• ସୂର୍ଯ୍ୟସ୍ନାତା ଦାସ

ଲୁଣ୍ଠନ, ଡ଼କାୟତି କରେ ଯେ ଚୋରି , ଛାଡେନାହିଁ ତାକୁ ଆଇନର ଡୋରି



ଆପଣ ମାନଙ୍କର ତ ମନେ ଥିବ,ଛୋଟବେଳେ ଆମେମାନେ କିଭଳି ରୁମାଲ ଚୋରି, ବୋହୂଚୋରି, ସୀତାଚୋରି ପ୍ରଭୃତି ଖେଳୁଥିଲେ ଓ ତାହା ଖୁବ ମଜା ଲାଗୁଥିଲା ।ତେବେ ଆପଣମାନେ ଜାଣନ୍ତି କି ସଂହିତା ଅନୁସାରେ ଚୋରି ନିମନ୍ତେ ଦଫା ୩୭୯ ଅନୁସାରେ ଜରିମାନା ସହ ତିନିବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ।ହାଃ ! ହାଃ ! ନା ଆଜ୍ଞା! ଆମ ଖେଳଠୁଁ ଅଲଗା ଆଇନର ଭାଷାରେ ଚୋରିର ଅର୍ଥ କ'ଣ ଆସନ୍ତୁ ଜାଣିବା ।


ଯଦି କୌଣସି ବ୍ୟକ୍ତି, ଅନ୍ୟ ଲୋକର ଦଖଲରେ ଥିବା କୌଣସି ଅସ୍ଥାବର ସମ୍ପତ୍ତିକୁ ଉକ୍ତ ଲୋକର ସମ୍ମତି ବିନା ଅସାଧୁତାରେ ନେଇଯିବା ଉଦ୍ଦେଶ୍ୟରେ ସ୍ଥାନାନ୍ତର କରନ୍ତି, ତେବେ ସେ ଚୋରି କରିଛନ୍ତି ବୋଲି କୁହାଯିବ ।

ଏହି ସମ୍ମତି ଦଖଲକାରୀ ବ୍ୟକ୍ତି ଅବା କେହି ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ଦ୍ଵାରା ଭାଷା ବା ଇଙ୍ଗିତ ସାହାଯ୍ୟରେ ସହମତିକୁ ବୁଝାଇଥାଏ।ଏହାର ଅଭାବରେ ବସ୍ତୁର ସ୍ଥାନାନ୍ତରଣ ଚୋରି ବୋଲି କଥିତ ହୋଇଥାଏ।


ଏହି ଚୋରିର ଅପରାଧକୁ ଭଲଭାବରେ ବୁଝିବା ପାଇଁ ବ୍ୟାଖ୍ୟାରେ ଏହାକୁ ସରଳୀକୃତ କରି କୁହାଯାଇଛି ଯେ-


(କ)'ଝ' ର ବିନା ଅନୁମତିରେ 'ଝ' ର ଜମିରେ ଥିବା ଗୋଟିଏ ବୃକ୍ଷକୁ 'ଝ' ର ଅଧିକାରରୁ ବାହାର କରିବା ଉଦ୍ଦେଶ୍ୟରେ 'ଥ' ଗଛଟିକୁ କାଟୁଛି। । ଗଛଟି ଭୂମିରୁ ଅଲଗା ହେବା ମାତ୍ରେ କାଟିବା ମାତ୍ରେ ତାହା ଚୋରିର ଅପରାଧ ହୋଇଥାଏ ।


