• ସୂର୍ଯ୍ୟସ୍ନାତା ଦାସ

ବିଭାଜନର ଧାରା


ଯୌଥ ପରିବାରର ସମ୍ପତ୍ତି ବିଭାଜିତ ହେବାର ସେମିତି କିଛି ଧରାବନ୍ଧା ନିୟମ ନାହିଁ। ଯେତେବେଳ ପର୍ଯ୍ୟନ୍ତ ସଭିଏଁ ଏକାଠି ଥା'ନ୍ତି,ସମ୍ପତ୍ତିଟି ସାମୂହିକ ଭାବରେ ବ୍ୟବହାର ହେଉଥାଏ ଏବଂ କାହାରି ନିର୍ଦ୍ଦିଷ୍ଟ ଅଂଶ ଅଲଗା କରାଯାଇନଥାଏ,ପରିବାରଟି ସଂଯୁକ୍ତ ଯୌଥ ପରିବାରର ମାନ୍ୟତା ପାଏ।ତେବେ ଯୌଥ ପରିବାର ଭାଙ୍ଗିଲେ ଅଥବା ଅଲଗା ହେବାକୁ ଚାହିଁଲେ, ନିମ୍ନଲିଖିତ ପଦ୍ଧତିରେ ସମ୍ପତ୍ତିର ବିଭାଜନ କରିହେବ।


ଇଚ୍ଛା ଦ୍ଵାରା ବିଭାଜନ: ମିଳିତ ପରିବାରରୁ ନିଜକୁ ପୃଥକ କରିବାକୁ କିମ୍ବା ଅଲଗା ହେବାର ଏକ ଇଚ୍ଛା ପ୍ରକାଶ କରି ଜଣେ ଉତ୍ତରାଧିକାରୀ ବିଭାଜନର ପ୍ରକିୟା ଆରମ୍ଭ କରିପାରେ। ।


ଅଲଗା ହେବା ପାଇଁ କେବଳ ଘୋଷଣା ଦ୍ୱାରା ବିଭାଜନ: ମିତାକ୍ଷରା ନିୟମ ଅନୁଯାୟୀ ବିଭାଜନ ହେଉଛି ମିଳିତ ସ୍ଥିତିର ପୃଥକତା ଏବଂ ଏହା ବ୍ୟକ୍ତିଗତ ଇଚ୍ଛାଶକ୍ତିର ବିଷୟ ।ତେଣୁ ଯେତେବେଳେ ବି ଜଣେ ଚାହିଁବ, କେବଳ ଏକ ଘୋଷଣା କରି ବିଭାଜନ ପ୍ରକିୟା ଆରମ୍ଭ କରିପାରିବ। ତେବେ ବିଭାଜନ ପାଇଁ ବିଭାଜନର ଘୋଷଣା ହେବା ଏକାନ୍ତ ଆବଶ୍ୟକ ।କେବଳ ଅଲଗା ରହିଲେ ଯେ,ତାହା ବିଭାଜନ କୁହାଯିବ,ସେପରି ନୁହେଁ।ଉଦାହରଣ ଭାବରେ ଦେଖନ୍ତୁ, ଚାକିରି ପାଇଁ ଅଥବା କାର୍ଯ୍ୟ ପାଇଁ କେତେଜଣ ସଦସ୍ୟ ଯଦି ଦୂର ସହରରେ ରହୁଛନ୍ତି,ତେବେ ସେ କ୍ଷେତ୍ରରେ ଯୌଥ ପରିବାର ଭାଙ୍ଗିଗଲା ବୋଲି କୁହାଯାଇପାରିବ ନାହିଁ,ଯେତେବେଳ ପର୍ଯ୍ୟନ୍ତ ପରିବାର ଦ୍ଵାରା ଏହାର ଘୋଷଣା ନ କରାଯାଇଛି।


ଏହି ପରିପ୍ରେକ୍ଷୀରେ ଏକ ମାମଲା ରୁପଚାନ୍ଦ ବନାମ ଇନ୍ଦ୍ରଦୁର ସାମ୍ନାକୁ ଆସେ।ଏହି ମାମଲାରେ ଚାରିଜଣ ଭାଇ ଗୋଟିଏ ଘରେ ଅଲଗା ରହୁଥିଲେ ଏବଂ ଅଲଗା ବ୍ୟବସାୟ କରୁଥିଲେ।କୌଣସି ମାମଲାରେ ଏହା ଯେତେବେଳେ ନ୍ୟାୟାଳୟକୁ ଗଲା ମଧ୍ୟପ୍ରଦେଶ ହାଇକୋର୍ଟ କହିଲେ ଯେ,

