• ସୂର୍ଯ୍ୟସ୍ନାତା ଦାସ

ହିନ୍ଦୁ ଅଧିନିୟମ ଅନୁସାରେ ପୋଷ୍ୟ ଗ୍ରହଣ



ପୋଷ୍ୟ ଗ୍ରହଣ କ’ଣ?


ପିତାମାତାଙ୍କ ଜୀବନରେ ଖୁସି ଆଣିବା ପାଇଁ ତଥା ପରିବାରର ସୁଖଶାନ୍ତି ବଜାୟ ରଖିବାରେ ସନ୍ତାନର ଆବଶ୍ୟକତା ଖୁବ ଅଧିକ। ସନ୍ତାନ ପ୍ରାପ୍ତି ତଥା ପରିବାରକୁ ଆଗକୁ ନେବା ହିଁ ବିବାହର ମୂଳ ଲକ୍ଷ୍ୟ।ତେବେ କୈାଣସି କାରଣରୁ ହିନ୍ଦୁ ଦମ୍ପତିଙ୍କର ସନ୍ତାନ ପ୍ରାପ୍ତିରେ ଅସୁବିଧା ହେଲେ ହିନ୍ଦୁ ନିୟମ ଅନୁଯାୟୀ ସେମାନେ ପୋଷ୍ୟ ସନ୍ତାନକୁ ଗ୍ରହଣ କରିପାରିବେ।


ଚିରାଚରିତ ହିନ୍ଦୁ ପରିବାରର ପ୍ରଥା ଓ ପରମ୍ପରାରେ ପୁତ୍ର ସନ୍ତାନର ଭୂମିକା ଖୁବ ଅଧିକ। ତେଣୁ ପୁରାତନ ସମୟରେ ମୁଖ୍ୟତଃ ପୁତ୍ର ସନ୍ତାନକୁ ହିଁ ପୋଷ୍ୟ ସନ୍ତାନରୂପେ ଗ୍ରହଣ କରାଯାଉଥିଲା।ଚିରାଚରିତ ହିନ୍ଦୁଧର୍ମର ନିୟମ ବାର ପ୍ରକାରର ପୁତ୍ରଙ୍କୁ ସ୍ୱୀକୃତି ଦିଏ, ଯେଉଁଥିରେ ପାଞ୍ଚ ପ୍ରକାରର ପୋଷ୍ୟପୁତ୍ର ଅନ୍ତର୍ଭୁକ୍ତ।ତେବେ ହିନ୍ଦୁ ଦତ୍ତକ ତଥା ଭରଣପୋଷଣର ନିୟମ ୧୯୫୬ ଅନୁଯାୟୀ କନ୍ୟା ସନ୍ତାନକୁ ମଧ୍ୟ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିହେବ।


ହିନ୍ଦୁ ଧର୍ମ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣର ପ୍ରଧାନତଃ ଦୁଇଗୋଟି ଲକ୍ଷ୍ୟ ଥାଏ।ପ୍ରଥମଟି ହେଉଛି ଧାର୍ମିକ ଉଦ୍ଦେଶ୍ୟରେ ଯାହା ସଂସ୍କାର,ଶୁଦ୍ଧି ପ୍ରଭୃତି ଦ୍ଵାରା ପରିବାରର, ପିତାମାତାଙ୍କର ତଥା ପୂର୍ବପୁରୁଷଙ୍କର ଆଧ୍ୟାତ୍ମିକ ଲାଭରେ ସହାୟକ ହେବ ଏବଂ ଦ୍ଵିତୀୟଟି ହେଉଛି ଉତ୍ତରାଧିକାରକୁ ସୁରକ୍ଷିତ ରଖିବା ଓ ପରିବାରର ଗତିଶୀଳ କ୍ରମକୁ ବଜାୟ ରଖିବା।


ଆଇନର ଧାରା ୫ ଅନୁସାରେ ଏହି ଅଧିନିୟମ କାର୍ଯ୍ୟକାରୀ ହେବା ପରେ ଦତ୍ତକ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଆଇନର ନିୟମାବଳୀ ଦ୍ୱାରା ନିୟନ୍ତ୍ରିତ ହେବ । ଯଦି ଗ୍ରହଣ ଏହି ନିୟମଗୁଡିକର ଉଲ୍ଲଂଘନ କରାଯାଇଥାଏ, ଏହା ଶୂନ୍ୟ ହେବ ।


ଏକ ବୈଧ ପୋଷ୍ୟ ସନ୍ତାନ ଗ୍ରହଣର ଚାରୋଟି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା, ନିମ୍ନଲିଖିତ ଭାବରେ ଧାରା ୬ ରେ ଉଲ୍ଲେଖ କରାଯାଇଛି -

