• ସୂର୍ଯ୍ୟସ୍ନାତା ଦାସ

ମୁସଲିମ ପରିବାରରେ ଉତ୍ତରାଧିକାରୀ ନିୟମ



ଉତ୍ତରାଧିକାର ନିୟମ ମୁସଲିମ ପରିବାରରେ ଏକ ଖୁବ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିଥାଏ ।ଉତ୍ତରାଧିକାରର ମୁସଲିମ୍ ନିୟମସମୂହର ଭିତ୍ତି ପବିତ୍ର କୁରାନ୍, ସୁନ୍ନା,ଇଜମା,କୟାସ ଉତ୍ସ ମାନଙ୍କ ମଧ୍ୟରୁ ଆସିଅଛି।ବ୍ୟକ୍ତିର ମୃତ୍ୟୁ ପରେ ତାର ସମ୍ପତ୍ତି କିଭଳି ନିର୍ଗମନ ହେବ ଏବଂ ତା'ର ଉତ୍ତରାଧିକାରୀ କିଏ ହେବେ ଏ ନେଇ ଏକ ଉତ୍ସ ମାନଙ୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି।ସାଂପ୍ରତିକ ଆଇନ୍ ବ୍ୟବସ୍ଥାରେ ମଧ୍ୟ ଏହା ବିଶେଷ ଭାବରେ ପରିଦୃଷ୍ଟ।


ଆପଣମାନେ ତ ଜାଣିଥିବେ, ଉତ୍ତରାଧିକାରୀ ସାଧାରଣତଃ ଦୁଇଟି ପଦ୍ଧତିରେ ଚିହ୍ନିତ କରାଯାଏ, ପ୍ରଥମତଃ ଇଚ୍ଛା ପତ୍ର ଦ୍ଵାରା ଏବଂ ବିନା ଇଚ୍ଛାପତ୍ରରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ପାଇଁ ମୁସଲିମ ନିୟମର ଉତ୍ତରାଧିକାରର ସୂତ୍ର ସମୂହ ଲାଗୁ ହୁଏ। ମୃତ୍ୟୁ ପୂର୍ବରୁ ଇଚ୍ଛାପତ୍ର ସୃଷ୍ଟି କରିଯାଇଥିବା ଶିଆ ଏବଂ ସୁନ୍ନିମାନଙ୍କ ପାଇଁ ଏହି ପ୍ରକ୍ରିୟା ମୁସଲିମ୍ ଶରିୟାତ୍ ନିୟମ ଅନୁଯାୟୀ ପରିଚାଳିତ ହେବ ।


ଉତ୍ତରାଧିକାରୀଙ୍କ ପ୍ରକାରଭେଦ ଦୃଷ୍ଟିରୁ ମୁସଲିମ୍ ନିୟମରେ ମୁଖ୍ୟତଃ ଦୁଇ ପ୍ରକାରର ଉତ୍ତରାଧିକାରୀ ଚିହ୍ନିତ ହୋଇଥାନ୍ତି।ପ୍ରଥମତଃ ଯେଉଁମାନେ ମୃତ ବ୍ୟକ୍ତିଙ୍କ ସମ୍ପତ୍ତିରେ କିଛି ଅଂଶ ପାଇବାକୁ ହକଦାର ଓ ଯେଉଁମାନେ ଅଂଶୀଦାରମାନେ ତାଙ୍କ ନେବା ପରେ ଅବଶିଷ୍ଟ ସମ୍ପତ୍ତି ନେବା ପାଇଁ ଯୋଗ୍ୟ ହୋଇଥାଆନ୍ତି ।ଏଇ ପ୍ରକାରର ଉତ୍ତରାଧିକାରୀମାନଙ୍କୁ ସେୟାରର୍ ବା ଅଂଶୀଦାର, କୁହାଯାଉଥିବା ବେଳେ ଦ୍ଵିତୀୟ ପ୍ରକାରର ଉତ୍ତରାଧିକାରୀମାନଙ୍କୁ ରେସିଡ୍ୟୁରିଜ୍ ବୋଲି କୁହାଯାଇଥାଏ।ଏଇ ଦୁଇ ପ୍ରକାରର ଉତ୍ତରାଧିକାରୀ ମୃତ ବ୍ୟକ୍ତିଙ୍କର ସମ୍ପତ୍ତି ନିର୍ଗମନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥାଆନ୍ତି।


ଅଂଶୀଦାର କିଏ?


