• ସୂର୍ଯ୍ୟସ୍ନାତା ଦାସ

ମୁସଲିମ ନିୟମର ଉତ୍ପତ୍ତି


ମୁସଲିମ ଧର୍ମ ଅଦ୍ୟାବଧି ପ୍ରଚଳିତ ପୃଥିବୀର ପ୍ରାଚୀନତମ ଧର୍ମ ମଧ୍ୟରୁ ଅନ୍ୟତମ।ଇସଲାମର ଅର୍ଥ ହେଉଛି ଶାନ୍ତି ଓ ଶୁଦ୍ଧତା।ମୁସଲମାନମାନେ ଏକ ଈଶ୍ୱରବାଦରେ ବିଶ୍ୱାସ କରନ୍ତି ଅର୍ଥାତ୍ ସେମାନଙ୍କ ମତରେ ଯେ କେବଳ ଜଣେ ହିଁ ଈଶ୍ୱର ଅଛନ୍ତି ଓ ସେ ହେଉଛନ୍ତି ଆଲ୍ଲା, ଯାହାଙ୍କଠାରୁ ଏ ଧର୍ମର ସୃଷ୍ଟି।


ନରାନ୍ତକଥ ବନାମ ପ୍ରାକଲ ମାମଲାରେ କୁହାଯାଇଥିଲା ଯେ ମୁସଲମାନମାନଙ୍କର ଦୁଇଟି ମୌଳିକ ବିଶ୍ୱାସ ଅଛି, ପ୍ରଥମଟି ହେଉଛି ଈଶ୍ୱରଙ୍କ ଅସ୍ତିତ୍ୱ ଏବଂ ଏକତା, ଏବଂ ଦ୍ୱିତୀୟଟି ହେଉଛି ପ୍ରଫେଟ୍ ମହମ୍ମଦଙ୍କ ଲକ୍ଷ୍ୟ ଉପରେ ବିଶ୍ୱାସ ।


ମୁସଲମାନ ଆଇନର ଉତ୍ସ -


ମୁସଲମାନ ଆଇନର ଉତ୍ସକୁ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ ଯଥା ମୂଳ ଉତ୍ସ ଏବଂ ଆଧୁନିକ ଉତ୍ସ। ମୂଳ ଉତ୍ସ ହେଉଛି କୁରାନ, ସୁନ୍ନତ, ଇଜମା ଏବଂ କିୟାସ ,ଯାହା ବହୁ ପ୍ରାଚୀନ କାଳରୁ ଅଦ୍ୟାବଧି ପ୍ରଚଳିତ। ଅନ୍ୟାନ୍ୟ ଆଧୁନିକ ଉତ୍ସଗୁଡ଼ିକ ହେଉଛି ନ୍ୟାୟିକ ନିଷ୍ପତ୍ତି, ରୀତିନୀତି ଏବଂ ନିୟମ,ଯାହାର ଉତ୍ପତ୍ତି ସେମାନଙ୍କ ତୁଳନାରେ ନୂତନ ତଥା ଏ ସମୟର ସମସାମୟିକ ।


ପାରମ୍ପରିକ ଇସଲାମର ବ୍ୟବସ୍ଥା ଶରିୟା ଭାବରେ ଜଣାଶୁଣା। "ଶରିୟାତ୍ "ଏକ ଆରବୀୟ ଶବ୍ଦ ଯାହାକୁ ଆକ୍ଷରିକ ଅର୍ଥରେ ରାସ୍ତା ବା ବାଟ କୁହାଯାଏ ।ଏହି ଧର୍ମର ଧର୍ମାବଲମ୍ବୀଙ୍କ ମତରେ ଏହା ହିଁ ଏହି ଶାନ୍ତି ଓ ଶୁଦ୍ଧତା ହାସଲ କରିବାର ମାର୍ଗ।ଏହା ପ୍ରଚାରକ ପ୍ରଫେଟ ମହମ୍ମଦଙ୍କର ନୀତି ତଥା ଏହି ଧର୍ମର ଅନ୍ୟାନ୍ୟ ଜଣାଶୁଣା ନ୍ୟାୟଶାସ୍ତ୍ରୀଙ୍କ ଶିକ୍ଷାକୁ ବିଭିନ୍ନ ଭାଗରେ ଧାରଣ କରିଥାଏ ।ଫିକହ ହେଉଛି ଇସଲାମର ଆଇନ ବ୍ୟବସ୍ଥା ଯାହା ବିଧି ପ୍ରଭୃତିର ଏକ ଶରୀର ଭାବରେ ସ୍ଵୀକୃତି ପାଇଥାଏ।ଶରିୟାତ ଓ ଫିକହ ମଧ୍ୟରେ ପ୍ରମୁଖ ପାର୍ଥକ୍ୟ ହେଉଛି-


