭାଜନରେ ଏକ ଅଂଶ ପାଇବାକୁ ହକଦାର୍ ।

- ସମ୍ପତ୍ତି କ୍ରୟକାରୀ ବା ଏଲିଏନି , ନିଜ ଭାଗରେ ଥିବା ସମ୍ପତ୍ତିକୁ କାଢ଼ିବା ପାଇଁ ନ୍ୟାୟାଳୟରେ ମକଦ୍ଦମା ଦାୟର କରିପାରନ୍ତି,ଏହାଦ୍ଵାରା ସମ୍ପତ୍ତିର ବିଭାଜନ ହୋଇଥାଏ।କହିବାର ଅର୍ଥ,ଯଦି ଯୌଥ ପରିବାରର ସମ୍ପତ୍ତିରୁ କିଛି ଅଂଶ ବିକ୍ରୟ କରାଯାଉଛି,ତେବେ ତାହାର କ୍ରେତା ନିଜର ଆବଶ୍ୟକତା ଅନୁଯାୟୀ ସମ୍ପତ୍ତିରୁ ନିଜ ଭାଗଟି କାଢ଼ିବା ପାଇଁ ନ୍ୟାୟାଳୟରେ ମକଦ୍ଦମା ଦାଖଲ କରିପାରିବ।


-ବିଭାଜନ ସମୟରେ ନାବାଳକ ଉତ୍ତରାଧିକାରୀ ମଧ୍ୟ ନିଜ ଭାଗ ପାଇବାକୁ ଯୋଗ୍ୟ । ଲାଲ ବନାମ ବାବୁଭାଇ ମାମଲାରେ ଗୁଜୁରାଟ ହାଇକୋର୍ଟଙ୍କ ମତ ଅନୁଯାୟୀ, ଯଦିଓ ଉତ୍ତରାଧିକାରୀଜଣଙ୍କ ନାବାଳକ, ତଥାପି ଯଦି ବିଭାଜନକୁ ନେଇ ତାଙ୍କର କୌଣସି ଅଭିଯୋଗ ଥାଏ,ତେବେ ତାଙ୍କର ସୁବିଧାକୁ ଦୃଷ୍ଟିରେ ରଖି ସମଗ୍ର ବିଭାଜନକୁ ପୁନଃସକ୍ରିୟ କରାଯାଇପାରିବ।ନ୍ୟାୟାଳୟରେ ଏହି ମାମଲା ପଡ଼ିଥିବା ସମୟରେ ଯଦି ନାବାଳିକର ମୃତ୍ୟୁ ହୁଏ,ତେବେ ବି ନାବାଳକ ଉତ୍ତରାଧିକାରୀଙ୍କ ଦ୍ଵାରା ଅଣାଯାଇଥିବା ବିଭାଜନ ପାଇଁ ଏକ ମକଦ୍ଦମା ମାମଲାଟି ତାଙ୍କ ଭାଗ ପାଇଁ ତାଙ୍କ ପ୍ରତିନିଧିଙ୍କ ଦ୍ଵାରା ଜାରି ରହିପାରିବ।

Our Recent Posts

Law in Odia

India

LAW IN ODIA