ଇସଲାମ ଧର୍ମରେ ଉଭୟ ପୁରୁଷ ଓ ମହିଳା ମୃତ ବ୍ୟକ୍ତିଙ୍କ ଉତ୍ତରାଧିକାରୀ ଭାବରେ ମାନ୍ୟତା ପାଆନ୍ତି ଏବଂ ନିଜନିଜର ଭାଗ ନେଇଥାଆନ୍ତି।ତେବେ ଉଭୟ ପୁରୁଷ ଓ ମହିଳା ଉତ୍ତରାଧିକାରୀଙ୍କ ଉପସ୍ଥିତିରେ ଜଣେ ମହିଳା ଉତ୍ତରାଧିକାରୀଙ୍କ ଅଂଶର ପରିମାଣ ପୁରୁଷ ଉତ୍ତରାଧିକାରୀଙ୍କ ଅଂଶର ପରିମାଣର ଅଧା ହୋଇଥାଏ ।ତେବେ ମୁସଲମାନ ନ୍ୟାୟ ଶାସ୍ତ୍ରୀଙ୍କ ମତରେ ଏହି ନିୟମଟି ମହିଳାଙ୍କୁ ବାଛବିଚାର କରି ତାଙ୍କ ପ୍ରତି ଅନ୍ୟାୟ କରିନଥାଏ ବରଂ ଏହା ପଛରେ ଏକ ମହତ ଉଦ୍ଦେଶ୍ୟ ରହିଛି।ମୁସଲମାନ ନିୟମ ଅନୁଯାୟୀ ଜଣେ ମହିଳା ଯେତେବେଳେ ବିବାହ କରନ୍ତି,ସେତେବେଳେ ତାଙ୍କର ଭରଣପୋଷଣ ତାଙ୍କର ପତିଙ୍କ ଦ୍ଵାରା ହୋଇଥାଏ।ସେ ମଧ୍ୟ ନିଜର ରକ୍ଷଣାବେକ୍ଷଣ ପାଇଁ ପତିଙ୍କଠୁଁ ଡାୱର ମହର ପ୍ରଭୃତି ପାଇଥାଆନ୍ତି ଯାହା ଫଳରେ ତାଙ୍କର ଚଳଣିରେ କୌଣସି ଅସୁବିଧା ହୋଇନଥାଏ।କିନ୍ତୁ ପୁରୁଷମାନେ କାହାଠାରୁ ସେମିତି କୌଣସି ଭରଣ ପୋଷଣ ପାଇନଥାନ୍ତି ପୁନଶ୍ଚ ନିଜର ପତ୍ନୀ ଏବଂ ପିଲାମାନଙ୍କର ରକ୍ଷଣାବେକ୍ଷଣ କରିବାର ଦାୟିତ୍ୱ ସେମାନଙ୍କ ଉପରେ ନ୍ୟସ୍ତ ଥାଏ ।ତେଣୁ ଇସଲାମ ନ୍ୟାୟଶାସ୍ତ୍ରୀଙ୍କ ମତରେ ଏହିଭଳି ବିଭାଜନ ଯୁକ୍ତିଯୁକ୍ତ ହୋଇଥାଏ।


ବିନା ଇଚ୍ଛାପତ୍ରରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପାଇଁ ମୁସିଲମ ନିୟମ ଅନ୍ତର୍ଗତ ଦିଆଯାଇଥିବା ପ୍ରକ୍ରିୟାରେ ଉତ୍ତରାଧିକାରୀ ଚିହ୍ନଟ କରାଯାଇଥାଏ। ବର୍ତ୍ତମାନ ୧୨ ଗୋଟି ଅଂଶୀଦାରମାନଙ୍କୁ ଚିହ୍ନଟ କରାଯାଇଅଛି।ଏ ସମସ୍ତ ଅଂଶୀଦାର ମାନେ ମୃତ ବ୍ୟକ୍ତିର ସମ୍ପତ୍ତିର ଉତ୍ତରାଧିକାରୀ ହୋଇଥାଆନ୍ତି ଏବଂ ଏମାନଙ୍କ ମଧ୍ୟରେ ସମ୍ପତ୍ତିର ନିର୍ଗମନ ପ୍ରକ୍ରିୟା ହୋଇଥାଏ। ନିମ୍ନଲିଖିତ ବ୍ୟକ୍ତିମାନେ ହିଁ ମୁସଲିମ ନିୟମ ଅନୁଯାୟୀ ଅଂଶୀଦାର ହେବାକୁ ଯୋଗ୍ୟ :