୧- ଗ୍ରହଣ କରୁଥିବା ବ୍ୟକ୍ତିଙ୍କର କ୍ଷମତା ରହିବା ଆବଶ୍ୟକ, ଏବଂ ପୋଷ୍ୟ ଗ୍ରହଣ କରିବାର ଅଧିକାର ମଧ୍ୟ ରହିବା ଉଚିତ୍ ।

୨- ପୋଷ୍ୟ ସନ୍ତାନ ପ୍ରଦାନ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ଏହା କରିବାର କ୍ଷମତା ରହିବା ଉଚିତ୍ ।

୩- ଯାହାକୁ ପୋଷ୍ୟ କରାଯାଇଛି, ସେ ପୋଷ୍ୟ ହେବା ପାଇଁ ସକ୍ଷମ ହେବା ଉଚିତ୍ । ଅଧିନିୟମ ଅନୁସାରେ, ଗୋଟିଏ ଶିଶୁକୁ ଏକା ସମୟରେ ଏକାଧିକ ଲୋକ ପୋଷ୍ୟ ଭାବରେ ଗ୍ରହଣ କରିପାରିବେ ନାହିଁ ।

୪-ଅଧିନିୟମରେ ଥିବା ଅନ୍ୟାନ୍ୟ ସର୍ତ୍ତଗୁଡିକ ଅନୁଯାୟୀ ପୋଷ୍ୟ ଗ୍ରହଣ କରାଯିବା ଉଚିତ ।


ବାସଭାରଜପ୍ପା ବନାମ ଗୁରୁବାସମ୍ମା ମାମାଲାରେ ଏହା କୁହାଯାଇଛି ଯେ, ଆଇନ ଆଖିରେ ଜଣେ ପୋଷ୍ୟପୁତ୍ର ଗୋଟିଏ ଜନ୍ମିତ ପୁତ୍ର ଭଳି ସମସ୍ତ ଅଧିକାର ପାଇବା ଯୋଗ୍ୟ।


କିଏ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ?


ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ ଯୋଗ୍ୟ ହେବା ଆବଶ୍ୟକ।କେଉଁ ବ୍ୟକ୍ତି କେତେବେଳେ ପୋଷ୍ୟ ଗ୍ରହଣ ନିମନ୍ତେ ସକ୍ଷମ ଓ ଯୋଗ୍ୟ ହୋଇପାରିବ,ସେଥିନିମନ୍ତେ ଅଧିନିୟମରେ ନିର୍ଦ୍ଦିଷ୍ଟ ସର୍ତ୍ତ ରହିଛି।


ଜଣେ ହିନ୍ଦୁ ପୁରୁଷ ଯିଏ ସନ୍ତାନ ଗ୍ରହଣ କରିବାକୁ ଚାହୁଁଛନ୍ତି, ସେ ଅଧିନିୟମର ଧାରା ୭ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହୁଁଥିବା ଜଣେ ହିନ୍ଦୁ ମହିଳା ଧାରା ୮ ପାଳନ କରିବାର ଯୋଗ୍ୟ ହୋଇଥିବା ଆବଶ୍ୟକ।ଉଭୟ ପୁରୁଷ ଓ ନାରୀ ବିପରୀତ ଲିଙ୍ଗର ସନ୍ତାନ ଗ୍ରହଣ କରିବା ନିମନ୍ତେ ବୟସରେ ଶିଶୁଠାରୁ ଅତିକମରେ ୨୧ ବର୍ଷ ବଡ଼ ହୋଇଥିବା ଆବଶ୍ୟକ।


ଏକ ହିନ୍ଦୁ ପୁରୁଷ ଗ୍ରହଣ କରିବାର କ୍ଷମତା ।


ଜଣେ ହିନ୍ଦୁ ପୁରୁଷ ପୋଷ୍ୟ ସନ୍ତାନ ଗ୍ରହଣ କରିବା ନିମନ୍ତେ ଧାରା ୭ ରେ ପ୍ରଦତ୍ତ ଆବଶ୍ୟକତା ପୂରଣ କରିବା ଆବଶ୍ୟକ,ଯାହା ଅନୁସାରେ-


- ସେ ସାବାଳକ ହୋଇଥିବେ।


-ସେ ସୁସ୍ଥ ମାନସିକତାର ବ୍ୟକ୍ତି ହୋଇଥିବେ ଅର୍ଥାତ୍ ମାନସିକ ଅକ୍ଷମ ନଥିବେ ।


- ତାଙ୍କର ପତ୍ନୀ ଥିବା ସମ୍ମତି ସମ୍ପୂର୍ଣ୍ଣ ଆବଶ୍ୟକ ।ତେବେ ସେ ଯଦି ମାନସିକ ଅକ୍ଷମତା କିମ୍ବା ଅନ୍ୟାନ୍ୟ କାରଣରୁ ପତ୍ନୀ ସମ୍ମତି ଦେବାରେ ଅସମର୍ଥ ତେବେ ତାଙ୍କର ସମ୍ମତି ଆବଶ୍ୟକ ନୁହେଁ।


