• ସୂର୍ଯ୍ୟସ୍ନାତା ଦାସ

ଭାରତୀୟ ଉତ୍ତରାଧିକରଣ ଅଧିନିୟମ ଅନୁସାରେ ସମ୍ପତ୍ତିର ନିର୍ଗମନ



ଆପଣମାନେ ତ ଜାଣିଥିବେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ତାଙ୍କ ସମ୍ପତ୍ତିର ଉତ୍ତରାଧିକରଣକୁ ନେଇ ବିଭିନ୍ନ ଆଇନ୍ ରହିଛି ଯେପରିକି ହିନ୍ଦୁ ଉତ୍ତରାଧିକରଣ ଅଧିନିୟମ, ମୁସଲିମ ଉତ୍ତରାଧିକରଣ ଅଧିନିୟମ ପ୍ରଭୃତି,ତେବେ ମନରେ ପ୍ରଶ୍ନ ଉଠିବା ସ୍ଵାଭାବିକ ଯେ, ଅନ୍ୟାନ୍ୟ ଧର୍ମସଂପ୍ରଦାୟ ସମୂହ କାହା ଦ୍ଵାରା ପରିଚାଳିତ ହୁଅନ୍ତି,ସେମାନଙ୍କ ପାଇଁ ମଧ୍ୟ କଣ ଭିନ୍ନଭିନ୍ନ ଆଇନ୍ ରହିଛି? ତେବେ ଯେଉଁମାନେ ଭାରତୀୟ ଉତ୍ତରାଧିକରଣ ଅଧିନିୟମ,୧୯୨୫ ବିଷୟରେ ଶୁଣିଥିଲେ, ସେମାନଙ୍କ ମନରେ ବି ପ୍ରଶ୍ନ ଉଠିବା ସ୍ଵାଭାବିକ କି,ଯଦି ସମସ୍ତ ସଂପ୍ରଦାୟ ପାଇଁ ଭିନ୍ନଭିନ୍ନ ଆଇନ ରହୁଛି,ତେବେ ଭାରତୀୟ ଉତ୍ତରାଧିକରଣ ଅଧିନିୟମର ବା ପ୍ରୟୋଜନ କଣ? ଆଜ୍ଞା ହଁ! ଏହାର ପ୍ରୟୋଜନ ରହିଛି କାରଣ,ଏହି ଅଧିନିୟମର ଧାରା ୬ ଅନୁସାରେ କେବଳ ହିନ୍ଦୁ, ମୁସଲମାନ,ଜୈନ,ଶିଖ ଏବଂ ବୌଦ୍ଧଙ୍କୁ ଛାଡିଦେଲେ,ଅନ୍ୟ ସମସ୍ତ ଧର୍ମ ନିର୍ବିଶେଷରେ ଏହା ପ୍ରଯୁଜ୍ୟ।


ଆପଣମାନେ ତ ଜାଣନ୍ତି, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତି ଦୁଇଟି ଭାବରେ ନିର୍ଗମନ ହୋଇଥାଏ।ଯଦି ବ୍ୟକ୍ତିଟି କିଛି ୱିଲ ବା ଇଚ୍ଛା ଛାଡିଥାଏ,ତେବେ ସେ ଅନୁସାରେ ସମ୍ପତ୍ତିଟି ହସ୍ତାନ୍ତରଣ ହୋଇଥାଏ ନଚେତ ଇଣ୍ଟେଷ୍ଟେଟ୍ ଉତ୍ତରାଧିକାରରେ ଏହି ଅଧିନିୟମ ଅର୍ଥାତ୍ ଭାରତୀୟ ଉତ୍ତରାଧିକାର ଅଧିନିୟମ, ୧୯୨୫ର ଧାରା ଲାଗୁ ହୋଇଥାଏ।


