• ସୂର୍ଯ୍ୟସ୍ନାତା ଦାସ

ସ୍ଵତନ୍ତ୍ର ବିବାହ ଅଧିନିୟମ


ସ୍ପେଶ୍ୟାଲ ମ୍ୟାରେଜ ଆକ୍ଟ ବା ସ୍ଵତନ୍ତ୍ର ବିବାହ ଅଧିନିୟମ ଦୁଇଟି ଭିନ୍ନଭିନ୍ନ ଧର୍ମର ବ୍ୟକ୍ତିଙ୍କ ମଧ୍ୟରେ ବିବାହ ଅନୁଷ୍ଠାନକୁ ନିୟନ୍ତ୍ରଣ କରିଥାଏ।ଯେତେବେଳେ କୌଣସି ନିର୍ଦ୍ଦିଷ୍ଟ ଧର୍ମ ମଧ୍ୟରେ ବିବାହ ହୁଏ, ଅର୍ଥାତ ଯେତେବେଳେ ଉଭୟ ପକ୍ଷ ସମାନ ଧର୍ମର ଅନୁଗାମୀ ହୋଇଥାଆନ୍ତି,ସେତେବେଳେ ତାଙ୍କ ବିବାହଟି ଉକ୍ତ ଧର୍ମର ନୀତିନିୟମ ଉପରେ ଆଧାରିତ ଆଇନ ଅନୁଯାୟୀ ହୋଇଥାଏ। ଉଦାହରଣ ସ୍ଵରୂପ ହିନ୍ଦୁ ବିବାହ ଅଧିନିୟମ,ମୁସଲିମ ବିବାହ ଅଧିନିୟମ ପ୍ରଭୃତି ସେହି ଧର୍ମର ପ୍ରଥା ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥାଏ।


ମାତ୍ର ଯେତେବେଳେ ଦୁଇଟି ଭିନ୍ନଭିନ୍ନ ଧର୍ମର ବ୍ୟକ୍ତିଙ୍କ ମଧ୍ୟରେ ବିବାହ ସ୍ଥିର ହୁଏ,ତାହା ଏହି ସ୍ଵତନ୍ତ୍ର ବିବାହ ଅଧିନିୟମ ୧୯୫୪ ଅନୁସାରେ ଅନୁଷ୍ଠିତ ହୋଇଥାଏ।ଉଦାହରଣ ସ୍ଵରୂପ ଯେତେବେଳେ ବିବାହର ଗୋଟିଏ ପକ୍ଷ ହିନ୍ଦୁ ଏବଂ ଅନ୍ୟ ପକ୍ଷଟି ଖ୍ରୀଷ୍ଟିଆନ ଅଥବା ଗୋଟିଏ ପକ୍ଷ ମୁସଲିମ ଓ ଅନ୍ଯ ପକ୍ଷଟି ପାର୍ଶୀ ,ସେହି ସମୟ ମାନଙ୍କରେ ଏହି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଥାଏ।


ଏହି ଅଧିନିୟମର ପ୍ରକୃତିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ,ଏହା ଧର୍ମ ନିରପେକ୍ଷ ଓ କୌଣସି ନିର୍ଦ୍ଦିଷ୍ଟ ଧର୍ମର ରୀତିନୀତି ଅନୁଯାୟୀ ପ୍ରଭାବିତ ହୋଇନଥାଏ‌ । ଭିନ୍ନଭିନ୍ନ ଧର୍ମ ମଧ୍ୟରେ ବିବାହକୁ ରୂପରେଖ ଦେବା ପାଇଁ ଏହି ପ୍ରକୃତିର ଆବଶ୍ୟକତା ରହିଛି।ତେଣୁ କୌଣସି ନିର୍ଦ୍ଦିଷ୍ଟ ଧର୍ମ ସହ ସଂପୃକ୍ତ ହୋଇନଥିବା କାରଣରୁ ଏଥିରେ କିଛି ବିଶେଷ ରୀତିନୀତି ପାଳନ କରିବାର ଆବଶ୍ୟକତା ପଡିନଥାଏ।


ଏହି ବିବାହ ପାଇଁ ମୁଖ୍ୟତଃ ଯାହା ଦରକାର ପଡିଥାଏ ତାହା ହେଉଛି ସମ୍ମତି।ଯାହା ତିନିଜଣ ସାକ୍ଷୀଙ୍କ ଉପସ୍ଥିତିରେ ମ୍ୟାରେଜ ଅଫିସରଙ୍କ ଆଗରେ ପ୍ରଦାନ କରାଯାଇଥାଏ।


-ଏହି ଅଧିନିୟମ ଅନୁଯାୟୀ ବିବାହ ପାଇଁ, ପକ୍ଷମାନେ ସେମାନଙ୍କର ବିବାହ କରିବାର ଇଚ୍ଛା ଦର୍ଶାଇ ଏକ ନୋଟିସ୍ ବା ବିଜ୍ଞପ୍ତି ଦାଖଲ କରିବା ଆବଶ୍ୟକ କରନ୍ତି।


