• ସୂର୍ଯ୍ୟସ୍ନାତା ଦାସ

ସମନ; ହାଜର ହେବା ପାଇଁ କର ଗମନ



ସରଳ ଭାଷାରେ ସମନର ଅର୍ଥ ହେଉଛି କୋର୍ଟରେ ଉପସ୍ଥିତ ରହିବା ନିମନ୍ତେ ଜାରି କରାଯାଇଥିବା ଏକ ଆଦେଶ।ଆଇନ ବ୍ୟବସ୍ଥାକୁ ସରଳ ସୁଗମ କରିବା ପାଇଁ ଏହି ସମନର ଭୂମିକା ଖୁବ ଗୁରୁତ୍ଵପୂର୍ଣ୍ଣ।ଏହା ମୁଖ୍ୟତଃ ଦୁଇଟି ଉଦ୍ଦେଶ୍ୟରେ କରାଯାଇଥାଏ। ପ୍ରଥମତଃ ଆରୋପୀ ଏବଂ ସାକ୍ଷୀଙ୍କୁ ନ୍ୟାୟାଳୟକୁ ଡାକିବା ନିମନ୍ତେ ଓ ଦ୍ଵିତୀୟତଃ କାଗଜପତ୍ର ବା ଦଲିଲ ନ୍ୟାୟାଳୟରେ ଦାଖଲ କରିବା ନିମନ୍ତେ।ଆରୋପୀ ଏବଂ ସାକ୍ଷୀଙ୍କୁ ନ୍ୟାୟାଳୟକୁ ଡାକିବା ପାଇଁ କରାଯାଇଥିବା ସମନର ବ୍ୟବସ୍ଥା ଓ ପଦ୍ଧତି ଫୌଜଦାରୀ କାର୍ଯ୍ୟବିଧି ଆଇନର ଧାରା ୬୧ରୁ୬୯ ମଧ୍ୟରେ ସ୍ଥାନିତ କରାଯାଇଛି।କାଗଜପତ୍ର ବା ଦଲିଲ ନ୍ୟାୟାଳୟରେ ଦାଖଲ କରିବା ନିମନ୍ତେ କରାଯାଉଥିବା ସମନ ବ୍ୟବସ୍ଥା ବିଷୟରେ ଏହି ଫୌଜଦାରୀ କାର୍ଯ୍ୟବିଧି ଆଇନର ଧାରା ୯୧ ଓ ୯୨ ଆଲୋଚନା କରିଥାଏ।


ଗୋଟିଏ ସମନରେ ତାରିଖ,ସ୍ଥାନ, ସମୟ ସହିତ ଧାରା ୬୧ ଅନୁସାରେ ନିମ୍ନଲିଖିତ ଉପାଦାନ ସମୂହ ରହିଥାଏ -


-କୌଣସି ନ୍ୟାୟାଳୟ ଦ୍ଵାରା ଏହି ସଂହିତା ଅଧିନରେ ଜାରି ହୋଇଥିବା ପ୍ରତ୍ୟେକ ସମନ ଲିଖିତ ଆକାରରେ ହୋଇଥିବା ଆବଶ୍ୟକ ।


-ଏହାର ଦୁଇଟି ନକଲ ରହିବା ଉଚିତ ।


- ନ୍ୟାୟାଳୟର ପୀଠାସୀନ ଅଧିକାରୀ ଅବା ଅନ୍ୟ କୌଣସି କ୍ଷମତାସମ୍ପନ ଅଧିକାରୀଙ୍କ ଦସ୍ତଖତ ରହିବା ଅନିବାର୍ଯ୍ୟ ।


-ସମନରେ ଉକ୍ତ ନ୍ୟାୟାଳୟର ମୋହର ମଧ୍ୟ ଲାଗିବା ଆବଶ୍ୟକ ।


(୧) ଏହି ସମନ କୌଣସି ପୁଲିସ୍ ଅଧିକାରୀଙ୍କ ଦ୍ଵାରା ଅଥବା ସମନ ଜାରି କରାଯାଇଥିବା ନ୍ୟାୟାଳୟର କୌଣସି କର୍ମଚାରୀ ଅଥବା ଅନ୍ୟ କୌଣସି ଲୋକ-ସେବକଙ୍କ ଦ୍ଵାରା ଜାରି କରାଯାଇଥାଏ ।


