• ସୂର୍ଯ୍ୟସ୍ନାତା ଦାସ

ମୁସଲିମ ନିୟମରେ ପତ୍ନୀଙ୍କ ଭରଣପୋଷଣ



ମୁସଲିମ ବିବାହ ନିୟମରେ ପତିଙ୍କ କର୍ତ୍ତବ୍ୟ ହୋଇଥାଏ ଯେ ପତ୍ନୀଙ୍କର ଆବଶ୍ୟକତା ପୂରଣ କରିବା ଏବଂ ଏହାର ଅଭାବରେ ଭରଣପୋଷଣ ଦାବି କରିବାର ଅଧିକାର ପତ୍ନୀଙ୍କର ସ୍ଵତନ୍ତ୍ର ଅଧିକାର ଅଟେ। ମୁସଲିମ ବିବାହରେ ପତ୍ନୀ ଭରଣପୋଷଣ ଦାବି ପାଇଁ ଯୋଗ୍ୟ ବୋଲି ଧରାଯାଇଥାଏ। ପତ୍ନୀଙ୍କର ଋତୁସ୍ରାବର ବୟସ ଠାରୁ ହିଁ ପତିଙ୍କୁ ଭରଣପୋଷଣ ଦେବାକୁ ପଡିଥାଏ,ତାହାର ପୂର୍ବରୁ ନୁହେଁ।


ମୁସଲିମ ନିୟମରେ ଭରଣପୋଷଣକୁ 'ନଫକ' କୁହାଯାଏ।ଏଠାରେ ଦୃଷ୍ଟି ରଖିବାର କଥା ଯେ,କେବଳ ବୈଧ ବିବାହରେ ହିଁ ଭରଣପୋଷଣ ମିଳିଥାଏ।ଅପରପକ୍ଷରେ ବିବାହଟି ଯଦି ଅବୈଧ ଅଥବା ଅନିୟମିତ,ତେବେ ପତି ଭରଣପୋଷଣ ଦେବାପାଇଁ ବାଧ୍ୟ ନୁହଁନ୍ତି।ମୁସଲିମ ବ୍ୟକ୍ତିଗତ ଆଇନର ସୁବିଧା ବ୍ୟତୀତ ପତ୍ନୀ ଚାହିଁଲେ ସିଧାସଳଖ ସି.ଆର.ପି.ସିର ଧାରା ୧୨୫ ଦ୍ଵାରା ଭରଣପୋଷଣ ଅଧିକାର ଦାବି କରିପାରିବ।ଏଠାରେ ସ୍ପଷ୍ଟ କରିଦେବା ଉଚିତ ଯେ,ଭାରତରେ ମୁସଲିମ ବିବାହିତ ମହିଳାମାନେ ତିନୋଟି ଭିନ୍ନଭିନ୍ନ ନିୟମ ମାଧ୍ୟମରେ ଭରଣପୋଷଣ ଦାବି କରିପାରିବେ।ତାହା ହେଉଛି;


- ମୁସଲିମ ବ୍ୟକ୍ତିଗତ ଆଇନ୍

-ସି.ଆର.ପି.ସିର ଧାରା ୧୨୫

-ମୁସଲିମ ମହିଳା (ବିବାହ ବିଚ୍ଛେଦର ଅଧିକାର,୧୯୮୬)।


ମୁସଲିମ ବ୍ୟକ୍ତିଗତ ନିୟମ ଅନୁଯାୟୀ ଜଣେ ମୁସଲିମ ମହିଳା କେବଳ ଇଦତ ପାଳୁଥିବା ସମୟସୀମା ମଧ୍ୟରେ ହିଁ ଭରଣପୋଷଣ ଯୋଗ୍ୟ।ଇଦତ ହେଉଛି ଛାଡପତ୍ରପରେ ମହିଳା ଜଣଙ୍କ ଗର୍ଭବତୀ ହୋଇଛନ୍ତି ନା ନାହିଁ ଜାଣିବା ପାଇଁ ରଖାଯାଇଥିବା ସମୟସୀମା। ମୁସଲିମ ବ୍ୟକ୍ତିଗତ ନିୟମ ଅନୁଯାୟୀ ଇଦତ ସମୟ ପରେ ମହିଳା ଜଣଙ୍କ ଆଉ ଭରଣପୋଷଣର ଯୋଗ୍ୟ ହୋଇନଥାନ୍ତି।