-ଏହି ନୋଟିସଟି ସେହି ଯେଉଁ ଜିଲ୍ଲାର ମ୍ୟାରେଜ ରେଜିଷ୍ଟ୍ରାର ଆଗରେ କରାଯାଏ, ଯେଉଁ ଜିଲ୍ଲାରେ ଏହି ବିବାହର ଗୋଟିଏ ପକ୍ଷ ବିବାହ ପୂର୍ବରୁ ଅତିକମରେ ତିରିଶଦିନ ପୂର୍ବରୁ ରହିଆସୁଥିବେ ।


-ଏହି ନୋଟିସ ବା ବିଜ୍ଞପ୍ତି ଦାଖଲର ତିରିଶ ଦିନ ପରେ ବିବାହ ହୋଇଯାଇଥାଏ।


-ବିବାହ ସଂପୂର୍ଣ୍ଣ ହେବା ପରେ ମ୍ୟାରେଜ ଅଫିସର ଜଣଙ୍କ ବିବାହର ପ୍ରମାଣ ପତ୍ର ପ୍ରସ୍ତୁତ କରିଥାଆନ୍ତି।


- ଯଦି ଏହି ତିରିଶ ଦିନ ମଧ୍ୟରେ ବିବାହର ନିମ୍ନ ସର୍ତ୍ତ ସମୂହ ପୂରଣ ନ ହୋଇପାରିବାର ଅଭିଯୋଗ ଆସେ, ତେବେ ମ୍ୟାରେଜ ଅଫିସର ଜଣଙ୍କ ଅଭିଯୋଗର ସତ୍ୟତାର ଅନୁସନ୍ଧାନ କରି ନିର୍ଣ୍ଣୟରେ ନ ପହଞ୍ଚିବା ପର୍ଯ୍ୟନ୍ତ ବିବାହ ସଂପନ୍ନ ହୋଇପାରିନଥାଏ।


-ଯଦି ବିବାହଟି କୌଣସି କାରଣରୁ ନୋଟିସ ବା ବିଜ୍ଞପ୍ତି ପ୍ରଦାନର ତିନିମାସ ମଧ୍ୟରେ ହୋଇପାରିନଥାଏ,ତେବେ ପୁନଶ୍ଟ ଆଉଥରେ ଏକ ନୂଆ ବିଜ୍ଞପ୍ତି ପ୍ରକାଶିତ କରିବା ଆବଶ୍ୟକ ପଡିଥାଏ।


ଏହି ଅଧିନିୟମର ୪ ନିୟମ ଅନୁଯାୟୀ ବିବାହ ସଂପୂର୍ଣ୍ଣ ହେବା ପାଇଁ ଏହି ସର୍ତ୍ତଗୁଡିକର ପୂରଣ ହେବା ଏକାନ୍ତ ଆବଶ୍ୟକ: -


● ଉଭୟପକ୍ଷ ଉପଯୁକ୍ତ ବୟସରେ ପଦାର୍ପଣ କରିଥିବା ଆବଶ୍ୟକ। ବରଜଣଙ୍କ ଅତିକମରେ ୨୧ ଏବଂ କନ୍ୟା ଅତିକମରେ ୧୮ ବର୍ଷ ବୟସ ହୋଇଥିବା ଆବଶ୍ୟକ।ବିବାହ ପାଇଁ ଆଇନସମ୍ମତ ବୟସର ଅଭାବରେ ବିବାହଟି ଏହି ଅଧିନିୟମ ଅନୁସାରେ ସଂପନ୍ନ ହୋଇପାରେ ନାହିଁ ।


● ଏହି ଅଧିନିୟମ ବହୁବିବାହ ପ୍ରଥାକୁ ସ୍ଵୀକୃତି ଦିଏ ନାହିଁ।ଏହା ଅନୁସାରେ ବିବାହ ସମୟରେ ଉଭୟ ପକ୍ଷଙ୍କ ମଧ୍ୟରୁ କୌଣସି ପକ୍ଷଙ୍କର କେହି ବିବାହିତ ଜୀବନସାଥୀ ଜୀବିତ ନଥିବା ଆବଶ୍ୟକ।


● ଉଭୟ ପକ୍ଷଙ୍କ ମଧ୍ୟରୁ କୌଣସି ପକ୍ଷଟି ମାନସିକ ଅକ୍ଷମ ହୋଇନଥିବା ଅପରିହାର୍ଯ୍ୟ ଓ ସେମାନଙ୍କର ସମ୍ମତିଟି ମୁକ୍ତ ସମ୍ମତି ହୋଇଥିବା ଉଚିତ।ଯଦି କୈ‌ଣସି ପକ୍ଷ ବିବାହ ତଥା ପିଲାମାନଙ୍କର ପାଳନ ନିମନ୍ତେ ମାନସିକ ଭାବରେ ସକ୍ଷମ ନାହାନ୍ତି, ତେବେ ବିବାହଟି ମାନ୍ୟତା ପାଇନଥାଏ ।


