• ସୂର୍ଯ୍ୟସ୍ନାତା ଦାସ

ବିଭିନ୍ନ ଧର୍ମ ପାଇଁ ଭିନ୍ନ ଭିନ୍ନ ଆଇନ ହେବାର ଆବଶ୍ୟକତା କ'ଣ?



ଆପଣ ମାନେ ତ ଜାଣନ୍ତି, ବିଭିନ୍ନତା ମଧ୍ୟରେ ଏକତା ଆମ ଦେଶର ଗୌରବ।ଆମ ଦେଶ ଭାରତ ଏକ ସାର୍ବଭୌମ ସମାଜବାଦୀ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର, ଯେଉଁଠାରେ ବିଭିନ୍ନ ଜାତି,ଧର୍ମ,ବର୍ଣ୍ଣ ଓ ସଂପ୍ରଦାୟର ଲୋକ ପ୍ରେମ,ସଦ୍ଭାବ ଓ ଭାଇଚାରାର ସଂପର୍କରେ ବାନ୍ଧି ହୋଇ ଏକତ୍ର ବସବାସ କରନ୍ତି।ଧର୍ମନିରପେକ୍ଷତା ଆମ ରାଷ୍ଟ୍ରର ବୈଶିଷ୍ଟ୍ୟ ।ଭାରତର ଦର୍ଶନ ଓ ସଂସ୍କୃତିର ବାର୍ତ୍ତାବହ ରୂପେ ୧୯୭୬ମସିହାର ୪୨ତମ ସଂଶୋଧନ ପରେ ଆମ ମହାନ ସମ୍ବିଧାନର ପ୍ରସ୍ତାବନାରେ ଯୋଗ ହୋଇଥିବା ଏଇ 'ଧର୍ମନିରପେକ୍ଷ' ଶବ୍ଦଟି ଦେଶର ପରିଚାଳନା ତଥା ନ୍ୟାୟ ବ୍ୟବସ୍ଥାରେ ବେଶ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିଆସୁଛି।


ଏହି ଧର୍ମନିରପେକ୍ଷ ଶବ୍ଦଟିର ଦୁଇଟି ଅର୍ଥ ରହିଛି।ପ୍ରଥମତଃ ଏହା ରାଷ୍ଟ୍ରକୁ ଏକ ନିରପେକ୍ଷ ଅନୁଷ୍ଠାନ ଭାବରେ ଘୋଷଣା କରିଥାଏ ଯାହାର କୌଣସି ନିର୍ଦ୍ଦିଷ୍ଟ ଧର୍ମ ନଥାଏ ଓ ଦ୍ଵିତୀୟତଃ ଏହା ପ୍ରଚଳିତ ସମସ୍ତ ଧର୍ମକୁ ସମ୍ମାନ ଦେଇଥାଏ।ସରଳ ଅର୍ଥରେ କହିବାକୁ ଗଲେ,ଏହାର ଅର୍ଥ ରାଷ୍ଟ୍ର କୌଣସି ଧର୍ମକୁ ଅନୁସରଣ କରିବ ନାହିଁ ଏବଂ କୌଣସି ଧର୍ମରେ ହସ୍ତକ୍ଷେପ ମଧ୍ୟ କରିବ ନାହିଁ।