(୧)ପତି (୨) ପତ୍ନୀ, (୩) ଝିଅ, (୪) ଗୋଟିଏ ପୁଅର ଝିଅ କିମ୍ବା ପୁଅର ପୁଅ କିମ୍ବା ପୁଅର ପୁଅ ଇତ୍ୟାଦି), (୫) ପିତା, (୬) ପିତାମହ, (୭) ମାତା, (୮) ପରିବାରର ପୁରୁଷ ଧାଡିରେ ଜେଜେମା, (୯) ପୂର୍ଣ୍ଣରକ୍ତ ସମ୍ବନ୍ଧୀୟ ଭଉଣୀ (୧୦) କନସଙ୍ଗୁଇନ୍ ଭଉଣୀ (୧୧) ଗର୍ଭାଶୟ ରକ୍ତ ସମ୍ବନ୍ଧୀୟ ଭଉଣୀ, ଏବଂ (୧୨) ଗର୍ଭାଶୟ ରକ୍ତ ସମ୍ବନ୍ଧୀୟ ଭାଇ ।


ପ୍ରତ୍ୟେକ ଅଂଶୀଦାର ଦ୍ୱାରା ନିଆଯାଇଥିବା ଅଂଶ ସ୍ଥଳବିଶେଷରେ ଭିନ୍ନଭିନ୍ନ ହେବ । ଅର୍ଥାତ୍ କିଏ କେମିତି ଭାଗ ପାଇବ ତାହା ପରିସ୍ଥିତି ଅନୁଯାୟୀ ଅଲଗା ହେବ।କେବଳ ପତି ବା ପତ୍ନୀ ବୋଲି ସବୁ କ୍ଷେତ୍ରରେ ଯେ ସମାନ ଧ୍ରୁବ ଭାଗ ପାଇବାକୁ ହକଦାର ହେବେ ସେମିତି କିଛି ନାହିଁ ।


ଏହାକୁ ଏକ ଉଦାହରଣ ଦ୍ଵାରା ବୁଝାଯାଇପାରିବ।ଯେଉଁଠାରେ ଦମ୍ପତିଙ୍କର ବଂଶଧର ନାହିଁ ସେଠାରେ ଏକ ପତ୍ନୀ ସମ୍ପତ୍ତିର ଏକ ଚତୁର୍ଥାଂଶ ଗ୍ରହଣ କରନ୍ତି ଏବଂ ଯଦି ବଂଶଧର ଅଛି,ତେବେ ଏହା ତାର ଅଧା ଅର୍ଥାତ ଏକ ଅଷ୍ଟମାଂଶ ହୋଇଯାଏ। ଜଣେ ପତି ତାଙ୍କ ମୃତ ପତ୍ନୀଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହୋଇଥାଆନ୍ତି ଓ ପତ୍ନୀଙ୍କ ମୃତ୍ୟୁ ପରେ ସେ ସର୍ବମୋଟ ସମ୍ପତ୍ତିର ଏକ ଅର୍ଦ୍ଧେକ ଅଂଶ ଗ୍ରହଣ କରବାକୁ ଯୋଗ୍ୟ ।ଯେଉଁଠାରେ ଦମ୍ପତିଙ୍କର ବଂଶଧର ଥାନ୍ତି, ସେଠାରେ ଏହି ସମ୍ପତ୍ତିର ପରିମାଣର ଏକ ଚତୁର୍ଥାଂଶ ପତିଙ୍କ ନିକଟକୁ ଯାଇଥାଏ।


ମୁସଲିମ ପରିବାରରେ ସମ୍ପତ୍ତିରେ ଜନ୍ମ ଅଧିକାର ନାହିଁ; ଅର୍ଥାତ୍ ଜନ୍ମ ନେବା ମାତ୍ରକେ ସମ୍ପତ୍ତିରେ ତାର ଭାଗ ଆସିଯାଇନଥାଏ।ଏହା କେବଳ ବ୍ୟକ୍ତିଙ୍କ ମୃତ୍ୟୁ ପରେ ହିଁ ତାକୁ ମିଳିଥାଏ।ସରଳ ଭାଷାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ହିଁ ଉତ୍ତରାଧିକାରୀଙ୍କ ପାଖରେ ସେ ସମ୍ପତ୍ତିରେ ଅଧିକାର ବା ଭାଗ ଆସିଥାଏ।


