• ସୂର୍ଯ୍ୟସ୍ନାତା ଦାସ

ମୁସଲିମ ନିୟମରେ ପତ୍ନୀଙ୍କ ଦ୍ୱାରା ଛାଡପତ୍ର:



ମୁସଲିମ ନିୟମରେ ପତ୍ନୀଙ୍କୁ ମଧ୍ୟ ବିବାହ ବିଚ୍ଛେଦ ଘଟାଇପାରିବାର ଅଧିକାର ଦିଆଯାଇଛି। ପତ୍ନୀଙ୍କ ଦ୍ୱାରା ଛାଡପତ୍ରକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ:

(i) ତାଲାକ୍-ଇ-ତାଫୱିଜ୍ ।

(ii) ଲିଆନ୍ ।

(iii) ମୁସଲିମ୍ ମ୍ୟାରେଜ୍ ଆକ୍ଟ ବା ମୁସଲିମ ବିବାହ ଅଧିନିୟମ ଦ୍ୱାରା


ଏହି ତଫୱିଜ ଶବ୍ଦର ଅର୍ଥ ହେଉଛି 'ପ୍ରତିନିଧିକୁ ଶକ୍ତି ହସ୍ତାନ୍ତରଣ' ଏବଂ ମୁସଲିମ ସଂପ୍ରଦାୟରେ ଏହି ପ୍ରକାରର ବିଚ୍ଛେଦ ପ୍ରକ୍ରିୟା ପତ୍ନୀକୁ ବିବାହ ସମାପ୍ତ କରିବା ପାଇଁ ମିଳିଥିବା ଏକ ଗୁରୁତ୍ଵପୂର୍ଣ୍ଣ ଏକଚାଟିଆ ଅଧିକାର । ମୁସଲମାନ ପତି ତାଙ୍କ ପତ୍ନୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ନିଜ ଛାଡପତ୍ର ଘୋଷଣା କରିବାର କ୍ଷମତା ପ୍ରଦାନ କରିପାରନ୍ତି। ସେ ଏହି କ୍ଷମତାକୁ ସଂପୂର୍ଣ୍ଣ କିମ୍ବା ସର୍ତ୍ତମୂଳକ, ଅସ୍ଥାୟୀ କିମ୍ବା ସ୍ଥାୟୀ ଭାବରେ ପ୍ରଦାନ କରିପାରନ୍ତି । ଯେତେବେଳେ ଏହି ପ୍ରତିନିଧିତ୍ଵର ଶକ୍ତି ସେ ପତ୍ନୀଙ୍କୁ ଦିଅନ୍ତି ଏବଂ ଏହା ମାଧ୍ୟମରେ ପତ୍ନୀ ବିବାହ ବିଚ୍ଛେଦ ଘୋଷଣା କରନ୍ତି,ତାହାର ବୈଧ ବିଚ୍ଛେଦ ଭାବରେ ସ୍ଵୀକାର କରାଯାଇଥାଏ।ଏହି ତାଲାକ୍-ଇ-ତାଫୱିଜ୍ କିମ୍ବା ପ୍ରତିନିଧୀ ଛାଡପତ୍ର ବ୍ୟବସ୍ଥାଟି ଉଭୟ ଶିଆ ଏବଂ ସୁନ୍ନିମାନଙ୍କ ମଧ୍ୟରେ ସ୍ୱୀକୃତିପ୍ରାପ୍ତ ହୋଇଥାଏ।


ଲିଆନ୍:


ଯଦି ସ୍ୱାମୀ ତାଙ୍କ ପତ୍ନୀଙ୍କ ପ୍ରତି ଅସାଧୁତା କିମ୍ବା ବ୍ୟଭିଚାରର ମିଥ୍ୟା ଅଭିଯୋଗ ଆଣନ୍ତି ତେବେ ମହିଳାଙ୍କ ଚରିତ୍ରଟି ମିଥ୍ୟା ଭାବରେ କଳଙ୍କିତ ହେବାର ସମ୍ଭାବନା ଥାଏ,ଯାହା ମହିଳାଙ୍କ ପାଇଁ ଏକ ଅନ୍ୟାୟ ହୋଇଥାଏ। ଏହି କାରଣକୁ ଭିତ୍ତିକରି ପତ୍ନୀ ଛାଡପତ୍ର ମାଗିବାର ଅଧିକାର ପାଇଛନ୍ତି। ଛାଡପତ୍ରର ଏପରି ଧାରା ନାରୀର ମର୍ଯ୍ୟାଦା ରକ୍ଷା କରିଥାଏ ଓ ଏହାକୁ ଲିଆନ୍ କୁହାଯାଇଥାଏ ।ତେବେ ନ୍ୟାୟାଳୟର ମତରେ ଏହି ଲିଆନ ନିମନ୍ତେ ପତିଙ୍କର ଅଭିଯୋଗଟି ମିଥ୍ୟା ହୋଇଥିବା ଆବଶ୍ୟକ ନଚେତ ଏହାର ସୁବିଧା ମିଳିପାରିନଥାଏ।