ବିଚ୍ଛିନ୍ନ କରିବାର ଉଦ୍ଦେଶ୍ୟକୁ ପରିବାରର ସମସ୍ତଙ୍କ ସହ ଯୋଗାଯୋଗ

କରାଇ ଘୋଷଣା କରାଇବା ଆବଶ୍ୟକ,ଅନ୍ୟଥା ବିଭାଜନ ଘଟିଛି ବୋଲି କୁହାଯାଇପାରିବ ନାହିଁ।


ବିଜ୍ଞପ୍ତି ଦ୍ଵାରା ବିଭାଜନ: ପରିବାରର ଅନ୍ୟ ଉତ୍ତରାଧିକାରୀମାନଙ୍କୁ ଉକ୍ତ ପରିବାରର ଜଣେ ଉତ୍ତରାଧିକାରୀ ଅଲଗା ହେବାର ଇଚ୍ଛା ନେଇ ନୋଟିସ୍ ପ୍ରଦାନ କରିବା ଦ୍ଵାରା ମିଳିତ ସ୍ଥିତିର ଏକ ବିଚ୍ଛିନ୍ନତା ପ୍ରଭାବିତ ହୋଇପାରେ ।ଏ କ୍ଷେତ୍ରରେ ବିଭାଜନ ପ୍ରକ୍ରିୟାର ଅୟଆରମ୍ଭ ହୋଇଯାଏ।


ଅନ୍ୟ ଧର୍ମରେ ରୂପାନ୍ତର: ଜଣେ ଉତ୍ତରାଧିକାରୀଙ୍କ ଅନ୍ୟ କୌଣସି ଧର୍ମରେ ରୂପାନ୍ତରଣ ତାଙ୍କ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ମିଳିତ ସ୍ଥିତିର ବିଛିନ୍ନତା ଭାବରେ କାର୍ଯ୍ୟ କରେ ।କହିବାର ଅର୍ଥ,ଯଦି ନିଜ ଇଚ୍ଛାରେ ଜଣେ ଅନ୍ୟ ଧର୍ମ ଗ୍ରହଣ କରିନେଉଛନ୍ତି,ତେବେ ମଧ୍ୟ ବିଭାଜନର ପ୍ରକ୍ରିୟା ଆରମ୍ଭ ହୋଇଯାଇଥାଏ, କାରଣ ଅନ୍ୟ ଧର୍ମ ଗ୍ରହଣ କରିବା ଦ୍ଵାରା ବ୍ୟକ୍ତିର ଅଭ୍ୟାସ ଓ ଆସ୍ଥା ପ୍ରଭୃତିରେ ମଧ୍ୟ ପରିବର୍ତ୍ତନ ଘଟେ,ଯାହା କି ପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଅସୁବିଧାର କାରଣ ସାଜିପାରେ ଓ ମିଳିତ ପୂଜନ ଅଥବା ଧର୍ମଗତ କାର୍ଯ୍ୟକ୍ରମ ସମ୍ଭବ ହୁଏନାହିଁ ।


ସ୍ଵତନ୍ତ୍ର ବିବାହ ଅଧିନିୟମ ୧୯୫୪ ଅଧୀନରେ ବିବାହ ମଧ୍ୟ ପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିଥାଏ ଏବଂ ବିଭାଜନର ପ୍ରକ୍ରିୟା ଆରମ୍ଭ କରିଥାଏ।ଏହି ଅଧିନିୟମ ଦ୍ଵାରା ଦୁଇଟି ଭିନ୍ନଭିନ୍ନ ଧର୍ମର ଲୋକଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଥାଏ। ଉଦାହରଣ ସ୍ଵରୂପ ଯଦି ଗୋଟିଏ ହିନ୍ଦୁ ଯୌଥ ପରିବାରର ସଦସ୍ୟ ଅନ୍ୟ କୌଣସି ଧର୍ମରେ ବିବାହ କଲେ,ତେବେ ସେହି ଅନ୍ୟ ଧର୍ମର ବ୍ୟକ୍ତିଟି ଏ ପରିବାରର ନୀତିନିୟମ ପ୍ରଭୃତି ସହ ପରିଚିତ ନଥିବା କାରଣରୁ ସମ୍ପୂର୍ଣ୍ଣ ପରିବାର ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି,କେତେକ କ୍ଷେତ୍ରରେ ରକ୍ଷଣଶୀଳତା ମନୋବୃତ୍ତି ନିମନ୍ତେ ଅସନ୍ତୋଷ ସୃଷ୍ଟି ହୋଇପାରେ,ତେଣୁ ସ୍ଵତନ୍ତ୍ର ବିବାହ ଅଧିନିୟମରେ ବିବାହ ଯୌଥ ପରିବାରର ବିଭାଜନ ନିମନ୍ତେ ମଧ୍ୟ ବାଟ ଫିଟାଇଥାଏ ।


ଚୁକ୍ତିନାମା ଦ୍ଵାରା ବିଭାଜନ:ଚୁକ୍ତିନାମା ଦ୍ଵାରା ମଧ୍ୟ ବିଭାଜନ ହୋଇଥାଏ।ଯଦି ଉତ୍ତରାଧିକାରୀମାନେ ଚୁକ୍ତି କରି ପରିବାରର ସମ୍ଫତ୍ତିରୁ ନିଜ ନିଜ ଭାଗ କାଢିନିଅନ୍ତି,ତେବେ ବିଭାଜନ ହୋଇଗଲା ବୋଲି ଜଣାଯାଇଥାଏ।