ଯଦି ସେହି ଉତ୍ତରାଧିକାରୀ ଜଣଙ୍କର ବ୍ୟକ୍ତିଙ୍କପୂର୍ବରୁ ମୃତ୍ୟୁ ଘଟୁଛି,ତେବେ ସେ ନିଜ ଅଂଶ ପାଇବାକୁ ଯୋଗ୍ୟ ହୁଅନ୍ତି ନାହିଁ।ମୁସଲିମ ନିୟମରେ ଏହି ସମ୍ପତ୍ତିର ଭାଗ ମୁଖ୍ୟତଃ ଉପସ୍ଥିତ ଥିବା ଉତ୍ତରାଧିକାରୀଙ୍କ ମଧ୍ୟରେ ହିଁ ହୋଇଥାଏ।ବ୍ୟକ୍ତିର ମୃତ୍ୟୁ ଫଳରେ ସେ ସମ୍ପତ୍ତି ଗ୍ରହଣ କରିବାକୁ ଅଯୋଗ୍ୟ ହୋଇଯାଏ ତେଣୁ ସମ୍ପତ୍ତି ବିଭାଜନ ସମୟରେ ତାର ଭାଗଟି ନଷ୍ଟ ହୋଇଯାଇଥାଏ।


ନିଜ ମାତାର ଗର୍ଭରେ ଥିବା ଏକ ଶିଶୁ ଜୀବନ୍ତ ଜନ୍ମ ହେଲେ ଉତ୍ତରାଧିକାରୀ ହେବା ପାଇଁ ଯୋଗ୍ୟ ଅଟେ,ଯଦି କୈାଣସି ପରିସ୍ଥିତିରେ ସେ ଜୀବନ୍ତ ଜନ୍ମ ନହୋଇପାରେ, ତେବେ ତାକୁ ଉତ୍ତରାଧିକାରୀଙ୍କ ମଧ୍ୟରେ ପରିଗଣନା କରାଯାଇନଥାଏ।


ମହମ୍ମଦ ସଲିମ ବନାମ ଶାମସୁଦ୍ଦିନ ମାମଲାରେ ଏହା କୁହାଯାଇଥିଲା ଯେ,ଯଦି ଜଣେ ମୁସଲିମ ପୁରୁଷ ଓ ତାଙ୍କର ହିନ୍ଦୁ ପତ୍ନୀଙ୍କଠୁଁ ଜଣେ ସନ୍ତାନ ଜନ୍ମ ହୁଏ,ତେବେ ସେ ପିତାଙ୍କ ସମ୍ପତ୍ତିରେ ଭାଗ ପାଇବାର ହକଦାର ହୋଇଥାଏ।ଏହି ମାମଲାରେ ନ୍ୟାୟାଳୟ କହିଥିଲେ ଯେ,ଏହିଭଳି କ୍ଷେତ୍ରରେ ବିବାହଟି ବୈଧ ବା ଅବୈଧ ନୁହେଁ ବରଂ ଅନିୟମିତ ହୋଇଥାଏ।


ସମ୍ପତ୍ତି ବଣ୍ଟନ:


ମୁସଲମାନ ନିୟମ ଅନୁଯାୟୀ ମୃତ ବ୍ୟକ୍ତିର ସମ୍ପତ୍ତି ବଣ୍ଟନ ଦୁଇଟି ଉପାୟରେ କରାଯାଇପାରିବ - ମୁଣ୍ଡପିଛା ବଣ୍ଟନ କିମ୍ବା ଷ୍ଟ୍ରିପ୍ ବଣ୍ଟନ । ମୁଣ୍ଡପିଛା ବଣ୍ଟନରେ ଗୋଟିଏ ସମ୍ପତ୍ତିକୁ ସମସ୍ତ ଯୋଗ୍ୟ ଉତ୍ତରାଧିକାରୀଙ୍କ ମଧ୍ୟରେ ସମାନ ଭାବରେ ଭାଗ କରାଯାଏ ଏବଂ ଷ୍ଟିପ ବଣ୍ଟନରେ ଶାଖା ସୃଷ୍ଟି କରି ସବୁ ଶାଖାର ଉତ୍ତରାଧିକାରୀଙ୍କୁ ନିଜ ନିଜ ଅଂଶ ବଣ୍ଟା ଯାଇଥାଏ। ଗୋଟିଏ ଷ୍ଟିପ ବା ଗୋଟିଏ ଶାଖାରେ ଯେଉଁମାନେ ରୁହନ୍ତି ,ସେମାନଙ୍କ ଭିତରେ ସମ୍ପତ୍ତିର ସମାନ ଭାଗ ହୋଇଥାଏ। ଗୋଟିଏ ଶାଖାରେ ପ୍ରତି ସଦସ୍ୟଙ୍କ ପାଇଥିବା ସମ୍ପତ୍ତି ଅନ୍ୟ ଶାଖାରେ ପ୍ରତି ସଦସ୍ୟଙ୍କ ପାଇଥିବା ସମ୍ପତ୍ତି ସହ ସମାନ ନହୋଇପାରେ।


