• ସୂର୍ଯ୍ୟସ୍ନାତା ଦାସ

ସର୍ବସାଧାରଣ ଶାନ୍ତି ; ସୁରକ୍ଷିତ ରହେ ମାନିଲେ ନୀତି



ଆପଣମାନେ ତ ଜାଣନ୍ତି ଏକ ସ୍ଥାନରେ ବହୁ ଲୋକଙ୍କର ଅପରାଧୀକ ଉଦ୍ଦେଶ୍ୟ ନେଇ ଏକତ୍ରିତ ହେବା ବା କୈାଣସି ବେଆଇନ କାର୍ଯ୍ୟ କରି ସର୍ବସାଧାରଣ ଶାନ୍ତିକୁ ଭଙ୍ଗ କରିବା ସମାଜ ପାଇଁ କେତେ କ୍ଷତିକାରକ ହୋଇପାରେ।ଏହାକୁ ନିରୁତ୍ସାହିତ କରିବାସହ ପାଇଁ ଆମ ଦଣ୍ଡ ସଂହିତାରେ ଦଫା ୧୪୧ରୁ ୧୬୦ ମଧ୍ୟରେ ବିଭିନ୍ନ ବ୍ୟବସ୍ଥା ରହିଛି।



ଦଫା ୧୪୧ ଅନୁଯାୟୀ ପାଞ୍ଚ ବା ତତୋଧିକ ବ୍ୟକ୍ତିଙ୍କର କୌଣସି ଏକ ସ୍ଥାନରେ ନିମ୍ନ ବର୍ଣ୍ଣିତ କୌଣସି ଏକ ସମ ଉଦ୍ଦେଶ୍ୟ ନେଇ ଏକତ୍ରିତ ହେବାକୁ ବେଆଇନ ସମାବେଶ କୁହାଯାଏ ।


- ପ୍ରଥମତଃ- ଯଦି ସେମାନଙ୍କ ଉଦ୍ଦେଶ୍ୟ କେନ୍ଦ୍ର ସରକାର କିମ୍ବା ରାଜ୍ୟସରକାର କିମ୍ବା ସଂସଦ କିମ୍ବା ରାଜ୍ୟ ବିଧାନ ସଭା କିମ୍ବା ଆଇନଗତ କ୍ଷମତାର ପ୍ରୟୋଗ କରୁଥିବା କୌଣସି ଲୋକସେବକଙ୍କୁ ଅପରାଧିକ ବଳ ପ୍ରୟୋଗ ବା ପ୍ରଦର୍ଶନ କରି ଭୟଭୀତ କରିବା ବା ଡରାଇବା ହୋଇଥାଏ,ତେବେ ତାହାକୁ ଧାରା ୧୪୧ ଅଧୀନରେ ବେଆଇନ ସମାବେଶ ଭାବରେ ଗ୍ରହଣ କରାଯାଏ ।


-ଦ୍ୱିତୀୟତଃ-ଯଦି ସେମାନଙ୍କର ଉଦ୍ଦେଶ୍ୟ କୌଣସି ଆଇନର ପ୍ରୟୋଗ ବା ଆଇନଗତ ପ୍ରକ୍ରିୟାକୁ ରୋକିବା ହୋଇଥାଏ,ତେବେ ତାହାକୁ ଧାରା ୧୪୧ ଅଧୀନରେ ବେଆଇନ ସମାବେଶ ଭାବରେ ଗ୍ରହଣ କରାଯାଏ ।।


-ତୃତୀୟତଃ-ଯଦି ସେମାନଙ୍କର ଉଦ୍ଦେଶ୍ୟ କୌଣସି କୁକର୍ମ ବା ଅନଧିକାର ପ୍ରବେଶ ବା କୌଣସି ଅପରାଧ କରିବା ହୋଇଥାଏ,ତେବେ ତାହାକୁ ଧାରା ୧୪୧ ଅଧୀନରେ ବେଆଇନ ସମାବେଶ ଭାବରେ ଗ୍ରହଣ କରାଯାଏ ।


-ଚତୁର୍ଥତଃ-ଯଦି ସେମାନଙ୍କର ଉଦ୍ଦେଶ୍ୟ, ଅପରାଧିକ ବଳ ପ୍ରୟୋଗ କିମ୍ବା ପ୍ରଦର୍ଶନଦ୍ୱାରା କୌଣସି ବ୍ୟକ୍ତିଙ୍କର ସମ୍ପତ୍ତି ଦଖଲ କରିବା କିମ୍ବା କୌଣସି ବ୍ୟକ୍ତିଙ୍କ ଅଧିକାର ଅଧୀନରେ ଥାଇ ବ୍ୟକ୍ତି ଉପଭୋଗ କରୁଥିବା ଯେ କୌଣସି ଅଧିକାରରୁ ତାଙ୍କୁ ବଞ୍ଚିତ କରିବା ହୋଇଥାଏ,ତେବେ ତାହାକୁ ଧାରା ୧୪୧ ଅଧୀନରେ ବେଆଇନ ସମାବେଶ ଭାବରେ ଗ୍ରହଣ କରାଯାଏ ।