(ଖ) 'ଭ' ନିଜ ପକେଟରେ କୁକୁରମାନଙ୍କ ପାଇଁ କିଛି ଲୋଭନୀୟ ଜିନିଷ ରଖିଥାଏ, ଏବଂ ଏହିପରି ସେ କୁକୁରକୁ ସେହି ଜିନିଷକୁ ଅନୁସରଣ କରିବାକୁ ପ୍ରେରିତ କରେ । ଏଠାରେ 'ଭ' ର ଉଦ୍ଦେଶ୍ୟ ଅସାଧୁ ଭାବରେ 'ଯ' ର ବିନା ଅନୁମତିରେ କୁକୁରକୁ 'ଯ' ର ଅଧିକାରରୁ ବାହାର କରିବା ହୋଇଥାଏ,ତେଣୁ 'ଯ' ର କୁକୁର 'ଭ' କୁ ଅନୁସରଣ କରିବା ମାତ୍ରେ ଏହା ଏକ ଚୋରି ହୁଏ ।


(ଗ) ଧରନ୍ତୁ 'ଶ' ଏକ ଶଗଡ ଦେଖିଲା ଯେଉଁ ଶଗଡରେ କିଛି ଧନରତ୍ନ ବାକ୍ସ ଅଛି । ସେ ଶଗଡକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ଚଳାଇଲା, ଯାହାଫଳରେ ସେ ଅସାଧୁ ଭାବରେ ସେ ଧନ ନେଇପାରିବ । ଶଗଡ ଗତି କରିବା ଆରମ୍ଭ କରିବା ମାତ୍ରେ, 'ଶ' ଚୋରି ଅପରାଧରେ ଦୋଷୀ ହୋଇଥାଏ ।


(ଘ) 'ଦ' ହେଉଛି 'ଳ' ର ସେବକ ଏବଂ 'ଳ'ର ପ୍ଲେଟର ଯତ୍ନ ନେବା ତାର ଦାୟିତ୍ଵ ।ଯଦି ସେ ଅସାଧୁ ଭାବରେ 'ଳ' ଙ୍କ ବିନା ଅନୁମତିରେ ପ୍ଲେଟ୍ ସହିତ ପଳାୟନ କରେ ,ଏହା ଏକ ଚୋରି ହୁଏ।


- ଯେଉଁ ବସ୍ତୁ ମାଟି ସହ ସଂଲଗ୍ନ ହୋଇ ରହିଥାଏ, ତାହା ଅସ୍ଥାବର ସମ୍ପତ୍ତି ହୋଇ ନଥିବାରୁ ଚୋରିର ବିଷୟବସ୍ତୁ ହୁଏ ନାହିଁ, ମାତ୍ର ଯେତେବେଳେ ତାହା ମାଟିରୁ ବିଚ୍ଛିନ୍ନ ହୁଏ,ସେତେବେଳେ ଚୋରିର ବିଷୟବସ୍ତୁ ହେବାପାଇଁ ଯୋଗ୍ୟ ହୋଇଯାଏ ।ଯଦି କୌଣସି କାର୍ଯ୍ୟ ସ୍ଥାନାନ୍ତରଣ ପାଇଁ ଏପରି ବସ୍ତୁକୁ ମାଟିରୁ ବିଛିନ୍ନ କରେ,ତେବେ ତାହା ଚୋରି ବୋଲି କଥିତ ହୋଇଥାଏ।


-ଯେତେବେଳେ କେହି ଜଣେ ବସ୍ତୁର ସ୍ଥାନାନ୍ତରଣ ନିମନ୍ତେ ଥିବା ବାଧା ଅପସାରଣ କରନ୍ତି କିମ୍ବା ଭକ୍ତ ବସ୍ତୁକୁ ଅନ୍ୟ ବସ୍ତୁଠାରୁ ପୃଥକ କରି ସ୍ଥାନାନ୍ତରିତ କରନ୍ତି,ତାହା ଚୋରି ଅଟେ।


- ଯଦି କେହି ବ୍ୟକ୍ତି କୌଣସି ପ୍ରାଣୀକୁ ଚଲାଇନିଅନ୍ତି ଯାହାର ଗତିଗୀଳ ହେବା ସାହାଯ୍ୟରେକିଛି ବସ୍ତୁର ସ୍ଥାନାନ୍ତରଣ ଘଟେ ।