-ଶରିୟାତ ମନୁଷ୍ୟର ସମସ୍ତ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଥିବା ସମୟରେ ଫିକହ କେବଳ ଆଇନଗତ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ।ତେଣୁ ଶରିୟାତଟି ଫିକହ ଠାରୁ ଖୁବ ବିସ୍ତୁତ।


-ଶରିୟାତ ଆଲ୍ଲାଙ୍କ ପ୍ରଦର୍ଶିତ ପଥ ହୋଇଥିବା ବେଳେ ଯୁକ୍ତି ଉପରେ ପର୍ଯ୍ୟବେସିତ ଫିକହ ମାନବକୃତ ହୋଇଥାଏ।


ଭାରତରେ ଏହି ଧର୍ମାବଲମ୍ବୀଙ୍କ ମାନଙ୍କ ନିମନ୍ତେ ପାରିତ ମୁସଲିମ ବ୍ୟକ୍ତିଗତ ଆଇନ୍ ୧୯୩୭ ଏହି ସମସ୍ତ ନିୟମ ପ୍ରଭୃତି ଉପରେ ହିଁ ଆଧାରିତ ହୋଇଥାଏ।ଏହି ନିୟମ ମୁସଲମାନମାନଙ୍କ ମଧ୍ୟରେ ବିବାହ, ଉତ୍ତରାଧିକାର ଓ ଉତ୍ତରାଧିକାରୀ ଏବଂ ଦାନ ଇତ୍ୟାଦି ସହିତ ଜଡିତ ହୋଇଥାଏ।


ପ୍ରାଥମିକ ଉତ୍ସ:


କୁରାନ -


କୁରାନ ଶବ୍ଦ ଆରବୀୟ ଶବ୍ଦ 'କୁରା'ରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ପଢିବା । ଏଥିରେ ସର୍ବମୋଟ ୧୧୪ ଟି ଅଧ୍ୟାୟ ବା ସୁରା ରହିଛି ଯେଉଁଥିରେ ୬୬୬୬ଟି ପଦ ବା ଆୟତ ରହିଛି।ଏହି ଧର୍ମାବଲମ୍ବୀଙ୍କ ମତରେ କୁରାନର ପ୍ରତ୍ୟେକ ଶବ୍ଦ ହେଉଛି ଈଶ୍ୱରଙ୍କ ଭାଷା ଯାହା ମାନବଜାତିର ହିତ ପାଇଁ ଭିନ୍ନଭିନ୍ନ ସମୟ ଓ ସ୍ଥାନରେ ଦୂତ ଗାବ୍ରିଏଲଙ୍କ ମାଧ୍ୟମରେ ମହମ୍ମଦଙ୍କୁ ପ୍ରଦାନ କରାଯାଇଥିଲା ଓ ପରେ ତାଙ୍କ ଦ୍ଵାରା ଓ ତାଙ୍କ ଶିଷ୍ୟଙ୍କ ଦ୍ଵାରା ପ୍ରସାରିତ ହୋଇଥିଲା।


