• ସୂର୍ଯ୍ୟସ୍ନାତା ଦାସ

ଶାଳୀନତା ଓ ନୈତିକତା ; ସ୍ଖଳନ ହେଲେ ବଢେ ଚିନ୍ତା



ଆଇନ ଓ ନୈତିକତା ପରସ୍ପର ସହ ଅଙ୍ଗାଙ୍ଗୀ ଭାବରେ ଜଡିତ । ସଂହିତାରେ ଶାଳୀନତା ଓ ନୈତିକତାକୁ ବେଶ୍ ପ୍ରଧାନ୍ୟ ଦିଆଯାଇଛି ଓ ନାଗରିକଙ୍କ ମଧ୍ୟରେ ଏହାର ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ନିୟମ ପ୍ରଣୟନ କରାଯାଇଛି।ଆମ ଦଣ୍ଡସଂହିତାର ଦଫା ୨୯୨ ଅନୁସାରେ ଯେଉଁ ପୁସ୍ତକ , ପ୍ରଚାରପତ୍ର, କାଗଜ, ଲେଖା, ଅଙ୍କନ, ଚିତ୍ରକଳା କିମ୍ବା ଅନ୍ୟ କୌଣସି ବସ୍ତୁ ଯାହା କାମୋଦ୍ଦୀପକ ହୋଇଥାଏ କିମ୍ବା କାମାସକ୍ତ ବ୍ୟକ୍ତିର ଇଚ୍ଛାବୃଦ୍ଧି କରିଥାଏ ବା ଯାହାର ପଠନ,ଦର୍ଶନ ବା ଶ୍ରବଣ ଇତ୍ୟାଦିର ପ୍ରଭାବରେ ବ୍ୟକ୍ତିର ସ୍ଖଳନ ଘଟିବାର ସମ୍ଭାବନା ଥାଏ ତାହାକୁ ଅଶ୍ଲୀଳ ଭାବରେ ବିବେଚନା କରାଯାଏ ଏବଂ ବିକ୍ରି ଦଣ୍ଡନୀୟ ହୋଇଥାଏ‌।ଏହି ଦଫା ଅନୁସାରେ,ଯଦି କେହି ବ୍ୟକ୍ତି -


(କ) କୌଣସି ଅଶ୍ଲୀଳ ପୁସ୍ତକ, ପ୍ରବନ୍ଧ, କାଗଜ, ଅଙ୍କନ, ଚିତ୍ର, ପ୍ରତିମୂର୍ତ୍ତୀ, ବା ଅନ୍ୟ କିଛି ଅଶ୍ଳୀଳ ଦ୍ରବ୍ୟ ବିକ୍ରୟ କରନ୍ତି ବା ଭଡ଼ାରେ ଦିଅନ୍ତି, ବିତରଣ କରନ୍ତି ଅବା ସର୍ବସାଧାରଣରେ ପ୍ରଚାର ବା ପ୍ରଦର୍ଶନ କରନ୍ତି ;


(ଖ) କିମ୍ବା ଏହି ଉଦ୍ଦେଶ୍ୟରେ ଅଶ୍ଲୀଳ ଦ୍ରବ୍ୟର ସ୍ଥାନାନ୍ତରଣ,ଆମାଦାନୀ ବା ରପ୍ତାନୀ କରନ୍ତି ;


(ଗ)କିମ୍ବା ଏପରି ବ୍ୟବସାୟରେ ଯୋଗ ଦିଅନ୍ତି ଅବା ଲାଭାଂଶ ଗ୍ରହଣ କରନ୍ତି,


(ଘ) କିମ୍ବା ଏପରି ଅଶ୍ଲୀଳ ସାମଗ୍ରୀ ମିଳୁଥିବା ସ୍ଥାନ ଅବା ଏପରି ଅଶ୍ଲୀଳ କାର୍ଯ୍ଯରେ ନିଯୁକ୍ତି ବିଷୟରେ ବିଜ୍ଞାପନ ଦିଅନ୍ତି ;


ଙ)ଅଥବା ଏହି ଦଫା ଅନୁସାରେ ଯେଉଁ ସବୁ କାର୍ଯ୍ୟ ଆପରାଧ ଭାବରେ ବିବେଚିତ,ତାହା କରିବାକୁ ପ୍ରସ୍ତାବ ଦିଅନ୍ତି ଅବା ସେଥିନିମନ୍ତେ ଉଦ୍ୟମ କରନ୍ତି ,