ମୃତ ବ୍ୟକ୍ତିଙ୍କ ବାସସ୍ଥାନ ବା ଡୋମିସାଇଲ ତାଙ୍କ ସମ୍ପତ୍ତିର ନିର୍ଗମନ ପ୍ରଣାଳୀରେ ଏକ ଅବିଚ୍ଛେଦ୍ୟ ଭୂମିକା ଗ୍ରହଣ କରିଥାଏ । ହାଲ୍ସବେରୀ ଏହିପରି ଭାବରେ "ବାସସ୍ଥାନ" କୁ ବ୍ୟାଖ୍ୟା କରିଥିଲେ: ଯେ "ଜଣେ ବ୍ୟକ୍ତିର ବାସସ୍ଥାନ ହେଉଛି ସେହି ଦେଶ ଯେଉଁଠାରେ ତାଙ୍କର ସ୍ଥାୟୀ ଘର ଅଛି " ।ଏହି ଅଧିନିୟମର ଧାରା ୫ ସ୍ପଷ୍ଟ ଭାବରେ କହିଛି ଯେ, ଭାରତୀୟ ମୃତକଙ୍କର ଚଳନଶୀଳ ସମ୍ପତ୍ତିର ଉତ୍ତରାଧିକାରୀ ଲେକ୍ସ ଲୋକି ଦ୍ୱାରା ପରିଚାଳିତ ହେବ ଅର୍ଥାତ୍ ଯେଉଁଠାରେ ତାଙ୍କ ମୃତ୍ୟୁ ସମୟରେ ତାଙ୍କର ବାସସ୍ଥାନ ବା ଡୋମିସାଇଲ ଥିଲା; ତାହାର ନିୟମ ସମ୍ପତ୍ତି ଉପରେ ଲାଗୁ ହେବ ଏବଂ ଅଚଳ ସମ୍ପତ୍ତି ସମୂହ ଭାରତର ଆଇନ୍ ଅନୁଯାୟୀ ପରିଚାଳିତ ହେବ।


ଏହାକୁ ଏକ ଉଦାହରଣ ଦ୍ଵାରା ସ୍ପଷ୍ଟ ଭାବରେ ବୁଝିହେବ,


-'ଚ', ଯାହାର ଭାରତରେ ବାସସ୍ଥାନ ଅଛି କିନ୍ତୁ ଫ୍ରାନ୍ସରେ ମୃତ୍ୟୁବରଣ କରେ।ସେ ମୃତ୍ୟୁ ସମୟରେ ଫ୍ରାନ୍ସର ଓ ଇଂଲଣ୍ଡରେ ଚଳନଶୀଳ ସମ୍ପତ୍ତି ଏବଂ ଭାରତରେ ଉଭୟ ଚଳନଶୀଳ ଏବଂ ଅସ୍ଥାବର ସମ୍ପତ୍ତି ଛାଡିଦେଇଯାଏ ।ତେବେ ସେ ସମ୍ପତ୍ତି ସମ୍ବନ୍ଧୀୟ ସମଗ୍ର ଉତ୍ତରାଧିକାରୀ ଭାରତର ନିୟମ ଦ୍ୱାରା ନିୟନ୍ତ୍ରିତ ।


-'ୱ', ଜଣେ ଇଂରେଜ ବ୍ୟକ୍ତି, ଫ୍ରାନ୍ସରେ ତାର ବାସସ୍ଥାନ ଥିଲା ଓ ସେ ଭାରତରେ ମୃତ୍ୟୁ ବରଣ କରେ। ଉଭୟ ଚଳନଶୀଳ ତଥା ଅସ୍ଥାୟୀ ସମ୍ପତ୍ତି ଭାରତରେ ଛାଡିଦିଏ । ଫ୍ରାନ୍ସରେ ଥିବା ଚଳନଶୀଳ ସମ୍ପତ୍ତିର ଉତ୍ତରାଧିକାରଣ ପ୍ରକ୍ରିୟା ଫାନ୍ସର ନିୟମ ଦ୍ଵାରା ଏବଂ ବାକି ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ଉତ୍ତରାଧିକାରଣ ଭାରତର ନିୟମ ଦ୍ୱାରା ନିୟନ୍ତ୍ରିତ ହେବ ।


