• ସୂର୍ଯ୍ୟସ୍ନାତା ଦାସ

ମୁସଲିମ ନିୟମରେ ହିବା



ମୁସଲିମ ନିୟମ ଅନୁଯାୟୀ ହିବା ହେଉଛି ଏକ ଉପସ୍ଥିତ ସମ୍ପତ୍ତିର ମାଲିକାନାକୁ ବିନା ସର୍ତ୍ତରେ କୈାଣସି ପ୍ରତିଫଳର ବିନା ହସ୍ତାନ୍ତରଣ।ଅନ୍ୟ ଅର୍ଥରେ କହିବାକୁ ଗଲେ,ଏହା ବାସ୍ତବରେ ହେଉଛି ସମ୍ପତ୍ତିର ଉପହାର। ସମ୍ପତ୍ତି ହସ୍ତାନ୍ତର ପ୍ରକ୍ରିୟା ଅଧିନିୟମର ଧାରା ଏହି ସମ୍ପତ୍ତି ପ୍ରଦାନ ପ୍ରକ୍ରିୟାରେ ଲାଗୁ ହୋଇନଥାଏ ଏବଂ ଏହା ମୁସଲିମ ବ୍ୟକ୍ତିଗତ ଆଇନ୍ ମାଧ୍ୟମରେ ପରିଚାଳିତ ହୋଇଥାଏ। ଏହାର ସଂଜ୍ଞାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ;


-ହିବା କରିବା ପାଇଁ ଏକ ସମ୍ପତ୍ତି ଉପସ୍ଥିତ ଥିବା ଆବଶ୍ୟକ। ଦାନ କରିବାକୁ ଇଚ୍ଛା କରୁଥିବା ସମ୍ପତ୍ତି ଦାନ ସମୟରେ ଦାନ ଯୋଗ୍ୟ ସ୍ଥିତିରେ ରହିବା ବାଞ୍ଛନୀୟ। ଯଦି ଏହା ଦାନ ସମୟରେ ଉପସ୍ଥିତ ରହୁନାହିଁ ଅଥବା ଏଭଳି ଏକ ସ୍ଥିତିରେ ରହୁଛି, ଯେଉଁଥିରେ ତାହାର ଦାନ ଅସମ୍ଭବ,ତେବେ ହିବା ସମ୍ଭବ ହୋଇନଥାଏ।


-ଉକ୍ତ ସମ୍ପତ୍ତିରେ ଦାତାଙ୍କର ସ୍ଵାମୀତ୍ଵ ବା ପ୍ରଭୃତ୍ଵ ଥିବା ଆବଶ୍ୟକ। ସରଳ ଭାଷାରେ ,ଦାନ କରିବାକୁ ଥିବା ସମ୍ପତ୍ତିରେ ଦାନ କରୁଥିବା ବ୍ୟକ୍ତିର ଆଗ୍ରହ ଅଂଶ ଉକ୍ତ ସମୟରେ ହିଁ ନିଜ ଅଧିକାରରେ ଥିବା ଆବଶ୍ୟକ।


-ଏହା ବିନା ସର୍ତ୍ତରେ ହେବା ଆବଶ୍ୟକ। ସାଧାରଣ କ୍ଷେତ୍ରରେ ମଧ୍ୟ ଉପହାର ଏକ ସ୍ନେହ ତଥା ଶ୍ରଦ୍ଧାର ପ୍ରତୀକ ହୋଇଥାଏ, ଏଥିରେ ସର୍ତ୍ତର ଯୋଗ କରିବା ଦ୍ଵାରା ତାହାର ମୂଲ୍ୟବୋଧରେ ହ୍ରାସ ଘଟିଥାଏ ଏବଂ ଉପହାରର ମହତ୍ତ୍ଵ ରହିନଥାଏ।ହିବା କ୍ଷେତ୍ରରେ ମଧ୍ୟ ଠିକ ସେହି ନିୟମ ପରିଲକ୍ଷିତ ହୋଇଥାଏ। କୌଣସି ସର୍ତ୍ତ କିମ୍ବା ସର୍ତ୍ତାବଳି ଯୋଗରେ ହିବାର ମହତ୍ତ୍ଵ ରହେ ନାହିଁ।