ଆପଣ ତ ଜାଣନ୍ତି,ଆମ ଦେଶରେ ବିଭିନ୍ନ ଧର୍ମଗୋଷ୍ଠୀ ଓ ସଂପ୍ରଦାୟ କିଭଳି ଭିନ୍ନଭିନ୍ନ ପ୍ରଥା , ପରମ୍ପରା, ରୀତି, ଆଦର୍ଶ, ନିୟମ ପ୍ରଭୃତିକୁ ଅନୁସରଣ କରନ୍ତି।ଆମ ସମ୍ବିଧାନର ଧାରା ୨୫ରେ ପ୍ରଦତ୍ତ ଧର୍ମଗତ ସ୍ଵାଧୀନତା ଅନୁସାରେ ନାଗରିକଙ୍କୁ ନିଜ ଇଚ୍ଛା ଓ ବିବେକ ଅନୁସାରେ ସ୍ଵାଧୀନ ଭାବରେ କୌଣସି ଧର୍ମର ଅନୁସରଣ,ଅଭ୍ୟାସ ତଥା ପ୍ରଚାର କରିପାରିବାର ଅଧିକାର ପ୍ରଦାନ କରାଯାଇଛି।ଏହାକୁ ଅଧିକ ସହଜ,ସରଳ କରିବା ପାଇଁ ଅଲଗା ଅଲଗା ଧର୍ମ ନିମନ୍ତେ ଅଲଗା ଅଲଗା ବ୍ୟକ୍ତିଗତ ଆଇନର ପ୍ରଚଳନ କରାଯାଇଛି।ଏସବୁ ଆଇନ କେବଳ ସେହି ଧର୍ମର ନିୟମ ଓ ବ୍ୟବସ୍ଥାକୁ ଭିତ୍ତିକରି ସୃଷ୍ଟି କରାଯାଇଛି ଏବଂ ତାହା କେବଳ ସେହି ଧର୍ମକୁ ଅନୁସରଣ କରୁଥିବା ବ୍ୟକ୍ତିଙ୍କ ନିମନ୍ତେ ହିଁ ପ୍ରଯୁଜ୍ୟ ହୋଇଥାଏ। ଉଦାହରଣସ୍ଵରୂପ ହିନ୍ଦୁ ନିୟମ ହିନ୍ଦୁ ବ୍ୟକ୍ତିମାନଙ୍କ ଉପରେ ଲାଗୁ ହେଉଥିବା ବେଳେ ମୁସଲିମ ନିୟମ ମୁସଲମାନ ମାନଙ୍କ ଉପରେ ଲାଗୁ ହୋଇଥାଏ।


ଭିନ୍ନଭିନ୍ନ ଧର୍ମର ପରିବାରରେ ଅନୁଷ୍ଠାନ ନିମନ୍ତେ ଭିନ୍ନ ଭିନ୍ନ ନିୟମ ପ୍ରଚଳନ ହେବାର ଆବଶ୍ୟକତା ମଧ୍ୟ ରହିଛି।ଆପଣ ମାନେ ତ ଜାଣନ୍ତି ବିବାହ, ପୋଷ୍ୟପୁତ୍ର ଗ୍ରହଣ,ଛାଡପତ୍ର,ଉତ୍ତରାଧିକାର ପ୍ରଭୃତି ପାରିବାରିକ ଅନୁଷ୍ଠାନ ହୋଇଥାଏ ଓ ଏଥି ନିମନ୍ତେ ଅଲଗା ଅଲଗା ଧର୍ମରେ ଅଲଗା ଅଲଗା ନିୟମ ପ୍ରଚଳିତ ଥାଏ।ଯଦି କୌଣସି ନିର୍ଦ୍ଦିଷ୍ଟ ଆଇନ କରାଯାଇ ସମସ୍ତଙ୍କୁ ସେହି ଅନୁସାରେ ସମସ୍ତଙ୍କୁ ପରିଚାଳିତ ହେବା ପାଇଁ ବାଧ୍ୟ କରାଯିବ,ତେବେ ଏହା ନିଶ୍ଚିତ ରୂପେ ଧର୍ମଗତ ସ୍ଵାଧୀନତାର ବିରୋଧୀ ହେବ, କାରଣ ଏହି ଧର୍ମଗତ ସ୍ଵାଧୀନତାର ଅଭ୍ୟାସ ପରିବାର ମାନଙ୍କରେ ହିଁ ହୋଇଥାଏ। କହିବା ବାହୁଲ୍ୟ, ନିରପେକ୍ଷ ଆଇନ ଯେପରିକି ଅପରାଧ ଦଣ୍ଡ ସଂହିତା ଅବା ଭାରତୀୟ ସାକ୍ଷ୍ୟବିଧି ଆଇନ ପ୍ରଭୃତି ଧର୍ମ ପାଳନରେ ହସ୍ତକ୍ଷେପ କରି ପ୍ରତିବନ୍ଧକ ସୃଷ୍ଟି କରେ ନାହିଁ,ତେଣୁ ଏହା ସମସ୍ତଙ୍କ ପାଇଁ ଭିନ୍ନଭିନ୍ନ ହେବା ଆବଶ୍ୟକ ନାହିଁ।ମାତ୍ର ପରିବାର ସମ୍ପର୍କିତ ଆଇନ ଓ ବ୍ୟକ୍ତିଗତ ଆଇନ ଯଦି ସମାନ ରହିବ ତେବେ ନିଶ୍ଚିତ ରୂପେ କୌଣସି ବି ବ୍ୟକ୍ତି ପାରିବାରିକ ଅନୁଷ୍ଠାନ ନିମନ୍ତେ ତାଙ୍କ ଧର୍ମ ନିର୍ଦ୍ଦେଶିତ ମାର୍ଗ ଅନୁସରଣ କରି ପାରିବେ ନାହିଁ, ଯାହା ତାଙ୍କ ମୌଳିକ ଅଧିକାର ଉପରେ କୁଠାରାଘାତ କରିବା ସହିତ ବିଭିନ୍ନ ଧର୍ମସଂପ୍ରଦାୟ ମଧ୍ୟରେ ଦ୍ଵନ୍ଦ ସୃଷ୍ଟି କରି ଦେଶ ମଧ୍ୟରେ ସମସ୍ୟା ସୃଷ୍ଟି କରିବ।


