• ସୂର୍ଯ୍ୟସ୍ନାତା ଦାସ

ଭାରତରେ ଖ୍ରୀଷ୍ଟିଆନ ବିବାହ



ଭାରତରେ ଖ୍ରୀଷ୍ଟିଆନ ସଂପ୍ରଦାୟ ମଧ୍ୟରେ ବିବାହ ମୁଖତଃ ଭାରତୀୟ ଖ୍ରୀଷ୍ଟିଆନ ବିବାହ ଅଧିନିୟମ, ୧୮୭୨ ଅନୁସାରେ ହୋଇଥାଏ।ଆପଣମାନେ ତ ଜାଣନ୍ତି,ପ୍ରତ୍ୟେକ ଧର୍ମ ସଂପ୍ରଦାୟରେ ବିବାହ ବୈଧ ହେବା ପାଇଁ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ଥାଏ।ଠିକ ସେହିପରି ଏହି କ୍ଷେତ୍ରରେ ବିବାହର ବୈଧତା ନିମ୍ନଲିଖିତ ପରିସ୍ଥିତିର ପୂରଣ ଉପରେ ନିର୍ଭର କରିଥାଏ।


- ପ୍ରଥମତଃ ଖ୍ରୀଷ୍ଟିଆନ ବିବାହ ନିମନ୍ତେ ବିବାହର ପକ୍ଷମାନେ ଖ୍ରୀଷ୍ଟିଆନ ହେବା ଆବଶ୍ୟକ।


-ଏହି ବିବାହଟି ନିଶ୍ଚିତ ଭାବରେ ଅନୁମତି ପ୍ରାପ୍ତ ବ୍ୟକ୍ତିଙ୍କ ଦ୍ଵାରା ସ୍ଵତନ୍ତ୍ର ପଦ୍ଧତି ଏବଂ ରୀତିନୀତି ଅନୁଯାୟୀ ପାଳନ କରାଯିବା ଆବଶ୍ୟକ।ଅଧିନିୟମରେ ଥିବା ବ୍ୟବସ୍ଥା ଅନୁଯାୟୀ, ବିବାହଟି ରୀତିନୀତି ଅନୁସାରେ ସଂପନ୍ନ ହେବାପରେ,ଏହା ବିବାହ ରେଜିଷ୍ଟରରେ ଉପଯୁକ୍ତ ଭାବରେ ପ୍ରବେଶ କରିବା ନିମନ୍ତେ ଯୋଗ୍ୟ ହୋଇଥାଏ ।