ସୁନ୍ନତ -


ସୁନ୍ନତ ଶବ୍ଦର ଅର୍ଥ ହେଉଛି ଏକ ପ୍ରଣାଳୀ, ପଥ କିମ୍ବା କାର୍ଯ୍ୟର ଉପାୟ । ଏହା ପ୍ରକୃତରେ ପ୍ରଫେଟଙ୍କର କାର୍ଯ୍ୟ, ଭାଷା ଏବଂ ଅଭ୍ୟାସକୁ ସୂଚିତ କରେ ଏବଂ ପ୍ରଫେଟ ମହମ୍ମଦଙ୍କର ପରମ୍ପରା ନାମରେ ମଧ୍ୟ ଜଣାଯାଏ,ତାହା ଏହି ଧର୍ମର ଧର୍ମାବଲମ୍ବୀଙ୍କ ପାଇଁ ଆଦର୍ଶ ହୋଇଥାଏ।


ସୁନାର ପରମ୍ପରାକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇଥାଏ ।-


· ସୁନ୍ନତ-ଉଲ୍-ଫଲ;ଯାହାର ଅର୍ଥ ପ୍ରଫେଟ ନିଜେ ଯାହା କରୁଥିଲେ କାରଣ ଅଧିକାଂଶ ନିଷ୍ପତ୍ତି ଈଶ୍ୱରଙ୍କ ଆଜ୍ଞା ଦ୍ୱାରା ପ୍ରଭାବିତ ହୋଇଥିଲା।


· ସୁନ୍ନତ-ଉଲ୍-କ୍ବାଲ୍ ;ପ୍ରଫେଟଙ୍କର ସମସ୍ତ ଆଦେଶ ତଥା ନିର୍ଦ୍ଦେଶଗୁଡ଼ିକ ସୁନ୍ନତ-ଉଲ୍-କ୍ବଲ୍ ଭାବରେ ଜଣାଶୁଣା ।


· ସୁନ୍ନତ -ଉଲ-ତକ୍ରିର ;କାର୍ଯ୍ୟକଳାପ ଯାହାକୁ ସେ ଖୋଲାଖୋଲି ଭାବରେ ଶବ୍ଦ ମାଧ୍ୟମରେ ନିଜର ସମ୍ମତି ପ୍ରକାଶ ନକରି ମଧ୍ୟ ପ୍ରଚଳିତ ରହିବା ପାଇଁ ଅନୁମତି ଦେଇଥିଲେ।

ଇଜମା -


ଏକ ନିର୍ଦ୍ଦିଷ୍ଟ ଆଇନଗତ ପ୍ରସଙ୍ଗରେ, ଯେଉଁଠି ଅନ୍ୟାନ୍ୟ ଉତ୍ସ ଗୁଡିକ ନୀରବ ଥାଏ ଅଥବା ଆଲୋଚନା ଆବଶ୍ୟକ କରୁଥାଏ, ସେ କ୍ଷେତ୍ରରେ ଇଜମାର ବ୍ୟବହାର ହୁଏ।ଇଜମା ହେଉଛି ମୁସଲମାନ ଧର୍ମଜ୍ଞ ଏବଂ ମୁଜତାହିଦ ଅର୍ଥାତ ଆଇନଜ୍ଞଙ୍କ ମଧ୍ୟରେ ଏକ ସାଧାରଣ ସହମତି ଅଥବା ସର୍ବ ସମ୍ମତ ନିଷ୍ପତ୍ତି । ଏହି ଇଜମା ଦୁଇ ପ୍ରକାରର ରହିଛି:ପ୍ରଥମତଃ ଇଜମା-ଅଲ-ଉମ୍ମା ଯାହାର ଅର୍ଥ ହେଉଛି ସମ୍ପ୍ରଦାୟର ସହମତି ଏବଂ ଦ୍ଵିତୀୟତଃ ଇଜମା-ଅଲ-ଲକ୍ଷ୍ୟମା ଯାହାର ଅର୍ଥ ହେଉଛି ଧାର୍ମିକ କର୍ତ୍ତୃପକ୍ଷ ସହମତି।