(୨) ସମ୍ଭବ ହେଲେ ଯେଉଁ ବ୍ୟକ୍ତିଙ୍କ ନାମରେ ସମନ ଜାରି କରାଯାଇଛି ତାଙ୍କୁ ଏହି ସମନର ଦୁଇ ନକଲ ମଧ୍ୟରୁ ଗୋଟିଏ ନକଲ ବ୍ୟକ୍ତିଗତ ଭାବେ ଦିଆଯାଇଥାଏ।


(୩)ଆବଶ୍ୟକତା ଅନୁସାରେ ଯଦି ସମନ ଦେଇଥିବା ଅଧିକାରୀ ଚାହାଁନ୍ତି ତେବେ ପ୍ରତ୍ୟେକ ସମନପ୍ରାପ୍ତ ବ୍ୟକ୍ତି ସମନର ଅନ୍ୟ ନକଲ ପଛ ପଟେ ପ୍ରାପ୍ତିସ୍ଵୀକାର ସମ୍ପର୍କିତ ସ୍ଵାକ୍ଷର କରିବେ ।


ଧାରା ୬୩ର ବ୍ୟବସ୍ଥା ଅନୁଯାୟୀ କୌଣସି ନିଗମ ଅର୍ଥାତ କର୍ପୋରେଟ ବଡି କିମ୍ବା ସୋସାଇଟି ଉପରେ ସମନର ଜାରି କରିବାକୁ ହେଲେ,ତାହା ଉକ୍ତ ନିଗମର ସମ୍ପାଦକ, ସ୍ଥାନୀୟ ପ୍ରବନ୍ଧକ ଅବା ଅନ୍ୟ ମୁଖ୍ୟ ଅଧିକାରୀଙ୍କ ଉପରେ କରାଯାଇପାରିବ। ସମନ ପଠାଇବାର ଆବଶ୍ୟକ ସ୍ଥଳେ, ଏହାକୁ ରେଜେଷ୍ଟ୍ରି ଯୋଗେ ନିଗମର ମୁଖ୍ୟ ଅଧିକାରୀଙ୍କ ଠିକଣାରେ ପଠାଯାଇଥାଏ।


ବେଳେବେଳେ ଏମିତି ହୋଇଥାଏ ଯେ, ଯାହା ଉପରେ ସମନ ଜାରି କରିବାକୁ ହୋଇଥାଏ,ସେ ବ୍ୟକ୍ତିଜଣଙ୍କ ମିଳନ୍ତି ନାହିଁ।ଏ କ୍ଷେତ୍ରରେ ତାଙ୍କ ସହ ବସବାସ କରୁଥିବା ତାଙ୍କ ପରିବାରର କୌଣସି ସାବାଳକ ପୁରୁଷଙ୍କୁ ସେହି ବ୍ୟକ୍ତି ଉଦ୍ଦେଶ୍ୟରେ ଏହି ସମନ ଦିଆଯାଏ।ତେବେ ସେହି ବ୍ୟକ୍ତି ଜଣଙ୍କ ପରିବାରର ସଦସ୍ୟ ହୋଇଥିବା ଆବଶ୍ୟକ ।ଯଦି ସେ ବ୍ୟକ୍ତିଜଣଙ୍କ ସେବାକାରୀ ବା ଚାକର ହୋଇଥାନ୍ତି ତେବେ ତାଙ୍କୁ ଉକ୍ତ ସମନ ଦିଆଯାଇପାରିବ ନାହିଁ।ଏହି ସମନ ଦେବା ପରେ ସମନ ଦେଇଥିବା ଅଧିକାରୀ ଚାହିଁଲେ ସେ ବ୍ୟକ୍ତିଉଦ୍ଦେଶ୍ୟରେ ସମନପ୍ରାପ୍ତ ଉକ୍ତ ସାବାଳକ ପୁରୁଷ ଠାରୁ ସମନର ନକଲ ପଛ ପଟେ ପ୍ରାପ୍ତି ସ୍ଵୀକାର ସମ୍ପର୍କିତ ସ୍ଵାକ୍ଷର କରାଇପାରିବେ । ଯଦି ଧାରା ୬୨,୬୩,୬୪ର ବ୍ୟବସ୍ଥାରେ ଚେଷ୍ଟା କରି ବା ସତ୍ତ୍ୱେ ସମନ ଦିଆଯାଇପାରିଲା ନାହିଁ,ତେବେ ସମନ ଦେଉଥିବା ଅଧିକାରୀ ସେହି ସମନଟିକୁ ନେଇ ଉକ୍ତ ବ୍ୟକ୍ତିଜଣଙ୍କ ରହୁଥିବା ବାସଗୃହରେ ଲଗାଇପାରିବେ।