-ଯଦି କୌଣସି ବ୍ୟକ୍ତିର ଏକାଧିକ ପତ୍ନୀ ଥାଆନ୍ତି, ତେବେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସମସ୍ତ ପତ୍ନୀଙ୍କ ସହମତି ଆବଶ୍ୟକ ।ମାତ୍ର ପ୍ରଥମ ପତ୍ନୀ ହିଁ ସନ୍ତାନର ଆଡପ୍ଟିଭ ମଦର ବା ଗ୍ରହଣ କରିଥିବା ମାତା ଭାବରେ ସ୍ଵୀକୃତ ହେବେ।


ଠିକ ସେହିଭଳି ଜଣେ ହିନ୍ଦୁ ମହିଳା ପୋଷ୍ୟ ସନ୍ତାନ ଗ୍ରହଣ କରିବା ନିମନ୍ତେ ଅଧିନିୟମର ଧାରା ୮ ରେ ପ୍ରଦତ୍ତ ଆବଶ୍ୟକତା ପୂରଣ କରିବା ଆବଶ୍ୟକ।


ଅଧିନିୟମର ଧାରା ୮ ରେ କୁହାଯାଇଛି ଯେ ଜଣେ ହିନ୍ଦୁ ମହିଳା , ଯାହାଙ୍କର ପତି ଜୀବିତ, ତାଙ୍କର ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ଅଧିକାର ନାହିଁ।ସେ ଚାହିଁଲେ,ତାଙ୍କ ପତି ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ଏବଂ ସନ୍ତାନଟି ଉକ୍ତ ଦମ୍ପତିଙ୍କର ସନ୍ତାନ ରୂପେ ସ୍ଵୀକୃତି ପାଇବ।କେବଳ ଅବିବାହିତା , ଛାଡପତ୍ର ପ୍ରାପ୍ତ ମହିଳା ବା ବିଧବା ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ। ତେବେ ଯଦି ମହିଳା ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଇଚ୍ଛୁକ,ତେବେ ତାଙ୍କର ନିମ୍ନଲିଖିତ ଯୋଗ୍ୟତା ଥିବା ଆବଶ୍ୟକ ।:


· ସେ ସାବାଳିକା ହୋଇଥିବା ଆବଶ୍ୟକ


· ସେ ସୁସ୍ଥ ମାନସିକତାର ବ୍ୟକ୍ତି ହୋଇଥିବେ ଅର୍ଥାତ୍ ମାନସିକ ଅକ୍ଷମ ନଥିବେ


ପୋଷ୍ୟ ସନ୍ତାନ ପାଇଁ କିଏ ଶିଶୁ ପ୍ରଦାନ କରିପାରିବେ?


ହିନ୍ଦୁ ପୋଷ୍ୟ ସନ୍ତାନ ତଥା ରକ୍ଷଣାବେକ୍ଷଣ ଆଇନର ଧାରା ୯ ଅନୁଯାୟୀ ଶିଶୁର ପିତାମାତା ଏବଂ ଅଭିଭାବକ ବ୍ୟତୀତ ଅନ୍ୟ କେହି ସେମାନଙ୍କୁ ପୋଷ୍ୟ ସନ୍ତାନ ଭାବରେ ପ୍ରଦାନ କରିବାକୁ ଯୋଗ୍ୟ ନୁହଁନ୍ତି ବା ଅନ୍ୟ କାହାର ସେ ଅଧିକାର ନାହିଁ।ପୁନଶ୍ଚ ଏଠାରେ ସ୍ପଷ୍ଟ କରାଯାଇଛି ଯେ,ପୋଷ୍ୟ ଭାବରେ ଗ୍ରହଣ ହୋଇଥିବା ଶିଶୁକୁ ପୁନଶ୍ଚ ପୋଷ୍ୟ ଭାବରେ ପ୍ରଦାନ କରାଯାଇପାରିବ ନାହିଁ।


ଅଧିନିୟମ ଅନୁସାରେ କେବଳ ଶିଶୁଟିକୁ ଜନ୍ମ ଦେଇଥିବା ପିତା ହିଁ ଶିଶୁର ମାଆଙ୍କ ସହମତିରେ ତାହାକୁ ପୋଷ୍ୟ ସନ୍ତାନ ଭାବରେ ପ୍ରଦାନ କରିପାରିବେ।ଶିଶୁର ଜନ୍ମକଲା ମାଆର ସହମତି ନଥିଲେ ଏପରି ପୋଷ୍ୟ ପ୍ରଦାନ ଗ୍ରହଣୀୟ ହୋଇନଥାଏ।