କିୟାସ୍ -


ଇସଲାମ ନିୟମର ଅନ୍ୟତମ ପ୍ରମୁଖ ଉତ୍ସ ହେଉଛି କିୟାସ, ଯାହାର ଅର୍ଥ ହେଉଛି ଅନୁରୂପ ଯୁକ୍ତି । ଏହି ଶବ୍ଦର ଆକ୍ଷରିକ ଅର୍ଥ ହେଉଛି କିଛିର ଲମ୍ବ, ଗୁଣ ଏବଂ ଓଜନ ମାପିବା କିମ୍ବା ଜାଣିବା । ଏହା ନୂଆ ଆଇନ ତିଆରି କରେନାହିଁ ବରଂ ସେହି ସ୍ଥାପିତ ଆଇନକୁ ହିଁ ନୂତନ ସମସ୍ୟା ସହ ଅନୁଧ୍ୟାନ କରି ଆବଶ୍ୟକ କ୍ଷେତ୍ରରେ ଉପଯୁକ୍ତ ଭାବରେ ପ୍ରୟୋଗ କରାଇବାକୁ କହିଥାଏ।


ଏ‌ହି ଉତ୍ସଗୁଡିକର ମର୍ଯ୍ୟାଦା ଏହି ଧର୍ମାବଲମ୍ବୀଙ୍କ ମଧ୍ୟରେ ଖୁବ ଅଧିକ ସମ୍ମାନନୀୟ। ଆଗା ମହମ୍ମଦ ଜାଫର ବନାମ କୁଲସମ ବିବି ମାମଲାରେ ପ୍ରିଭି କାଉନସିଲରେ ଦେଖାଯାଇଥିଲା ଯେ ଯେଉଁଠାରେ କୁରାନର ଏକ ଅଂଶକୁ ଉଭୟ ହେଦୟା (ସୁନ୍ନି ଆଇନର ଏକ ଶାଖା) ଏବଂ ଇମାମିଆରେ (ଶିଆ ଆଇନର ଏକ ଶାଖା) ରେ ବ୍ୟାଖ୍ୟା କରାଯାଇଛି, ଏହାକୁ ଏକ ଭିନ୍ନ ଢଙ୍ଗରେ ବିଚାର କରିବା ପାଇଁ ଜଣେ ବିଚାରପତିଙ୍କ ପକ୍ଷେ ଠିକ ନୁହେଁ।


ନୂତନ ଉତ୍ସ -


ଏହି ନୂତନ ଉତ୍ସଗୁଡିକ ସମସାମୟିକ ସମୟରେ ହିଁ ଉତ୍ପନ୍ନ, ମାତ୍ର ଏହାର ସୂତ୍ର ସେହି ପ୍ରାଥମିକ ଉତ୍ସ ମାନଙ୍କ ମଧ୍ୟରୁ ହିଁ ସୃଷ୍ଟ।


ନ୍ୟାୟିକ ନିଷ୍ପତ୍ତି -


ଏହା ଉଚ୍ଚତମ ନ୍ୟାୟାଳୟ,ବିଭିନ୍ନ ଉଚ୍ଚ ନ୍ୟାୟାଳୟ ଦ୍ଵାରା ପ୍ରଦତ୍ତ ନିଷ୍ପତ୍ତିକୁ ସୂଚାଇଥାଏ ଏବଂ ସେହିଭଳି ସମାନ ସମସ୍ୟାଗୁଡ଼ିକ ସେହି ସମାନ ପଦ୍ଧତିରେ ସମାଧାନ ହେବା ଯୋଗ୍ୟ ବୋଲି ଜଣାଇଥାଏ। ଆମର ଭାରତୀୟ ନ୍ୟାୟପାଳିକା ବିଭିନ୍ନ କ୍ଷେତ୍ରରେ ମୁସଲମାନ ନିୟମକୁ ବ୍ୟାଖ୍ୟା କରିଛନ୍ତି।


ଉଦାହରଣ ସ୍ଵରୂପ ,ମାଇନି ବିବି ବନାମ ଚୌଧୁରୀ ଅହମ୍ମଦ ମାମାଲାରେ ପ୍ରିଭି କାଉନସିଲ କହିଥିଲେ ଯେ, ଯେତେ ପର୍ଯ୍ୟନ୍ତ ମହର ବା ଡାୱର ନ ମିଳିଛି ସେ ପର୍ଯ୍ୟନ୍ତ ପତ୍ନୀ ମୃତ ପତିଙ୍କର ସମ୍ପତ୍ତିକୁ ନିଜ ପାଖରେ ରଖିପାରିବ।ଏହା ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ବହୁ ମାମଲାରେ ମଧ୍ୟ ଲାଗୁ କରାଯାଇଥିଲା।