ଯଦି ହିବା ପ୍ରଦାନ ସମୟରେ କୌଣସି ସର୍ତ୍ତ ଅଥବା ସର୍ତ୍ତାବଳୀର ପ୍ରୟୋଗ କରାଯାଉଛି,ତେବେ ହିବା ପ୍ରଦାନ ଏବଂ ଗ୍ରହଣ ବୈଧ ହେବ ମାତ୍ର ଉକ୍ତ ସର୍ତ୍ତ ବା ସର୍ତ୍ତାବଳି ସମୂହର କୌଣସି ମୂଲ୍ୟ ରହିବନାହିଁ। କହିବା ବାହୁଲ୍ୟ,ସେ ସର୍ତ୍ତଗୁଡିକୁ ପୂରଣ କରିବା ପାଇଁ ଗ୍ରହୀତା ବାଧ୍ୟ ନୁହଁନ୍ତି ଏବଂ ସେ ସର୍ତ୍ତଗୁଡିକର ପୂରଣ ବା ଅପୂରଣୀୟତା ହିବାର ବୈଧତା ବା ବ୍ୟବହାର ଉପରେ ପ୍ରଭାବ ପକାଇବ ନାହିଁ। ସାଧାରଣ ଭାଷାରେ ଗ୍ରହୀତା ସେ ସର୍ତ୍ତ ସମୂହ ପୂରଣ କରିବା ପାଇଁ ବାଧ୍ୟ ନୁହଁନ୍ତି ଏବଂ ସେସବୁର ବ୍ୟତିରକେ ବି ହିବାରେ ପ୍ରାପ୍ତ ସମ୍ପତ୍ତିର ସେ ପୂର୍ଣ୍ଣତଃ ଉପଯୋଗ କରିପାରିବେ।


-ଉପହାର ପ୍ରଦାନ ସମୟରେ କୌଣସି ପ୍ରତିଫଳର ଅପେକ୍ଷା ରହେ ନାହିଁ।ପ୍ରତିଫଳର ଅର୍ଥ ହେଉଛି, ଗୋଟିଏ କାମ ବଦଳରେ ଆଉ ଗୋଟିଏ କାମ କରିଦେବା। ମନେ ପକାନ୍ତୁ ଆପଣ ବିଚାରଧାରାରେ ନିଜ ସହପାଠୀ ସହ ଟିଫିନ୍ ଅଦଳବଦଳ କରୁଥିଲେ।ଆପଣଙ୍କ ମାଆ ଘରେ ବନେଇଥିବା ସ୍ଵାଦିଷ୍ଟ ଖାଦ୍ୟ ଆପଣ ନିଜ ସହପାଠୀଙ୍କୁ ଦେଲେ ସେ ମଧ୍ୟ ନିଜ ଟିଫିନରେ ଆଣିଥିବା ତାଙ୍କ ମାଆଙ୍କ ହାତତିଆରି ଖାଦ୍ୟ ଆପଣଙ୍କୁ ଦେଉଥିଲେ। ଅର୍ଥାତ୍, ଆପଣଙ୍କ ଗୋଟିଏ ଜିନିଷ ବଦଳରେ ସେ ଆପଣଙ୍କୁ ଆଉ ଗୋଟିଏ ଜିନିଷ ପ୍ରଦାନ କରୁଥିଲେ।


