• ସୂର୍ଯ୍ୟସ୍ନାତା ଦାସ

ସବୁ ଧର୍ମକୁ ଦେବା ସମ୍ମାନ ; ବଢିବ ଆମର ଦେଶର ମାନ


ସାର୍ବଭୌମ ସମାଜବାଦୀ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ହେଉଛି ଆମ ଭାରତ ଯେଉଁଠି ବିଭିନ୍ନ ଧର୍ମ ଓ ସଂପ୍ରଦାୟର ଲୋକ ବନ୍ଧୁତା ଓ ଭାଇଚାରାର ପବିତ୍ର ସମ୍ପର୍କରେ ପରସ୍ପର ସହ ସହାବସ୍ଥାନ କରନ୍ତି। ଏହି ଧର୍ମନିରପେକ୍ଷ ରାଷ୍ଟ୍ରରେ କୌଣସି ନିର୍ଦ୍ଦିଷ୍ଟ ଧର୍ମ ବା ସଂପ୍ରଦାୟର ଲୋକମାନଙ୍କ ଅପମାନିତ କରିବା ଏକ ଅପରାଧ କାରଣ , ଏହା କେବଳ ସେ ଧର୍ମ ବା ସଂପ୍ରଦାୟକୁ ଆଘାତ କରିନଥାଏ ବରଂ ଭାଇଚାରାର ସମ୍ପର୍କକୁ ଭାଙ୍ଗି ରାଷ୍ଟ୍ରର କ୍ଷତି ଘଟାଇବାକୁ ଉଦ୍ୟମ କରିଥାଏ,ଯାହା ସଂହିତାଆଖିରେ କ୍ଷମାଯୋଗ୍ୟ ନୁହେଁ ।


ଯଦି କୌଣସି ବ୍ୟକ୍ତି, କୌଣସି ନିର୍ଦ୍ଦିଷ୍ଟ ଧର୍ମ-ସମ୍ପ୍ରଦାୟକୁ ଅପମାନିତ କରିବା ଉଦ୍ଦେଶ୍ୟରେ ବା ସେମାନଙ୍କ ଉକ୍ତ କାର୍ଯ୍ୟ ଦ୍ଵାରା ଏହା ହୋଇପାରେ ଜାଣିମଧ୍ୟ ସେହି ଧର୍ମର ଉପାସନାସ୍ଥଳୀ କିମ୍ବା ପବିତ୍ର ବସ୍ତୁକୁ ନଷ୍ଟ କରନ୍ତି ବା ସେଥିରେ କ୍ଷତି ଘଟାନ୍ତି ବା ତାହାକୁ ଅପବିତ୍ର କରନ୍ତି,ତେବେ ତାଙ୍କୁ ଦୁଇବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ବା ଜରିମାନା ଦଣ୍ଡ ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇଥାଏ ।ଏହି ଅପରାଧର ଗୁରୁତ୍ଵକୁ ଦୃଷ୍ଟିରେ ରଖି ଦଫା ୨୯୫ ଅନୁସାରେ ଏହାକୁ ଧର୍ତ୍ତବ୍ୟ ଏବଂ ଜାମିନ ଅଯୋଗ୍ୟ ଭାବରେ ସ୍ଥାନିତ କରାଯାଇଛି।


ଯଦି କେହି ବ୍ୟକ୍ତି ଭାରତୀୟ ନାଗରିକଙ୍କର ଯେ କୌଣସି ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ କରିବା ନିମନ୍ତେ ମନ୍ଦ ଅଭିପ୍ରାୟ ନେଇ ଉଦ୍ଦେଶ୍ୟ ମୂଳକ ଭାବରେ ଲିଖିତ ବା କଥିତ ଶବ୍ଦ,ଇଙ୍ଗିତ ବା ଦୃଶ୍ୟ କିମ୍ବା ଯେ କୌଣସି ଭାବରେ ଧର୍ମକୁ କିମ୍ବା ଧର୍ମବିଶ୍ଵାସକୁ ଅପମାନିତ କରନ୍ତି ବା ଅପମାନିତ କରିବାର ଉଦ୍ୟମ କରନ୍ତି, ତେବେ ସେ ତିନିବର୍ଷ ପର୍ଯ୍ୟନ୍ତ କାରାଦଣ୍ତ ବା ଜରିମାନା ଦଣ୍ତ ବା ଉଭୟ ଦଣ୍ଡରେ ଦଣ୍ଡିତ ହୋଇପାରନ୍ତି।


ଯଦି କୌଣସି ବ୍ୟକ୍ତି ଧାର୍ମିକ ଉପାସନା ବା ଧାର୍ମିକ ଉତ୍ସବ ନିମନ୍ତେ ଆଇନତଃ ଭାବରେ ସମବେତ ହୋଇଥିବା ଲୋକଙ୍କୁ ସ୍ଵେଚ୍ଛାରେ ହଇରାଣ କରନ୍ତି,ତେବେ ତାଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ସଶ୍ରମ ବା ଅଶ୍ରମ କାରାଦଣ୍ଡ କିମ୍ବା ଜରିମାନା ଦଣ୍ଡ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇପାରେ।


ଯଦି କେହି ବ୍ୟକ୍ତି କାହାରି ମନରେ ଆଘାତ ଦେବା ଉଦ୍ଦେଶ୍ୟରେ ବା କାହାର ଧର୍ମକୁ ଅପମାନିତ କରିବା ଉଦ୍ଦେଶ୍ୟରେ ବା ତାଙ୍କ କାର୍ଯ୍ୟ ଦ୍ଵାରା ଏହିପରି ହୋଇପାରେ ଜାଣିସୁଦ୍ଧା ବେଆଇନ୍ ଭାବରେ କୌଣସି ଉପାସନାପୀଠ, କିମ୍ବା କୌଣସି କବରସ୍ଥାନ କିମ୍ବା ଶବଦାହ ବା ସମାଧ ଲାଗି ନିରୂପିତ ସ୍ଥାନରେ ପ୍ରବେଶ କରନ୍ତି ବା କୌଣସି ଶବ ପ୍ରତି ଅବଜ୍ଞାସୂଚକ କାର୍ଯ୍ୟ କରନ୍ତି, କିମ୍ବା ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ସମବେତ ଲୋକମାନଙ୍କୁ ହଇରାଣ କରନ୍ତି,ତେବେ ସେ ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ଜରିମାନା ଦଣ୍ଡ, କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହୋଇପାରନ୍ତି।


ଯଦି କେହି ବ୍ୟକ୍ତି ଅନ୍ୟ କାହାର ଧର୍ମୀୟ ଭାବନାକୁ କ୍ଷୁଣ୍ଣ କରିବାର ସୁଚିନ୍ତିତ ଉଦ୍ଦେଶ୍ୟ ନେଇ କିଛି ଶବ୍ଦ ଉଚ୍ଚାରଣ କରନ୍ତି, କିମ୍ବା ବ୍ୟକ୍ତିଙ୍କୁ କିଛି ଶୁଣାନ୍ତି ଅବା ଇଙ୍ଗିତ କରନ୍ତି ଅବା ତାଙ୍କ ଆଗରେ କିଛି ପ୍ରଦର୍ଶନ କରନ୍ତି, ତେବେ ତାଙ୍କୁ ଏକବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ବା ଜରିମାନା ଦଣ୍ଡ ବା ଉଭୟ ଦଣ୍ଡ ମିଳିଥାଏ।

Our Recent Posts