ତେବେ ବାପାଙ୍କ ଅଭାବରେ,ଅର୍ଥାତ ଯଦି ବାପା ମୃତ,ମାନସିକ ଅକ୍ଷମ ;ସଂସାର ତ୍ୟାଗୀ କିମ୍ବା ନିଜର ଧର୍ମାନ୍ତରୀକରଣ କରିଛନ୍ତି,ତେବେ ଜଣେ ମା ତାର ଜନ୍ମିତ ଶିଶୁକୁ ପୋଷ୍ୟ ସନ୍ତାନ ଭାବରେ ପ୍ରଦାନ କରିବାର କ୍ଷମତା ପାଇଥାଏ।


ଯଦି ଶିଶୁଟିକୁ ଜନ୍ମ ଦେଇଥିବା ପିତାମାତା ଯଦି ମୃତ, ସଂସାର ତ୍ୟାଗ କରିଛନ୍ତି, ମାନସିକ କ୍ଷମତା ହରାଇ ବସିଛନ୍ତି ,ତେବେ ନ୍ୟାୟାଳୟର ଅନୁମତି ପରେ ଅଭିଭାବକଙ୍କ ଦ୍ଵାରା ଶିଶୁଟିକୁ ପୋଷ୍ୟ ସନ୍ତାନ ଭାବରେ ତାଙ୍କୁ ଦିଆଯାଇପାରେ ।


ଅଧିନିୟମର ଧାରା ଅନୁସାରେ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କର ଯଦି ପୋଷ୍ୟ ସନ୍ତାନ ଗ୍ରହଣ କରିବା ସମୟରେ ପୁଅ କିମ୍ବା ପୁଅର ପୁଅ କିମ୍ବା ପୁଅର ପୁଅର ପୁଅ ଜୀବିତ ରହିଛି,ତେବେ ସେମାନେ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ଅକ୍ଷମ ବୋଲି ଗଣାଯିବ।ପୋଷ୍ୟକନ୍ୟା ଗ୍ରହଣ ସମୟରେ ମଧ୍ୟ ଠିକ ସେହି ନୀତି ଆପଣେଇ ନିଆଯାଇଥାଏ।


ଗ୍ରହଣର ପ୍ରଭାବ ଶିଶୁଟିର ଜୀବନକୁ ସଂପୂର୍ଣ୍ଣ ରୂପେ ନୂଆ ମୋଡ ଦେଇଥାଏ।ପୁରୁଣା ପରିବାର ସହ ସମସ୍ତ ସମ୍ବନ୍ଧ ଭାଙ୍ଗି ସେ ନୂଆ ପରିବାରର ସଦସ୍ୟ ହୁଏ ଏବଂ ସମସ୍ତ କର୍ତ୍ତବ୍ୟ ଓ ଦାୟିତ୍ଵ ବହନର ଯୋଗ୍ୟ ହୁଏ ଏବଂ ସମ୍ପତ୍ତିରେ ଅଧିକାର ପାଏ।ପୋଷ୍ୟ ଭାବରେ ଗୃହୀତ ହେବାପରେ ପୁରୁଣା ପରିବାର ସହ ସମସ୍ତ ସମ୍ପର୍କ ଭାଙ୍ଗିଲେ ମଧ୍ୟ ଶିଶୁଟି ସେହି ପୁରୁଣା ପରିବାରରେ ଜନ୍ମ ହୋଇଥିଲେ ଯେଉଁମାନଙ୍କୁ ବିବାହ କରିପାରିନଥାନ୍ତା,ନୂଆ ପରିବାରରେ ଯୋଗ ଦେବା ପରେ ମଧ୍ୟ ସପିଣ୍ଡ ବିବାହ ନିଷେଧ ସୂତ୍ରରେ ଏହା ସମ୍ଭବ ହେବନାହିଁ ।ଆଧୁନିକ ସମୟରେ ଏହି ପୋଷ୍ୟ ଗ୍ରହଣ ପ୍ରକ୍ରିୟାର ସରଳୀକରଣ ଏବଂ ଆଇନଗତ ସ୍ଵୀକୃତି ସନ୍ତାନହୀନ ପରିବାର ମାନଙ୍କରେ ଖୁସିର ଲହରୀ ଖେଳାଇଦେଇଛି କହିଲେ ଅତ୍ୟକ୍ତି ହେବନାହିଁ,ତେବେ ଏହି ପ୍ରଦାନ ଏବଂ ଗ୍ରହଣ ପଦ୍ଧତି ସମୟରେ ଦେୟ ନେବାଦେବା ଏକ ଅପରାଧ ଭାବରେ ପରିଗଣିତ ହୋଇଥାଏ।

Our Recent Posts

Law in Odia

India

LAW IN ODIA