ଯଦି କୌଣସି ବ୍ୟକ୍ତି ଚୋରି କରନ୍ତି, ତେବେ ତାଙ୍କୁ ଉଭୟ ବର୍ଣ୍ଣନୀୟ କାରାଦଣ୍ଡ ମଧ୍ୟରୁ ଯେ କୌଣସି ଏକ ପ୍ରକାର କାରାଦଣ୍ଡରେ ଦଣ୍ଡିତ କରାଯିବ ଯାହାର ମିଆଦ ତିନି ବର୍ଷ ପର୍ଯ୍ୟନ୍ତ ବଦ୍ଧିତ ହୋଇପାରେ କିମ୍ବା ଜରିମାନା ଦଣ୍ଡ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ ।


ଏହି ଚୋରି ଯଦି ମଣିଷ ବସବାସ କରୁଥିବା ଗୃହ, ତମ୍ବୁ ବା ଜଳଯାନ ଇତ୍ୟାଦିରୁ ହୋଇଥାଏ,ତେବେ ଅପରାଧୀ ଜଣଙ୍କ ସାତବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ ହୋଇଥାଏ।ଚୋର ଦଳଭୁକ୍ତ ହେବା ନିମନ୍ତେ ମଧ୍ୟ ଉକ୍ତ ଦଣ୍ଡ ମିଳିଥାଏ।ଏହାଛଡା ଚୋରି ଯଦି ଚାକର ବା କିରାଣୀ ଦ୍ଵାରା ହୋଇଥାଏ, ତେବେ ମଧ୍ୟ ସମାନ ଦଣ୍ଡ ମିଳିଥାଏ।ଚୋରି କରିବା ପାଇଁ ହତ୍ୟା, ଆଘାତ ବା ଅବରୋଧର ଆୟୋଜନ କରିସାରି ପରେ ଚୋରି କରିବା ଦ୍ଵାରା କାରାଦଣ୍ଡର ସମୟସୀମା ଦଶବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ।


ଏକ୍ସଟରସନ ବା ଜୁଲମବାଜୀ ବା ବଳପୂର୍ବକ ଆଦାୟ ଏହି ଚୋରି ଠାରୁ ସମୂର୍ଣ୍ଣ ଭିନ୍ନ ହୋଇଥାଏ।ଯଦି କୌଣସି ବ୍ୟକ୍ତି, ସ୍ଵେଚ୍ଛାରେ କୌଣସି ବ୍ୟକ୍ତିକୁ କିଛି କ୍ଷତିର ଭୟ ଦେଖାଇ ତାଙ୍କ ଠାରୁ କୌଣସି ସମ୍ପତ୍ତି ବା ମୂଲ୍ୟବାନ ପ୍ରତିଭୂତି ପ୍ରଭୃତି ଆଦାୟ କରନ୍ତି,ତେବେ ତାହାକୁ ହିଁ ଜୁଲମବାଜୀ ବା ବଳପୂର୍ବକ ଆଦାୟ କୁହାଯାଇଥାଏ,ଯାହା ପାଇଁ ତିନିବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା ରହିଛି।


ଆର.ଏସ.ନାୟକ ବନାମ ଏ.ଆର.ଅନ୍ତୁଲେ ମାମଲାରେ ଏହା କୁହାଯାଇଥିଲା ଯେ,ଏହି ବଳପୂର୍ବକ ଆଦାୟ ନିମନ୍ତେ ଭୟ ଦେଖାଇବା ଆବଶ୍ୟକ ହୋଇଥାଏ।