ଆର୍ବିଟ୍ରେସନ୍ ଚୁକ୍ତିରେ ବିଭାଜନ:

ଆର୍ବିଟ୍ରେସନ ନିଯୁକ୍ତି ବିଭାଜନର ପ୍ରକ୍ରିୟା ଆରମ୍ଭ କରାଇଥାଏ। ମିଳିତ ପରିବାରର ସଦସ୍ୟଙ୍କ ମଧ୍ୟରେ ଯଦି ଏକ ଚୁକ୍ତିନାମା ହେଲା ଯେ, ସମ୍ପତ୍ତିର ବଣ୍ଟନ ଏବଂ ଭାଗ କରିବା ପାଇଁ ଜଣେ ଆର୍ବିଟ୍ରେଟର ନିଯୁକ୍ତ ହେବ,ତେବେ ସେ ତାରିଖ ଠାରୁ ଏହା ବିଭାଜନ ଭାବରେ କାର୍ଯ୍ୟ କରେ । ସରଳ ଭାଷାରେ କହିବାକୁ ଗଲେ,ଯୌଥ ପରିବାରର ସଦସ୍ୟଙ୍କ ମଧ୍ୟରେ ଯଦି ଚୁକ୍ତି ହେଲା ଯେ,ସେମାନେ ବିଭାଜନ ପାଇଁ ଏକ ଆର୍ବିଟ୍ରେଟର ନିଯୁକ୍ତ କରିବେ,ତେବେ ଏହା ବିଭାଜନର ଆରମ୍ଭ ହେଲା ବୋଲି ଧରାଯିବ।


ପିତାଙ୍କ ଦ୍ଵାରା ବିଭାଜନ: ପିତା ମଧ୍ୟ ଯୌଥ ସମ୍ପତ୍ତିରେ ବିଚ୍ଛିନ୍ନତା ସୃଷ୍ଟି କରିପାରନ୍ତି । ଏହା ‘ପାଟ୍ରିଆ ପୋଟେଷ୍ଟାସ୍’ (ପିତୃ ଶକ୍ତି) କୁହାଯାଇଥାଏ ।ମିତାକ୍ଷରାର ନିୟମ ଅନୁଯାୟୀ ପିତା ଚାହିଁଲେ କର୍ତ୍ତାଙ୍କର ଉପସ୍ଥିତିରେ ତାଙ୍କ ପୁଅମାନଙ୍କ ସହିତ ବିଭାଜନ ପାଇଁ ଦାବି କରିପାରିବେ ।ଆପଣମାନେ ତ ଜାଣନ୍ତି ହିନ୍ଦୁ ଯୌଥ ପରିବାରରେ ପରିବାରର ମୁଖ୍ୟ ସବୁଠୁ ଯୋଗ୍ୟ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ କର୍ତ୍ତା କୁହାଯାଏ। ସେହି କର୍ତ୍ତାଙ୍କ ଠାରେ ବିଭାଜନର ଇଚ୍ଛାବ୍ୟକ୍ତ କରାଯାଇପାରେ।


ସୁଟ୍ ବା ମାମଲା ଦାଖଲ ଦ୍ଵାରା ବିଭାଜନ:ଗିର୍ଜାନନ୍ଦନୀ ବନାମ ବ୍ରିଜେନ୍ଦ୍ର ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ଏହା ସ୍ପଷ୍ଟ କରିଥିଲେ ଯେ ମାମଲା ଦାଖଲ ଦ୍ଵାରା ସମ୍ପତ୍ତିର ବିଭାଜନ ପାଇଁ ବାଟ ଫିଟିଯାଇଥାଏ। ସାଧାରଣତଃ କନ୍ଦଳକୁ ଆଧାର କରି ଅଥବା ସାଧାରଣ ଯେ କୌଣସି କାରଣରୁ ମଧ୍ୟ ମାମଲା ଦାଖଲ କରି ଓ ଯୌଥ ପରିବାରର ବିଭାଜନ ପାଇଁ ଇଚ୍ଛା ବ୍ୟକ୍ତ କରାଗଲେ,ତେବେ ତାହା ହୋଇପାରିବ।


ଉପରୋକ୍ତ ସମସ୍ତ ପଦ୍ଧତି କେବଳ ଗୋଟିଏ ଦିଗକୁ ସୂଚୀତ କରେ ଯେ, ମନରେ ଫାଟ ହେଲେ ଯୌଥ ପରିବାରରେ ଫାଟ ଓ ସମ୍ପତ୍ତିର ଭାଗ ପ୍ରକ୍ରିୟା ଆରମ୍ଭ ହେଲା ବୋଲି କୁହାଯାଇଥାଏ।

Our Recent Posts