ପ୍ରଥାଗତ ପଦ୍ଧତି ଠାରୁ ପୃଥକ ନ୍ୟାୟିକ ପଦ୍ଧତିରେ ମୁସଲିମ ବିବାହ ବିଚ୍ଛେଦ ଅଧିନିୟମ ୧୯୩୯ ଅନୁଯାୟୀ ଜଣେ ବିବାହିତା ମହିଳା ନିମ୍ନଲିଖିତ କାରଣରୁ ଯେକୌଣସି ଗୋଟିଏ କିମ୍ବା ଅଧିକ କାରଣରୁ ତାଙ୍କ ବିବାହ ବିଚ୍ଛେଦ ପାଇଁ ଛାଡପତ୍ର ନିମନ୍ତେ ଆବେଦନ କରିପାରିବେ।-


- ଯଦି ପତି ଚାରି ବର୍ଷ ପାଇଁ ନିଖୋଜ ଅଛନ୍ତି ତେବେ ପତ୍ନୀ ତାଙ୍କ ବିବାହ ବିଚ୍ଛେଦ ପାଇଁ ଏକ ଆବେଦନ କରିପାରିବେ। ତେବେ ଏହାକୁ ଅନୁମୋଦନ କରି ନ୍ୟାୟାଳୟ ଏକ ଆଦେଶ ଦେବ ମାତ୍ର ତାହା ଛଅ ମାସର ସମାପ୍ତି ପୂର୍ବରୁ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଯଦି ମିଆଦ ପୂର୍ଣ୍ଣ ହେବା ପୂର୍ବରୁ ସ୍ୱାମୀ ପୁନର୍ବାର ହାଜର ହୁଅନ୍ତି, ଏବଂ ସେ ବୈବାହିକ ଦାୟିତ୍ଵ ତୁଲାଇବାରେ ସମର୍ଥ ବୋଲି ନ୍ୟାୟାଳୟକୁ ପ୍ରତୀୟମାନ ହୁଏ,ତେବେ ବିବାହ ବିଚ୍ଛେଦ ହୁଏ ନାହିଁ ।


- ଦୁଇ ବର୍ଷ ପର୍ଯ୍ୟନ୍ତ ପତି ଯଦି ରକ୍ଷଣାବେକ୍ଷଣ ଯୋଗାଇବା ପାଇଁ ବିଫଳ ହୋଇଛନ୍ତି ତେବେ ପତ୍ନୀ ଛାଡପତ୍ର ଆବେଦନ କରିପାରିବେ।


- ପତିଙ୍କୁ ଯଦି ସାତ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ତେବେ ଛାଡପତ୍ର ପାଇଁ ଆବେଦନ କରାଯାଇପାରେ ।ତେଣୁ ସ୍ୱାମୀଙ୍କ ଆବେଦନ ପାଇଁ ତାରିଖ ଶେଷ ହେବା ପରେ କିମ୍ବା ସ୍ୱାମୀଙ୍କ ଆବେଦନ ଚୂଡ଼ାନ୍ତ କୋର୍ଟ ଖାରଜ ହେବା ପରେ ହିଁ ତାଙ୍କ ସପକ୍ଷରେ ଏହି ଆଦେଶ ପାରିତ ହୋଇପାରିବ।


- ଯେ ସ୍ୱାମୀ ଯୁକ୍ତିଯୁକ୍ତ କାରଣ ବିନା, ତିନି ବର୍ଷ ପର୍ଯ୍ୟନ୍ତ ମୁସଲିମ ନିୟମରେ ପ୍ରଯୁଜ୍ୟ ତାଙ୍କର ବାଧ୍ୟତାମୂଳକ ବୈବାହିକ କାର୍ଯ୍ୟ କରିବାରେ ବିଫଳ ହୋଇଛନ୍ତି,ତେବେ ବିଚ୍ଛେଦ ପାଇଁ ଆବେଦନ ହୋଇପାରିବ।


- ପତ୍ନୀ ଯଦି ପ୍ରମାଣ କରନ୍ତି ଯେ ବିବାହ ସମୟରେ ସ୍ୱାମୀ ନପୁଂସକ ଥିଲେ ଏବଂ ଏ ପର୍ଯ୍ୟନ୍ତ ରହିଆସିଛନ୍ତି,ତେବେ କୋର୍ଟ ଆଦେଶ କାର୍ଯ୍ୟକାରୀ କରିବା ପୂର୍ବରୁ ଚିକିତ୍ସା ପ୍ରଭୃତି ପାଇଁ ଏକବର୍ଷ ସମୟ ଦେବେ।


- ଯଦି ସ୍ୱାମୀ ଦୁଇ ବର୍ଷ ବା ଅଧିକ ସମୟ ଧରି ସୁସ୍ଥ ମସ୍ତିଷ୍କର ହୋଇନଥିବେ ତେବେ ପତ୍ନୀଦ୍ଵାରା ଛାଡପତ୍ର ପାଇଁ ଆବେଦନ କରାଯାଇପାରେ।


- ପତି ଯଦି ଦୁରାରୋଗ୍ୟ କୁଷ୍ଠରୋଗ କିମ୍ବା ଯୌନ ସଂକ୍ରାମକ ରୋଗରେ ପୀଡିତ ହୋଇଛନ୍ତି,ତେବେ ମଧ୍ୟ ଆବେଦନ କରାଯାଇପାରେ।


