• ସୂର୍ଯ୍ୟସ୍ନାତା ଦାସ

ସ୍ଵଚ୍ଛ ନିର୍ବାଚନ; ଦେଶର ମାନ



ଜାତୀୟ ଭୋଟର ଦିବସର ଅଭିନନ୍ଦନ ।ନିର୍ବାଚନ ହେଉଛି ଗଣତନ୍ତ୍ରର ସବୁଠୁଁ ବଡ଼ ତଥା ମର୍ଯ୍ୟାଦା ସମ୍ପନ୍ନ ପ୍ରଥା।ଏହା ହିଁ ବାସ୍ତବରେ ନିଜ ନୌକାର ନିଜେ ନାଉରୀ ପଦକୁ ଯଥାର୍ଥତା ଦେଇଥାଏ।ତେବେ ଏହି ନିର୍ବାଚନ ସମ୍ପର୍କିତ ଅପରାଧ ସମୂହ ବିଭାଗ ନବମ 'କ' ରେ ବର୍ଣ୍ଣିତ ଅଛି।୧୭୧ 'କ'ରେ କୁହାଯାଇଛି ଯେ, ଏହି ଅଧ୍ୟାୟରେ ବ୍ୟବହୃତ ପ୍ରାର୍ଥୀ ଶବ୍ଦଟି ନିର୍ବାଚନ ଲାଗି ମନୋନୀତ ପ୍ରାର୍ଥୀଙ୍କୁ ବୁଝାଇବ ଏବଂ ଇଲେକଟୋରାଲ୍ ରାଇଟ ବା ନିର୍ବାଚନ ସମ୍ବନ୍ଧୀୟ ଅଧିକାର ଗୋଟିଏ ବ୍ୟକ୍ତିର ନିର୍ବାଚନ ପାଇଁ ଛିଡ଼ା ହେବାର,ନ ଛିଡା ହେବା ଅଥବା ନିଜକୁ ଓହରାଇ ଆଣିବା,କାହାକୁ ଭୋଟ ଦେବା ନ ଦେବା ପ୍ରଭୃତିକୁ ସୂଚେଇଥାଏ।


ଯଦି କେହି ପ୍ରାର୍ଥୀ ବା ଭୋଟଦାତାଙ୍କୁ ତାଙ୍କ ଅଧିକାରରୁ ଓହରାଇବାର ଉଦ୍ଦେଶ୍ୟ ରଖି ଧମକ ଦେବେ ଅଥବା ସେମାନଙ୍କ ସ୍ଵାର୍ଥର ଅର୍ଥାତ୍ ନିଜର ଆଗ୍ରହ ଥିବା କୌଣସି ବ୍ୟକ୍ତିଙ୍କୁ କ୍ଷତି ପହଞ୍ଚାଇବାର ଧମକ ଦେବେ କିମ୍ବା ତାଙ୍କ ମନରେ ଧର୍ମବିଦ୍ବେଷୀ ହେବାର ଭ୍ରମ ସୃଷ୍ଟି କରାଇବେ,ତେବେ ସେ ବ୍ୟକ୍ତିଙ୍କୁ ନିଜର ମୁକ୍ତ ସମ୍ମତି ଦେବାରୁ କ୍ଷାନ୍ତ କରି ନିର୍ବାଚନରେ ଅଯଥା ପ୍ରଭାବ ସୃଷ୍ଟି କରିବାର ଅପରାଧରେ ଅପରାଧୀ ହେବେ।