-ପଞ୍ଚମତଃ- ଯଦି ସେମାନଙ୍କର ଉଦ୍ଦେଶ୍ୟ,ଅପରାଧିକ ବଳପ୍ରୟୋଗ ବା ପ୍ରଦର୍ଶନଦ୍ୱାରା ଜଣେ ବ୍ୟକ୍ତିଙ୍କୁ ଏମିତି କିଛି କାର୍ଯ୍ୟ କରିବାକୁ ବାଧ୍ୟ କରିବା ହୋଇଥାଏ ଯାହା କରିବାକୁ ସେ ଆଇନତଃ ବାଧ୍ୟ ନୁହଁନ୍ତି ବା ଏପରି କାର୍ଯ୍ୟକୁ ରୋକିବାର ପ୍ରୟାସ କରିବା ଯେଉଁ କାର୍ଯ୍ୟ ସେ କରିବା ପାଇଁ ବାଧ୍ୟ ହୋଇଥାଆନ୍ତି,ତେବେ ତାହାକୁ ଧାରା ୧୪୧ ଅଧୀନରେ ବେଆଇନ ସମାବେଶ ଭାବରେ ଗ୍ରହଣ କରାଯାଏ ।


ଆପଣ ଜାଣନ୍ତି କି,ଗୋଟିଏ ସମାବେଶ ଆରମ୍ଭରୁ ବେଆଇନ ନ ହୋଇପାରେ,ମାତ୍ର ଉକ୍ତ କାରଣ ସମୂହ ଯୋଗୁଁ ପରେ ବେଆଇନ ସମାବେଶ ଭାବରେ ଘୋଷିତ ହୋଇପାରେ।ତେବେ ବେଆଇନର ସମାବେଶର ସଦସ୍ୟ କିଏ ତାହା ଦଫା ୧୪୨ରେ ବର୍ଣ୍ଣନା କରାଯାଇଛି।ଏହା ଅନୁଯାୟୀ ଯଦି ଜଣେ ବ୍ୟକ୍ତି ଗୋଟିଏ ସମାବେଶ ଯେ ବେଆଇନ ସମାବେଶ,ଏହା ଜାଣିସାରିବା ପରେ ମଧ୍ୟ ଯୋଗ ଦିଏ ବା ମିଳିତ ହୋଇ ରହେ,ତେବେ ସେ ବେଆଇନ ସମାବେଶର ସଦସ୍ୟ ରୂପେ ପରିଗଣିତ ହୋଇଥାଏ ।ଯେତେବେଳେ କୈାଣସି ବେଆଇନ ସମାବେଶକୁ ଜାଗା ଛାଡ଼ି ଚାଲିଯିବା ପାଇଁ ଆଦେଶ ଦିଆହୋଇଥାଏ,ମାତ୍ର ଏହା ଜାଣିସୁଦ୍ଧା ଯେଉଁ ବ୍ୟକ୍ତି ସେଠାରେ ଯୋଗ ଦିଏ କି ମିଳିତ ହୋଇରହେ ତାଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରେ ।


ସର୍ବସାଧାରଣ ପ୍ରଶାନ୍ତି ଭଙ୍ଗ ଅପରାଧରେ ବେଆଇନ ସମାବେଶର ସଦସ୍ୟଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିଥାଏ ।ଦଫା ୧୪୯ ଅନୁଯାୟୀ ବେଆଇନ ସମାବେଶର ଯେ କୈାଣସି ସଦସ୍ୟ ସମାବେଶର ସମ ଉଦ୍ଦେଶ୍ୟରେ କିଛି ଅପରାଧ କରନ୍ତି,ତେବେ ବେଆଇନ ସମାବେଶର ପ୍ରତ୍ୟେକ ବ୍ୟକ୍ତି ଦାୟୀ ରହିବେ।ଏହି ବେଆଇନ ସମାବେଶର ସଦସ୍ୟ ହେବାକୁ ଭଡ଼ା ଦେବା ବା ଭଡ଼ାରେ ଯିବା ମଧ୍ୟ ଏକ ଅପରାଧ ବୋଲି ବିବେଚିତ ହୁଏ।


