• ସୂର୍ଯ୍ୟସ୍ନାତା ଦାସ

ମିଳିତ ଅପରାଧ ; ଛାଡେନାହିଁ ତାକୁ ଆଇନର ତାପ


ବେଳେବେଳେ ଗୋଟିଏ ଅପରାଧରେ ଏକାଧିକ ଅପରାଧୀ ଥାଆନ୍ତି ଏବଂ ସେମାନେ ମିଳିତ ଭାବରେ ଅପରାଧଟିକୁ ସଂଘଟିତ କରିଥାଆନ୍ତି,ତେବେ ସେ କ୍ଷେତ୍ରରେ ଆଇନର ରୂପ କେଉଁ ଭଳି ରହିଥାଏ ,ଆସନ୍ତୁ ଜାଣିବା।


ଅପରାଧ ଘଟାଇବା ପୂର୍ବରୁ ମିଳିତ ଭାବରେ କରାଉଥିବା ଅପରାଧିକ ଷଡଯନ୍ତ୍ର ମଧ୍ୟ ଏକ ଘୃଣ୍ୟ ଅପରାଧ ଭଳି ଆଇନ ଆଖିରେ ନିନ୍ଦନୀୟ ।ଦଫା - ୧୨୦ ‘କ'ରେ ଅପରାଧିକ ଷଡ଼ଯନ୍ତ୍ରର ପରିଭାଷା ପ୍ରଦାନ କରିବାକୁ ଯାଇ କୁହାଯାଇଛି ,ଅପରାଧିକ ଷଡ଼ଯନ୍ତ୍ର ସଂଘଟିତ ହୁଏ,ଯେତେବେଳେ


ଯେତେବେଳେ ଦୁଇ ବା ଅଧିକ ବ୍ୟକ୍ତି –


(୧) କୌଣସି ଅବୈଧ କାର୍ଯ୍ୟ,


ଅଥବା (୨) କୌଣସି ବୈଧ କାର୍ଯ୍ୟ ଯଦି ଅବୈଧ ଉପାୟରେ କରିବାକୁ ବା କରାଇବାକୁ ସହମତ ହୁଅନ୍ତି,


ପରନ୍ତୁ କୌଣସି ଅପରାଧ ଘଟାଇବା ନିମନ୍ତେ ସହମତି ବ୍ୟତୀତ ଅନ୍ୟ କୌଣସି ସହମତିକୁ ଅପରାଧିକ ଷଡ଼ଯନ୍ତ୍ର ବୋଲି ସେ ପର୍ଯ୍ୟନ୍ତ କୁହାଯାଇ ପାରିବ ନାହିଁ ଯେ ପର୍ଯ୍ୟନ୍ତ ସହମତି ପ୍ରଦାନକାରୀ ପକ୍ଷ ବା ପକ୍ଷମାନଙ୍କ ଦ୍ଵାରା କିଛି କାର୍ଯ୍ୟ କରା ନ ଯାଇଛି ।


ବିମ୍ବାଧର ପ୍ରଧାନ ବନାମ ଓଡିଶା ରାଜ୍ୟ ମାମଲାରେ ଏହା ଦେଖାଯାଇଥିଲା ଯେ,କେବଳ ଜଣେ ବ୍ୟକ୍ତିଦ୍ଵାରା ଏହା ହୋଇପାରିବ ନାହିଁ ଏବଂ ଏଥିନିମନ୍ତେ ଅତିକମରେ ଦୁଇଜଣ ବ୍ୟକ୍ତି ଆବଶ୍ୟକ।


ଦଫା - ୧୨୦ ‘ଖ' ଏହି ଅପରାଧିକ ଷଡ଼ଯନ୍ତ୍ର ନିମନ୍ତେ ପ୍ରଦତ୍ତ ଦଣ୍ଡ ବିଷୟରେ ଆଲୋଚନା କରିଥାଏ।ଏହା ଅନୁଯାୟୀ