ଏପରି ବଳପୂର୍ବକ ଆଦାୟ କରିବା ପାଇଁ କ୍ଷତିର ଭୟ ଦେଖାଇଲେ ,ଉକ୍ତ ବ୍ୟକ୍ତି ନିମନ୍ତେ ଦୁଇବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା ରହିଥିବା ସ୍ଥଳେ ଏହି କାର୍ଯ୍ୟ ପାଇଁ ମୃତ୍ୟୁ ବା ଗୁରୁତର ଆଘାତର ଭୟ ଦେଖାଇଲେ କାରାଦଣ୍ଡର ସୀମା ସାତବର୍ଷ ପର୍ଯ୍ୟନ୍ତ ବଢିପାରିଥାଏ।


ଏହାଠାରୁ ସାମାନ୍ୟ ଭିନ୍ନ ଯଦି ମୃତ୍ୟୁ ବା ଗୁରୁତର ଆଘାତର ଭୟ ଦେଖାଇ ବଳପୂର୍ବକ ଆଦାୟ କରାଯାଏ,ତେବେ ଅପରାଧୀମାନେ ଜରିମାନା ସହ ଦଶବର୍ଷ ଯର୍ଯ୍ୟନ୍ତ କାରାଦଣ୍ଡର ଯୋଗ୍ୟ ହୋଇଥାନ୍ତି।


ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡରେ ଦୋଷାରୋପର ଭୟ ଦେଖାଇ କରାଯାଇଥିବା ଏହି ଅପରାଧ ପାଇଁ ମଧ୍ୟ ସମାନ ଦଣ୍ଡ ମିଳିଥାଏ।


ଲୁଣ୍ଠନ ସମ୍ପର୍କରେ-


ଲୁଣ୍ଠନ ଅପରାଧଟି ଏ ଦୁଇଟି ଠାରୁ ସାମାନ୍ୟ ଭିନ୍ନ।ଯେତେବେଳେ କେହି ଚୋର ଚୋରି କରୁଥିବା ବେଳେ ବା ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ସେହି ଉଦ୍ଦେଶ୍ୟ ପାଇଁ ସ୍ଵେଚ୍ଛାରେ କୌଣସି ବ୍ୟକ୍ତିର ମୃତ୍ୟୁ ଘଟାଏ କିମ୍ବା ଆଘାତ ଦିଏ ବା ବେଆଇନ ନିରୋଧ କରେ ବା ଏସବୁ ଘଟାଇବାର ଉଦ୍ୟମ କରେ, କିମ୍ବା ଏସବୁ କରିବାକୁ ଭୟ ଦିଏ,ସେତେବେଳେ ତାହାକୁ ଲୁଣ୍ଠନ କୁହାଯାଇଥାଏ। ଯେତେବେଳେ ଏହି ସମସ୍ତ କାର୍ଯ୍ୟ ଜବରଦସ୍ତ ବଳପୂର୍ବକ ଆଦାୟ ସମୟରେ କରାଯାଏ, ସେତେବେଳେ ତାହା ମଧ୍ୟ ଲୁଣ୍ଠନ ହୋଇଥାଏ।


ଯେତେବେଳେ ପାଞ୍ଚ ବା ତତୋଧିକ ବ୍ୟକ୍ତି ମିଳିତ ହୋଇ ଲୁଣ୍ଠନ କରନ୍ତି ବା କରିବା ନିମନ୍ତେ ଉଦ୍ୟମ କରନ୍ତି,ସେମାନେ ଡ଼କାୟତି କରିଛନ୍ତି ବୋଲି କୁହାଯାଇଥାଏ।ସେହିସ୍ଥାନରେ ଉପସ୍ଥିତ ସେମାନଙ୍କ ସାହାଯ୍ୟକାରୀଙ୍କୁ ମଧ୍ୟ ଉକ୍ତ ଡ଼କାୟତି ଅପରାଧରେ ଦୋଷୀ ବୋଲି ଗଣାଯାଇଥାଏ।