ବର୍ତ୍ତମାନ ସମୟରେ ଛାଡପତ୍ର ଗ୍ରହଣ କରିଥିବା ମୁସଲିମ ମହିଳାଙ୍କର ଭରଣପୋଷଣ ମୁସଲିମ ମହିଳା (ବିବାହ ବିଚ୍ଛେଦର ଅଧିକାର,୧୯୮୬)ର ଧାରା ଅନୁଯାୟୀ ପରିଚାଳିତ।ଏହାର ଧାରା ୩(୧)ଖ ଅନୁଯାୟୀ ଏକ ଛାଡପତ୍ର ପ୍ରାପ୍ତ ମହିଳା ଇଦତ ସମୟସୀମାରେ ନିଜ ପତିଙ୍କଠୁଁ ଉପଯୁକ୍ତ ପରିମାଣର ଭରଣପୋଷଣ ରାଶି ପ୍ରାପ୍ତ କରିବାର ଯୋଗ୍ୟ।ଏହାର ନିୟମ ଅନୁଯାୟୀ ଇଦତର ସମୟସୀମା ଅତିକ୍ରାନ୍ତେ ମହିଳା ଜଣଙ୍କ ସେହି ସମ୍ପର୍କୀୟ ମାନଙ୍କ ଠାରୁ ଭରଣପୋଷଣ ପାଇବାର ହକଦାର, ଯେଉଁମାନେ ତାଙ୍କର ମୃତ୍ୟୁ ପରେ ତାଙ୍କର ସମ୍ପତ୍ତିର ଉତ୍ତରାଧିକାରୀ ହେବେ।ସେ‌ହିଭଳି ସମ୍ପତ୍ତି ବା ଭରଣପୋଷଣ ପ୍ରଦାନ ପାଇଁ ସମର୍ଥ ସେହିଭଳି ସମ୍ପର୍କୀୟ ମାନଙ୍କ ଅନୁପସ୍ଥିତିରେ ମହିଳା ଜଣଙ୍କର ଭରଣପୋଷଣର ଭାର ୱକଫ ବୋର୍ଡ ଉପରେ ନ୍ୟସ୍ତ ହେବ,ଏ ବ୍ୟବସ୍ଥା ଉପରୋକ୍ତ ଅଧିନିୟମର ଧାରା ୪(୨)ରେ ଲିପିବଦ୍ଧ ହୋଇଛି।


ଏହି ଧାରାର ସମ୍ବିଧାନିକତା ଡାନିଏଲ ଲତିଫି ଏବଂ ଅନ୍ୟମାନେ ବନାମ ୟୁନିଅନ ଅଫ୍ ଇଣ୍ଡିଆ ମାମଲାରେ ସ୍ଵୀକୃତ ପ୍ରାପ୍ତ ହୋଇଥିଲା।ଏହି ମାମଲାର ରାୟ ଅନୁସାରେ ଏହି ଅଧିନିୟମ ସମ୍ବିଧାନର ଧାରାକୁ ଅବମାନନା କରେ ନାହିଁ,ତେଣୁ ଏହା ବୈଧ।ଏହି ଆଇନରେ ପ୍ରଦତ୍ତ ବ୍ୟବସ୍ଥା ଅନୁସାରେ ଇଦତ୍ ସମୟ ପରେ ମଧ୍ୟ ଯେତେବେଳ ପର୍ଯ୍ୟନ୍ତ ମହିଳା ଜଣଙ୍କ ଦ୍ଵିତୀୟ ବିବାହ କରିନାହାନ୍ତି,ସେ ପତିଙ୍କ ଠାରୁ ଉପଯୁକ୍ତ ଭରଣପୋଷଣର ଅଧିକାରୀ ହୋଇଥାଆନ୍ତି।


ତେବେ ମୁସଲିମ ମାନଙ୍କୁ ଭରଣପୋଷଣ ନିମନ୍ତେ ସେମାନଙ୍କ ନିଜ ଇଚ୍ଛାରେ ଅଧିନିୟମ ନିର୍ବାଚନ କରିବାର ସୁଯୋଗ ଦିଆଯାଇଥାଏ।ଏହି ଅଧିନିୟମର ଧାରା ୫ ଅନୁସାରେ,ଯଦି ମାମଲାର ପ୍ରଥମ ଶୁଣାଣି ସମୟରେ ଛାଡପତ୍ର ପ୍ରାପ୍ତ ମହିଳା ଏବଂ ତାଙ୍କର ପତି ଏଫିଡେଭିଟ ମାଧ୍ୟମରେ ଦଣ୍ଡ ପ୍ରକ୍ରିୟା ସଂହିତା ଅର୍ଥାତ୍ ସି ଆର ପି ସି ବା ଫୌଜଦାରି ଧାରା ୧୨୫ ଦ୍ଵାରା ନିଜ ମାମଲାକୁ ସମାଧାନ କରାଇବାକୁ ସମ୍ମତି ଦେଇପାରିବେ।