(୧) ଯଦି କେହି ମୃତ୍ୟୁଦଣ୍ତ, ଆଜୀବନ କାରାଦଣ୍ଡ ଅଥବା ଦୁଇ ବର୍ଷ ବା ତତୋଧିକ ଅବଧି ପାଇଁ ସଶ୍ରମ କାରାଦଣ୍ଡରେ ଦଣ୍ଡନୀୟ ଅପରାଧ କରିବା ଉଦ୍ଦେଶ୍ୟରେ କୌଣସି ଆପରାଧିକ ଷଡ଼ଯନ୍ତ୍ରରେ ଲିପ୍ତ ହୁଏ,ତେବେ ଯଦି ଏ ପ୍ରକାର ଷଡ଼ଯନ୍ତ୍ରର ଦଣ୍ଡ ପାଇଁ ସଂହିତାରେ କୌଣସି ପ୍ରକାଶ୍ୟ ବିଧାନ ନାହିଁ, ତେବେ ସେ ଉକ୍ତ ଅପରାଧର ସେ କୁପ୍ରରୋଚକ ଭାବରେ ଦଣ୍ଡିତ ହେବ ।


(୨)ଯିଏ ଉପରୋକ୍ତ ଅପରାଧିକ ଷଡଯନ୍ତ୍ର ଭିନ୍ନ ଅନ୍ୟ କୌଣସି ଅପରାଧିକ ଷଡଯନ୍ତ୍ରରେ ସାମିଲ ହୁଏ,ତେବେ ସେ ଛଅ ମାସ ପର୍ଯ୍ୟନ୍ତ କାରାଦଣ୍ତ କିମ୍ବା ଜରିମାନା କିମ୍ବା ଉଭୟ ସହିତ ଦଣ୍ଡିତ ହୋଇପାରିବ।


ରାଜୀବ କୁମାର ବନାମ ଉତ୍ତରପ୍ରଦେଶ ରାଜ୍ୟ ମାମଲାରେ, ଷଡଯନ୍ତ୍ର ସଂଘଟିତ ହେବା ପାଇଁ ଆବଶ୍ୟକ ଉପାଦାନ ସଂପର୍କରେ ନ୍ୟାୟାଳୟ କହିଥିଲେ ଯେ,ଏକ ଷଡଯନ୍ତ୍ରରେ-


- ଦୁଇ କିମ୍ବା ଅଧିକ ବ୍ୟକ୍ତି ରହିବା ଜରୁରୀ ଅନ୍ୟଥା ଏହି ଦଫା ଲାଗୁ ହେବ ନାହିଁ।ସରଳଭାଷାରେ ଜଣେ ବ୍ୟକ୍ତି କଦାପି ନିଜେନିଜେ ଅପରାଧିକ ଷଡଯନ୍ତ୍ର ପାଇଁ ଦାୟୀ ହୋଇ ପାରିବେ ନାହିଁ।


- ଏକ ବେଆଇନ କାର୍ଯ୍ୟ କିମ୍ବା ଏକ ବେଆଇନ ପ୍ରଣାଳୀ ରହିବା ଆବଶ୍ୟକ;ଏହାର ଅଭାବରେ ଅପରାଧିକ ଷଡଯନ୍ତ୍ର ହୋଇ ପାରିବ ନାହିଁ।