ପ୍ରଥା -


ପ୍ରଥା ହେଉଛି ଏକ ଅଲିଖିତ ଆଇନ୍ ଭଳି, ଏହା ଯେକୌଣସି ବ୍ୟବସ୍ଥାରେ ଏକ ପ୍ରଚଳିତ ଅଭ୍ୟାସ ଯାହାକି ଲୋକମାନେ ଏକ ଦୀର୍ଘ ସମୟ ପାଇଁ କ୍ରମାଗତ ଭାବରେ ଅନୁସରଣ କରନ୍ତି ।ଭାରତୀୟ ଆଇନ୍ ବ୍ୟବସ୍ଥାରେ ଏହି ପ୍ରଥା ସମୂହକୁ ଆଇନର ଏକ ଗୁରୁତ୍ଵପୂର୍ଣ୍ଣ ମାନଦଣ୍ଡ ଭାବରେ ମଧ୍ୟ ଗ୍ରହଣ କରାଯାଏ।ତେବେ ମୁସଲିମ ଆଇନରେ ପ୍ରଥାକୁ ଯଦିଓ ଅନ୍ୟାନ୍ୟ ଉତ୍ସ ଭଳି ଗୁରୁତ୍ଵପୂର୍ଣ୍ଣ ମୌଳିକ ଆଇନ ଭାବରେ ଦେଖାଯାଏ ନାହିଁ ତଥାପି ଏହାର ବୈଶିଷ୍ଟ୍ୟକୁ ସମସ୍ତ କ୍ଷେତ୍ରରେ ବିଚାରକୁ ନିଆଯାଇଥାଏ।


ନିୟମ ପ୍ରଣୟନ ଅଥବା ଲେଜିସଲେସନ୍ -


ଭାରତରେ ମୁସଲିମ ଆଇନ୍ ସମୂହ ବିଭିନ୍ନ ନିୟମ ପ୍ରଣୟନ କରାଯାଇଛି ଏବଂ ଏ ସମସ୍ତ ନିୟମ କୁରାନ ଏବଂ ସୁନ୍ନତକୁ ସମ୍ମାନ ଜଣାଇଥାଏ।ଉଦାହରଣ ସ୍ୱରୂପ ମୁସଲିମ ବ୍ୟକ୍ତିଗତ ନିୟମ (ଶରିୟତ) ଆବେଦନ ଅଧିନିୟମ, ୧୯୩୯. ଏହି କାର୍ଯ୍ୟ ମୁସଲମାନମାନଙ୍କ ମଧ୍ୟରେ ବିବାହ, ଉତ୍ତରାଧିକାରୀ, ଉତ୍ତରାଧିକାରୀ ଏବଂ ଦାନ ଇତ୍ୟାଦି ସହିତ ଜଡିତ ।ଏତଦବ୍ୟତୀତ ମୁସଲିମ ବିବାହବିଚ୍ଛେଦ ଆଇନ୍୧୯୩୯,ମୁସଲିମ ମହିଳା ସମ୍ପତ୍ତି ଅଧିକାର ପ୍ରଭୃତି ବିଭିନ୍ନ ଆଇନ୍ ଭିନ୍ନଭିନ୍ନ ସମୟରେ ପାରିତ କରାଯାଇଛି।ଇଣ୍ଡିଆନ କଣ୍ଟ୍ରାକ୍ଟ ଆକ୍ଟ ୧୮୭୨,ସି.ଆର.ପି.ସି ପ୍ରଭୃତି କେତେକ ନିରପେକ୍ଷ ଆଇନ୍ ମଧ୍ୟ ଏହାକୁ କିଛି ମାତ୍ରାରେ ପ୍ରଭାବିତ କରିଥାଏ।

Our Recent Posts

Law in Odia

India

LAW IN ODIA