- ଯଦି ପତ୍ନୀ ନାବାଳିକା ଥିବା ଅବସ୍ଥାରେ ବିବାହିତା ହୁଅନ୍ତି ଅର୍ଥାତ୍ ମୁସଲିମ ନିୟମ ଅନୁଯାୟୀ ପନ୍ଦର ବର୍ଷ ବୟସ ପୂର୍ବରୁ ତାଙ୍କ ପିତା କିମ୍ବା ଅନ୍ୟ ଅଭିଭାବକ ଦ୍ଵାରା ତାଙ୍କ ବିବାହ ସଂପନ୍ନ ହୋଇଥାଏ ଏବଂ ଅଠର ବର୍ଷ ବୟସ ପୂର୍ବରୁ ସେ ଏହି ବିବାହକୁ ପ୍ରତ୍ୟାଖ୍ୟାନ କରିଥାନ୍ତି,ତେବେ ଏଥିପାଇଁ ଛାଡପତ୍ର ପ୍ରାପ୍ତ ହୋଇ ବିଚ୍ଛେଦ ସଂପୂର୍ଣ୍ଣ ହୋଇଥାଏ।


-ଯେ ସ୍ୱାମୀ ତାଙ୍କୁ ନିଷ୍ଠୁର ବ୍ୟବହାର କରନ୍ତି, ଅର୍ଥାତ୍-

- ଅଭ୍ୟାସଗତ ଭାବରେ ତାଙ୍କୁ ଆକ୍ରମଣ କରନ୍ତି କିମ୍ବା ଆଚରଣର ନିଷ୍ଠୁରତା ଦ୍ୱାରା ତାଙ୍କ ଜୀବନକୁ ଦୁଃଖଦ କରିଦେଇଥାନ୍ତି ।

ସୟଦ ଜିଆଉଦ୍ଦିନ ବନାମ ପରଭେଜ ସୁଲତାନାରେ ପରଭେଜ ସୁଲତାନା ବିଜ୍ଞାନ ସ୍ନାତକ ଥିଲେ ଏବଂ ସେ ଡାକ୍ତରୀ ଅଧ୍ୟୟନ ପାଇଁ ଏକ କଲେଜରେ ଆଡମିଶନ କରିବାକୁ ଚାହୁଁଥିଲେ। ସେ ଅଧ୍ୟୟନ ପାଇଁ ଟଙ୍କା ଆବଶ୍ୟକ କରୁଥିଲେ । ସୟଦ ଜିଆଉଦ୍ଦିନ ତାଙ୍କୁ ବିବାହ କଲେ ତାଙ୍କୁ ଟଙ୍କା ଦେବାକୁ ପ୍ରତିଶ୍ର୍ରୁତି ଦେଇଥିଲେ। ପରେ ସ୍ୱାମୀଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନହେବାରୁ, ସେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ନିଷ୍ଠୁରତା କାରଣରୁ କୋର୍ଟ ତାଙ୍କ ଛାଡପତ୍ରକୁ ଅନୁମତି ଦେଇଛନ୍ତି।


- ପତି ଯଦି ମନ୍ଦ ଖ୍ୟାତିସମ୍ପନ୍ନ ମହିଳାମାନଙ୍କ ସହିତ ମିଳାମିଶା କରନ୍ତି କିମ୍ବା ଏକ ଅନୈତିକ ଜୀବନଯାପନ କରନ୍ତି କିମ୍ବା ତାଙ୍କୁ ଏକ ଅନୈତିକ ଜୀବନଯାପନ କରିବାକୁ ବାଧ୍ୟ କରନ୍ତି ବା


- ପତ୍ନୀଙ୍କୁ ତାଙ୍କର ଧାର୍ମିକ ବୃତ୍ତି କିମ୍ବା ଅଭ୍ୟାସ ପାଳନ କରିବାରେ ବାଧା ଦିଅନ୍ତି, କିମ୍ବା


- ଯଦି ତାଙ୍କର ଗୋଟିଏରୁ ଅଧିକ ପତ୍ନୀ ଅଛନ୍ତି, ଏବଂ କୁରାନର ଆଦେଶ ଅନୁଯାୟୀ ସେ ସମସ୍ତଙ୍କ ସହ ସମାନ ବ୍ୟବହାର କରୁନାହାନ୍ତି;


ତେବେ ପ୍ରଥାଗତ ପଦ୍ଧତି ହେଉ ଅଥବା ନ୍ୟାୟିକ ପଦ୍ଧତିରେ,ତାହା ବିବାହର ବୈଧତାକୁ ଶେଷ କରି ପରସ୍ପରକୁ ପରସ୍ପର ପ୍ରତି ଥିବା ବୈବାହିକ ଦାୟିତ୍ଵରୁ ମୁକ୍ତ କରି ବିବାହ ରୂପକ ଚୁକ୍ତିର ଅନ୍ତ ଘଟାଇଥାଏ।

Our Recent Posts

Law in Odia

India

LAW IN ODIA