-ଏକ ଉଦ୍ଦେଶ୍ୟ ନିମନ୍ତେ ଏକମତ ହୋଇ ସମ୍ମତି ପ୍ରଦାନ କରିଥିବା ଆବଶ୍ୟକ ।


ତେବେ ଦଫା ୩୪ ଏହାଠୁଁ ଖୁବ ଭିନ୍ନ। ଏହା ଏକ ସମ ଅଭିପ୍ରାୟ ନେଇ ଅଗ୍ରସର ବ୍ୟକ୍ତିଙ୍କ ଦ୍ଵାରା କୃତ କର୍ମ କ୍ଷେତ୍ରରେ ଅପରାଧ ନିର୍ଦ୍ଧାରଣ ସଂପର୍କରେ କହିଥାଏ।ଏହା ଅନୁସାରେ ସମ ଅଭିପ୍ରାୟ ନେଇ ଅଗ୍ରସର ବ୍ୟକ୍ତି ଯଦି କୌଣସି ଅପରାଧ କରନ୍ତି,ତେବେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ସେହି ଅପରାଧ ପାଇଁ ଦାୟୀ ରହିବେ ସତେ ଯେପରି ପ୍ରତ୍ୟେକ ଏକା ହିଁ ବା ଜଣେ ହୋଇ ସେ ଅପରାଧ କରିଛନ୍ତି ।ଏହାର ପୂରଣ ପାଇଁ ଦୁଇଟି ଉପାଦାନ ଏକାନ୍ତ ଆବଶ୍ୟକ-


-ସମ ଅଭିପ୍ରାୟ


-ଉକ୍ତ ଅଭିପ୍ରାୟ ନେଇ ମିଳିତ ଭାବରେ କରାଯାଇଥିବା କୌଣସି ଅପରାଧ


ଏହା ୧୨୦ 'କ' ଭଳି କୌଣସି ସ୍ଵତନ୍ତ୍ର ଅପରାଧ ହୋଇନଥାଏ ବରଂ ଅନ୍ୟ ଅପରାଧ ସହ ସଂଯୁକ୍ତ ହେବା ପରେ ହିଁ ଯାଇ ଏହା ଦଣ୍ତବିଧାନ କରିପାରେ। ଉଦାହରଣ ଭାବରେ ଦେଖନ୍ତୁ ,ଏହା ଯେତେବେଳେ ହତ୍ୟାର ଦଫା ସହ ମିଶି ସତ ବୋଲି ସାବ୍ୟସ୍ତ ହେବ, ତେବେ ପ୍ରତ୍ୟେକ ହତ୍ୟା ଅପରାଧର ଦଣ୍ଡ ପାଇବେ। ସେହିଭଳି ଏହା ଯଦି ଧର୍ଷଣ,ଚୋରି,ଡକାୟତି କିମ୍ବା ଅନ୍ୟାନ୍ୟ ଦଫା ସହ ଲାଗିବ,ତେବେ ସେହି ଅପରାଧ ପ୍ରମାଣିତ ହେବାପରେ ତାଙ୍କୁ ସେହି ଅପରାଧ ଅନୁସାରେ ହିଁ ଦଣ୍ତ ମିଳିବ।


ରିଷିଦେବ ପାଣ୍ଡେ ବନାମ ଉତ୍ତରପ୍ରଦେଶ ରାଜ୍ୟରେ ଏହା କୁହାଯାଇଥିଲା ଯେ,ଏହି ସାଧାରଣ ଅଭିପ୍ରାୟ ତତକ୍ଷଣାତ ମଧ୍ୟ ସୃଷ୍ଟି ହୋଇପାରେ।


ପଣ୍ଡୁରାଙ୍ଗ ବନାମ ହାଇଦ୍ରାବାଦ ମାମଲାରେ ସମାନ ଅଭିପ୍ରାୟ ଓ ସାଧାରଣ ଅଭିପ୍ରାୟ ମଧ୍ୟରେ ଥିବା ପ୍ରଭେଦକୁ ବୁଝାଯାଇଥିଲା।ଏହା ଅନୁସାରେ ଯଦି କେତେଜଣ ଲୋକ ଏକତ୍ର ଗୋଟିଏ ଲୋକ ଉପରେ ଆକ୍ରମଣ କରୁଛନ୍ତି ଏବଂ ସମସ୍ତଙ୍କର ବ୍ୟକ୍ତିକୁ ହତ୍ୟା କରିବା ନିମନ୍ତେ ସମାନ ଉଦ୍ଦେଶ୍ୟ ଥାଇପାରେ,ତଥାପି ପୂର୍ବରୁ ମନ ନ ମିଶିଥିବା ହେତୁ ଓ ଯୋଜନା ଏହା ସାଧାରଣ ଉଦ୍ଦେଶ୍ୟ ହେବନାହିଁ।