ମୁଥୁ ନାୟକର ବନାମ ତାମିଲନାଡୁ ରାଜ୍ୟ ମାମଲାରେ ଏହା କୁହାଯାଇଥିଲା ଯେ,କୌଣସି ବେଆଇନ ସମାବେଶକୁ ଦେଖିବା ପାଇଁ ଆଗ୍ରହୀ ହୋଇ ଠିଆ ହୋଇଥିବା ଦର୍ଶକକୁ ବେଆଇନ ସମାବେଶରସଦସ୍ୟ ଭାବରେ ପରିଗଣିତ କରାଯାଇପାରିବ ନାହିଁ।


ବ୍ୟବହାର ହେଉ ଅବା ନହେଉ, ଏହି ବେଆଇନ ସମାବେଶକୁ ଅସ୍ତ୍ର ଧରି ଯିବା ମଧ୍ୟ ଅନ୍ୟ ଏକ ଅପରାଧ।ଦଫା ୧୪୪ କହେ ଯେ ,ଯେଉଁ ବ୍ୟକ୍ତି କୌଣସି ମାରଣାସ୍ତ୍ର ସହ କିମ୍ବା ଏପରି ବସ୍ତୁ ଯାହାକୁ ଅସ୍ତ୍ରଭାବେ ବ୍ୟବହାର କଲେ ମଣିଷର ମୃତ୍ୟୁ ହୋଇପାରେ, ସାଥିରେ ନେଇ ବେଆଇନ ସମାବେଶରେ ଯୋଗ ଦେଲେ ତାଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡ ହେବ ।


ଆପଣମାନେ ଦଙ୍ଗା ବିଷୟରେ ତ ଜାଣିଥିବେ । ଆଇନର ଭାଷାରେ ଦଫା୧୪୬ ଅନୁଯାୟୀ ଯେତେବେଳେ ସମଲକ୍ଷ୍ୟ ସାଧନ ପାଇଁ ବେ-ଆଇନ ସମାବେଶ ବା ତାର କୈାଣସି ସଦସ୍ୟଙ୍କ ଦ୍ଵାରା ବଳ ପ୍ରୟୋଗ ବା ହିଂସାତ୍ମକ କାର୍ଯ୍ୟ ହୁଏ,ତେବେ ସେହି ବେଆଇନ ସମାବେଶର ପ୍ରତ୍ୟେକ ବ୍ୟକ୍ତି ଦଙ୍ଗା କରିଥିବା ଅପରାଧରେ ଦୋଷୀ ହୁଅନ୍ତି ଓ ଦଫା ୧୪୭ରେ ଏଥିପାଇଁ ଦୋଷୀଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ବା ଜରିମାନା ବା ଉଭୟ ଦଣ୍ଡ ହୋଇପାରେ ।


ଦଙ୍ଗାରେ ଦୋଷୀ ହୋଇଥିବା ବ୍ୟକ୍ତି ଯଦି କୌଣସି ମାରଣାସ୍ତ୍ର ସହ କିମ୍ବା ଏପରି ବସ୍ତୁ ଯାହାକୁ ଅସ୍ତ୍ର ଭାବେ ବ୍ୟବହାର କଲେ ମଣିଷର ମୃତ୍ୟୁ ହୋଇପାରେ, ସାଥିରେ ନେଇଥାନ୍ତି,ତେବେ ତାଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ବା ଜରିମାନା କିମ୍ବା ଉଭୟ ଦଣ୍ଡ ହେବ ।


ତେବେ ସେ ଦଙ୍ଗା ରୋକିବାକୁ ପାଇଁ ପ୍ରୟାସରତ ସରକାରୀ କର୍ମୀଙ୍କୁ ଅସଦାଚରଣ କଲେ ଅଥବା ତାଙ୍କୁ ରୋକିବାର ପ୍ରଯତ୍ନ କଲେ,ଉକ୍ତ ବ୍ୟକ୍ତି ମାନଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ବା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିପାରେ।

ଯଦି କେହି ବ୍ୟକ୍ତି ଦଙ୍ଗା ଘଟାଇବାର ଅଭିପ୍ରାୟ ରଖି କୌଣସି ଅବୈଧ କାର୍ଯ୍ୟ କରେ ଯାହାକି ଅନ୍ୟ ଜଣକୁ ଦଙ୍ଗା ଘଟାଇବାକୁ ଉତ୍ତେଜିତ କରେ ତେବେ ଦଙ୍ଗା ଘଟିଲେ ସେହି ପ୍ରରୋଚନାକାରୀଙ୍କୁ ଏକବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ବା ଜରିମାନା ବା ଉଭୟ ଦଣ୍ଡ ହୋଇପାରେ। ବୃଥାଟାରେ ଏମିତି ଉତ୍ତେଜନା ବା ପ୍ରରୋଚନା ସୃଷ୍ଟି କରିବା ବି ଅପରାଧ,ତେଣୁ ଦଙ୍ଗା ନ ଘଟିଲେ ମଧ୍ୟ ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ, ଜରିମାନା ବା ଉଭୟ ଦଣ୍ଡ ହୋଇପାରେ ।