ଏହା ବ୍ୟତିରକେ ,ଯିଏ ନିର୍ବାଚନରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ନାମରେ ଭୋଟ୍ ପାଇଁ ଆବେଦନ କରେ କିମ୍ବା ଭୋଟ୍ ଦିଏ, କିମ୍ବା ସେହି ନିର୍ବାଚନରେ ଥରେ ଭୋଟ୍ ଦେବା ପରେ ଆଉ ଥରେ ଭୋଟ୍ ପାଇଁ ଆବେଦନ କରେ, କିମ୍ବା ଏଥିପାଇଁ ସାହାଯ୍ୟ କରେ,ତେବେ ତାକୁ ଅପରାଧୀ ଭାବରେ ବିବେଚନା କରାଯାଏ।ଏହି ପ୍ରକାରର ଅପରାଧୀଙ୍କ ପାଇଁ ସଂହିତାରେ ଜରିମାନା ବା ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି।ନିର୍ବାଚନ ସଂକ୍ରାନ୍ତରେ ଉତ୍କୋଚ ବା ଲାଞ୍ଚ କାରବାରରେ ଦୋଷୀ ହେଲେ ମଧ୍ୟ ଉକ୍ତ ଦଣ୍ଡ ମିଳିଥାଏ।


ନିର୍ବାଚନ ସମ୍ବନ୍ଧରେ ମିଥ୍ୟା ବିବୃତ୍ତି ଦେଇ ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବାର ଚେଷ୍ଟା କରିବା ମଧ୍ୟ ଏକ ଅପରାଧ।ଯଦି କେହି ଏହି ଉଦ୍ଦେଶ୍ୟ ନେଇ ପ୍ରାର୍ଥୀଙ୍କ ଚରିତ୍ର ଓ ଆଚରଣ ବିଷୟରେ ଜାଣିଶୁଣି କିଛି ମିଥ୍ୟା କଥନ କରନ୍ତି,ତେବେ ତାଙ୍କୁ ଜରିମାନା ଦଣ୍ଡାଦେଶ ହୋଇଥାଏ।


ଯଦି କୈାଣସି ବ୍ୟକ୍ତି ପ୍ରାର୍ଥୀଙ୍କ ସାଧାରଣ କିମ୍ବା ସ୍ଵତନ୍ତ୍ର ଲିଖିତ ଅନୁମତି ବିନା ପ୍ରାର୍ଥୀଙ୍କ ପାଇଁ ଶୋଭାଯାତ୍ରା ବା ବିଜ୍ଞାପନ ପ୍ରକାଶନ କରୁଛନ୍ତି,ତେବେ ତାଙ୍କୁ ପାଞ୍ଚଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡ ହୋଇପାରେ।ଯଦି ସେହି ଅଧିକାର ପ୍ରାପ୍ତ ହୋଇନଥିବା ବ୍ୟକ୍ତି ଦଶ ଟଙ୍କାରୁ ଅଧିକ ଖର୍ଚ୍ଚ ବହନ କରନ୍ତି,ତେବେ ଦଶ ଦିନ ମଧ୍ୟରେ ସେହି ପ୍ରାର୍ଥୀଙ୍କ ଲିଖିତ ଅନୁମୋଦନ ପ୍ରାପ୍ତ ହେବା ଆବଶ୍ୟକ ହୁଏ ,ତେବେ ଏହା ନିର୍ବାଚନ ଖର୍ଚ୍ଚ ଭାବରେ ବିବେଚନା କରାଯାଏ ଏବଂ କୁହାଯାଏ ଯେ ସେ ସେହି ପ୍ରାର୍ଥୀଙ୍କ ଅଧିକାରରେ ଏପରି ଖର୍ଚ୍ଚ କରିଛନ୍ତି।ଯିଏ ନିର୍ବାଚନରେ କିମ୍ବା ନିର୍ବାଚନ ସହିତ ଜଡିତ ଥିବା ଖର୍ଚ୍ଚର ହିସାବ ରଖିବାରେ ବିଫଳ ହୁଏ, ତାଙ୍କୁ ପାଞ୍ଚଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡ ମିଳିପାରେ ।


ନିର୍ବାଚନକୁ ସ୍ଵଚ୍ଛ, ସୁରକ୍ଷିତ ରଖିବା ପାଇଁ ସମ୍ବିଧାନ ତଥା ଅନ୍ୟାନ୍ୟ ଆଇନ୍ ଅନୁଯାୟୀ ମଧ୍ୟ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବ୍ୟବସ୍ଥା କରାଯାଇଥାଏ।

Our Recent Posts

Law in Odia

India

LAW IN ODIA