ଆପଣ ଜାଣନ୍ତି କି,ଆମ ସମ୍ବିଧାନର ଧାରା ୪୪ରେ ପ୍ରଦତ୍ତ ଏକକ ନାଗରିକ ସଂହିତା ସମସ୍ତଙ୍କ ପାଇଁ ଗୋଟିଏ ଆଇନ ତିଆରି କରାଯିବା ଉଚିତ ବୋଲି କହିଥାଏ।ଏହା ସମ୍ଭବ ହୋଇପାରନ୍ତା ଯଦି ଏହିସବୁ କାର୍ଯ୍ୟକୁ ଧର୍ମ ନିୟମ ଠାରୁ ଅଲଗା କରାଯାଇପାରନ୍ତା ଓ ଧର୍ମ ଉପରେ ହସ୍ତକ୍ଷେପ ନକରି ଏସବୁ କାର୍ଯ୍ୟକୁ ଏକ ନିରପେକ୍ଷ ରୂପ ଦିଆଯାଇପାରନ୍ତା।କହିବାର ଅର୍ଥ ହିନ୍ଦୁ ଅବା ମୁସଲିମ ବା ଖ୍ରୀଷ୍ଟିଆନ ନିଜ ନିଜ ଧର୍ମର ନିୟମ ଅନୁଯାୟୀ ବିବାହ କରିପାରନ୍ତି ମାତ୍ର ତାହା ପରେ ନିରଯେକ୍ଷ ଆଇନ ଅନୁଯାୟୀ ଖାତାରେ ଦସ୍ତଖତ କରି ଅବା ନ୍ୟାୟାଳୟ ସମ୍ମୁଖରେ ଆଉଥରେ ବିବାହ କରିବେ,ଯାହା ଫଳରେ ଉଭୟ ଧର୍ମଗତ ସ୍ଵାଧୀନତା ତଥା ନିରପେକ୍ଷ ଆଇନର ସୁରକ୍ଷା ହୋଇପାରିବ।ତେବେ ସାଂପ୍ରତିକ ପରିସ୍ଥିତିରେ ଏହା ସାମାନ୍ୟ କଷ୍ଟକର ଓ ଅଧିକ ସମୟ ସାପେକ୍ଷ ମନେହେଉଥିବାରୁ ଏହାକୁ ଗୁରୁତ୍ଵ ନଦେଇ ବିଭିନ୍ନ ଧର୍ମ ପାଇଁ ଭିନ୍ନ ଭିନ୍ନ ଆଇନ ପ୍ରଚଳନ କରାଯାଇଛି।

Our Recent Posts