ସରକାରୀ କର୍ମଚାରୀଙ୍କ ଉପରେ ସମନ ଜାରି କରିବାକୁ ହେଲେ,ତେବେ ସମନଜାରୀ ଜାରୀ ନ୍ୟାୟାଳୟ ସମନର ଦୁଇଟି ନକଲ ବ୍ୟକ୍ତିଙ୍କ ଦପ୍ତରର ମୁଖ୍ୟ କର୍ମକର୍ତ୍ତାଙ୍କ ନିକଟକୁ ଜାରି କରାଇବା ନିମନ୍ତେ ପଠାଇବେ। ଏହାପରେ ତାଙ୍କଠାରୁ ସମନ ପାଇଥିବାର ସ୍ଵାକ୍ଷର ଆଣି ତାହାକୁ ସାକ୍ଷ୍ୟ ରୂପରେ ଦର୍ଶାଇପାରିବେ ।


ଯେତେବେଳେ କୌଣସି ନ୍ୟାୟାଳୟ ତାହାର ଅଧିକାର ବାହାରେ ଥିବା ଅଞ୍ଚଳର କୌଣସି ବ୍ୟକ୍ତିଉପରେ ସମନ ଜାରି କରିବାକୁ ଚାହିଁବେ,ସେତେବେଳେ ତାଙ୍କୁ ଉକ୍ତ ବ୍ୟକ୍ତିଜଣଙ୍କ ରହୁଥିବା ଅଞ୍ଚଳର ମାଜିଷ୍ଟ୍ରେଟଙ୍କ ନିକଟକୁ ସମନର ନକଲ ପଠାଇବାକୁ ପଡିବ ।


ସାକ୍ଷୀଙ୍କୁ ଡାକ ଯୋଗେ ସମନ ଜାରି କରାଯାଇପାରିବ।ଫୌଜଦାରୀ ଆଇନର ଧାରା୬୯ ଅନୁସାରେ ନ୍ୟାୟାଳୟ ସାକ୍ଷୀଙ୍କ ପ୍ରତି ସମନ ଜାରି କଲାବେଳେ, ନିର୍ଦ୍ଦେଶ ଦେଇ ପାରନ୍ତି ଯେ ସମନର ନକଲ ରେଜିଷ୍ଟ୍ରୀ ଡାକଯୋଗେ ସାକ୍ଷୀଙ୍କ ନିକଟକୁ ପଠାଯାଇପାରିବ। ଏହା ସେହି ସ୍ଥାନକୁ ପଠାଯାଇଥାଏ,ଯେଉଁଠାରେ ସେ ବାସ କରେ ବା ବ୍ୟବସାୟ କରେ ବା ନିଯୁକ୍ତ ଥାଏ । ଯେତେବେଳେ ସାକ୍ଷୀ ଦ୍ଵାରା ସମନ ଗୃହୀତ ହୋଇଥିବାର ସ୍ଵାକ୍ଷର ମିଳେ ଅବା ଡାକ କର୍ମଚାରୀଙ୍କଠୁଁ ଉକ୍ତ ସାକ୍ଷୀ ସମନ ନେବାକୁ ଅଗ୍ରାହ୍ୟ କଲେ ବୋଲି ଜଣାପଡେ,ନ୍ୟାୟାଳୟ ସମନ ଜାରି ହୋଇଛି ବୋଲି ଘୋଷଣା କରିପାରନ୍ତି ।

Our Recent Posts