ଏ ତ ଗଲା ଗୋଟିଏ ସାଧାରଣ ଉଦାହରଣ, ପ୍ରତିଫଳକୁ ପ୍ରକୃତ ଭାଷାରେ ବୁଝିଲେ,ଏହାର ଅର୍ଥ ହେଉଛି,"କ୍ଵିଡ ପ୍ରୋ କ୍ୱୋ"ଅର୍ଥାତ୍ କିଛି ଗୋଟିଏର ପ୍ରତିବଦଳରେ କରାଯାଉଥିବା ସାହାଯ୍ୟ‌।ମନେ କରନ୍ତୁ ଆପଣ ଗୋଟିଏ ଦୋକାନକୁ ଯାଇଛନ୍ତି,ସେଠାରେ ଦୋକାନୀଠାରୁ କିଛି ସାମଗ୍ରୀ କ୍ରୟ କରିବାପରେ ତାଙ୍କୁ ପାଇଁ ପଇସା ଦେଉଛନ୍ତି।ସେହି ଅର୍ଥ ରାଶି ହେଉଛି ବାସ୍ତବରେ ସେ କ୍ରୟ କରାଯାଇଥିବା ସାମଗ୍ରୀ ବଦଳରେ ଆପଣ ଦୋକାନୀକୁ ଦେଇଥିବା ପ୍ରତିଫଳ।ହିବା କ୍ଷେତ୍ରରେ ଏଭଳି ପ୍ରତିଫଳକୁ ସ୍ଵୀକୃତି ଦିଆଯାଇନଥାଏ। ଅର୍ଥାତ୍ ଆପଣଙ୍କ ଉପହାରର ପ୍ରତିବଦଳରେ ଗ୍ରହୀତା ଆପଣଙ୍କୁ କିଛି ଦେବାପାଇଁ ବାଧ୍ୟ ନୁହଁନ୍ତି।ତେବେ ପୂର୍ବରୁ କରାଯାଇଥିବା କିଛି କାର୍ଯ୍ୟର ପ୍ରତିଫଳରେ ହିବା ଦିଆଗଲେ ତାହା ବୈଧ ହୋଇପାରିଥାଏ।


ହିବା କ୍ଷେତ୍ରରେ ତିନୋଟିର ଆବଶ୍ୟକତା ଏକାନ୍ତ ଅପରିହାର୍ଯ୍ୟ-


ପ୍ରଥମତଃ ଘୋଷଣା

ଦ୍ଵିତୀୟତଃ ଗ୍ରହଣ

ଏବଂ ତୃତୀୟତଃ ସମ୍ପତ୍ତି ହସ୍ତାନ୍ତରଣ


ଘୋଷଣା ହିବା ଦେଉଥିବା ବ୍ୟକ୍ତିର ଉଦ୍ଦେଶ୍ୟକୁ ପ୍ରକାଶ କରିଥାଏ।ହିବା ଦେଉଥିବା ବ୍ୟକ୍ତିଙ୍କୁ "ପ୍ରଦାନକାରୀ ବା ଡୋନର" କୁହାଯାଏ ଏବଂ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ "ଗ୍ରହୀତା ବା ଡୋନି" ଭାବରେ ନାମିତ କରାଯାଇଥାଏ।


ହିବାପ୍ରଦାନ ଓ ଗ୍ରହଣ କାର୍ଯ୍ୟଟି ଉଭୟ ମୌଖିକ ତଥା ଲିଖିତ ଭାବରେ ହୋଇପାରିବ,ଏଥିନିମନ୍ତେ ସେଭଳି କୈାଣସି ବିଧିବଦ୍ଧ ନିୟମ ନଥାଏ।ତେବେ ଘୋଷଣାଟି ସ୍ପଷ୍ଟ ଏବଂ ଏକାଧିକ ଅର୍ଥ ବିହୀନ ହୋଇଥିବା ଆବଶ୍ୟକ।ଯେଉଁ ହିବାଟି ଲିଖିତ ଆକାରରେ ଦିଆଯାଏ ତାହାକୁ ହିବାନାମା କୁହାଯାଇଥାଏ।ଏହି ହିବା ପ୍ରଦାନ କରୁଥିବା ବ୍ୟକ୍ତି ଜଣଙ୍କ ମୁସଲମାନ,ସାବାଳକ ତଥା ମାନସିକ ସକ୍ଷମ ବ୍ୟକ୍ତି ହୋଇଥିବା ଆବଶ୍ୟକ ଏବଂ ହିବାର କାର୍ଯ୍ୟଟି ସେ ନିଜର ଇଚ୍ଛା ଏବଂ ମୁକ୍ତ ସମ୍ମତିରେ କରୁଥିବା ଆବଶ୍ୟକ।


