• ସୂର୍ଯ୍ୟସ୍ନାତା ଦାସ

ମୁସଲିମ ନିୟମ ଅନୁଯାୟୀ ଅଭିଭାବକ



ଅନ୍ୟାନ୍ୟ ସମସ୍ତ ଅଧିନିୟମ ଭଳି ମୁସଲିମ ଅଭିଭାବକତ୍ଵ ଏବଂ ହେପାଜତର ଆଇନର ଉତ୍ସ ମଧ୍ୟ ସେହି ପୁରାତନ ସୂତ୍ର ମାନଙ୍କରୁ ଆନୀତ। ଆପଣମାନେ ତ ଜାଣନ୍ତି ଅଭିଭାବକତ୍ଵ ନିୟମ ନାବାଳକ ଏବଂ ମାନସିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ସୃଷ୍ଟି ହୋଇଥାଏ, ଯେଉଁମାନେ କି ନିଜର ଯତ୍ନ ନେବା କିମ୍ବା ନିଜର ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ସମର୍ଥ ହୋଇନଥାନ୍ତି। ସେମାନଙ୍କର ଉପଯୁକ୍ତ ଧ୍ୟାନ ରଖିବା ସହ ତାଙ୍କ କାର୍ଯ୍ୟର ସଠିକ୍ ପରିଚାଳନା କରିବା ଦାୟିତ୍ଵ ଅଭିଭାବକଙ୍କ ଉପରେ ନ୍ୟସ୍ତ ହୁଏ। ଅଭିଭାବକତ୍ଵ ସମ୍ବନ୍ଧୀୟ ସମସ୍ତ ସାଧାରଣ ନିୟମ ଯଦିଓ ଅଭିବାକତ୍ଵ ଏବଂ ସନ୍ତାନ ଅଧିନିୟମ (ଗାର୍ଜନ ଏଣ୍ଡ ଓ୍ବାଡସ ଆକ୍ଟ)୧୮୯୦ରେ ରଖାଯାଇଛି,ତଥାପି ବିଶେଷତଃ ମୁସଲିମ ମାନଙ୍କ ନିମନ୍ତେ ଏ କ୍ଷେତ୍ରରେ ମୁସଲିମ ଆଇନର ପ୍ରୟୋଗ ହୋଇଥାଏ।


ଅଭିଭାବକଙ୍କ ବର୍ଗୀକରଣ ।

ମୁସଲମାନ ଆଇନରେ ଅଭିଭାବକମାନେ ନିମ୍ନଲିଖିତ ତିନୋଟି ଶ୍ରେଣୀ ଅଧୀନରେ ରହିଛନ୍ତି:

(i) ପ୍ରାକୃତିକ ଅଭିଭାବକ,

(ii)ଇଚ୍ଛା ପତ୍ର ଦ୍ଵାରା ଅଭିଭାବକ, ଏବଂ

(iii) କୋର୍ଟ ଦ୍ୱାରା ନିଯୁକ୍ତ ଅଭିଭାବକ ।


ପ୍ରାକୃତିକ ଅଭିଭାବକ ।

ମୁସଲିମ ନିୟମରେ ପିତାଙ୍କୁ ସନ୍ତାନର ଅଭିଭାବକ ରୂପେ ଦାୟିତ୍ଵ ଦିଆଯାଇଛି।ଉଭୟ ସୁନ୍ନି ଏବଂ ଶିଆର ସମସ୍ତ ଭାଗରେ ପିତା ନିଜର ବୈଧ ନାବାଳକ ସନ୍ତାନର ଅଭିଭାବକ ଭାବରେ ସ୍ୱୀକୃତ ହୋଇଛନ୍ତି।



ନାବାଳକ ପିଲାମାନଙ୍କର ଶିକ୍ଷା ଏବଂ ଧର୍ମ, ଏବଂ ସେମାନଙ୍କର ପ୍ରତିପୋଷଣ ଏବଂ ଗତିବିଧିକୁ ନିୟନ୍ତ୍ରଣ କରିବାରେ ପିତାଙ୍କର ଅଧିକାର ଅଛି ।ମୁସଲିମ ନିୟମରେ ଅଭିଭାବକତ୍ଵ ଅଧିକାରରେ ପିତାଙ୍କର ସ୍ଥାନ ଖୁବ ଉର୍ଦ୍ଧ୍ଵରେ।


ମୁସଲମାନ ନିୟମର କୌଣସି ବି ଭାଗରେ ମାତାଙ୍କୁ ଅଭିଭାବକତ୍ଵର ଅଧିକାର ଦିଆଯାଇନାହିଁ, ଏପରିକି ପିତାଙ୍କ ମୃତ୍ୟୁ ପରେ ମଧ୍ୟ ସେ ନିଜ ନାବାଳକ ସନ୍ତାନର ମଧ୍ୟ ପ୍ରାକୃତିକ ଅଭିଭାବକ ନୁହଁନ୍ତି,ଯଦିଓ କେବଳ ସେମାନଙ୍କର କଷ୍ଟଡି ବା ହେପାଜତ ପାଇବାର ଯୋଗ୍ୟ ହୋଇଥାଆନ୍ତି।