ଏହି ଲୁଣ୍ଠନ ଅପରାଧ ନିମନ୍ତେ ଦଫା - ୩୯୨ରେ ଦଶ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ତା ସହିତ ଜରିମାନା ଦଣ୍ଡ ମିଳିଥାଏ।ସେହି ଲୁଣ୍ଠନ ଯଦି ରାଜପଥରେ ଓ ସୂର୍ଯ୍ୟାସ୍ତ ତଥା ସୂର୍ଯ୍ୟୋଦୟ ମଧ୍ୟରେ ହୋଇଥାଏ ତେବେ କାରାଦଣ୍ଡର ସମୟସୀମା ଚଉଦ ବର୍ଷକୁ ବୃଦ୍ଧି କରାଯାଇପାରେ ।


କେବଳ ଲୁଣ୍ଠନ ହେଲେ ଯେ ଅପରାଧ ହେବ,ତାହା ନୁହେଁ ବରଂ ଏଥିପାଇଁ ଉଦ୍ୟମ କରିବା ମଧ୍ୟ ଏକ ଅପରାଧ,ଯାହା ପାଇଁ ଜରିମାନା ସହ ସାତବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ମିଳିପାରେ।ଡ଼କାୟତି ନିମନ୍ତେ ସମବେତ ପାଞ୍ଚ ବା ତତୋଧିକ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ହେବା ପାଇଁ ମଧ୍ୟ ସମାନ ଦଣ୍ଡ ମିଳିଥାଏ। ତେବେ ଡକାୟତ ଦଳଭୁକ୍ତ ହେଲେ ଏହି ଦଣ୍ଡ ଦଫା ୪୦୦ ଅନୁସାରେ ଆଜୀବନ କାରାଦଣ୍ତ ଅବା ଦଶବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ତକୁ ବର୍ଦ୍ଧିତ ହୋଇପାରେ।


‘ଲୁଣ୍ଠନ’ ସମୟ ରେ ସ୍ଵେଚ୍ଛାରେ ରେ ଆଘାତ ପ୍ରଦାନ କଲେ ଆଜୀବନ କାରାଦଣ୍ଡ ଅବା ଦଶ ବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ କାରାଦଣ୍ଡ ଏବଂ ଜରିମାନା ଦଣ୍ଡର ବ୍ୟବସ୍ଥା ଥାଏ ।ଡ଼କାୟତି ପାଇଁ ମଧ୍ୟ ସମାନ ଦଣ୍ତର ବ୍ୟବସ୍ଥା ଥାଏ।


ଡକାୟତି ସହ ମୃତ୍ୟୁ ଘଟାଇବା ବା ଗୁରୁତର ଆଘାତ ଘଟାଇବାକୁ ଉଦ୍ୟମ କଲେ,କାରାଦଣ୍ଡର ସୀମା ଅତିକମରେ ସାତ ବର୍ଷ ପର୍ଯ୍ୟନ୍ତ ହୋଇଥାଏ।ସେହି ସମୟରେ ବ୍ୟକ୍ତିର ମୃତ୍ୟୁ ଘଟିଲେ ତାହା ହତ୍ୟା ଅପରାଧ ହୋଇ ଆଜୀବନ କାରାଦଣ୍ଡ ବା ଜରିମାନା ସହ ଦଶବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ତ ମିଳିଥାଏ।


ଯଦି ଏହି ଲୁଣ୍ଠନ କିମ୍ବା ଡକାୟତିର ଉଦ୍ୟମ କଲାବେଳେ ଅପରାଧୀ ମାରାତ୍ମକ ଅସ୍ତ୍ରରେ ସଜ୍ଜିତ ହୋଇଥାଆନ୍ତି, ତେବେ ତାଙ୍କୁ ଅତିକମରେ ସାତବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ହୋଇଥାଏ।।ଡକାୟତି ନିମନ୍ତେ ଆୟୋଜନ କରିବା କ୍ଷେତ୍ରରେ ମଧ୍ୟ ସଂହିତାରେ ଜରିମାନା ସହ ଦଶବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା ରହିଅଛି।

Our Recent Posts

Law in Odia

India

LAW IN ODIA