ସି ଆର ପି ସି ଅର୍ଥାତ୍ ଦଣ୍ଡ ପ୍ରକ୍ରିୟା ସଂହିତାରେ ଧାରା ୧୨୫ ନିମନ୍ତେ ପତ୍ନୀ ଶବ୍ଦର ଅର୍ଥ ହେଉଛି ବୈଧ ଭାବରେ ବିବାହିତା ପତ୍ନୀ,ଏହା ଛାଡପତ୍ର ପ୍ରାପ୍ତ ପୁନର୍ବାର ବିବାହ କରିଥିବା ମହିଳାଙ୍କୁ ମଧ୍ୟ ସୂଚୀତ କରିଥାଏ।


ବହୁଚର୍ଚ୍ଚିତ ମହମ୍ମଦ ଅହମ୍ମଦ ଖାନ ବନାମ ଶାହାବାନୋ ବେଗମ ୧୯୮୫ ମାମଲାରେ ଏହା କୁହାଯାଇଥିଲା ଯେ,ଦଣ୍ଡ ପ୍ରକ୍ରିୟା ସଂହିତାର ଏହି ଧାରା ଏବଂ ମୁସଲିମ ବ୍ୟକ୍ତିଗତ ଆଇନ୍ ମଧ୍ୟରେ ସେଭଳି କିଛି ଦ୍ଵନ୍ଦ ନାହିଁ ଏବଂ ଏହା ଏକ ନିରପେକ୍ଷ ଧାରା,ଯାହା ଇଦତ ସମୟ ପରେ ମଧ୍ୟ ମୁସଲିମ ମହିଳା ଜଣଙ୍କ ପୁନର୍ବାର ବିବାହ କରିବା ପର୍ଯ୍ୟନ୍ତ ଲାଗୁ ହୋଇଥାଏ।


ନୂର ସାବା ଖାତୁନ ବନାମ ମହମ୍ମଦ କ୍ବାସିମ ମାମଲାରେ ଏହା କୁହାଯାଇଥିଲା ଯେ,ଉଭୟ ମୁସଲିମ ବ୍ୟକ୍ତିଗତ ଆଇନ୍ ଏବଂ ଦଣ୍ଡ ପ୍ରକ୍ରିୟା ସଂହିତାର ଧାରା ଅନୁସାରେ ଏକ ପିତାଙ୍କର କର୍ତ୍ତବ୍ୟ ହେଉଛି ନିଜ ନାବାଳକ ସନ୍ତାନଙ୍କୁ ଭରଣପୋଷଣ ପ୍ରଦାନ କରିବା। ଏକ ଛାଡପତ୍ର ପ୍ରାପ୍ତ ପତ୍ନୀ ନିଜର ଭରଣପୋଷଣ ସହିତ ନିଜର ନାବାଳକ ସନ୍ତାନ ମାନଙ୍କର ଭରଣପୋଷଣ ମଧ୍ୟ ପତିଙ୍କ ଠାରୁ ଦାବି କରିପାରିବ।


ମୁସଲିମ ବିବାହରେ ମହିଳାମାନଙ୍କର ଭରଣପୋଷଣକୁ ଖୁବ ଗୁରୁତ୍ଵ ଦିଆଯାଇଥାଏ।ମହିଳା ଜଣଙ୍କ ଚାହିଁଲେ ବିବାହ ସମୟରେ ମଧ୍ୟ ଖର୍ଚ୍ଚା-ଇ-ପଣଦାନ ଚୁକ୍ତି ମାଧ୍ୟମରେ ଦାବି କରିପାରିବେ,ଯାହାର ଅନ୍ୟନାମ ଇଂରାଜୀରେ ହେଉଛି ବେଟେଲ ବକ୍ସ ଏକ୍ସପେନ୍ସ।ଏହା ବାସ୍ତବରେ ହେଉଛି ପତ୍ନୀଙ୍କୁ ପ୍ରଦତ୍ତ ଅର୍ଥରାଶି ଓ ସମ୍ପତ୍ତି ଯାହା ତାଙ୍କର ସଂପୂର୍ଣ୍ଣ ନିଜସ୍ଵ ହୋଇଥାଏ ଏବଂ ସେ ଏହାକୁ ଅନ୍ୟ କାହାରି ଅନୁମତି ବିନା ମନମୁତାବକ ଖର୍ଚ୍ଚ କରିପାରନ୍ତି।

Our Recent Posts

Law in Odia

India

LAW IN ODIA