ମୁଣ୍ଡପିଛା ବଣ୍ଟନ ପଦ୍ଧତି ମୁଖ୍ୟତ ସୁନ୍ନି ନିୟମରେ ବ୍ୟବହୃତ ହୁଏ ।ଏହି ପଦ୍ଧତି ସମତା ଓ ସମାନତାକୁ ବୁଝାଇଥାଏ ।ଏହି ପଦ୍ଧତି ଅନୁଯାୟୀ, ପିତୃପୁରୁଷଙ୍କ ଦ୍ୱାରା ଛାଡିଥିବା ସମ୍ପତ୍ତି ଉତ୍ତରାଧିକାରୀମାନଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟନ ହୁଏ । ତେଣୁ, ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇବାକୁ ଥିବା ଅଂଶ ଉତ୍ତରାଧିକାରୀଙ୍କ ସଂଖ୍ୟା ଉପରେ ନିର୍ଭର କରେ ।ଯଦି ମୃତ ବ୍ୟକ୍ତିଙ୍କ ଉତ୍ତରାଧିକାରୀଙ୍କ ସଂଖ୍ୟା ବେଶୀ,ତେବେ ମୁଣ୍ଡପିଛା ଭାଗ କମ ହୋଇଥାଏ ଏବଂ ଉତ୍ତରାଧିକାରୀଙ୍କ ସଂଖ୍ୟା କମ ଥିବା ସ୍ଥଳରେ ଏହି ମୁଣ୍ଡପିଛା ଭାଗ ଅଧିକ ହୋଇଥାଏ। ଭାରତରେ ଅଧିକାଂଶ ସୁନ୍ନି ରହୁଥିବାରୁ ଏ ନିୟମଟି ଅଧିକାଂଶ କ୍ଷେତ୍ରରେ ଦେଖିବାକୁ ମିଳେ।


ଷ୍ଟ୍ରିପ୍ ବଣ୍ଟନ ପଦ୍ଧତିଟି ଶିଆ ନିୟମରେ ସ୍ୱୀକୃତିପ୍ରାପ୍ତ । ସମ୍ପତ୍ତି ଉତ୍ତରାଧିକାରର ଏହି ପଦ୍ଧତି ଅନୁଯାୟୀ, ସମ୍ପତ୍ତିଟି ଉତ୍ତରାଧିକାରୀମାନଙ୍କ ମଧ୍ୟରେ ସେମାନଙ୍କ ସମ୍ପୃକ୍ତ ଶାଖା ଅନୁଯାୟୀ ବଣ୍ଟନ ହୁଏ ।ଏହି ଭାଗରେ ସମ୍ପତ୍ତି ବଣ୍ଟନରେ ସମାନତା ନିୟମ ପ୍ରଯୁଜ୍ୟ ହୋଇନଥାଏ। ତେଣୁ ସେମାନଙ୍କର ଉତ୍ତରାଧିକାର ପରିମାଣ ସେମାନେ ବିଭକ୍ତ ହୋଇଥିବା ଶାଖା ଏବଂ ଶାଖା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ ସଂଖ୍ୟା ଉପରେ ନିର୍ଭର କରେ ।ଏହି ନିୟମରେ ଉତ୍ତରାଧିକରଣର ଯୋଗ୍ୟତା ଅନୁସାରେ ବ୍ୟକ୍ତି ନିଜ ନିଜର ଭାଗ ପାଇଥାଆନ୍ତି।ଏପରି ପଦ୍ଧତିରେ ସମ୍ପତ୍ତିରେ ଭାଗ ପାଇଥିବା ଅଂଶୀଦାରଙ୍କ ମଧ୍ୟରେ ମୃତ ବ୍ୟକ୍ତି ସହ ସମ୍ପର୍କ ଅନୁସାରେ ଶାଖା ଓ ତତ୍ ସଂପର୍କିତ ଭାଗ ସ୍ଥିର ହୋଇଥାଏ।


