• ସୂର୍ଯ୍ୟସ୍ନାତା ଦାସ

ଯାଞ୍ଚ/ତଦନ୍ତ ଏବଂ ଅନୁସନ୍ଧାନ; ରହିଛି ଆଇନରେ ଅନ୍ତର ଜାଣ



ଯାଞ୍ଚ ତଥା ତଦନ୍ତ ଏବଂ ଅନୁସନ୍ଧାନ ; ପ୍ରତିଦିନ ଖବରକାଗଜ ପଢିବା ବେଳେ ଏଇ ଦୁଇଟି ଶବ୍ଦ ଭିତରେ ଆମେ ଦ୍ଵନ୍ଦରେ ପଡୁ ଓ ଅଧିକାଂଶ ସମୟରେ ଏଇ ଦୁଇଟିକୁ ଏକ ଅର୍ଥରେ ନେଇଯାଉ। ଅପରାଧ ପ୍ରକ୍ରିୟା କ୍ଷେତ୍ରରେ ଏଇ ଦୁଇଟି ଶବ୍ଦ ଶୁଣିଲେ ସାଧାରଣ ଭାବରେ ଆମେ ବୁଝୁ ଯେ, କୌଣସି ମାମଲାର ସତ୍ୟତା ଖୋଜିବା ପାଇଁ ପୁଲିସ ଦ୍ଵାରା ଖୋଳତାଡ ଚାଲିଛି, ବାସ୍ତବରେ ଏହା କିଛି ପରିମାଣରେ ସତ ହେଲେ ବି ଶତ ପ୍ରତିଶତ ଠିକ୍ ନୁହେଁ,କାରଣ ଏଇ ଦୁଇଟି ବ୍ୟବହୃତ ଶବ୍ଦ ଭିତରେ ଆଇନରେ ବହୁତ ଅନ୍ତର ରହିଛି। ମୋଟାମୋଟି ଭାବରେ କହିବା ପାଇଁ ଗଲେ,ଏ ଦୁଇଟି ସତ୍ୟତା ଅନୁସନ୍ଧାନ ପ୍ରକ୍ରିୟାର ଉଦ୍ଦେଶ୍ୟ ପାଖାପାଖି ହୋଇଥିଲେ ସୁଦ୍ଧା, ପ୍ରଣାଳୀ ଓ ପଦ୍ଧତିରେ ଉଭୟ ପରସ୍ପରଠୁଁ ଖୁବ ଭିନ୍ନ । ତେବେ ଏକା ଭଳି ଶୁଭୁଥିବା ଏ ଦୁଇଟି ପ୍ରଣାଳୀ ମଧ୍ୟରେ ମୁଖ୍ୟତଃ କଣ ପାର୍ଥକ୍ୟ ରହିଛି,ଆସନ୍ତୁ ଜାଣିବା ।


୧ - 'ଯାଞ୍ଚ ବା ତଦନ୍ତ' ଶବ୍ଦଟି ଫୌଜଦାରୀ କାର୍ଯ୍ୟବିଧି ଆଇନର ଧାରା ୨ 'ଛ' ରେ ସ୍ଥାନିତ ହୋଇଥିବା ବେଳେ 'ଅନୁସନ୍ଧାନ' ଶବ୍ଦଟି ଉକ୍ତ ଫୌଜଦାରୀ କାର୍ଯ୍ୟବିଧି ଆଇନର ଧାରା ୨ 'ଜ' ରେ ସ୍ଥାନିତ ହୋଇଛି ।


୨ - ପୋଲିସ କିମ୍ବା ବ୍ୟକ୍ତିଙ୍କ ଦ୍ଵାରା ଅନୁସନ୍ଧାନ କରାଯାଇଥାଏ । ଅନୁସନ୍ଧାନ କଦାପି ମାଜିଷ୍ଟ୍ରେଟଙ୍କ ଦ୍ଵାରା ହୋଇନଥାଏ। ଯାଞ୍ଚ ପ୍ରକ୍ରିୟାଟି ମାଜିଷ୍ଟ୍ରେଟଙ୍କ ଦ୍ଵାରା ବା ନ୍ୟାୟାଳୟ ଦ୍ଵାରା ହିଁ କରାଯାଇଥାଏ ।


୩ - ଅନୁସନ୍ଧାନ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାମଲାର ପ୍ରମାଣ ସଂଗ୍ରହ । ଏକ ଯାଞ୍ଚ କିନ୍ତୁ ନିର୍ଦ୍ଦିଷ୍ଟ ତଥ୍ୟର ସତ୍ୟତା ନିର୍ଣ୍ଣୟ କରିବାକୁ ଲକ୍ଷ୍ୟ ରଖିଥାଏ । ଅନୁସନ୍ଧାନ କେବଳ ସାକ୍ଷ୍ୟ ଓ ପ୍ରମାଣକୁ ଗୁରୁତ୍ଵ ଦେଉଥିବା ସ୍ଥଳେ , ଯାଞ୍ଚ ପ୍ରକ୍ରିୟା କିନ୍ତୁ ତଥ୍ୟର ସତ୍ୟତା ନିରୂପଣ ଓ ସଠିକତା ନିର୍ଦ୍ଧାରଣ କରିବା ଉପରେ ପ୍ରାଧାନ୍ୟ ଦେଇଥାଏ ।

୪- ଅନୁସନ୍ଧାନ ଏକ ନ୍ୟାୟିକ ପ୍ରକ୍ରିୟା ନୁହେଁ ତଦନ୍ତ ବା ଯାଞ୍ଚ ହେଉଛି ସର୍ବଦା ଏକ ନ୍ୟାୟିକ ପ୍ରକ୍ରିୟା ହୋଇଥାଏ ।


୫ - ଅନୁସନ୍ଧାନ ହେଉଛି ଅପରାଧିକ ମାମଲାର ପ୍ରଥମ ପର୍ଯ୍ୟାୟ ମାତ୍ର ଯାଞ୍ଚ ହେଉଛି ଏକ ମାମଲାର ଦ୍ୱିତୀୟ ପର୍ଯ୍ୟାୟ । ଅନୁସନ୍ଧାନର ପରବର୍ତ୍ତୀ ସମୟରେ ଯାଞ୍ଚ ପାଇଁ ଆଦେଶ ଦିଆଯାଇଥାଏ ।

Our Recent Posts