- ସୂର୍ଯ୍ୟସ୍ନାତା ଦାସ
ରଖିଲେ ଚୋରାମାଲ , ଆଇନ କରିଥାଏ ପ୍ରହାର
ପୂର୍ବରୁ ଆମେ ସମ୍ପତ୍ତିର ଅସାଧୁ ଆତ୍ମସାତ, ଚୋରି, ଲୁଣ୍ଠନ,ବଳପୂର୍ବକ ଆଦାୟ ଓ ଅପରାଧିକ ବିଶ୍ଵାସ ଭଙ୍ଗ ଇତ୍ୟାଦି ବିଷୟରେ ଜାଣିଛୁ, ତେବେ ଏହି ଭଳି ଉପାୟରେ ପ୍ରାପ୍ତ ସମ୍ପତ୍ତିର ଆଇନଗତ ପରିଣାମ ବିଷୟରେ ଆସନ୍ତୁ ଜାଣିବା ।
ଦଫା ୪୧୦ ଅନୁସାରେ ଏହିସମସ୍ତ ଉପାୟରେ ସମ୍ପତ୍ତିର ଦଖଲ ହେଲେ ଏହାକୁ ଚୋରାମାଲ ଭାବରେ ଅଭିହିତ କରାଯାଇଥାଏ। ଯେବେ ଏହି ଚୋରାମାଲର ସମ୍ପତ୍ତି ସେଥିରେ ଆଇନତଃ ଅଧିକାର ଥିବା ବ୍ୟକ୍ତିଙ୍କ ନିକଟକୁ ଫେରିଆସେ, ତାହା ଆଉ ଚୋରାମାଲ ହୋଇ ରହେ ନାହିଁ। ସାଧାରଣ ଭାଷାରେ କହିବାକୁ ଗଲେ, ଅସାଧୁ ଆତ୍ମସାତ, ଚୋରି, ଲୁଣ୍ଠନ, ବଳପୂର୍ବକ ଆଦାୟ ଓ ଅପରାଧିକ ବିଶ୍ଵାସ ଭଙ୍ଗ ଇତ୍ୟାଦିରେ ପ୍ରାପ୍ତ ସମ୍ପତ୍ତି ଯେତେବେଳ ପର୍ଯ୍ୟନ୍ତ ମାଲିକଙ୍କ ପାଖକୁ ନଫେରିଥାଏ ତେବେ ତାହା ଚୋରାମାଲ ଭାବରେ ଅଭିହିତ ହୋଇଥାଏ।ଏହି ଚୋରାମାଲ ସାଧାରଣତଃ ଅସ୍ଥାବର ସମ୍ପତ୍ତି ହୋଇଥାଏ।
ଏହି ଚୋରାମାଲକୁ ଗ୍ରହଣ କରିବା ଆଇନ ଆଖିରେ ଏକ ଅପରାଧ ହୋଇଥାଏ। ଯିଏ କୌଣସି ବସ୍ତୁକୁ ଚୋରାମାଲ ବୋଲି ଜାଣିଶୁଣି ତାହା ଅସାଧୁତାରେ ନିଜ ପାଖରେ ରଖନ୍ତି, ତେବେ ଜରିମାନା ସହ ତିନିବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ମିଳିବାର ବ୍ୟବସ୍ଥା ରହିଛି। ଏହି ଅପରାଧଟିକୁ ଆଇନରେ ଧର୍ତ୍ତବ୍ୟ ଓ ଜାମିନ ଅଯୋଗ୍ୟ ଭାବରେ ଗ୍ରହଣ କରାଯାଇଛି। ତେବେ ଯଦି ଚୋରାମାଲ ଗ୍ରହଣ ସମୟରେ ବ୍ୟକ୍ତିଙ୍କୁ ଏ ବିଷୟରେ ଜ୍ଞାନ ନଥାଏ, ତେବେ ତାଙ୍କୁ ଏହି ଦଫା ଅଧୀନରେ ଦୋଷୀରୂପେ ଗଣନା କରାଯାଇପାରିବ ନାହିଁ , କିନ୍ତୁ ସେ ଦ୍ରବ୍ୟଟି ଯେ ଚୋରାମାଲ ବୋଲି ତାଙ୍କର ଜ୍ଞାନ ନଥିଲା, ତାହା ତାଙ୍କୁ ଦର୍ଶାଇବାକୁ ପଡିଥାଏ।
କେବଳ ଚୋରାମାଲ ଗ୍ରହଣ କରିବା ନୁହେଁ, ବରଂ ଏହାକୁ ଗୋପନ କରିବାରେ ସାହାଯ୍ୟ କରିବା ମଧ୍ୟ ଏକ ଧର୍ତ୍ତବ୍ୟ ଅପରାଧ। ଯଦି ଜଣେ ସ୍ଵେଚ୍ଛାରେ ଚୋରାମାଲ ବ୍ୟୟରେ ବା ଗୋପନରେ ବା ଏପଟସେପଟ କରିବାରେ ସାହାଯ୍ୟ କରନ୍ତି ,ତେବେ ତାଙ୍କୁ ତିନିବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ବା ଜରିମାନା ବା ଉଭୟ ଦଣ୍ଡ ମିଳିପାରିଥାଏ।
ଯେଉଁ କ୍ଷେତ୍ରରେ ଏହି ଚୋରାମାଲଟି ଡକାୟତି ଦ୍ଵାରା ପ୍ରାପ୍ତ କରାଯାଇଥାଏ, ଅର୍ଥାତ୍ ଡକାୟତି ଦ୍ଵାରା ପ୍ରାପ୍ତ ଚୋରାମାଲ ଗ୍ରହଣ କ୍ଷେତ୍ରରେ ଜରିମାନା ସହିତ କାରାଦଣ୍ଡର ସୀମା ଦଶବର୍ଷ ପର୍ଯ୍ୟନ୍ତ ବଢିଯାଇପାରେ। ଏହି ଦଶବର୍ଷର କାରାଦଣ୍ଡଟି ସଶ୍ରମ ବା ଅଶ୍ରମ ହୋଇପାରେ ଓ ଆବଶ୍ୟକ ସ୍ଥଳରେ ଏହା ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ମଧ୍ୟ ସଂପ୍ରସାରିତ ହୋଇପାରିଥାଏ ।
ଅଭ୍ୟାସଗତ ଭାବରେ ଚୋରାମାଲ କାରବାର କରିବା ଏକ ବଡ ଓ ଧର୍ତ୍ତବ୍ୟ ଅପରାଧ ହୋଇଥାଏ। ଏହି ଜାମିନ ଅଯୋଗ୍ୟ ଓ ରଫା ଅଯୋଗ୍ୟ ଅପରାଧ ପାଇଁ ସଂହିତାରେ ଆଜୀବନ କାରାଦଣ୍ଡ କିମ୍ବା ଜରିମାନା ସହ ଦଶବର୍ଷ ପର୍ଯ୍ୟନ୍ତ ସଂପ୍ରସାରିତ କାରାଦଣ୍ଡର ଦଣ୍ଡାଦେଶ ମିଳିଥାଏ।