ପିତାଙ୍କ ମୃତ୍ୟୁ ପରେ ଏହି ପ୍ରକାରର ସମ୍ପତ୍ତି ବଣ୍ଟନ ପ୍ରକ୍ରିୟାରେ ଅବୈଧ ସନ୍ତାନ ଭାଗ ନେଇପାରେନାହିଁ କିମ୍ବା ସେ ଅବୈଧ ସନ୍ତାନର ମୃତ୍ୟୁ ପରେ ମଧ୍ୟ ପିତା ତାର ସମ୍ପତ୍ତିରେ ଉତ୍ତରାଧିକାର ଭାଗ ପାଇପାରନ୍ତି ନାହିଁ।ଏହାଛଡା ଜଣେ ଉତ୍ତରାଧିକାରୀଟେ ହୋଇ ସମ୍ପତ୍ତିଧାରକଙ୍କୁ ହତ୍ୟାକରିଥିବା ବ୍ୟକ୍ତିଜଣଙ୍କ ମୃତକଙ୍କ ସମ୍ପତ୍ତିରେ କୌଣସି ଅଧିକାର ପାଇବାକୁ ଯୋଗ୍ୟ ବିବେଚିତ ହୁଅନ୍ତି ନାହିଁ।


ଏଠାରେ ଦୃଷ୍ଟି ରଖିବା କଥା ଯେ, ବ୍ୟକ୍ତିଙ୍କ ମୃତ୍ୟୁପରେ ତାଙ୍କ ଉତ୍ତରାଧିକାରୀଙ୍କ ମଧ୍ୟରେ ସମ୍ପତ୍ତି ଭାଗଭାଗ ହେବା ପୂର୍ବରୁ ସେଥିରୁ ପ୍ରଥମେ ବ୍ୟକ୍ତିଙ୍କ ମୃତକର୍ମ ଖର୍ଚ୍ଚ,ଆଇନଗତ ଖର୍ଚ୍ଚ,ଋଣଟଙ୍କା ତଥା ଦେୟ ଅର୍ଥ ପ୍ରଭୃତି କାଢିନିଆଯାଇ ବାକିଥିବା ସମ୍ପତ୍ତିର ଅଂଶ ହିଁ ଉତ୍ତରାଧିକାରୀଙ୍କ ମଧ୍ୟରେ ବଣ୍ଟନ ହୋଇଥାଏ।ଯେତେସମୟ ପର୍ଯ୍ୟନ୍ତ ଏହାସବୁ ସମ୍ପତ୍ତିରୁ ଅଲଗା କରାଯାଇନଥାଏ,ସେତେସମୟ ପର୍ଯ୍ୟନ୍ତ ସମ୍ପତ୍ତିଟି ଭାଗଯୋଗ୍ୟ ହୋଇପାରେ ନାହିଁ ।ସମ୍ପତ୍ତିରୁ ଏହାକୁ ଅଲଗା କରିସାରିବା ପରେ ହିଁ ଏହା ଅଂଶୀଦାରଙ୍କ ମଧ୍ୟରେ ଭାଗ କରାଯାଇଥାଏ।


ଯେଉଁଠାରେ ଜଣେ ମୃତ ମୁସଲମାନଙ୍କର କେହି ଆଇନଗତ ଉତ୍ତରାଧିକାରୀ ନାହାଁନ୍ତି, ସେଠାରେ ତାଙ୍କର ସମ୍ପତ୍ତି ସରକାରଙ୍କ ଅଧୀନକୁ ଚାଲିଯାଇଥାଏ।ଏହିଭଳି ଭାବରେ ବିନା ଇଚ୍ଛାପତ୍ରରେ ମୃତ୍ୟୁବରଣ କରୁଥିବା ମୁସଲିମଙ୍କ ସମ୍ପତ୍ତିର ନିର୍ଗମନ ହୋଇଥାଏ।

Our Recent Posts

Law in Odia

India

LAW IN ODIA