ହିବା ଗ୍ରହଣକାରୀ ବା ଯାହାକୁ ହିବା ପ୍ରଦାନ କରାଯାଉଛି,ସେ ଜୀବିତ ଥିବା କୈାଣସି ବ୍ୟକ୍ତି ହୋଇଥିବା ଆବଶ୍ୟକ।କହିବାର ଅର୍ଥ ଯେ କୈାଣସି ବ୍ୟକ୍ତି ,ସେ ମୁସଲମାନ ହୁଅନ୍ତୁ ଅବା ଅଣମୁସଲମାନ,ମାନସିକ ଅକ୍ଷମ ହୁଅନ୍ତୁ ଅବା ମାନସିକ ସକ୍ଷମ,ନାବାଳକ ହୁଅନ୍ତୁ ଅଥବା ହୁଅନ୍ତୁ ସାବାଳକ,ସେମାନଙ୍କ ନିମନ୍ତେ ହିବା ପ୍ରଦାନ କରାଯାଇପାରେ ଓ ସେମାନେ ଏହା ଗ୍ରହଣ କରିପାରନ୍ତି ।ମାଆର ଗର୍ଭରେ ଥିବା ଏକ ଶିଶୁକୁ ବି ହିବା ପ୍ରଦାନ କରାଯାଇପାରେ ଏବଂ ସେ ତାହା ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଥାଏ,ଯଦି ସେ ହିବା ପ୍ରଦାନ ତାରିଖର ଛଅ ମାସ ଭିତରେ ଜନ୍ମ ଗ୍ରହଣ କରିଥାଏ।


ସମ୍ପତ୍ତିର ମାଲିକାନା ସ୍ଥାନାନ୍ତରଣ ପରେ ହିଁ ହିବା ସଂପୂର୍ଣ୍ଣ ହୋଇଥାଏ।ଘୋଷଣା କରାଯାଇଥିବା ତାରିଖ ଠାରୁ ନୁହେଁ ବରଂ ଏହି ସ୍ଥାନାନ୍ତରଣ ଦିନଠାରୁ ହିଁ ହିବା କାର୍ଯ୍ୟକାରୀ ହୋଇଥାଏ।ତେବେ କେତେକ କ୍ଷେତ୍ରରେ,ଏହା ଗୁରୁତ୍ଵପୂର୍ଣ୍ଣ ନୁହେଁ, ମୁଖ୍ୟତଃ ଯେତେବେଳେ ଉଭୟ ଦାତା ଓ ଗ୍ରହୀତା ଦାନ କରାଯାଇଥିବା ଘରେ ହିଁ ମିଳିତ ଭାବରେ ରହୁଥାନ୍ତି,ଦାତା ଓ ଗ୍ରହୀତା ପତିପତ୍ନୀ ଅଥବା ଅଭିଭାବକ ଏବଂ ସନ୍ତାନ ସମ୍ପର୍କରେ ପରସ୍ପର ସହ ଜଡ଼ିତ ଥା'ନ୍ତି କିମ୍ବା ହିବାରେ ପ୍ରଦାନ କରାଯାଉଥିବା ସମ୍ପତ୍ତିଟି ହିବା ଗ୍ରହୀତାଙ୍କର ଅଧୀନରେ ଥାଏ।


ତେବେ ଇସଲାମ ନିୟମ ଅନୁସାରେ ହିବା ରଦ୍ଦ ଯୋଗ୍ୟ ହୋଇଥାଏ । ଏକ ହିବାରେ ସମ୍ପତ୍ତି ସ୍ଥାନାନ୍ତରଣ ପୂର୍ବରୁ ଯେ କୈାଣସି ସମୟରେ ଦାତାଙ୍କର ଇଚ୍ଛା ଏବଂ ମୁକ୍ତ ସମ୍ମତିରେ ଏହାକୁ ରଦ୍ଦ କରାଯାଇପାରେ।ତେବେ ଥରୁଟିଏ ସମ୍ପତ୍ତିର ମାଲିକାନା ସ୍ଥାନାନ୍ତରିତ ହେଲେ ,ଏହା ଗ୍ରହୀତାଙ୍କର ସମ୍ମତି ଏବଂ ନ୍ୟାୟାଳୟର ଅନୁମତି ଦ୍ଵାରା ହିଁ ରଦ୍ଦଯୋଗ୍ୟ ହୋଇଥାଏ ।

Our Recent Posts

Law in Odia

India

LAW IN ODIA