ବାସସ୍ଥାନ ହିଁ ବ୍ୟକ୍ତିର ସମ୍ପତ୍ତିର ଉତ୍ତରାଧିକରଣ କେଉଁ ପଦ୍ଧତିରେ ହେବ,ତାହା ନିର୍ଦ୍ଧାରଣ କରିଥା। ବୈଧ ଭାବରେ ଜନ୍ମିତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୂଳ ସ୍ଥାନ ସେହି ଦେଶରେ ଯେଉଁଠାରେ ତାଙ୍କ ଜନ୍ମ ସମୟରେ ତାଙ୍କ ପିତା ବାସ କରୁଥିଲେ; କିମ୍ବା, ଯଦି ସେ ଏକ ପିତାଙ୍କର ମୃତ୍ୟୁ ପରେ ଜାତ ସନ୍ତାନ ତେବେ ତାଙ୍କର ଡୋମିସାଇଲ ହେବ ସେହି ଦେଶରେ ଯେଉଁଠାରେ ପିତାଙ୍କ ମୃତ୍ୟୁ ସମୟରେ ତାଙ୍କ ପିତା ବାସ କରୁଥିଲେ । ଏକ ଅବୈଧ ସନ୍ତାନର ଡୋମିସାଇଲ ସେହି ଦେଶରେ, ଯେଉଁଠାରେ ତାଙ୍କ ଜନ୍ମ ସମୟରେ, ତାଙ୍କ ମାତା ବାସ କରୁଥିଲେ।


ଏକ ନୂତନ ବାସସ୍ଥାନ ହାସଲ ନହେବା ପର୍ଯ୍ୟନ୍ତ ତାଙ୍କ ଜନ୍ମସ୍ଥଳୀ ହିଁ ଡୋମିସାଇଲ ବା ବାସସ୍ଥାନ ଭାବରେ ସ୍ଵୀକୃତି ପାଏ। ଜଣେ ବ୍ୟକ୍ତି ଏକ ସ୍ଥିର ବାସସ୍ଥାନ ଗ୍ରହଣ କରି ଏକ ନୂତନ ବାସସ୍ଥାନ ହାସଲ କରନ୍ତି ଯାହା ତାଙ୍କ ମୂଳ ସ୍ଥାନ ନୁହେଁ ।ଏହାକୁ ଆକ୍ବୁଜିସନ କୁହାଯାଏ।ଏହି ପଦ୍ଧତିରେ ତାଙ୍କର ଡୋମିସାଇଲ ପରିବର୍ତ୍ତନ ହୋଇପାରେ।


ଭାରତରେ ଯେ କୈାଣସି ବ୍ୟକ୍ତି ଡୋମିସାଇଲ ବା ବାସସ୍ଥାନର ମାନ୍ୟତା ପାଇପାରନ୍ତି ଯଦି ଆବେଦନ କରିବାର ଏକ ବର୍ଷ ପୂର୍ବରୁ ଭାରତରେ ସ୍ଥାୟୀ ଭାବରେ ରହିଆସିଛନ୍ତି । ଏତଦବ୍ୟତୀତ ବିବାହ ପରେ ଜଣେ ମହିଳା ନିଜ ସ୍ୱାମୀଙ୍କ ବାସସ୍ଥାନ ହାସଲ କରନ୍ତି, ଯଦି ସେ ପୂର୍ବରୁ ସେହି ସମାନ ବାସସ୍ଥାନରେ ଡୋମିସାଇଲ ହାସଲ କରି ନଥାନ୍ତି ।


ଉପରୋକ୍ତ ସମସ୍ତ ପରିସ୍ଥିତି ବାଦ ଯଦି ଭାରତରେ ସମ୍ପତ୍ତି ଥିବା କୈାଣସି ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି,ତେବେ ଅନ୍ୟସ୍ଥାନରେ ବାସସ୍ଥାନର ପ୍ରମାଣ ଅଭାବରୁ ତାଙ୍କର ଉତ୍ତରାଧିକାରଣ ପ୍ରକ୍ରିୟା ଭାରତର ଆଇନ୍ ଅନୁଯାୟୀ କାର୍ଯ୍ୟକାରୀ ହେବ।


ଏହି ନିୟମର ଧାରା ୩୨ ଅନୁଯାୟୀ ସମ୍ପତ୍ତିର ଉତ୍ତରାଧିକରଣ ପ୍ରକ୍ରିୟାଟି ମୃତକଙ୍କର ପତି/ପତ୍ନୀ ଅଥବା ନିକଟ ସମ୍ପର୍କୀୟ ମଧ୍ୟରେ ହୋଇଥାଏ।ଧାରା ୩୩ ଏହାର ନିର୍ଗମନ ପଦ୍ଧତିକୁ ସୂଚାଇଥାଏ‌।ଏହା ଅନୁଯାୟୀ,