୧୯୬୯ ମସିହାରେ ଆକ୍ଟ ୩୫ଦ୍ଵାରା କରାଯାଇଥିବା ସଂହିତାର ସଂଶୋଧନ ଅନୁସାରେ ଯଦି କୈାଣସି ବ୍ୟକ୍ତି ଶବ୍ଦ ଦ୍ଵାରା,ସଂକେତଦ୍ୱାରା ବା କୈାଣସି ଦୃଶ୍ୟମାନ ମାଧ୍ୟମ ଦ୍ଵାରା ବା ଅନ୍ୟ କୈାଣସି ଉପାୟରେ ଧର୍ମ, ବଂଶ, ଜନ୍ମସ୍ଥାନ, ଭାଷା, ଜାତି ବା ସଂପ୍ରଦାୟ ବା ଅନ୍ୟ ଯେକୌଣସି କାରଣକୁ ଭିଭିକରି ଭିନ୍ନ ଭିନ୍ନ ଧର୍ମାବଲମ୍ବୀ, ଭାଷାଗତ, ଆଞ୍ଚଳିକ ଦଳ, ଜାତି ବା ସଂପ୍ରଦାୟ ମଧ୍ୟରେ ଘୃଣା ବା ଶତ୍ରୁତା ସୃଷ୍ଟି କରେ ବା ଶାନ୍ତିକୁ ଭଙ୍ଗ କରେ,ତେବେ ସେ ସର୍ବସାଧାରଣ ପ୍ରଶାନ୍ତି ବିରୁଦ୍ଧରେ ଅପରାଧ କରେ।


ଯାହାଙ୍କର ଜମିରେ ସେ ବେଆଇନ ସମାବେଶ କିମ୍ବା ଦଙ୍ଗା ଘଟିଥିବ କିମ୍ବା ଯାହାର ଲାଭ ପାଇଁ ସେସବୁ ଘଟିଥିବ,ସେମାନେ ମଧ୍ୟ ଦୋଷୀ ହେବେ,ଯଦି ପୂର୍ବରୁ ସେମାନଙ୍କର ଏ ବିଷୟରେ ଜ୍ଞାନ ଥାଇ ମଧ୍ୟ ପୁଲିସକୁ ଜଣାଇନଥିବେ ଏବଂ ଏହାର ନିରାକରଣ ପାଇଁ ଆଇନଗତ ପଦକ୍ଷେପ ନେଇନଥିବେ।


ଆପଣ ଜାଣନ୍ତି କି ଯଦି ଆପଣ ସର୍ବସାଧାରଣ ସ୍ଥାନରେ ଝଗଡା କରୁଛନ୍ତି, ତେବେ ଆପଣ ଅପରାଧୀ ଭାବରେ ବିବେଚିତ ହୋଇପାରନ୍ତି। ଦଫା ୧୫୯ ଅନୁଯାୟୀ ଯେତେବେଳେ ଦୁଇ କିମ୍ବା ଅଧିକ ଲୋକ ସର୍ବସାଧାରଣ ସ୍ଥାନରେ ଝଗଡା କରନ୍ତି ଏବଂ ଜନସାଧାରଣଙ୍କ ଶାନ୍ତିଭଙ୍ଗ କରନ୍ତି, ସେତେବେଳେ ତାହାକୁ “ଆଫ୍ରେ ବା ଝଗଡା ”ବୋଲି କୁହାଯାଏ । ଦଫା ୧୬୦ରେ ଝଗଡା ପାଇଁ ଦଣ୍ଡର ବ୍ୟବସ୍ଥାରେ ଏକ ମାସ କାରାଦଣ୍ଡ କିମ୍ବା ଜରିମାନା ଯାହାର ପରିମାଣ ଶହେ ଟଙ୍କା ପର୍ଯ୍ୟନ୍ତ ହୋଇପାରେ କିମ୍ବା ଉଭୟ ଦଣ୍ଡିରେ ଦଣ୍ତିତ କରାଯାଇପାରେ ।


Our Recent Posts

Law in Odia

India

LAW IN ODIA