ତେବେ ତାଙ୍କୁ ଦୁଇବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଦୁଇହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡ ମିଳିଥାଏ।ଯଦି ସେ ଅପରାଧୀ ଜଣଙ୍କ ଦୋଷୀ ସାବ୍ୟସ୍ତ ହେବା ପରେ ମଧ୍ୟ ପୁନର୍ବାର ଏହି ଅପରାଧ କରନ୍ତି, ତେବେ ସେ କ୍ଷେତ୍ରରେ କାରାଦଣ୍ଡ ଓ ଜରିମାନାର ସୀମା ଯଥାକ୍ରମେ ପାଞ୍ଚବର୍ଷ ପର୍ଯ୍ୟନ୍ତ ଓ ପାଞ୍ଚହଜାର ଟଙ୍କା ପର୍ଯ୍ୟନ୍ତ ବଢିପାରିଥାଏ।ଯଦି କେହି ଏହି ଅଶ୍ଲୀଳ ଦ୍ରବ୍ୟ ସମୂହକୁ ତରୁଣମାନଙ୍କୁ ଅର୍ଥାତ କୋଡ଼ିଏ ବର୍ଷରୁ କମ ବୟସର ବ୍ୟକ୍ତିଙ୍କୁ ଦିଅନ୍ତି କିମ୍ବା ସେଥିନିମନ୍ତେ ଉଦ୍ୟମ କରନ୍ତି, ତେବେ ତିନିବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ଦୁଇହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡ ହୋଇପାରେ। ଦ୍ଵିତୀୟ କିମ୍ବା ପରବର୍ତ୍ତୀ ସମାନ ଧରଣର ଅପରାଧ କ୍ଷେତ୍ରରେ ଏହା ଯଥାକ୍ରମେ ସାତବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡରେ ରୂପାନ୍ତରିତ ହୋଇପାରିଥାଏ।ତେବେ ଏହି ପ୍ରକାର ପ୍ରକାଶନ ଯଦି ବ୍ଲାକମେଲ ବା ଧମକାଇବା ନିମନ୍ତେ ହୋଇଥାଏ,ତେବେ ଦୁଇ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ବା ଉଭୟ ଦଣ୍ଡର ବ୍ୟବସ୍ଥା କରାଯାଇଥାଏ।


ଅଶ୍ଲୀଳଦ୍ରବ୍ୟ ବ୍ୟତିରକେ ସର୍ବସାଧାରଣ ସ୍ଥାନରେ ଅଶ୍ଲୀଳ କାର୍ଯ୍ୟ ଅବା ଅଶ୍ଲୀଳ ଗାନ ପ୍ରଭୃତି ମଧ୍ୟ ଅପରାଧ ହୋଇଥାଏ, ଯାହା ନିମନ୍ତେ ତିନିମାସ ପର୍ଯ୍ୟନ୍ତ କାରାଦଣ୍ତ ବା ଜରିମାନା ଦଣ୍ଡ ବା ଉଭୟ ଦଣ୍ଡ ମିଳିପାରିଥାଏ।


ଏ କ୍ଷେତ୍ରରେ ମଧ୍ୟ କେତେକ ବ୍ୟତିକ୍ରମ ରହିଛି, ଯାହାର ଉପସ୍ଥିତରେ ବସ୍ତୁଟି ଅଶ୍ଲୀଳ ବୋଲି ଧରାଯାଏ ନାହିଁ।ଦଫା ୨୯୨ର ବ୍ୟତିକ୍ରମ ଅନୁସାରେ ଯଦି କୌଣସି ପୁସ୍ତକ, ପ୍ରଚାରପତ୍ର, କାଗଜ, ଲେଖା, ଅଙ୍କନ, ରଙ୍ଗୀନ ଚିତ୍ର, ପ୍ରତିକୃତି ବା ମୂର୍ତ୍ତୀ ପ୍ରଭୃତି ଯାହା ଧର୍ମ ଉଦ୍ଦେଶ୍ୟରେ ନିର୍ମଳ ବିବେକରେ ବ୍ୟବହୃତ ହୁଏ ଅବା ପୁରାତନ ସ୍ମତିସ୍ତମ୍ଭ, ଅବଶେଷ ଅଥବା ଦେବାଳୟ ବା ରଥପ୍ରଭୃତିରେ ଯାହା ସ୍ଥାନିତ ଥାଏ,ତାହା ଏହି ଦଫା ଅଧୀନରେ ଅଶ୍ଲୀଳ ରୂପେ ପରିଗଣିତ ନୁହେଁ। ଯାହାର ପ୍ରକାଶନଟି ବିଜ୍ଞାନ, ସାହିତ୍ୟ, କଳା, ଶିକ୍ଷା ଓ ସର୍ବସାଧାରଣ କଲ୍ୟାଣ ପ୍ରଭୃତି କ୍ଷେତ୍ରରେ ଯଥାର୍ଥ ବୋଲି ପ୍ରତିପାଦନ ହୁଏ, ତାହାକୁ ମଧ୍ୟ ଅଶ୍ଲୀଳ ଦ୍ରବ୍ୟ ରୂପରେ ଗଣନା କରାଯାଇନଥାଏ।

Our Recent Posts

Law in Odia

India

LAW IN ODIA