(କ) ଯଦି ସେ କୌଣସି ଧାଡ଼ି ବଂଶଧରଙ୍କୁ ଛାଡିଛନ୍ତି ତେବେ ସମ୍ପତ୍ତିର ଏକ ତୃତୀୟାଂଶ ତାଙ୍କର ବିଧବାଙ୍କର ହେବ ଏବଂ ଅବଶିଷ୍ଟ ଦୁଇ-ତୃତୀୟାଂଶ ବଂଶଧରଙ୍କ ନିକଟକୁ ଯିବା।

(ଖ)ଯଦି ସେ କୌଣସି ଧାଡ଼ି ବଂଶଧରଙ୍କୁ ଛାଡିନାହାନ୍ତି,ତେବେ ତାଙ୍କର ଅର୍ଦ୍ଧେକ ସମ୍ପତ୍ତି ତାଙ୍କର ବିଧବାଙ୍କ ନିକଟକୁ ଓ ଅନ୍ୟ ଅର୍ଦ୍ଧେକ କ୍ରମରେ ତାଙ୍କ ସହିତ ସମ୍ପର୍କୀୟଙ୍କ ପାଖକୁ ଯିବ ।


(ଗ) ଯଦି ତାଙ୍କର କେହି ସମ୍ପର୍କୀୟ ନାହାନ୍ତି, ତେବେ ସମଗ୍ର ସମ୍ପତ୍ତିଟି ତାଙ୍କର ବିଧବାଙ୍କର ହେବ।


ଅଧିନିୟମର ଧାରା ୩୭ ଅନୁଯାୟୀ ଯେଉଁଠାରେ ମୃତକ କେବଳ ପିଲା କିମ୍ବା ପିଲାମାନଙ୍କୁ ଛାଡି ଦେଇଛି ,ସେଠାରେ ତାଙ୍କର ସମ୍ପତ୍ତି ବଞ୍ଚିରହିଥିବା ସନ୍ତାନର ହେବ ଏବଂ ତାହା ତାଙ୍କର ସମସ୍ତ ବଞ୍ଚିଥିବା ପିଲାମାନଙ୍କ ମଧ୍ୟରେ ସମାନ ଭାବରେ ବିଭକ୍ତହେବ ।ଧାରା୩୮ ରେ ମଧ୍ୟ ସନ୍ତାନର ସନ୍ତାନ ଅର୍ଥାତ୍ ନାତିନାତୁଣୀ ଜୀବିତ ରହିବା କ୍ଷେତ୍ରରେ ସମାନ କଥା କୁହାଯାଇଛି।


ଯେଉଁ କ୍ଷେତ୍ରରେ ମୃତକଙ୍କର କେହି ସନ୍ତାନ ବା ଧାଡ଼ି ବଂଶଧର ନାହାନ୍ତି,ସେଠାରେ ତାଙ୍କ ବିଧବାଙ୍କ ପାଇଁ ଉଦ୍ଦିଷ୍ଟ ଭାଗ କାଢ଼ିନେଲା ପରେ ସମ୍ପତ୍ତି ନିର୍ଗମନ କ୍ଷେତ୍ରରେ ନିମ୍ନଲିଖିତ ପଦ୍ଧତି ଅବଲମ୍ବନ ହେବ।


-ଧାରା ୪୨ ଅନୁଯାୟୀ ଯେଉଁଠାରେ ମୃତକଙ୍କର ପିତା ବାସ କରନ୍ତି ସେ କ୍ଷେତ୍ରରେ ଏହା ପିତାଙ୍କ ପାଖକୁ ଯିବ ।


-ଧାରା ୪୩ ଅନୁଯାୟୀ ଯେଉଁଠାରେ ମୃତକଙ୍କର ପିତା ମୃତ କିନ୍ତୁ ତାଙ୍କ ମା, ଭାଇ ଓ ଭଉଣୀମାନେ ଜୀବିତ, ତେବେ ସେମାନେ ସମସ୍ତେ ସମାନ ଭାବରେ ସମ୍ପତ୍ତିଟି ନେବାରେ ସକ୍ଷମ ହେବେ।