- ବିବାହ ନିମନ୍ତେ ବରର ୨୧ ବର୍ଷ ଏବଂ କନ୍ୟାର ବୟସ ୧୮ ବର୍ଷରୁ କମ୍ ହେବା ଉଚିତ ନୁହେଁ।


-ବିବାହ ସମୟରେ ଉଭକ୍ଷ ପକ୍ଷଙ୍କର ଅନ୍ୟ କୌଣସି ବିବାହିତ ସାଥୀ(ପତି/ପତ୍ନୀ) ଜୀବିତ ନଥିବେ।


ଖ୍ରୀଷ୍ଟିଆନ ବିବାହରେ ବିବାହ ଉତ୍ସବ ବା ଅନୁଷ୍ଠାନଟି କେତେକ ପଦ୍ଧତି ଦ୍ଵାରା ସଞ୍ଚାଳିତ ହୋଇଥାଏ।ପ୍ରକୃତ ବିବାହ ସମାରୋହ ପୂର୍ବରୁ ଉଦ୍ଦିଷ୍ଟ ବିବାହର ବିଜ୍ଞପ୍ତି ପ୍ରକାଶିତ ହୋଇଥାଏ।ବିଜ୍ଞପ୍ତି ପରେ ଏହାକୁ ସ୍ଵୀକାର କରି ଏକ ସାର୍ଟିଫିକେଟ ବା ପ୍ରମାଣପତ୍ର ପ୍ରଦାନ କରାଯାଏ।ସାର୍ଟିଫିକେଟ୍ ପ୍ରଦାନ ତାରିଖ ଠାରୁ ଦୁଇମାସ ମଧ୍ୟରେ ଯଦି ବିବାହ ଉତ୍ସବ ପାଳନ କରିବାକୁ ପଡ଼ିଥାଏ।ଏହି ସମୟସୀମା ମଧ୍ୟରେ ବିବାହ ନ କରିଲେ,ସେ ବିବାହ ନୂତନ ବିଜ୍ଞପ୍ତି ଏବଂ ତତସମ୍ପର୍କିତ ସାର୍ଟିଫିକେଟ ପ୍ରଦାନ ପର୍ଯ୍ୟନ୍ତ ଶୂନ୍ୟ ଘୋଷିତ ହୋଇଥାଏ।ଚର୍ଚ୍ଚରେ ଲାଇସେନ୍ସ ଦ୍ଵାରା ଅନୁମତି ପ୍ରାପ୍ତ ବ୍ୟକ୍ତିଙ୍କ ମାଧ୍ୟମରେ ପ୍ରତ୍ୟେକ ବିବାହ ସକାଳ ଛଅ ଏବଂ ସନ୍ଧ୍ୟା ସାତଟା ମଧ୍ୟରେ ଅନୁଷ୍ଠିତ ହେବା ଉଚିତ ।ବିବାହର ପକ୍ଷମାନେ ଦୁଇ ସାକ୍ଷୀ ଏବଂ ଜଣେ ବିବାହ ଅଧିକାରୀଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରନ୍ତି ।ଏହା ପରେ ତାଙ୍କୁ ବିବାହ ପ୍ରମାଣପତ୍ର ପ୍ରଦାନ କରାଯାଇ ଏହି ଉଦ୍ଦେଶ୍ୟରେ ପରିଚାଳିତ ରେଜିଷ୍ଟରରେ ଏଣ୍ଟ୍ରିଗୁଡ଼ିକ ପ୍ରସ୍ତୁତ କରାଯାଏ ।ଏଠାରେ ଦୃଷ୍ଟି ରଖିବା କଥା ଯେ,ସାମାନ୍ୟ ଅନିୟମିତତା ହେତୁ ଏକ ବିବାହ ଶୂନ୍ୟ ହୁଏ ନାହିଁ ଏବଂ ତ୍ରୁଟିଗୁଡ଼ିକୁ ସଂଶୋଧନ କରି ବିବାହକୁ ଗ୍ରହଣ କରାଯାଇପାରିବ ।


ଖ୍ରୀଷ୍ଟିଆନ ନିୟମରେ ଉପରୋକ୍ତ ସର୍ତ୍ତର ପୂରଣ ବ୍ୟତିରକେ ହୋଇଥିବା ବିବାହ ଦଣ୍ଡନୀୟ ହୋଇଥାଏ। ଯଦି ମିଛରେ ଏହି ଘୋଷଣା ବା ବିଜ୍ଞପ୍ତି କରାଯାଉଛି ଅବା ବିବାହ ରେଜିଷ୍ଟ୍ରାର କିମ୍ବା ସାକ୍ଷୀଙ୍କ ଉପସ୍ଥିତି ବ୍ୟତୀତ ବିବାହ କରାଯାଉଛି,ତେବେ ଏଥିନିମନ୍ତେ ଦଣ୍ତ ବିଧାନ କରାଯାଇପାରେ।


ଛାଡପତ୍ର:


ଭାରତୀୟ ବିବାହ ବିଚ୍ଛେଦ ଅଧିନିୟମ୧୮୬୯ ,ଖ୍ରୀଷ୍ଟିଆନ ଧର୍ମର ବ୍ୟକ୍ତିଙ୍କ ଛାଡପତ୍ର ଏବଂ ଅନ୍ୟାନ୍ୟ ବିବାହ ସମ୍ବନ୍ଧୀୟ ନିୟମକୁ ନିୟନ୍ତ୍ରଣ କରିଥାଏ।ଭାରତୀୟ ବିବାହ ବିଚ୍ଛେଦ (ସଂଶୋଧନ) ଅଧିନିୟମ ଆରମ୍ଭ ହେବା ପୂର୍ବରୁ କିମ୍ବା ପରେ , ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ଦ୍ଵାରା ଜିଲ୍ଲା କୋର୍ଟରେ ନିମ୍ନଲିଖିତ କାରଣ ସମୂହ ଉପସ୍ଥାପିତ କରାଯାଇ ବିବାହ ବିଚ୍ଛେଦ ପାଇଁ ଆବେଦନ କରାଯାଇପାରେ।ନ୍ୟାୟାଳୟ ଯେତେବେଳେ ଆବେଦନକାରୀଙ୍କ ପ୍ରମାଣ ଉପରେ ସନ୍ତୁଷ୍ଟ ହୁଏ, ବିବାହ ବିଚ୍ଛେଦ ହେଲା ବୋଲି ଘୋଷଣା କରାଯାଇଥାଏ ।


୧- ଯଦି କୌଣସି ପକ୍ଷ ବ୍ୟଭିଚାରରେ ସଂପୃକ୍ତ ଥାଆନ୍ତି


୨-ଯଦି କୈାଣସି ପକ୍ଷ ଅନ୍ୟ ଧର୍ମକୁ ଗ୍ରହଣ କରି ନେଇଛନ୍ତି ଓ ଖ୍ରୀଷ୍ଟିଆନ ହୋଇ ରହିନାହାନ୍ତି।


୩- ଆବେଦନପତ୍ରର ଉପସ୍ଥାପନା ପୂର୍ବରୁ କ୍ରମାଗତ ଦୁଇ ବର୍ଷ କିମ୍ବା ତା ଠୁଁ ଅଧିକ ସମୟ ଧରି କୌଣସି ପକ୍ଷ ମାନସିକ ଅକ୍ଷମତାରେ ପୀଡ଼ିତ ହୋଇଥାନ୍ତି ।


୪- ଆବେଦନପତ୍ରର ଉପସ୍ଥାପନା ପୂର୍ବରୁ ଅତିକମରେ ଦୁଇବର୍ଷ ଧରି ଦୂରାରୋଗ୍ୟ କୁଷ୍ଠରୋଗ ବା ଯୌନ ସଂକ୍ରାମକ ରୋଗରେ ପୀଡ଼ିତ ଥାଆନ୍ତି।


୫-ସାତ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି ସେ ଜୀବିତ ଅଛନ୍ତି କି ନାହିଁ, ସେ ବିଷୟରେ କିଛି ଜଣା ନଥାଏ।


୬- ଇଚ୍ଛାକୃତ ଭାବେ ବୈବାହିକ ସମ୍ବନ୍ଧ ସ୍ଥାପନ କରିବାକୁ ପକ୍ଷଟି ମନା କରିଛନ୍ତି।


୭- ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି ବୈବାହିକ ଅଧିକାରର ପୁନଃଉଦ୍ଧାର ପାଇଁ ଆଦେଶ ପାଳନ କରିବାରେ ବିଫଳ ହୋଇଛି।


ଏତଦବ୍ୟତୀତ ପତି ଯଦି ବଳାତ୍କାର,ଅପ୍ରାକୃତିକ ରତିକ୍ରିୟା ଅବା ପଶୁମୈଥୁନ ପ୍ରଭୃତିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି,ତେବେ ପତ୍ନୀ ଦ୍ଵାରା ବିଚ୍ଛେଦ ନିମନ୍ତେ ଆବେଦନ କରାଯାଇପାରେ।