● ଉଭୟ ପକ୍ଷ ପରସ୍ପର ସହ ନିଷିଦ୍ଧ ସମ୍ପର୍କର ପରିସର ମଧ୍ୟକୁ ଆସୁନଥିବା ଆବଶ୍ୟକ ।ଏହିପରି ସମ୍ପର୍କର ଉପସ୍ଥିତିରେ ବିବାହଟିକୁ ଗ୍ରହଣ କରାଯାଇନଥାଏ।


ବିବାହ ନିମନ୍ତେ ଏହି ସବୁ ସର୍ତ୍ତ ପୂରଣ ହେଲେ ହିଁ ଯାଇ ବିବାହଟି ଆଇନ ଆଗରେ ବୈଧ ବିବାହର ମାନ୍ୟତା ପାଇଥାଏ।


ଏହି ଅଧିନିୟମ ଅନୁସାରେ ଥରେ ବିବାହଟି ସଂପୂର୍ଣ୍ଣ ହେଲେ ଉକ୍ତ ବିବାହର ଗୋଟିଏ ବର୍ଷ ଭିତରେ କୈଣସି ବି ପକ୍ଷ ବିବାହ ବିଚ୍ଛେଦ ନିମନ୍ତେ ଆବେଦନ କରିପାରିବେ ନାହିଁ।


- ବିବାହର ସମାରୋହ ପରେ, ଗୋଟିଏ ପକ୍ଷ ଯଦି ସ୍ବେଚ୍ଛାକୃତ ଭାବେ ତାଙ୍କ ସାଥୀ ବ୍ୟତୀତ ଅନ୍ୟ ବ୍ୟକ୍ତି ସହ ଶାରୀରିକ ସମ୍ପର୍କ ରଖିଛନ୍ତି


- ଆବେଦନ ଉପସ୍ଥାପନର ପୂର୍ବରୁ କ୍ରମାଗତ ଦୁଇ ବର୍ଷ ବା ଅଧିକ ସମୟ ଧରି ଆବେଦନକାରୀଙ୍କୁ ଅପରପକ୍ଷଟି ପରିତ୍ୟାଗ କରିଛନ୍ତି


- ସଂହିତାରେ ବ୍ୟାଖ୍ୟା କରାଯାଇଥିବା କୈଣସି ଅପରାଧ ପାଇଁ ଗୋଟିଏ ପକ୍ଷ ସାତ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି କାରାଦଣ୍ଡ ଭୋଗୁଛନ୍ତି ।


-ବିବାହର ସମାରୋହ ପରେ ଆବେଦନକାରୀଙ୍କ ପ୍ରତି ଅନ୍ୟ ପକ୍ଷଟି ନିଷ୍ଠୁର ବ୍ୟବହାର କରିଛନ୍ତି; କିମ୍ବା


-ମାନସିକ ଅକ୍ଷମତା କିମ୍ବା ବିକୃତି କାରଣରୁ ଆବେଦନକାରୀ ଅପର ପକ୍ଷ ସହ ରହିବା ପାଇଁ ଆଶା କରିପାରୁନାହାନ୍ତି।


- ପକ୍ଷଟି ଏକ ଯୌନ ସଂକ୍ରାମକ ରୋଗରେ ପୀଡିତ ହୋଇଛନ୍ତି


-ଅପର ପକ୍ଷଟି ଜୀବିତ ଥିବା ବିଷୟରେ ସାତ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି କିଛି ଶୁଣାଯାଇ ନାହିଁ।


-ଆଇନଗତ ପୃଥକୀକରଣ ଅବା ବୈବାହିକ ସମ୍ପର୍କର ପୁନଃସ୍ଥାପନର ଆଦେଶ ପରେ ପରବର୍ତ୍ତୀ ବର୍ଷେ ବା ଅଧିକ ସମୟ ଧରି ସେମାନଙ୍କ ଭିତରେ ବୈବାହିକ ସମ୍ପର୍କ ସ୍ଥାପନ ହୋଇପାରିନାହିଁ ।


ଏ ସମସ୍ତ କାରଣ ବ୍ୟତୀତ କେବଳ ଯଦି ସ୍ୱାମୀ, ବିବାହର ସମାରୋହ ପରଠାରୁ ବଳାତ୍କାର, ଅପ୍ରାକୃତିକ ଯୌନକ୍ରିୟା କିମ୍ବା ପଶୁମୈଥୁନରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କିମ୍ବା ଅଦାଲତର ଭରଣପୋଷଣ ଆଦେଶ ପରେ ବର୍ଷେ ବା ଅଧିକ ସମୟ ଧରି ତାଙ୍କ ଭିତରେ ବୈବାହିକ ସମ୍ପର୍କ ସ୍ଥାପନ ହୋଇପାରିନାହିଁ ,ତେବେ ଜଣେ ପତ୍ନୀ ଛାଡପତ୍ର ପାଇଁ ଏକ ଆବେଦନକୁ ଜିଲ୍ଲା କୋର୍ଟରେ ଉପସ୍ଥାପନ କରିପାରନ୍ତି । ଏତଦବ୍ୟତୀତ ପାରସ୍ପରିକ ସମ୍ମତି ଦ୍ଵାରା ମଧ୍ୟ ଏହି ବିବାହରେ ଛାଡପତ୍ର ମିଳିପାରେ।

Our Recent Posts