- ଯେଉଁଠାରେ ମୃତକର ପିତା ମୃତ ଏବଂ ତାଙ୍କ ମା, ଭାଇ କିମ୍ବା ଭଉଣୀ ମୃତ ମାତ୍ର ଭାଇ କିମ୍ବା ଭଉଣୀର ସନ୍ତାନ, ଜୀବିତ,ତେବେ ସେମାନେ ସମ୍ପତ୍ତିର ଅଧିକାରୀ ହେବେ,।ଏହିପରି ପିଲାମାନେ ସେମାନଙ୍କର ପିତାମାତାମାନେ ବଞ୍ଚିଥିଲେ ଯେଉଁ ଭଳି ଭାବରେ ସମ୍ପତ୍ତି ନେଇଥାଆନ୍ତେ,ସେହିଭଳି ଭାବରେ ନେବାରେ ସକ୍ଷମ ହେବେ।


- ଧାରା ୪୫ ଅନୁଯାୟୀ ଯେଉଁଠାରେ ମୃତକଙ୍କର ପିତା ମରିଗଲେ ଏବଂ ତାଙ୍କ ମାତା ଏବଂ ମୃତ ଭାଇ କିମ୍ବା ଭଉଣୀମାନଙ୍କର ପିଲାମାନେ ଜୀବିତ,ସେ କ୍ଷେତ୍ରରେ ଛାଡିଛନ୍ତି, ମା ଏବଂ ପ୍ରତ୍ୟେକ ମୃତ ଭାଇ କିମ୍ବା ଭଉଣୀର ସନ୍ତାନ କିମ୍ବା ପିଲାମାନେ ସମ୍ପତ୍ତିରେ ହକଦାର ହେବେ ।ଏଠାରେ ମଧ୍ୟ ପିଲାମାନେ ସେମାନଙ୍କର ପିତାମାତାମାନେ ବଞ୍ଚିଥିଲେ ଯେଉଁ ଭଳି ଭାବରେ ସମ୍ପତ୍ତି ନେଇଥାଆନ୍ତେ,ସେହିଭଳି ଭାବରେ ନେବାରେ ସକ୍ଷମ ହେବେ।


- ଧାରା ୪୬ ଅନୁସାରେ ଯେଉଁଠାରେ ମୃତକଙ୍କର ପିତା ମରିଯାଇଥିଲେ, କିନ୍ତୁ ତାଙ୍କ ମା ରହୁଥିଲେ ଏବଂ ଭାଇ, ଭଉଣୀ କିମ୍ବା ସେମାନଙ୍କର ସନ୍ତାନ ପ୍ରଭୃତି ଜୀବିତ ନଥିବେ,ତେବେ ସମଗ୍ର ସମ୍ପତ୍ତି ମାତାଙ୍କର ହେବ ।


-ଯେଉଁଠି ମୃତକଙ୍କର କୈାଣସି ବଂଶଧର, କିମ୍ବା ପିତାମାତା, କିମ୍ବା ଭାଇଭଉଣୀ ନାହାଁନ୍ତି,ଧାରା ୪୮ ଅନୁଯାୟୀ, ତାଙ୍କ ସମ୍ପତ୍ତି ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯିବ ନଚେତ ଧାରା ୩୪ ଅନୁଯାୟୀ ସରକାରଙ୍କ ପାଖକୁ ଚାଲିଯିବ।


- ତେବେ ଉତ୍ତରାଧିକରଣର ଏହି ଉପରୋକ୍ତ ନିୟମ ସମୂହ ପାର୍ଶୀଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇନଥାଏ।ସେମାନଙ୍କ ନିମନ୍ତେ ଧାରା ୫୦ରୁ ଧାରା୫୬ ମଧ୍ୟରେ ସ୍ଵତନ୍ତ୍ର ନିୟମ ଉଲ୍ଲେଖ ରହିଛି।

Our Recent Posts

Law in Odia

India

LAW IN ODIA