ଏତଦବ୍ୟତୀତ ଅଧିନିୟମର ଧାରା ୧୦ 'କ' ଅନୁସାରେ,ଉଭୟ ପକ୍ଷ ଯେ ଦୁଇ ବର୍ଷ କିମ୍ବା ଅଧିକ ସମୟ ଧରି ପୃଥକ ଭାବରେ ରହୁଛନ୍ତି ଏବଂ ସେମାନେ ଏକାଠି ରହିବାରେ ସକ୍ଷମ ହୋଇ ନାହାଁନ୍ତି ବୋଲି ଦର୍ଶାଯାଇ ପାରସ୍ପରିକ ସମ୍ମତି ଦ୍ୱାରା ଛାଡପତ୍ର ସମ୍ଭବ ହୋଇଥାଏ।ଏପରି ପ୍ରକ୍ରିୟାରେ ବିଚ୍ଛେଦ ସହଜ ତଥା ଶୀଘ୍ର ହୋଇପାରିଥାଏ।


ଯଦି ପକ୍ଷଗୁଡିକ ନିଷିଦ୍ଧ ସମ୍ପର୍କ ପରିସର ମଧ୍ୟରେ ଆସୁଥିବ, ବିବାହ ସମୟରେ ଗୋଟିଏ ପକ୍ଷ ମାନସିକ ଅକ୍ଷମତାରେ ପୀଡ଼ିତ ଥିବ,ଯେ କୌଣସି ପକ୍ଷର ଅନ୍ୟ ଏକ ପୂର୍ବ ବିବାହ ବଳବତ୍ତର ଥିବ କିମ୍ବା ମୁକ୍ତ ସମ୍ମତିର ଅଭାବରେ ବଳପ୍ରୟୋଗ ଅଥବା ଠକାମି ଦ୍ଵାରା ସମ୍ମତି ମିଳିଥିବ,ତେବେ ଭାରତୀୟ ବିବାହ ବିଚ୍ଛେଦ ଅଧିନିୟମର ଧାରା ୧୮ ଅନୁଯାୟୀ ପତି କିମ୍ବା ପତ୍ନୀଙ୍କର ଆବେଦନ କ୍ରମେ ବିବାହକୁ ଶୂନ୍ୟ ଘୋଷିତ କରାଯାଇପାରିବ।


ଏ ସଂକ୍ରାନ୍ତରେ ଏକ ଚର୍ଚ୍ଚିତ ମାମଲା ପି.ଭି.ସାବୁ ବନାମ ମାରିଆକୁଟିର ମାମଲା ସାମ୍ନାକୁ ଆସେ।ଏହି ମାମଲାରେ ବିବାହର ମାତ୍ର ୨୦୩ ଦିନ ପରେ ପତ୍ନୀ ଏକ ସନ୍ତାନ ପ୍ରସବ କରିଥିଲେ ଏବଂ ପିଲାଟି ଅପରିପକ୍ୱ ନଥିଲା।ଏହା ସ୍ପଷ୍ଟ ସୂଚୀତ କରିଥିଲା ଯେ,ବିବାହ ପୂର୍ବରୁ ପତ୍ନୀ ଗର୍ଭଧାରଣ କରିଥିଲେ ଏବଂ ପତିଙ୍କ ମତ ଅନୁଯାୟୀ ତାଙ୍କ ବିବାହ ପୂର୍ବରୁ ତାଙ୍କ ପତ୍ନୀ ଯେ ଗର୍ଭବତୀ,ଏ ବିଷୟରେ ତାଙ୍କ ଜ୍ଞାନ ନଥିଲା। ନ୍ୟାୟାଳୟ ତଥ୍ୟ ଗୋପନୀୟତା ତଥା ଠକେଇ ଆଧାରରେ ଏ ବିବାହର ଶୂନ୍ୟତା ଘୋଷଣା କରିଥିଲେ।

Our Recent Posts