ସୁନ୍ନି ଧର୍ମରେ ପିତାଙ୍କ ମୃତ୍ୟୁ ପରେ ନାବାଳକ ପିଲାର ଅଭିଭାବକଙ୍କ ତାଙ୍କର ଏକଜିକ୍ୟୁଟର ବା କାର୍ଯ୍ୟନିର୍ବାହୀଙ୍କ ପାଖକୁ ଯାଏ,ଯେତେବେଳେ ହିଁ ଶିଆ ନିୟମରେ ଏହି ଅଭିଭାବକତ୍ଵର ଓ ଅଧିକାର ପିତାମହଙ୍କ ନିକଟକୁ ଯାଇଥାଏ।


ଇଚ୍ଛାପତ୍ର ଦ୍ଵାରା ନିଯୁକ୍ତ ଅଭିଭାବକ-


ମୁସଲିମ ନିୟମରେ ଇଚ୍ଛାପତ୍ର ଦ୍ଵାରା ଅଭିଭାବକ ନିଯୁକ୍ତ କରିବାର ଅଧିକାର ପିତା ତଥା ତାଙ୍କ ଅନୁପସ୍ଥିତିରେ ପିତାମହଙ୍କର ରହିଅଛି।


ଉଭୟ ଶିଆ ଏବଂ ସୁନ୍ନି ତଥା ମୁସଲିମ ନିୟମର କୈାଣସି ବି ଭାଗରେ ମାତାଙ୍କର ଇଚ୍ଛାପତ୍ର ଦ୍ଵାରା ନିଜ ସନ୍ତାନମାନଙ୍କ ପାଇଁ ଅଭିଭାବକ ନିଯୁକ୍ତ କରିବାର କୌଣସି ଅଧିକାର ନାହିଁ ।ତେବେ ପିତା ବା ପିତାମହଙ୍କର ଚାହିଁଲେ ସନ୍ତାନଙ୍କର ମାତାଙ୍କୁ ମଧ୍ୟ ଇଚ୍ଛାପତ୍ର ଦ୍ଵାରା ନିଜ ସନ୍ତାନ ମାନଙ୍କର ଅଭିଭାବକ ଅର୍ଥାତ ନିଜ ପିଲାମାନଙ୍କର ଟେଷ୍ଟିମେଣ୍ଟାରୀ ଗାର୍ଜନ ଭାବରେ ନିଯୁକ୍ତ କରିପାରିବେ।


ଅଣମୁସଲମାନଙ୍କୁ ଅଭିଭାବକତ୍ଵ ପ୍ରଦାନ କରିବା କ୍ଷେତ୍ରରେ ମୁସଲିମ ଧର୍ମର ଭିନ୍ନଭିନ୍ନ ଭାଗ ଭିନ୍ନ ଭିନ୍ନ ଯୁକ୍ତି କରିଥାଏ।ଅଭିଭାବକ ଜଣଙ୍କ ପିଲାଟିର ଶିକ୍ଷା ସଂସ୍କାର ପ୍ରଭୃତିକୁ ନିୟନ୍ତ୍ରଣ କରୁଥିବାରୁ ସେ ମଧ୍ୟ ସେହି ସଂପ୍ରଦାୟର ହୋଇଥିବା ଆବଶ୍ୟକ।ତେବେ କେତେକ ଭାଗରେ ଅଣମୁସଲମାନଙ୍କୁ ଅଭିଭାବକ ଭାବରେ ନିଯୁକ୍ତି କରାଯାଇପାରିବ ମାତ୍ର କାଜି ଏହାର ବିରୋଧ କଲେ,ତାହାକୁ ଅପସାରଣ କରାଯିବ।ତେବେ ନାବାଳକର ସମ୍ପତ୍ତି ନିମନ୍ତେ ଅଣମୁସଲମାନଙ୍କୁ ଅଭିଭାବକତ୍ଵ ଦେବାରେ ବିଶେଷ କିଛି ଅସୁବିଧା ହୋଇନଥାଏ।


କୋର୍ଟ ବା ନ୍ୟାୟାଳୟର ମଧ୍ୟ ଅଭିଭାବକ ନିଯୁକ୍ତ କରିବାର କ୍ଷମତା ରହିଅଛି। ପ୍ରତ୍ୟେକ କ୍ଷେତ୍ରରେ ନାବାଳକର ସୁରକ୍ଷା ତଥା କଲ୍ୟାଣ ଉପରେ ହିଁ ଗୁରୁତ୍ବାରୋପ କରାଯାଇଥାଏ। ନ୍ୟାୟାଳୟ ଦ୍ଵାରା ଅଭିଭାବକର ନିଯୁକ୍ତି ପ୍ରକ୍ରିୟା ଗାର୍ଜନ ଏଣ୍ଡ ଓ୍ବାର୍ଡସ ଆକ୍ଟ ୧୮୯୦ର ନିୟମ ଅନୁଯାୟୀ କରାଯାଇଥାଏ।

Our Recent Posts