ତେବେ ସମୟ ସମୟରେ ଏହି ଦୁଇଟି ଦଫା ଅନ୍ୟ ଏକ ଦଫା ସହ ଦ୍ବନ୍ଦରେ ପକାଇଥାଏ।ତାହା ହେଲା ଦଫା ୧୪୯ ଯେଉଁଠି ବେଆଇନ ସଭା ଦ୍ଵାରା ସମ ଲକ୍ଷ୍ୟ ନେଇ କରାଯାଇଥିବା ଅପରାଧରେ ସଭାର ସମସ୍ତ ସଦସ୍ୟ ଦୋଷୀ ହୋଇଥାଆନ୍ତି। ବେଆଇନ ସଭାର ପ୍ରତ୍ୟେକ ସଦସ୍ୟ ଅପରାଧ ସ୍ଥାନରେ ଥାଆନ୍ତୁ ଅବା ନଥାନ୍ତୁ,କିନ୍ତୁ ସେହି ସାଧାରଣ ଲକ୍ଷ୍ୟ ନେଇ କରାଯାଇଥିବା ଅପରାଧରେ ଦୋଷୀ ଭାବରେ ପରିଗଣିତ ହୋଇଥାଆନ୍ତି ।ତେବେ ଏଇଟି ଦଫା ମଧ୍ୟରେ ମୁଖ୍ୟ ପାର୍ଥକ୍ୟଗୁଡିକ ହେଲା-


- ଧାରା ୩୪ ଏକ ନିର୍ଦ୍ଦିଷ୍ଟ ଅପରାଧ ଗଠନ କରେ ନାହିଁ କିନ୍ତୁ ଧାରା ୧୪୯ ଏକ ନିର୍ଦ୍ଦିଷ୍ଟ ଅପରାଧ ସୃଷ୍ଟି କରି ଦଣ୍ଡବିଧାନ କରିଥାଏ ।


- ଦଫା୩୪ ରେ ବ୍ୟବହୃତ ‘ସାଧାରଣ ଉଦ୍ଦେଶ୍ୟ’କୁ ସଂହିତାର କୌଣସି ସ୍ଥାନରେ ବ୍ୟାଖ୍ୟା କରାଯାଇ ନାହିଁ,କିନ୍ତୁ ଦଫା ୧୪୯ ନିମନ୍ତେ ସାଧାରଣ ଲକ୍ଷ୍ୟ କ'ଣ ହୋଇପାରିବ,ତାହା ଦଫା ୧୪୧ରେ ବର୍ଣ୍ଣନା କରାଯାଇଛି।


-ଦଫା ୩୪ର ସାଧାରଣ ଉଦ୍ଦେଶ୍ୟ ନିମନ୍ତେ ପୂର୍ବରୁ ମନମିଶିବା ଆବଶ୍ୟକ ହୋଇଥାଏ ମାତ୍ର ଦଫା ୧୪୯ କ୍ଷେତ୍ରରେ ଏହା ଜରୁରୀ ନୁହେଁ।


- ଦୁଇ କିମ୍ବା ଅଧିକ ବ୍ୟକ୍ତି ଜଡିତ ଥିଲେ ଦଫା ୩୪ ଲାଗିପାରିବ ମାତ୍ର ଦଫ ୧୪୯ ଲାଗୁ କରିବାକୁ ଅତିକମରେ ୫ ଜଣ ରହିବା ଆବଶ୍ୟକ ।


-ସକ୍ରିୟ ଅଂଶଗ୍ରହଣ ହେଲେ ହିଁ ଯାଇ ଦଫା ୩୪ ଲାଗିଥାଏ ମାତ୍ର ଦଫା ୧୪୯ ନିମନ୍ତେ ସକ୍ରିୟ ଯୋଗଦାନ ଆବଶ୍ୟକ ନୁହେଁ ।

Our Recent Posts